You are here
Home > ବଡ଼ଖବର > ସିଡବ୍ଲ୍ୟୁସି ବୈଠକରେ ଯୋଗଦେବେ ନିରଞ୍ଜନ, ନରସିଂହ ଓ ରାମ ଖୁଣ୍ଟିଆ

ସିଡବ୍ଲ୍ୟୁସି ବୈଠକରେ ଯୋଗଦେବେ ନିରଞ୍ଜନ, ନରସିଂହ ଓ ରାମ ଖୁଣ୍ଟିଆ

ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସର ସର୍ବୋଚ ନୀତି ନିଦ୍ଧାରଣ କମିଟି ହେଉଛି ସିଡବ୍ଲ୍ୟୁସି ବା କଂଗ୍ରେସ ୱାର୍କିିଂ କମିଟି । ଏହି ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟିର ବୈଠକ ଆସନ୍ତା ୨୨ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶାରୁ କମିଟିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଯୋଗଦେବେ । ଓଡ଼ିଶାରୁ ଏହି ୩ ଜଣ ନେତା ସର୍ବୋଚ୍ଚ କମିଟିର ବୈଠକରେ ସାମିଲ ହେବେ ।
ରାହୁଲ ଗାନ୍ଧି ଏଆଇସିସି ଅଧ୍ୟକ୍ଷ ହେବା ପରେ ପ୍ରଥମଥର ପାଇଁ ତାଙ୍କ ଅଧ୍ୟକ୍ଷତାରେ ସିଡବ୍ଲ୍ୟୁସିର ବୈଠକ ବସିବାକୁ ଯାଉଛି । ଅଳ୍ପଦିନ ତଳେ ରାହୁଲ ସିଡବ୍ଲ୍ୟୁସିର ପୁର୍ନଗଠନ କରିଛନ୍ତି । ପୂର୍ବରୁ ଓଡ଼ିଶାର ୨ ଜଣ ସଦସ୍ୟ ଏଥିରେ ଥିଲେ । ରାମଚନ୍ଦ୍ର ଖୁଣ୍ଟିଆଙ୍କ ସହ ସୁଶିଳା ତିରିଆ ସଦସ୍ୟଭାବେ ରହିଥିଲେ । କିନ୍ତୁ ଏଥର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଭାବେ କେବଳ ଶ୍ରୀ ଖୁଣ୍ଟିଆଙ୍କୁ ନିଆଯାଇଛି । ଏହି କମିଟିରେ ପିସିସି ସଭାପତି ଓ ବିରୋଧୀଦଳ ନେତାଙ୍କୁ ସ୍ୱତନ୍ତ୍ର ଭାବେ ଡକାଯାଇଛି । ୨୦୧୯ରେ ସାଧାରଣ ନିର୍ବାଚନ ହେବାର ଅଛି । ହେଲେ ଏହା ପୂର୍ବରୁ ମଧ୍ୟ ଆଗୁଆ ନିର୍ବାଚନ ନେଇ ଆଲୋଚନା ଚାଲିଛି । ଏଣୁ ସିଡବ୍ଲ୍ୟୁସିର ଏହି ବୈଠକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି । ଏଥିରେ ଦଳର ନୀତିନିର୍ଦ୍ଧାରଣ ଓ ଭବିଷ୍ୟତ କାର୍ଯ୍ୟକ୍ରମ ନିର୍ଦ୍ଧାରିତ କରାଯାଇଥାଏ । ନିର୍ବାଚନ ପାଇଁ ଦଳର ଆଭିମୁଖ୍ୟ ଏଥିରେ ସ୍ଥିର ହୋଇଥାଏ । ସବୁରାଜ୍ୟର ସଦସ୍ୟମାନେ ଯୋଗ ଦେଇଥାନ୍ତି । କଂଗ୍ରେସ ପାଇଁ ସିଡବ୍ଲ୍ୟୁସି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କମିଟି । ଆସନ୍ତା ନିର୍ବାଚନକୁ ଦଳ କିଭଳି ଭାବେ ମୁକାବିଲା କରିବ ଓ କି ପ୍ରକାର ରଣକୌଶଳ ନିର୍ଦ୍ଧାରଣ କରିବ ଏହି ବୈଠକରେ ଆଲୋଚନା ହେବ । ସଦସ୍ୟମାନେ ସେମାନଙ୍କ ସୁଚିନ୍ତିତ ମତାମତ ଦେବେ । ସେହି ମତକୁ ଆଧାର କରି ଆଗାମୀ ଖସଡ଼ା ନିର୍ଦ୍ଧାରଣ କରାଯିବ । ଏଥିରେ ପିସିସି ସଭାପତି ଓ ବିରୋଧୀ ଦଳ ନେତା ଯୋଗ ଦେଉଥିôବାରୁ ରାଜ୍ୟମାନଙ୍କରେ ଦଳର ସ୍ଥିତି ସମ୍ପର୍କରେ ମଧ୍ୟ ରାହୁଲ ଅନୁଧ୍ୟାନ କରିବେ । ଓଡ଼ିଶାରେ କଂଗ୍ରେସ କଣ କରିବାକୁ ଯାଉଛି ବା କିପ୍ରକାର ପଦକ୍ଷେପ ନେବ ସେ ସମ୍ପର୍କରେ ମଧ୍ୟ ଏଥିରୁ ଜଣାପଡ଼ିବ ବୋଲି କୁହାଯାଉଛି । ରାହୁଲ ପ୍ରଥମ ଥର ପାଇଁ ସିଡବ୍ଲ୍ୟୁସିକୁ ସମ୍ବୋଧିତ କରିବେ । ଏଣୁ ରାହୁଲ ଦଳୀୟ କର୍ମୀ ଓ ନେତାଙ୍କ ପାଇଁ କଣ ବାର୍ତ୍ତା ରଖୁଛନ୍ତି ତାହା ମଧ୍ୟ ଦେଖିବା କଥା । ରାହୁଲଙ୍କ ବାର୍ତ୍ତାକୁ ଧରି କଂଗ୍ରେସ ନେତା ଓ କର୍ମୀ ଗାଁକୁ ଯାଇ ଆଗାମୀ ଦିନରେ କାର୍ଯ୍ୟକ୍ରମ ଗ୍ରହଣ କରିବେ । ସବୁ ଦୃଷ୍ଟିରୁ ଏଥରର ସିଡବ୍ଲ୍ୟୁସି ବୈଠକ ବେଶ ଗୁରୁତ୍ୱ ବହନ କରିବ ବୋଲି ଆଲୋଚନା ହେଉଛି । ସିଡବ୍ଲ୍ୟୁସିର ନିର୍ଯାସକୁ ମଧ୍ୟ ଦଳୀୟ ନେତା ଓ କର୍ମୀମାନେ ଅପେକ୍ଷାରେ ଅଛନ୍ତି ।

ONA

Leave a Reply

Top