You are here
Home > Breaking News > ଜାତୀୟସ୍ତରରେ ନବୀନଙ୍କ ଛବି ଖରାପ କରିବାକୁ ଏବେ ଜୟଙ୍କ ଉଦ୍ୟମ

ଜାତୀୟସ୍ତରରେ ନବୀନଙ୍କ ଛବି ଖରାପ କରିବାକୁ ଏବେ ଜୟଙ୍କ ଉଦ୍ୟମ

ଭୁବନେଶ୍ୱର, ୧୧.୬.୨୦୧୮: ବିଜେଡିରୁ ଇସ୍ତଫା ଦେବା ପରେ ସାଂସଦ ବୈଜୟନ୍ତ ପଣ୍ଡା ଏବେ ଜାତୀୟସ୍ତରରେ ରାଜ୍ୟ ସରକାରଙ୍କ ଛବି ଖରାପ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଜାତୀୟସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯେଉଁ ସ୍ୱଚ୍ଛ, ନିର୍ମଳ ଓ ଉତ୍ତରଦାୟୀ ସରକାରର ଛବି ରହିଛି, ତାକୁ ଭାଙ୍ଗିବା ପାଇଁ ବୈଜୟନ୍ତଙ୍କ ପ୍ରୟାସ । ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ନବୀନ କିପରି ତାଙ୍କ ତୃତୀୟ ମହଲା ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି ଏବଂ ରାଜ୍ୟରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବଦଳରେ ଅଫିସର ରାଜ୍ ଚାଲିଛି ସେ ବିଷୟରେ ଉଲ୍ଲେଖ କରିଛନ୍ତି । ବୈଜୟନ୍ତ ଏବେ ପୂରା ଦମରେ ନବୀନଙ୍କ ସରକାରକୁ ଅପଦସ୍ଥ କରିବା ପାଇଁ ଲାଗିପଡ଼ିଛନ୍ତି । ଜାତୀୟ ଗଣମାଧ୍ୟମରେ ତାଙ୍କ ସାକ୍ଷାତକାର ରାଜ୍ୟ ସରକାରଙ୍କୁ ବଦନାମ ପାଇଁ ଏକ ପ୍ରାୟୋଜିତ କାର୍ଯ୍ୟ ବୋଲି ମଧ୍ୟ ବିଜେଡି ମହଲରେ ଆଲୋଚନା ହେଉଛି ।
ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ରି ପବ୍ଲିକ୍ ଟିଭିରେ ସାକ୍ଷାତକାର ଅବସରରେ ପୁଣି ନବୀନଙ୍କ କ୍ଷମତାକେନ୍ଦ୍ରକୁ ଶାଣିତ ଆକ୍ରମଣ କରିଛନ୍ତି । ରାଜ୍ୟରେ ଓ ଦଳରେ ଯେଉଁ ସ୍ଥିତି ଆଜି ଦେଖାଦେଇଛି ଏହା ପଛରେ ଅଫିସରଙ୍କ ହାତ ଥିବା କଥା ସେ ଉଲ୍ଲେଖ କରିଛନ୍ତି । ବୈଜୟନ୍ତ କହିଛନ୍ତି ଗତ ୪ ବର୍ଷ ହେଲା ଏକ ନୂଆ କଟୋରୀ ଦଳ ଓ ଦଳର ସଭାପତିଙ୍କୁ ନିୟନ୍ତ୍ରଣ କରୁଛନ୍ତି । ଏକଥା ଦର୍ଶାଇ ନବୀନ ଦଳର ସଭାପତି ହୋଇଥିଲେ ବି ତାଙ୍କର ଆଉ କୌଣସି ନିୟନ୍ତ୍ରଣ ନାହିଁ । ସେ ଏକ କଟୋରୀ ଦ୍ୱାରା ନିୟନ୍ତ୍ରିତ ହେଉଛନ୍ତି । ଜଣେ ଅଫିସରଙ୍କ ବିନା ଅନୁମତିରେ କାହାରିକୁ ବି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଦିଆଯାଉ ନାହିଁ । ସଂପୃକ୍ତ ଅଫିସର ଛାୟା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଲୋକେ କହୁଥିବା ବୈଜୟନ୍ତ କହିଛନ୍ତି । ସେ ହିଁ ଟିକେଟ ବଣ୍ଟନ ଦଳ ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି । ଜଣେ ଅଫିସର ହୋଇ ସିଧାସଳଖ ରାଜନୀତିରେ ସଂଶ୍ଳିଷ୍ଟ ହୋଇଛନ୍ତି । ଏଣୁ ତାଙ୍କ ଭୂମିକାର ତଦନ୍ତ ହେବା ଉଚିତ୍ ବୋଲି ବୈଜୟନ୍ତ ଦାବି କରିଛନ୍ତି । ଗତ ୪ ବର୍ଷ ହେଲା ଦଳ ତା’ର ନୀତି ଓ ଆଦର୍ଶରେ ଦୂରେଇ ରହିଛି । ବିଜେଡିରେ ଏବେ ଗୁଣ୍ଡା ଗର୍ଦ୍ଦି ଓ ଦୁର୍ନୀତି କଥା ମଧ୍ୟ ସେ ଦର୍ଶାଇଛନ୍ତି । ନିଜ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଉତ୍ତର ରଖିବାବେଳେ ବୈଜୟନ୍ତ କହିଛନ୍ତି ତାଙ୍କ ପାଇଁ ସବୁ ବିକଳ୍ପ ଖୋଲା ରହିଛି ।
ବୈଜୟନ୍ତ କହିଛନ୍ତି ଜଣେ ଅଫିସର ନିଜକୁ ଏଭଳି ଭାବେ ସିଧାସଳଖ ରାଜନୀତିରେ ସଂଶ୍ଳିଷ୍ଟ କରିବା ଠିକ୍ ନୁହେଁ । ଏହାର ଏକ ବଡ଼ ଧରଣର ତଦନ୍ତ ହେବା ଜରୁରୀ । ଜଣେ ଅଫିସର ରାଜନୈତିକ ନିର୍ଦ୍ଦେଶ ଦେବା ଠିକ୍ ନୁହେଁ ।
ବିଜେଡି ଉପସଭାପତି ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ଘଟଣାର ପ୍ରତିକ୍ରିୟା ରଖି ବୈଜୟନ୍ତଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲା ନୁହଁନ୍ତି । ସେ ବହୁ ବର୍ଷର ଅଭିଜ୍ଞ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ଭାରତ ବର୍ଷ ରାଜନୀତିରେ ଜଣେ ପ୍ରତିଷ୍ଠିତ ରାଜନେତା । ସେ ନବାଗତ ନୁହଁନ୍ତି । ଏଣୁ ଅଭିଯୋଗ ନିରାଧାର ବୋଲି ଶ୍ରୀ ମିଶ୍ର କହିଛନ୍ତି ।
କିନ୍ତୁ ବୈଜୟନ୍ତଙ୍କ ମତ ଉପରେ ଦଳର ବରିଷ୍ଠ ନେତା ଡା. ଦାମୋଦର ରାଉତ କହିଛନ୍ତି, “ମୁଁ ଜଣେ ରାଜନେତା, ବାରମ୍ବାର ମନ୍ତ୍ରୀ ହୋଇଛି । ମୋର ଜଣେ କିରାଣୀଙ୍କ ସହ କାମ କ’ଣ । ରାଜ୍ୟର ଯଶ କ୍ଷତି ରାଜମୁଣ୍ଡରେ ଯାଏ । ରଜା ହେଉଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ଦପ୍ତରେ ଯଦି ଏମିତି କୌଣସି ଲୋକ ରଖି ରାଜ୍ୟଟାକୁ ଛାରଖାର କରୁଛନ୍ତି ବୋଲି ବୈଜୟନ୍ତ ପଣ୍ଡା ଭାବୁଛନ୍ତି । ତେବେ ବୈଜୟନ୍ତ ପଣ୍ଡା ତ ତାଙ୍କ ସହ ଏତେ ଦିନ ଧରି ରହିଲେ, ତାଙ୍କୁ ଅବଗତ କରୁନଥିଲେ କାହିଁକି ।”
ଦାମ ଆହୁରି କହିଛନ୍ତି, “ଯଦି ଜଣେ ସରକାରୀ ପଦାଧିକାରୀ ସବୁ ଶାସନ କଥା ବୁଝୁଥାନ୍ତି ତାହେଲେ ଏହା ଦୁର୍ଭାଗ୍ୟ ଜନକ । କିନ୍ତୁ ମୋ ବିଚାରରେ ଗୋଟିଏ ରାଜନୈତିକ ଦଳ ବା ଆଞ୍ଚଳିକ ଦଳ ସେଠି ଦ୍ୱିତୀୟ କ୍ଷମତା କେନ୍ଦ୍ର ନଥାଏ । ଘୋଡ଼ାର ଚରିତ୍ର ହେଉଛି କ୍ଷେପ ମାରି ଦୌଡ଼ିବା । ତା’ ଉପରେ ବସିଥିବା ସଇସ ସେ ଯଦି ଛାଟ ମାରି ଘୋଡ଼ାକୁ ଠିକଣା ବାଟକୁ ନେଇ ନପାରିଲା, ଘୋଡ଼ାର ଦୋଷ ନା ସଇସର ଦୋଷ । ତାଙ୍କର କିଛି ସାର୍ମଥ୍ୟ ନାହିଁ ସେ ଆଉ କାହାଦ୍ୱାରା ପରିଚାଳିତ ହେଉଛନ୍ତି ଏକଥା ମୁଁ ବିଶ୍ୱାସ କରିବି ।”

ONA

Leave a Reply

Top