You are here
Home > ବଡ଼ଖବର > ନବୀନଙ୍କ ମାଷ୍ଟର୍ ଷ୍ଟ୍ରୋକ୍

ନବୀନଙ୍କ ମାଷ୍ଟର୍ ଷ୍ଟ୍ରୋକ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏତେଦିନେ ହକିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବଡ଼ ଧରଣର ମାଷ୍ଟର ଷ୍ଟ୍ରୋକ୍ ମାରିଛନ୍ତି । ଯାହା ଏବେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହେବା ସହ ଚର୍ଚ୍ଚା ଜୋର୍ ଧରିଛି । ନବୀନଙ୍କୁ ସମଗ୍ର ଦେଶରେ ଏବେ ବିପୁଳ ସମର୍ଥନ ମିଳିବାରେ ଲାଗିଛି । ଆମେ ସମସ୍ତେ ଜାଣିଛେ ବା ପଢ଼ିଛେ ଯେ ହକି ଆମ ଜାତୀୟ ଖେଳ । କିନ୍ତୁ ବାସ୍ତବତା ହେଉଛି ଏ ସମ୍ପର୍କିତ କୌଣସି ସରକାରୀ ବିଜ୍ଞପ୍ତି ବା ଘୋଷଣା ନାମା ନାହିଁ । କେବଳ କଥାବାର୍ତ୍ତା ଓ ଶୁଣାଣୁଣୀରେ ଏହା ଚାଲିଛି । ଏ ବିଷୟ ନବୀନ ହଠାତ୍ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ହକିକୁ ଜାତୀୟ ଖେଳର ମାନ୍ୟତା ଦେଇ ସରକାରୀ ବିଜ୍ଞପ୍ତି ଜାରି କରିବାକୁ ଅନୁରୋଧ କରିଛନ୍ତି । ଏହା ଏପରି ବିଷୟ ପ୍ରଧାନମନ୍ତ୍ରୀ ଘୋଷଣା କଲେ ନବୀନ ହିରୋ ହେବେ ଓ ନ କଲେ ପ୍ରଧାନମନ୍ତ୍ରୀ ନିନ୍ଦିତ ହେବେ । ଓଡ଼ିଶା ଏବେ ହକିକୁ କିଛି ଦିନ ହେଲା ବେଶ୍ ପ୍ରଧାନ୍ୟ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଠାତ୍ ଜଣେ କ୍ରୀଡ଼ା ପ୍ରେମୀ ଭାବରେ ଉଭା ହୋଇଛନ୍ତି । ରାଜ୍ୟରେ ଗୋଟିଏ ପରେ ଗୋଟିଏ କ୍ରୀଡ଼ାର ଆୟୋଜନ କରିଚାଲିଛନ୍ତି । ଏବେ ୫ ବର୍ଷ ପାଇଁ ହକିକୁ ଉତ୍ସାହିତ କରିବାକୁ ଏମ୍ଓୟୁ ସ୍ୱାକ୍ଷର କରିଛନ୍ତି । ନବୀନଙ୍କ ଏହି ଖେଳ ଏବେ ମୋଦିଙ୍କ ପାଇଁ କାଳ ହୋଇଛି । ବହୁତ ଭାବିଚିନ୍ତି ହକିଷ୍ଟିକ୍ରେ ନବୀନ ଏଭଳି ଏକ ଷ୍ଟ୍ରୋକ୍ ମାରିଛନ୍ତି । ମୋଦିଙ୍କ ପାଖରେ ଆଉ ବାଟ ନାହିଁ । ଦେଶବ୍ୟାପୀ ଏକଥାକୁ ସମର୍ଥନ ମିଳିବାରେ ଲାଗିଛି । ସୋଶାଲ୍ ମିଡିଆରେ ଏ ଘଟଣା ପୁରା ଛାଇଯାଇଛି । ମୋଦି ସୋଶାଲ୍ ମିଡିଆକୁ ବେଶ୍ ଗୁରୁତ୍ୱ ଦେଉଥିବାରୁ ତାଙ୍କ ଉପରେ ଏ ଚାପର ପ୍ରଭାବ ପଡ଼ିବ ବୋଲି ଅନେକ ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ ଏ ଦିଗରେ ଯେଉଁ ପଦକ୍ଷେପ ନେଲେ ବି ନବୀନଙ୍କ ପାଇଁ ଫାଇଦା ହିଁ ଫାଇଦା ହେବ । ହକି ବଲ୍କୁ ମୋଦିଙ୍କ ଗୋଲ୍ ପୋଷ୍ଟକୁ ନବୀନ ଠେଲିଦେଇ ବିଜୟ ହେବା ପାଇଁ ଉଦ୍ୟମ କରିଛନ୍ତି । ଏଥିରେ ବଲ୍ ଗୋଲ୍ ପୋଷ୍ଟ ଟପିଲେ ନବୀନ ଗୋଲ୍ କଲେ ବୋଲି ଧରାଯିବ । ନଚେତ୍ ପେନାଲ୍ଟି ସଟ୍ ନବୀନ ମାରିବେ ଯାହା ମୋଦିଙ୍କ ପାଇଁ କଷ୍ଟକର ହୋଇପଡ଼ିବ । ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଲେ ଚାରିଆଡ଼େ ଚର୍ଚ୍ଚା ହେବ ନବୀନଙ୍କ ଉଦ୍ୟମ ପରେ ହକିକୁ ବାଧ୍ୟ ହୋଇ କେନ୍ଦ୍ର ସରକାର ଜାତୀୟ ଖେଳର ମାନ୍ୟତା ଦେଲେ । ଯଦି କେନ୍ଦ୍ର ସରକାର ମାନ୍ୟତା ନ ଦିଅନ୍ତି ତେବେ ଚାରିଆଡ଼େ ଚର୍ଚ୍ଚା ହେବ କେନ୍ଦ୍ର ସରକାର ଖେଳ ବିରୋଧୀ । ଗୋଟିଏ ପଟରେ କେନ୍ଦ୍ର ସରକାର କ୍ରୀଡ଼ାର ପ୍ରୋତ୍ସାହନ କଥା କହୁଛନ୍ତି କିନ୍ତୁ ସେ ଦିଗରେ ଆନ୍ତରିକା ପ୍ରଦର୍ଶନ କରୁନାହାଁନ୍ତି । କେନ୍ଦ୍ରର କଥା ଓ କାର୍ଯ୍ୟରେ ଫରକ୍ ରହୁଛି । ଆଉ ବିଜେଡି ନେତାମାନଙ୍କୁ ବିଜେପିକୁ ଆକ୍ରମଣ କରିବାକୁ ବଡ଼ ଖୋରାକ ମିଳିଯିବ । ଓଡ଼ିଶାରେ ଆସନ୍ତା ନିର୍ବାଚନରେ କ୍ଷମତାକୁ ଆସିବା ପାଇଁ ସ୍ୱପ୍ନ ଦେଖୁଥିବା ବିଜେପି ପାଇଁ ଏହା ବଡ଼ଧରଣର କ୍ଷତି ଘଟାଇବ ।
କୁହାଯାଉଛି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଶାକୁ ବାରମ୍ବାର ଆସିବାରେ ଲାଗିଛନ୍ତି । ୨୦୧୯ ନିର୍ବାଚନରେ ଓଡ଼ିଶାରେ ବିଜେପି ୧୨୦ ବିଧାନସଭା ଆସନ ପାଇବ ବୋଲି ଶାହ ଭବିଷ୍ୟବାଣୀ ଶୁଣାଇଛନ୍ତି । ଆସନ୍ତା ଜୁଲାଇ ୧ ତାରିଖରେ ଶାହ ଓଡ଼ିଶା ଆସୁଛନ୍ତି । ସେ ତାଙ୍କ ମିଶନ- ୧୨୦ କିପରି ସଫଳ ହେବ ସେଥିନେଇ ଦଳୀୟ କର୍ମକର୍ତ୍ତା ଓ ନେତାମାନଙ୍କ ସହ ଆଲୋଚନା କରିବେ । ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିଜେପି ସରକାର ନ ଆସିବା ଯାଏଁ ବିଜେପିର ସୁବର୍ଣ୍ଣ ଯୁଗ ଆସିବ ନାହିଁ ବୋଲି ସେ କହିଛନ୍ତି । ଏଣୁ ଏହି ୨ ରାଜ୍ୟ ଉପରେ ବିଜେପି କେନ୍ଦ୍ରୀୟ ନେତାମାନଙ୍କର ଫୋକସ୍ ରହିଛି । ବିଜେପି କେନ୍ଦ୍ର ସରକାରକୁ ଧରି ଓଡ଼ିଶାରୁ ବିଭିନ୍ନ କାର୍ଯ୍ୟକ୍ରମ କରିବାରେ ଲାଗିଛି । ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାକୁ ତାଙ୍କର ପ୍ରୟୋଗଶାଳା କରିଛନ୍ତି । ସବୁ କେନ୍ଦ୍ରୀୟ ଯୋଜନା ତାଙ୍କ ମନ୍ତ୍ରଣାଳୟର ଓଡ଼ିଶାରୁ ହିଁ ଆରମ୍ଭ କରାଉଛନ୍ତି । ଏଥିରୁ ବିଜେପିର ଲକ୍ଷ୍ୟ ସ୍ପଷ୍ଟ ବାରି ହୋଇପଡୁଛି । ଶାହଙ୍କ ଗସ୍ତ ପୂର୍ବରୁ ନବୀନଙ୍କ ଏହି କ୍ଷେପଣାସ୍ତ୍ର ବିଜେପି ମହଲଠାରୁ ଆରମ୍ଭ କରି ଚାରିଆଡ଼େ ବିସ୍ଫୋରଣ ସୃଷ୍ଟି କରିଛି । ବିଜେପିର ବାଟକୁ ଓଡ଼ିଶାରେ ବନ୍ଦ କରିବା ପାଇଁ ନବୀନ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଚାଲିଛନ୍ତି ।
ମହାନଦୀ ଘଟଣାରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରି ବିଜେଡି ରାଜ୍ୟପ୍ରତି ଦରଦୀ ମନୋଭାବ ପ୍ରଦର୍ଶିତ କରିଛି । ଏହି କ୍ଷେତ୍ରରେ ବିଜେପି ସରକାରଙ୍କ ଦୁର୍ବଳତାକୁ ପଦାକୁ ଆଣି ଯେତେ ପ୍ରତିରୋଧ କରିବାକୁ ଚେଷ୍ଟା କଲେ ବି ସଫଳ ହୋଇନାହିଁ । ବିଶେଷ କରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଆଭିମୁଖ୍ୟ ବିଜେପି ପାଇଁ ଘାତକ ସାଜିଛି । ଶେଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବିଜେପି ନେତାମାନେ ଛତିଶଗଡ଼ ବିରୋଧରେ ସ୍ୱର ଉଠାଇଛନ୍ତି । ଏବେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ଦେବା ସହ କୃଷକମାନଙ୍କ ସହାୟତା ଓ ଅନ୍ୟାନ୍ୟ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କୁ ନବୀନ ଚିଠି ଲେଖିଛନ୍ତି । ନୀତି ଆୟୋଗ ବୈଠକରେ ନବୀନ ଯୋଗ ନ ଦେବାରୁ ତାକୁ ନେଇ ହେଉଥିବା ଚର୍ଚ୍ଚା ଓ ସମାଲୋଚନାକୁ ବନ୍ଦ କରିବା ପାଇଁ ରାଜ୍ୟ ସ୍ୱାର୍ଥ ନିମନ୍ତେ ନବୀନ କଣ ପଦକ୍ଷେପ ନେଇଛନ୍ତି ତାହା ଜଣାଇବାକୁ ଶେଷରେ ସେ ଲେଖିଥିôବା ଚିଠିକୁ ସାର୍ବଜନୀନ କରିଛନ୍ତି । ମୋଦିଙ୍କ ସହ ଅସହଯୋଗର ଯେଉଁ ପଦକ୍ଷେପ ନବୀନ ଆରମ୍ଭ କରିଛନ୍ତି ତାହାର କାରଣ ହେଉଛି ରାଜ୍ୟ ସ୍ୱାର୍ଥ ବୋଲି ଦର୍ଶାଇବାକୁ ଚାହିଁଛନ୍ତି । ଏଣୁ ହକିକୁ ନେଇ ନବୀନ ଏବେ ଏକ ବଡ଼ କୁଟନୈତିକ ଚାଲ ଚଳାଇଥିବା କଥା ଆଲୋଚନା ହେଉଛି ।

ପ୍ରଧାନମନ୍ତ୍ରୀ ଏହି ପ୍ରସ୍ତାବକୁ ଗ୍ରହଣ କଲେ ସମଗ୍ର ଦେଶରେ ନବୀନ ହିଁ ହିରୋ ହେବେ । କାରଣ ସମସ୍ତେ ଜାଣିଲେ ଯେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି । ଏ ବିଷୟରେ ପୂର୍ବରୁ କେହିି ରାଜନେତା ଚିନ୍ତା କରି ନ ଥିଲେ । ଏପରି କି କେନ୍ଦ୍ର ସରକାରଙ୍କ ପାଖରେ ମଧ୍ୟ ଏ ଖବର ନ ଥିଲା କି ଏଥିଲାଗି ଉଦ୍ୟମ କରାଯାଇ ନ ଥିଲା । ଏ ଘଟଣାରେ ବିରୋଧୀ ବି ଚୁପ୍ । ନୀବନଙ୍କୁ ସମର୍ଥନ ଦେବା ବଦଳରେ ବିରୋଧ କରିବାର ଦେଖାଯାଉନାହିଁ । ଏଣୁ ନବୀନଙ୍କ ଏହି ଚାଲ୍କୁ ମୋଦି କିଭଳି ଭାବରେ କାଉଣ୍ଟର କରୁଛନ୍ତି ତାହା ଉପରେ ଏବେ ସଭିଙ୍କ ନଜର ।

ONA

Leave a Reply

Top