You are here
Home > ବଡ଼ଖବର > ଚର୍ଚ୍ଚାରେ ନବୀନ-ମୋଦି ସମ୍ପର୍କ

ଚର୍ଚ୍ଚାରେ ନବୀନ-ମୋଦି ସମ୍ପର୍କ

ଭୁନନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଥିôବା ସମ୍ପର୍କକୁ ନେଇ ଏବେ ଉଭୟ ଦଳର ନେତା ଓ କର୍ମୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜିତିବା ପାଇଁ ନବୀନଙ୍କ ସହଯୋଗ ବିଜେପିର ପ୍ରମୁଖ ନେତାମାନେ ନେଇଛନ୍ତି ଏବଂ ନବୀନ ମଧ୍ୟ ବିନା ଦ୍ୱାଧାରେ ହାତ ବଢ଼ାଇଛନ୍ତି । ଯେଉଁ ନବୀନ ପଟ୍ଟନାୟକଙ୍କୁ ସକାଳ ପାଇଲେ ଗାଳି କରିବାକୁ ରାଜ୍ୟ ବିଜେପିର ନେତାମାନେ କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ, ହେଲେ ପରିସ୍ଥିତି ଏପରି ହେଲା ଶେଷରେ ତାଙ୍କରି ସହଯୋଗ ହିଁ ନେବାକୁ ପଡ଼ିଲା । କେବଳ ମୋଦି ନୁହଁନ୍ତି ନବୀନଙ୍କ ଉପରେ ଓଡ଼ିଶା ଆସିଲେ ବର୍ଷୁଥିôବା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ମଧ୍ୟ ତାଙ୍କ ସହଯୋଗ ଲୋଡ଼ିଥିଲେ । ଅବଶ୍ୟ ନବୀନ ସହଯୋଗ ଦେବାକୁ ନେଇ ଅନେକ ପ୍ରଶ୍ନ ଉଠାଉଛନ୍ତି । କିନ୍ତୁ ବିଜେପି ଆସନ୍ତା ନିର୍ବାଚନରେ ବିଜେଡିକୁ ସମଦୂରକୁ ଫିଙ୍ଗିବା ପାଇଁ ଦୁର୍ବାର ଘୋଷଣା କରୁଥିବା ବେଳେ ଶେଷରେ ନିଜର ସୁରକ୍ଷା ଲାଗି ଶରଣ ପଶିବା ଘଟଣା ଏବେ ସାଧାରଣରେ ଆଲୋଚନା ହେଉଛି । ଏପରି କି ଯେଉଁ ମୁଖ୍ୟମନ୍ତ୍ରୀ ବାରମ୍ବାର କହିଚାଲିଛନ୍ତି ଯେ, କେନ୍ଦ୍ର ବିଜେପି ନେତୃତ୍ୱାଧୀନ ସରକାର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ଏବଂ ଓଡ଼ିଶା ସ୍ୱାର୍ଥ ସହ ଖେଳ ଖେଳୁଛନ୍ତି ସେ ମଧ୍ୟ ସହଯୋଗର ହାତ ବଢ଼ାଇ ଦେଇଛନ୍ତି । କୁହାଯାଉଛି ନବୀନ ଅନେକଥର କେନ୍ଦ୍ର କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କହିଛନ୍ତି । ହେଲେ ବାସ୍ତବରେ ରାଜ୍ୟ ସ୍ୱାର୍ଥ ପାଇଁ କିଏ କୁମ୍ଭୀର କାନ୍ଦଣା କାନ୍ଦୁଛି ତାହା ଏବେ ଚର୍ଚ୍ଚାକୁ ଆସିଛି । ଉଭୟ ପକ୍ଷ ପରସ୍ପରର ବିପଦ ସମୟରେ ଛନ୍ଦାଛନ୍ଦି ହୋଇ ରହୁଥିବା ଦେଖାଯାଉଛି । ଲୋକଙ୍କୁ କେବଳ ଭୂଆଁ ବୁଲାଇବା ପାଇଁ ବିରୋଧାତ୍ମକ ଭୂମିକା ଗ୍ରହଣ କରୁଥିବା କଥା ଏବେ କଂଗ୍ରେସ ନେତାମାନେ ଘୁରିଘୁରି କହି ବୁଲୁଛନ୍ତି ।
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ଜିତାଇବା ପାଇଁ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଉଭୟ ନବୀନଙ୍କୁ ଫୋନ କରି ସହଯୋଗ ମାଗିଥିଲେ । ଶ୍ରୀ ସିଂହ ୟୁପିଏର ସାଂସଦ ହୋଇଥିବାରୁ ସ୍ୱଭାବିକ ଭାବେ ଏହାର ନେତା ତଥା ବିବହାରର ମୁଖ୍ୟମନ୍ତ୍ରୀ ନୀତୀଶକୁମାର ଅନୁରୋଧ କରିଥିଲେ । କିନ୍ତୁ ମୋଦି ଓ ଶାହ ଅନୁରୋଧ କରିବା ବିଷୟ ଭିନ୍ନ ପରିସ୍ଥିତି ସୃଷ୍ଟି କରିଛି । ବର୍ତ୍ତମାନ ରାଜ୍ୟ ସଭାରେ ଯେଉଁ ନିର୍ବାଚନ ହେଲା ସେଥିରେ ବାସ୍ତବରେ ଏନଡିଏର ତଥା ମୋଦିଙ୍କର ‘ଆତ୍ମସମ୍ମାନ’ ରକ୍ଷା କଲେ ନବୀନ । ଅବଶ୍ୟ କଂଗ୍ରେସର ଅଭିଯୋଗ ହେଉଛି ଯେ, ନବୀନ ବାଧ୍ୟ ହୋଇ ସମର୍ଥନ ଦେଇଛନ୍ତି । କାରଣ ତାଙ୍କ ମୁଣ୍ଡ ଉପରେ ସିବିଆଇ ଖଣ୍ଡା ଝୁଲୁଛି । ଏଠି କୁହାଯାଉଛି, ଯେଉଁ ମହାନଦୀ ଓ ପୋଲାଭରମ୍ କଥା ନେଇ ବିଜେଡି ଆନ୍ଦୋଳନ କରୁଛି ତାହା କାହିଁକି ଏଭଳି ସମୟରେ ଉଠାଗଲାନାହିଁ । ରାଜ୍ୟ ସ୍ୱାର୍ଥ ସମ୍ବଳିତ ଏହି ପ୍ରସଙ୍ଗ ହାସଲ କରିବାରେ ବିଜେଡି ସମର୍ଥ ହୋଇଥାନ୍ତା ଏବଂ ଅଧିକ ବାହାବାହା ନେଇଥାନ୍ତା । ଯେଉଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା କୁହାଯାଉଛି ସେ କଥା ବି ହେଲାନାହିଁ । କିମ୍ବା ସ୍ୱତନ୍ତ୍ର ପ୍ୟାକେଜ କଥା ବି ଉଠିଲା ନାହିଁ । ରାଜ୍ୟର କୌଣସି ଗୋଟିଏ ହେଲେ ସ୍ୱାର୍ଥ ହାସଲ କରାଯାଇପାରିଲା ନାହିଁ । ସ୍ୱାଭାବିକ ଭାବେ ଏକଥା ଦର୍ଶାଇ କଂଗ୍ରେସ ସମାଲୋଚନା କରୁଛି ।
କିନ୍ତୁ ଗୋଟିଏ ଗୁରୁ୍ତ୍ୱପୂର୍ଣ୍ଣ କଥା ଦେଖାଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଫୋନ କରି ନବୀନଙ୍କ ସହାୟତା ମାଗୁଛନ୍ତି ନବୀନ ଆଉ ଏଥିରେ ତିଳେ ହେଲେ ବିଳମ୍ବ କରୁନାହାଁନ୍ତି । ରାଷ୍ଟ୍ରପତି ନିର୍ବାଚନ ସମୟରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଦେବା ନେଇ ନବୀନଙ୍କ ଦ୍ୱିଧାରହିଥିଲା । ହେଲେ ମୋଦି ଯେତେବେଳେ ଫୋନ କରି ସମର୍ଥନ ମାଗିଲେ ନବୀନ ଆଉ କାଳବିମ୍ବ ନ କରି ସଂଗେ ସଂଗେ ହଁ କହିଥିଲେ । ଏପରି କି ନବୀନ ଗଣମାଧ୍ୟମକୁ ଆସି ଏକଥା ଖୋଲାଖୋଲି କହିଥିଲେ । ଅନ୍ୟ ଘଟଣାଗୁଡ଼ିକରେ ନବୀନ ମଧ୍ୟ ସମର୍ଥନ ଦେଇଛନ୍ତି । ସେ ଲ୍ୟାଣ୍ଡବିଲ ହେଉ କି ଜିଏସଟି ହେଉ ବା ବିମୁଦ୍ରାକରଣ ହେଉ ଏବଂ ଏବେ ନିକଟରେ ଅନାସ୍ଥାପ୍ରସ୍ତାବ କଥା ହେଉ ସବୁଧିରେ ନବୀନ ସମର୍ଥନ କରିଛନ୍ତି । ଏସବୁ ଘଟଣା ପାଇଁ ବିଜେପି ପକ୍ଷରୁ ବିଜେଡିର ସମର୍ଥନ ଲୋଡ଼ାଯାଇଥିଲା କି ନାହିଁ ତାହା ଅବଶ୍ୟ ପଦାକୁ ଆସିନାହିଁ । ହେଲେ ବିଜେଡି ଯେଭଳି ଭାବରେ ସମର୍ଥନ ବିଜେପିକୁ ଦେଇ ଚାଲିଛି ସେଥିରେ ଉଭୟଙ୍କ ଭିତରେ ଭିତିରି ସମ୍ପର୍କ ଥିବା ନେଇ ଯେ କେହି ସନ୍ଦେହ କରିବ । ଏବେ ରାତି ପାହିଲେ ଯେଉଁଭଳି ଭାବେ ଉଭୟ ପକ୍ଷ ପରସ୍ପରକୁ କାଦୁଅ ଫିଙ୍ଗିବାରେ ଲାଗୁଛନ୍ତି ତାହା ସମ୍ପୂର୍ଣ୍ଣ ଲୋକଦେଖାଣିଆ ଏକଥାକୁ ଯେ କେହି ସନ୍ଦେହ କରିବ ।
ବର୍ତ୍ତମାନ କଥା ଉଠୁଛି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଯେତେବେଳେ ନବୀନଙ୍କୁ ଫୋନ କରି ସହାୟତା ମାଗିଲେ ସେକ୍ଷେତ୍ରରେ ଆଉ ଯଦି ସେ କିଛି ବିଷୋଦଗାର କରନ୍ତି ତେବେ ତାହା ଲୋକଦେଖାଣିଆ ହେବ ବୋଲି କୁହାଯାଉଛି । ଅବଶ୍ୟ ବିଜେଡି ବିରୋଧରେ ଗୋଟିଏ ପରେ ଗୋଟିଏ ଘଟଣାରେ ସିବିଆଇ ଲାଗିଛି । ସିବିଆଇ ଧମକକୁ କଣ ସତରେ ନବୀନ ଏତେ ଡରୁଛନ୍ତି ଯେ, ବିଜେପିର ରାଜ୍ୟ ନେତାମାନେ ଏତେ ଗାଳି କରୁଥିଲା ବେଳେ ଅବଶ୍ୟକ ଥିଲା ବେଳେ ସମର୍ଥନ ଦେଉଛନ୍ତି । ଏହା ପରେ ନିଶ୍ଚୟ କିଛି ରହସ୍ୟା ଥିବା କଥା କେହି କେହି ମତ ରଖକୁଛନ୍ତି ।
କଂଗ୍ରେସ ସିବିଆଇ ଭୟୟ କଥା କହୁଛି । ଏହାର କେତେଦୂର ଯଥାର୍ଥତା ରହିଛି ତାହା ଜାଣିବା କଷ୍ଟକର । ପାରିପାଶ୍ୱିର୍କ ସ୍ଥିତିରେ ଅବଶ୍ୟ ଏହି ସନ୍ଦେହ କରାଯିବା ସ୍ୱଭାବିକ । ସିବିଆଇ ଚିଟଫଣ୍ଡ ମାମଲାରେ ନବୀନଙ୍କ ପାଖକୁ ଆସିଥିଲେ ବି ବିଜେଡି ନେତା ବିଧାୟକ, ସାଂସଦ ଓ ନେତାମାନଙ୍କୁ ଗିରଫ କରିଛି । ଏବେ ପାରାଦୀପ ବ୍ଲକରୋଜ ବୁଡ଼ିବା ଘଟଣାରେ ମଧ୍ୟ ସିବିଆଇ ବିଜେଡି ନେତାଙ୍କୁ ଧରିବା ପାଇଁ ଉଦ୍ୟମ କରୁଥିବା କଥା କୁହାଯାଉଛି । ଏ ସବୁ ଆଲୋଚନା ଭିତରେ ନବୀନ ଓ ମୋଦିଙ୍କ ସମ୍ପର୍କ ବେଶ ନିବିଡ ଏକଥା କୁହାଯାଇପାରିବ ବୋଲି ଅନେକ ମତ ରଖୁଛନ୍ତି । ହେଲେ ଏକଥା ସତ ଉପରକୁ ବିଜେପି-ବିଜେଡିର ରାଜ୍ୟ ନେତାମାନେ ଏ ଘଟଣାକୁ ହାଲ୍କା ଭାବେ ନେଉଥିଲେ ବି ବାସ୍ତବ କ୍ଷେତ୍ରରେ ସେମାନେ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ପ୍ରକୃତରେ କିଏ କାହା ବିରେଧରେ କହିଲା ବେଳକୁ କେତେଦୂର ଯିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କଣ ହେବ ତାହା ସେମାନେ ଆକଳନ କରିପାରୁନାହାଁନ୍ତି । ବିଜେବି-ବିଜେଡି ନେତାଙ୍କ ଏହି ପଦକ୍ଷେପ ତଳସ୍ତରର କର୍ମୀ ଓ ନେତାଙ୍କ ଉପରେ ପ୍ରଭାବ ପକାଇବ ବୋଲି ଆଲୋଚନା ହେଉଛି ।

ONA

Leave a Reply

Top