You are here
Home > ବଡ଼ଖବର > ମୋଦି ଭାରତବାସୀଙ୍କ ଆସ୍ଥା ହରାଇଛନ୍ତି– ଡି. ରାଜା

ମୋଦି ଭାରତବାସୀଙ୍କ ଆସ୍ଥା ହରାଇଛନ୍ତି– ଡି. ରାଜା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଖ୍ୟାର ଗାଣିତିକ ହିସାବରେ ଲୋକସଭାର ଅନାସ୍ଥା ପ୍ରସ୍ତାବ ଭୋଟରେ ବିଜୟୀ ହୋଇଥାଇ ପାରନ୍ତି, କିନ୍ତୁ ସେ ତାଙ୍କ ସରକାରର ଚାରି ବର୍ଷର କୁଶାସନ ଫଳରେ ଭାରତୀୟ ଜନଗଣଙ୍କର ଆସ୍ଥା ହରାଇଛନ୍ତି ବୋଲି ସିପିଆଇର ଜାତୀୟ ସମ୍ପାଦକ ଓ ସାଂସଦ ଡି. ରାଜା ମତବ୍ୟକ୍ତ କରିଛନ୍ତି । ସିପିଆଇର ରାଜ୍ୟ ପରିଷଦ ବୈଠକରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଆସିଥିବା ଡି. ରାଜା ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୋଦିଙ୍କ ସମସ୍ତ ନିର୍ବାଚନୀ ପ୍ରତିଶ୍ରୁତି ଫମ୍ପା ଆୱାଜ ଓ ପ୍ରତାରଣାରେ ପରିଣତ ହୋଇଛି । କଳାଟଙ୍କା ଉଦ୍ଧାର ପରିବର୍ତେ ତାଙ୍କର ନୋଟବନ୍ଦୀ କଳାଟଙ୍କାକୁ ଧଳା କରିଦେଇଛି । ବର୍ଷକୁ ଦୁଇକୋଟି ଯୁବକ ଯୁବତୀ ନିଯୁକ୍ତି ପାଇବା ବଦଳରେ ଜିଏସ୍ଟି ଫଳରେ ଦୁଇକୋଟି ଶ୍ରମିକ-କର୍ମଚାରୀ ସେମାନଙ୍କ ଜୀବିକା ହରାଇଛନ୍ତି । ଚାଷୀ ଫସଲର ଲାଭଜନକ ଦର ନ ପାଇ ଆତ୍ମହତ୍ୟା କରୁଛି । ଦରଦାମ୍ ବୃଦ୍ଧି ଗରିବ ଓ ମଧ୍ୟବିତଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ସେ ଆହୁରି କହିଛନ୍ତି– ମୋଦିଙ୍କ ଶାସନରେ ଦେଶର ସମ୍ବିଧାନ, ଧର୍ମନିରପେକ୍ଷତା ଓ ଗଣତନ୍ତ୍ର ବିପନ୍ନ ହୋଇଥିବାବେଳେ ଦଳିତ, ସଂଖ୍ୟାଲଘୁ ଓ ଭିନ୍ନ ମତାବଲମ୍ବୀଙ୍କ ବିରୁଦ୍ଧରେ ଅତ୍ୟାଚାର ବୃଦ୍ଧି ପାଇଛି ।
ଏଣୁ ଆଗାମୀ ନିର୍ବାଚନରେ, ମୋଦି ସରକାରକୁ କ୍ଷମତାରୁ ହଟାଇବା ପାଇଁ ଦେଶର ସମସ୍ତ ଧର୍ମ ନିରପେକ୍ଷ, ଗଣତାନ୍ତ୍ରିକ ଓ ବାମପନ୍ଥୀ ଶକ୍ତି ଐକ୍ୟବଦ୍ଧ ହେବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ । ଏହି ଉଦ୍ଦେଶ୍ୟରେ ଆଗାମୀ ଅଗଷ୍ଟ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ସିପିଆଇ ଦେଶ ବ୍ୟାପୀ ଅଭିଯାନ ଚଳାଇବା ପାଇଁ ନିଷ୍ପତି ନେଇଛି । ଓଡ଼ିଶାରେ ଏହି ସମୟ ମଧ୍ୟରେ ସମସ୍ତ ବ୍ଲକ ଓ ତହସିଲ ଅଫିସ ସମ୍ମୁଖରେ ଆଇନଅମାନ୍ୟ ଆନ୍ଦୋଳନ ସଙ୍ଗଠିତ କରାଯିବ । ଓଡ଼ିଶାରେ ପାର୍ଟିର ନିର୍ବାଚନ କୌଶଳ ସମ୍ପର୍କରେ ସେ କହିଛନ୍ତି, ଅଗଷ୍ଟ ୧-୧୪ ଆନ୍ଦୋଳନ ପରେ ଜିଲ୍ଲା ଓ ନିର୍ବାଚନମଣ୍ଡଳୀ ସ୍ତରରେ ରାଜନୈତିକ ଦଳମାନଙ୍କ ଶକ୍ତିର ଭାରସାମ୍ୟର ଆକଳନ କରାଯାଇ ବୁଝାମଣା ସମ୍ପର୍କରେ ସେପ୍ଟେମ୍ବର ମାସରେ ନିଷ୍ପତି ଗ୍ରହଣ କରାଯିବ । ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ବିଜେଡି ଭାଗନେଇ କେନ୍ଦ୍ରୀୟ ଅବହେଳା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଓ ଓଡ଼ିଶାର ସ୍ୱାର୍ଥକୁ ଉପସ୍ଥାପିତ କରିବା ଉଚିତ ହୋଇଥାନ୍ତା ବୋଲି ସେ ମତ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଓ ଜାତୀୟ କାର୍ଯ୍ୟକାରୀ କମିଟି ସଭ୍ୟ ଦିବାକର ନାୟକ ଉପସ୍ଥିତ ଥିଲେ ।

ONA

Leave a Reply

Top