You are here
Home > ଅଧିକ ଖବର > ସାଂସଦ ଅର୍କ କେଶରୀ ବିଜେଡି ପାଇଁ ବୋଝ; ବିଜେପିର ହେବେ ସମ୍ପତି

ସାଂସଦ ଅର୍କ କେଶରୀ ବିଜେଡି ପାଇଁ ବୋଝ; ବିଜେପିର ହେବେ ସମ୍ପତି

-:ବିନୟ ବରାଳ:-

ଓଡ଼ିଶା ବିଜେପି ଆପଣାଉଛି ସଞ୍ଜୟ ଗାନ୍ଧୀଙ୍କ ଫର୍ମୁଲା।ରାଜାରାଜୁଡାଙ୍କୁ ନିଜ ଦଳରେ ସାମିଲ କରି ନେତୃତ୍ୱକୁ ନିଷ୍କଣ୍ଟକ କରିବା ଯୋଜନା ସଞ୍ଜୟଙ୍କର ଫଣ୍ଡା ରିପିଟ୍ ହେଉଛି ଓଡ଼ିଶାରେ। ନିଜ ଦୁନିଆଁରେ ମସଗୁଲ ରହି ଠିକାଦାରୀ, ବଦଳି ମନ୍ତ୍ରୀପଦର ଲାଳସା ରଖୁନଥିବା ରାଜପରିବାରଙ୍କୁ ଦଳରେ ନେଲେ  କ୍ଷତି କଣ ବୋଲି ସଞ୍ଜୟ ଏକଦା ପ୍ରଶ୍ନ କରୁଥିଲେ? ଯଦିଓ ଅଧିକାଂଶ ରାଜାମାନେ ରାଜନେତା ହେବାର ଦକ୍ଷତା ରଖୁନଥିଲେ, ତଥାପି ଭୋଟ ରାଜନୀତି ପାଇଁ ରାଜପରିବାର ଜରୁରୀ ବୋଲି ସ୍ୱର୍ଗତ ଗାନ୍ଧୀ ଭଲ ଭାବେ ଜାଣିଥିଲେ।ସେହି ଫର୍ମୁଲାକୁ ଓଡ଼ିଶା ବିଜେପି ଆପଣେଇଛି।କାରଣ ପଶ୍ଚିମ ଓଡ଼ିଶାରେ ବିଜେପିର ସ୍ଥିତି ସୁଦୃଢ଼ କରିବାରେ ପାଟଣାଗଡ ମହାରାଜା କନକବର୍ଦ୍ଧନ ସିଂଦେଓ ଓ କଳାହାଣ୍ଡି ରାଜପରିବାରର ବିକ୍ରମ କେଶରୀ ଦେଓଙ୍କ ଭୂମିକା ଯଥେଷ୍ଟ।2014ରେ ସେହି ସ୍ରୋତରେ ସାମିଲି ହୋଇଥିଲେ ଦେବଗଡ ମହାରାଜା ନୀତିଶ ଗଙ୍ଗଦେବ।ଆଉ ବିଜେପି ସହ ସମ୍ପର୍କ ତୁଟାଇଥିବା ସ୍ୱର୍ଗତ ବିକ୍ରମକେଶରୀ ଦେଓଙ୍କ ପରିବାର ୨୦୧୯ ବେଳକୁ ପୁଣି ଯୋଡି ହେବାର ଆଭାସ ମିଳିଲାଣି।ମାନେ ବିଜେଡି ସାଂସଦ ତଥା ସ୍ୱର୍ଗତ ବିକ୍ରମ କେଶରୀ ଦେଓଙ୍କ ପୁଅ ଅର୍କକେଶରୀ ବିଜେପି ପକ୍ଷରୁ ଲଢ଼ିପାରନ୍ତି।

  • ହୁଏତ ଅର୍କଙ୍କୁ ଦଳରେ ମିଶାଇ ଓଡ଼ିଶା ବିଜେପି ସୁନ୍ଦରଗଡରୁ କଳାହାଣ୍ଡି ପର୍ଯ୍ୟନ୍ତ ମେସେଜ୍ ଦେବାକୁ ଚାହିଁବ ଯେ,ତାଙ୍କ ଦଳ ଆଜିବି ରାଜପରିବାରଙ୍କୁ ସମ୍ମାନ ଦିଏ ଏହାସହ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେଓଙ୍କ ଏକମାତ୍ର ଭଣଜାଙ୍କୁ ଅର୍କକେଶରୀଙ୍କୁ ଦଳରେ ମିଶାଇ ଉପକୂଳ ଓଡିଶାରେ ବିଜେପିର ସ୍ଥିତି ସୁଦୃଢ କରିବାକୁ ଚାହିଁବବିଜେପି ନେତୃତ୍ବକୁ ଏକଥା ମଧ୍ୟ ଜଣା ଯେ, ପୁରୀ ମହାରାଜାଙ୍କର ପୁଅ ନଥିବାରୁ ଭବିଷ୍ୟତରେ ଅର୍କକେଶରୀ ଗଜପରି ମହାରାଜା ହୋଇପାରନ୍ତିଜଗନ୍ନାଥ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମ କୁହାଯାଉଥିବା ଗଜପତିଙ୍କ ଭଣଜାଙ୍କୁ ଯଦି ଦଳରେ ମିଶାଯାଏ, ତାହେଲେ ବିଜେପିର ଉପକୂଳ ଓଡିଶାରେ ଜନସମର୍ଥନ ବଢିବ ତେଣୁ ଅର୍କକେଶରୀଙ୍କୁ ଦଳରେ ମିଶାଇବା ଲାଗି ଆରଏସଏସ ଠାରୁ ବିଜେପି ଗ୍ରୀନ ସିଗନାଲ ଆଣି ସାରିଛି 

  ଅର୍କକେଶରୀ ୨୦୧୪ରେ ପ୍ରଥମ ଥର ଲୋକସଭାକୁ ଯାଇଛନ୍ତି। କିନ୍ତୁ ଅର୍କକେଶରୀ କେବଳ ବିଜେଡି କର୍ମୀଙ୍କ ସହ ନୁହେଁ  ନିଜ ଦଳର ବିଧାୟକମାନଙ୍କ ସହ ମଧ୍ୟ ସମ୍ପର୍କ ରଖି ନାହାଁନ୍ତି କହିଲେ ଚଳେ।ମାନେ ଅର୍କଙ୍କର ଲୋକସମ୍ପର୍କ ଜିରୋ। ଏହାରି ଭିତରେ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ  ସବୁଠୁ ବଡ ପରାଜୟ ମୁହଁ ଦେଖିବାକୁ ପଡିଛି କଳାହାଣ୍ଡି ଜିଲ୍ଲାରେ। ନବୀନ ପଟ୍ଟନାୟକଙ୍କ ସହ ସମ୍ପର୍କ ରଖି ରାଜନୈତିକ ବୈତରଣୀ ପାର ହୋଇଥିବା ଅର୍କ ବିଜେଡି ପାଇଁ ବୋଝ ବୋଲି ଶାସକ ଦଳର ଅନେକ ନେତା ବିଚାର କଲେଣି। ଏଥିପାଇଁ ୨୦୧୯ରେ କଳାହାଣ୍ଡି ବିଜେଡି ରାଜନୀତିରେ ହଟଚମଟ ହେବାର ଆଭାସ ଦେଖାଗଲାଣି।ଭୂପିନ୍ଦର ସିଂ ବା ବିଧାୟକ ବଳଭଦ୍ର ମାଝି କିମ୍ବା କଂଗ୍ରେସର ଜାତୀୟ ସମ୍ପାଦକ ଭକ୍ତ ଚରଣ ଦାସଙ୍କୁ ବିଜେଡି ପକ୍ଷରୁ ଲୋକସଭା ପ୍ରାର୍ଥୀ କରିବା ପାଇଁ ନବୀନ ନିବାସରେ ଅଙ୍କକଷା ଚାଲିଛି। ଏପରିକି ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ  କିମ୍ବା ଦିବ୍ୟଶଙ୍କର ମିଶ୍ରଙ୍କୁ ଲୋକସଭାକୁ ପଠାଇବା ପାଇଁ ବିଜେଡି ଚେଷ୍ଟା କରିପାରେ। ମନ୍ତ୍ରୀଶୂନ୍ୟ ହେବା ପରେ କଳାହାଣ୍ଡି ଜିଲ୍ଲା ବିଜେଡି ଅର୍କଙ୍କୁ ହଟାଇବା ପାଇଁ ଜିଦ୍ ଧରି ବସୁଛି। ଏସବୁର ଆଭାସ ପାଇଲେଣି ବିଜେଡି ସାଂସଦ ଅର୍କକେଶରୀ। ନିଜର ବାପା ବିକ୍ରମ କେଶରୀ ଦେଓଙ୍କ ବିଜେପି ଲିଙ୍କକୁ ପୁନର୍ଜୀବିତ କରି ପଦ୍ମପୋଖରୀକୁ ଡିଆଁ ମାରିବାକୁ ତୟାର ହେଉଛନ୍ତି ଅର୍କକେଶରୀ।ଅର୍କଙ୍କ ବାପା ବିଜେପି ଟିକେଟରେ ଜୁନାଗଡରୁ ଦୁଇ ଥର ବିଧାୟକ ହୋଇଥିବା ବେଳେ ୩ଥର କଳାହାଣ୍ଡି ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।ନିଜ ସମ୍ପର୍କୀୟ ଭାଇ ତଥା ଦେବଗଡ ବିଧାୟକ ନୀତିଶ ଗଙ୍ଗଦେବଙ୍କ ମାର୍ଫତରେ ବିଜେପିରେ ଯୋଗଦେବା ପାଇଁ ପଥ ସୁଗମ କରୁଛନ୍ତି ଅର୍କକେଶରୀ। ଯଦିଓ ଅର୍କଙ୍କୁ ଦଳରେ ମିଶାଇବା ପାଇଁ ଓଡ଼ିଶା ବିଜେପିର ଆପତ୍ତି ନାହିଁ, କିନ୍ତୁ କଳାହାଣ୍ଡି ରାଜପରିବାରର ମିଶାଣ ଫେଡାଣ ସ୍ୱର୍ଗତ ବିକ୍ରମ ଦେଓଙ୍କ ପୁଅଙ୍କ ଲାଗି ଅଡୁଆ ହେଉଛି। ରାଜା ଉଦୀତ ପ୍ରତାପ ଦେଓଙ୍କ ପୁଅ ଅନନ୍ତ ଦେଓ ଏବେ କଳାହାଣ୍ଡି ବିଜେପିର ଆଗ ଧାଡିର ନେତା। ଏପରିକି ଉଦିତଙ୍କ ମା’ ରାଣୀ ପଦ୍ମା ମଞ୍ଜରୀ ଦେଓ ମଧ୍ୟ ବିଜେପିର ପ୍ରାର୍ଥୀ ହୋଇପାରନ୍ତି।ଯଦି ଅର୍କ ବିଜେପିରେ ମିଶନ୍ତି ତାହେଲେ ରାଜପରିବାର କଳହାଣ୍ଡି ଲୋକସଭା ସାଂସଦ ସହ ଜୁନାଗଡ ବିଧାନସଭା କ୍ଷେତ୍ରକୁ ଅକ୍ତିଆର କରିବାକୁ ଚେଷ୍ଟା କରିବ। କାରଣ କଳାହାଣ୍ଡିରାଜ ଉଦୀତ ପ୍ରତାପ ୧୯୭୪ ମସିହାରେ ସ୍ୱତନ୍ତ୍ର ପାର୍ଟି ପ୍ରାର୍ଥୀ ଭାବେ ଜୁନାଗଡରୁ ବିଜୟୀ ହୋଇଥିଲେ। ଆଉ ୨୦୦୪ ମସିହାରେ ତାଙ୍କ ପୁଅ ଅନନ୍ତ ପ୍ରତାପ ଦେଓ କଂଗ୍ରେସରୁ  ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତାଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଥିଲା।ଏବେ ରାଜ ପରିବାର ମଧ୍ୟରେ ଲଢ଼େଇ ନହୋଇ ଆପୋଷ ବୁଝାମଣାରେ ଜୁନାଗଡ ଓ କଳାହାଣ୍ଡି ଲୋକସଭା କ୍ଷେତ୍ରକୁ ଅକ୍ତିଆର କରିନେବାକୁ ଉଦ୍ୟମ ହେବ। କାରଣ ଅତୀତରେ ମଧ୍ୟ ରାଜ ପରିବାରରେ ବୁଝାମଣା ହେବାର ନଜିର ରହିଛି। ସାନଭାଇ ବିକ୍ରମ କେଶରୀ ଦେଓଙ୍କ ରାଜନୀତି ଅଭିଳାଶାକୁ ଚରିତାର୍ଥ କରିବାକୁ କଳାହାଣ୍ଡି ରାଜା ଉଦିତ ପ୍ରତାପ ଦେଓ ରାଜନୀତିରୁ ସନ୍ୟାସ ନେଇଥିଲେ । କିନ୍ତୁ ବିଜୁ ପରିବାର ପାଇଁ ବୋଝ ଅର୍କ ବିଜେପି ସମ୍ପତ୍ତି ହୋଇପାରିବେ ତ!       

ONA

Leave a Reply

Top