You are here
Home > ଇଣ୍ଡିଆ > କେରଳ ଛୁଇଁଲା ମୌସୁମୀ : ଜୁନ୍ ୧୦ ସୁଦ୍ଧା ଓଡ଼ିଶାରେ ପହଞ୍ଚିବା ସମ୍ଭାବନା

କେରଳ ଛୁଇଁଲା ମୌସୁମୀ : ଜୁନ୍ ୧୦ ସୁଦ୍ଧା ଓଡ଼ିଶାରେ ପହଞ୍ଚିବା ସମ୍ଭାବନା

ଭୁବନେଶ୍ବର : ଖୁସି ଖବର । ଆସିଗଲା ମୌସୁମୀ । ୩ ଦିନ ଆଗରୁ କେରଳ ଛୁଇଁଛି ମୌସୁମୀ । ସ୍ଥିତି ସ୍ବାଭାବିକ ରହିଲେ, ଜୁନ୍ ୧୦ ସୁଦ୍ଧା ଓଡ଼ିଶାରେ ପହଞ୍ଚିବା ସମ୍ଭାବନା । କେରଳ ଛୁଇଁଲା ମୌସୁମୀ । ସରକାରୀ ଧାର୍ଯ୍ୟ ତାରିଖର ୩ ଦିନ ଆଗରୁ କେରଳରେ ପହଞ୍ଚିଛି ମୌସୁମୀ । ଏଥି ସହିତ ଆରମ୍ଭ ହୋଇଛି ଦେଶରେ ୪ ମାସିଆ ବର୍ଷା ଋତୁ । ମୌସୁମୀ ପ୍ରଥମେ କେରଳକୁ ଆସିଥାଏ ଏବଂ ସାଧାରଣତଃ ଜୁନ୍ ପହିଲାରେ ଆସିଥାଏ । କିନ୍ତୁ ଏବର୍ଷ ୩ ଦିନ ଆଗରୁ ଆସିଛି । ଗତବର୍ଷ ମଧ୍ୟ ଦୁଇଦିନ ଆଗରୁ ଅର୍ଥାତ୍ ମେ ୩୦ ତାରିଖରେ ମୌସୁମୀ ଆସିଥିଲା । ମୌସୁମୀ ଠିକ୍ ସମୟରେ ଆସିଥିବା ବେଳେ ଏବର୍ଷ ଭଲ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପ୍ରାୟ ଦେଢ଼ ମାସ ଧରି ଦେଶର ବିଭିନ୍ନ ସ୍ଥାନକୁ ଛୁଇଁବ ମୌସୁମୀ । ଯଦି ସ୍ଥିତି ସ୍ବାଭାବିକ ରହେ, ତେବେ ଜୁନ୍ ୧୦ ସୁଦ୍ଧା ଏହା ଓଡ଼ିଶାରେ ପହଞ୍ଚିବ । ଦୁଇ ତାରିଖ ସୁଦ୍ଧା ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ମଧ୍ୟ ରହୁଛି । ମୋସୁମୀର ସଅଳ ଆଗମନ ଖୁସି ଆଣିଥିବା ବେଳେ, ପ୍ରକୃତିର ଆଉ ଏକ ରୂପ କିନ୍ତୁ  ଭୟଙ୍କର ହୋଇଛି । ଝାଡଖଣ୍ଡ, ବିହାର ଏବଂ ଉତ୍ତର ପ୍ରଦେଶରେ କାଳବୈଶାଖୀର ପ୍ରଭାବରେ ପ୍ରବଳ ଝଡ଼ ତୋଫାନ ସାଙ୍ଗକୁ ବଜ୍ରପାତ ହୋଇଛି । ଏହି ୩ ରାଜ୍ୟରେ ଅତିକମ୍‌ରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ଝାଡ଼ଖଣ୍ଡରେ ସୋମବାର ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ରୁ ଅଧିକ ଆହତ ହୋଇଛନ୍ତି । ସୋମବାର ରାତିରେ ଉନାଓ ଜିଲ୍ଲାରେ ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଉତ୍ତରପ୍ରଦେଶରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ବିହାରରେ ଝଡ ତୋଫାନ ଏବଂ ବଜ୍ରପାତ ୧୭ ଜଣଙ୍କ ଜୀବନ ନେଇଛି । ଏହି ୩ ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ପବନ ସହ ବଜ୍ରପାତ ହେବାନେଇ ସତର୍କତା ମଧ୍ୟ ଜାରି କରାଯାଇଛି ।

ONA

Leave a Reply

Top