You are here
Home > ଏକ୍ସକ୍ଲୁସିଭ୍ > ମହାରଥୀଙ୍କ ମହାଚାଲ

ମହାରଥୀଙ୍କ ମହାଚାଲ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଚାଷୀ ଆତ୍ମହତ୍ୟା । କେତେବେଳେ ଅନାବୃଷ୍ଟି ଯୋଗୁ ଫସଲ ହାନି, ପୁଣି କେବେ ଫସଲ ଉଜାଡୁଛି ରୋଗପୋକ । ଆଉ କେବେ ଋଣ ଯନ୍ତାରୁ ମୁକୁଳି ନପାରି ଚାଷୀ ନେଉଛି ଆତ୍ମହତ୍ୟା ପାଇଁ ଚରମ ନିଷ୍ପତ୍ତି । ବରଗଡ ଜିଲ୍ଲାପାଳଙ୍କ ଅଫିସ ଆଗରେ କାଳବୈଶାଖି ମାଡରେ ଉଜୁଡା ଫସଲର କ୍ଷତିପୂରଣ ଦାବି କରି ଆନ୍ଦୋଳନ ବେଳେ ସର୍ବ ସମ୍ମୁକ୍ଷରେ ଜଣେ ଚାଷୀ ବିଷ ପିଇବା ସରକାରଙ୍କୁ ଅଡୁଆରେ ପକାଇଛି । ହେଲେ ନିଜକୁ ଚଷା ପୁଅ କହୁଥିବା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ଏଥିପ୍ରତି ପରବାୟ ନାହିଁ ।
କିଛି ବର୍ଷ ଧରି ଡାକ୍ତର ଦାମୋଦର ରାଉତ କୃଷି ବିଭାଗର ମନ୍ତ୍ରୀ ଥିଲେ । ହେଲେ୨୦୧୪ ନିର୍ବାଚନ ପରଠାରୁ କୃଷି ବିଭାଗ ଦାୟିତ୍ୱ ସମ୍ଭାଳୁଛନ୍ତି ମନ୍ତ୍ରୀ ମହାରଥୀ । ଏହି ସମୟରେ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢିଛି । ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ, ୨୦୧୫ ମସିହାରେ ରାଜ୍ୟରେ ୫୦ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ଯାହା ଗତ ବିଧାନସଭା ଅଧିଶେନରରେ ଉପସ୍ଥାପିତ ହୋଇଛି । ହେଲେ ବଢୁଥବା ଚାଷୀ ଆତ୍ମହତ୍ୟାର କଳଙ୍କ ମୁଣ୍ଡାଉଥିବା କୃଷି ବିଭାଗ ୨୦୧୬ ଓ ୨୦୧୭ର ତଥ୍ୟ ଦେଇନିି । ଏବେ ତ ଆହୁରି ସଙ୍କଟ । ପିଆଜ ଓ ଆଳୁର ଅଭାବୀ ବିକ୍ରି ଯୋଗୁ ଓଡିଶାର ଚାଷୀ ହନ୍ତସନ୍ତ ହେଉଛନ୍ତି । ହେଲେ କୃଷ ମନ୍ତ୍ରୀ ମହାରଥୀ ନିଜ ଉତ୍ତରଦାୟିତ୍ୱରୁ ଖସିବାକୁ ନୂଆ ଚାଲ ଫାନ୍ଦିଛନ୍ତି । ଖାସ କରି ଗଣମାଧ୍ୟମରୁ କିପରି ଏହି ପ୍ରସଙ୍ଗ ଦୂରେଇ ରହିବ ସେଥିଲାଗି ସେ ନୂଆ ଫଣ୍ଡା ବି ବାହାର କରିଛନ୍ତି । ଶୁଣିବାକୁ ମିଳିଛି, ବରଗଡ ଜିଲ୍ଲାପାଳଙ୍କ ଅଫିସ ଆଗରେ କୀଟନାଶ ପିଇ ଚାଷୀ ଆତ୍ମହତ୍ୟା ଉଦ୍ୟମ ସଂପର୍କରେ ପ୍ରତିକ୍ରିୟା ନେବାକୁ ଗଣମାଧ୍ୟମ ପ୍ରତିନିଧି ଗତ ମେ’ ୩ ତାରିଖରେ ମହାରଥୀଙ୍କ ସଚିବାଳୟରେ ଥିବା ଚ୍ୟାମ୍ବରକୁ ଯାଇଥିଲେ । ହେଲେ ଏ ସଂପର୍କରେ ପ୍ରତିକ୍ରିୟା ଦେବାକୁ ପ୍ରଥମେ ରୋକଠୋକ୍ ମନା କରି ଦେଲେ ମହାରଥୀ । ଆଉ ବିଜୁ ଜନତା ଦଳ ପାୱାର କରିଡର ଆଗରେ ଥାଟ୍ ଦେଖାଇବାକୁ ଯାଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କଲେ । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ପଦେ ଅଧେ କହି କଥା ବୁଲେଇଥିଲେ । ତୀର ମାରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡକୁ । ରାଜନୈତିକ ଆକ୍ରମଣ କରି ବୟାନବାଜି କରିଥିଲେ ମନ୍ତ୍ରୀ ମହାରଥୀ ।

ଅବଶ୍ୟ ମିଡିଆକୁ ଧର୍ମେନ୍ଦ୍ରଙ୍କ ବିରୋଧରେ କହିବା ପଛରେ କୁଆଡେ ରହିଛି ମହାରଥୀଙ୍କ ମହାଚାଲ । ଏମିତି କହି ଗୋଟିଏ ଗୁଳିରେ ଦୁଇଟି ତିନୋଟି ଶିକାର କରିଛନ୍ତି କୃଷିମନ୍ତ୍ରୀ । ରାଜ୍ୟ ରାଜନୀତିରେ ସବୁବେଳେ ମୁଖ୍ୟମନ୍ତ୍ରୀ ଓ କ୍ଷମତାକେନ୍ଦ୍ରଙ୍କୁ ଟାର୍ଗେଟ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରୁଛନ୍ତି । ତେଣୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି କ୍ଷମତାକେନ୍ଦ୍ର ଓ ନବୀନଙ୍କ ବାହାବା ସାଉଁଟିବାକୁ ଚେଷ୍ଟା କରିଛନ୍ତି ମହାରଥୀ । ଏହା ସହ ମଡିଆରେ ଚାଷୀ ପ୍ରସଙ୍ଗକୁ ଡାଇଲ୍ୟୁଟ୍ କରି ରାଜନୀତି କେମିତି ଆଗକୁ ଆସୁ ସେ ପ୍ରୟାସ ବି କରିଛନ୍ତି । କୁହାଯାଉଛି ମହାରଥୀ ଜାଣିଶୁଣି ଧର୍ମେନ୍ଦ୍ରଙ୍କ କଥା ଉଠାଇ ବିବାଦ ସୃଷ୍ଟି କରିବାକୁ ଚାହୁଁଛନ୍ତି । କାରଣ ସେ ଭଲଭାବେ ଜାଣିଛନ୍ତି ଚାଷୀ ଆତ୍ମହତ୍ୟା ଉଦ୍ୟମ କଥା ଆସିଥିବାରୁ ଗଣମାଧ୍ୟମରେ ଏହାକୁ ନେଇ ଜୋର ଚର୍ଚ୍ଚା ହେବ । ଖୋଦ ମନ୍ତ୍ରୀ ଓ ସରକାର ଅଡୁଆରେ ପଡିବେ । ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଟାର୍ଗେଟ କରିବେ । ଧର୍ମେନ୍ଦ୍ରଙ୍କ କଥା ଆସିଲେ ଓ ସେ କିଛି ବୟାନ ନଦେଇ ଚୁପ ରହିପାରିବେ ନାହିଁ । ଧର୍ମେନ୍ଦ୍ର କ୍ଷମତାକେନ୍ଦ୍ରଙ୍କୁ ହେଉ କି ନବୀନଙ୍କୁ ହେଉ ସମାଲୋଚନା କରି କିଛି ମତ ଦେଲେ ତାକୁ ନେଇ ଗଣମାଧ୍ୟମରେ ବେଶୀ ଚର୍ଚ୍ଚା ହେବ । ଚତୁର ମହାରଥୀ ଜାଣିଛନ୍ତି ଧର୍ମେନ୍ଦ୍ରଙ୍କୁ ବିବାଦ ଭିତରକୁ ଟାଣିଲେ ତାହା ଗଣମାଧ୍ୟମର ଶିରୋନାମାରେ ରହିବ । ଏମିତି ବି ସରକାରଙ୍କୁ ସବୁବେଳେ ଟାର୍ଗେଟ କରୁଥିବା ବିଜେପି ନେତାଏ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଛାଡି ଧର୍ମେନ୍ଦ୍ରଙ୍କ ଲାଗି ମୁହଁ ଖୋଲିବାକୁ ଆଗକୁ ଆସିବେ । ଆଉ ଏହାରି ଭିତରେ ଚାଷୀ ମୃତ୍ୟୁ ପ୍ରସଙ୍ଗ ଗୌଣ ହୋଇଯିବ । ସେଥିପାଇଁ ଧର୍ମେନ୍ଦ୍ର୍ରଙ୍କୁ ଉସୁକାଇବା ପାଇଁ ମହାରଥୀ ଉଦ୍ୟମ କରିଛନ୍ତି । ଜାଣିଶୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ନିଜେ ଚାଷୀ ଆତ୍ମହତ୍ୟା ବିବାଦରୁ ଖସିବାକୁ ବାଟ ଖୋଜିଛନ୍ତି ମହାରଥୀ । ସେଥିଲାଗି ନାଟକୀୟ ଢଙ୍ଗରେ ଚାଷୀ ଆତ୍ମହତ୍ୟା କଥାକୁ ପଛକୁ ରଖି ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ମନ୍ତବ୍ୟ ଦେଇ ରାଜନୈତିକ ବିବାଦ ସୃଷ୍ଟି ପାଇଁ ଚେଷ୍ଟା କରି ନିଜେ ଖସିଯିବାକୁ ବସିଛନ୍ତି !
ଖାଲି ଏତିକି ନୁହେଁ! ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ହାଲୁକା କରିବାକୁ ସାମ୍ବାଦିକଙ୍କ ମୋବାଇଲ ଫୋନ୍ରେ ଥିବା ଭିଡିଓ ଦେଖିଲେ ମହାରଥୀ । ଆଉ ଭିଡିଓର କ୍ୱାଲିଟି ନେଇ କୁଆଡେ ସାମ୍ବାଦିକଙ୍କୁ ମାର୍କ ବି ଦେଇଥିଲେ କୃଷି ମନ୍ତ୍ରୀ । ମହାରଥୀଙ୍କ ଭିଡିଓ ଦେଖିବା ନିଶା ରହିବା ସ୍ୱାଭାବିକ । କାରଣ କଳିଙ୍ଗ ଗଣନାଟ୍ୟର ମାଲିକ ପ୍ରଦୀପ ମହାରଥୀ ସୌଖିନ୍ ମିଜାଜର ଲୋକ । ଅଭିନୟ ଓ ମନୋରଞ୍ଜନ ସହ ମହାରଥୀଙ୍କ ସଂପର୍କ ପୁରୁଣା । ହେଲେ ସମ୍ବେଦନଶୀଳ ସମୟରେ ସଚିବାଳୟରେ ବସି ଚାଷ ଓ ଚାଷୀ ସମସ୍ୟାର ସମୀକ୍ଷା କରିବା ବଦଳରେ ଭିଡିଓ ଦେଖି ମାର୍କ ଦେବା ମହାରଥୀଙ୍କ ଖାମଖିଆଲି ମନୋଭାବକୁ ଦର୍ଶାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଚାରି ଚାରି ଥର କେନ୍ଦ୍ର ସରକାରଙ୍କଠାରୁ କୃଷି କର୍ମଣ ପୁରସ୍କାର ପାଇଥିବାରୁ ଓଡିଶା ସରକାର ବାହା ବାହା ନେଉଛନ୍ତି ହେଲେ ଯେତେବେଳେ ସମସ୍ୟା ଆସୁଛି ସେତେବେଳେ ଉତ୍ତର ଦାୟିତ୍ୱ ନନେଇ ମନ୍ତ୍ରୀ ଗଣମାଧ୍ୟମରେ ରାଜନୈତିକ ବୟାନ ଦେଇ ଖସିବାକୁ ଚାଲ କରୁଥିବାରୁ ଏହାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି ।

ONA

Leave a Reply

Top