You are here
Home > Uncategorized > ସୁଧୁରି ଯାଅ ବଦ୍ରି

ସୁଧୁରି ଯାଅ ବଦ୍ରି

ଗୋଟେ ପଟେ ନିଜ ପୁଅଙ୍କ ଦାଦାଗିରି । ଅନ୍ୟପଟେ ବିଧାୟକ ବେଦବ୍ୟାସଙ୍କ ଆକ୍ରମଣ ଘଟଣାକୁ ନେଇ ବିବାଦ ଘେରରୁ ବାହାରିପାରୁନାହାନ୍ତି କେନ୍ଦୁଝରର ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ବଦ୍ରି ପାତ୍ର । ସବୁ ପରେ ସ୍ୱାଧୀନ ବିଧାୟକ ସନାତନ ମହାକୁଡ ବି ମନ୍ତ୍ରୀ ବଦ୍ରିଙ୍କ ଲାଗି କଣ୍ଟା ସାଜୁଛନ୍ତି । ଚଳନ୍ତି ଲକ୍ଷୀ ଖଟେଇ ସନା ତାଙ୍କ ଠାରୁ ଖସେଇ ନେଉଛନ୍ତି କର୍ମୀ । ବିଧାୟକ ବେଦବ୍ୟାସ ବି ବଦ୍ରୀବାବୁଙ୍କ ବୁଦ୍ଧି ଶିକ୍ଷାଇବାକୁ ଅଣ୍ଟାଭିଡିଛନ୍ତି । ଫଳରେ ବଦ୍ରି ଅକଳରେ ପଡିଛନ୍ତି

ଭୁବନେଶ୍ୱର,(ଓଏନଏ): ଦିନକୁ ଦିନ କୋଣଠେସା ହୋଇ ଯାଉଛନ୍ତି ବରିଷ୍ଠ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ନବୀନଙ୍କ ପାଖରେ ତାଙ୍କର ଆଉ ଆଗ ପରି ଗୁରୁତ୍ୱ ନାହିଁ । ଦଳରେ ବି ସେମିତି ତାଙ୍କୁ ଖୋଜାପଡୁନି । ତାଙ୍କ ରାଜନୈତିକ କ୍ୟାରିଅରରେ ଗ୍ରହଣ ଲାଗି ଯାଇଥିବା ଏବେ ନିଜ ଜିଲ୍ଲା କେନ୍ଦୁଝର ଠାରୁ ରାଜଧାନୀ ଯାଏ ସବୁଠି ଚର୍ଚ୍ଚା ଚାଲିଛି । ଗୋଟିଏ ପରେ ଗୋଟିଏ ଘଟଣା ମନ୍ତ୍ରୀ ବଦ୍ରିଙ୍କୁ ଅଡୁଆରେ ପକାଉଛି । ବିଜେଡିର ଚତୁର୍ଥ ପାଳି ସରକାର ଆରମ୍ଭରୁ ନିଜ ଜିଲ୍ଲାରେ ପ୍ରଥମରୁ ଅଡୁଆରେ ପଡିଥିଲେ ମନ୍ତ୍ରୀ ବଦ୍ରୀ ପାତ୍ର । ସ୍ୱାଧୀନ ବିଧାୟକ ସନାତନ ମହାକୁଡ ଏମିତି ଅଡକସ କଲେ ଯେ, ଯାହାଙ୍କୁ ଦିନେ ବଦ୍ରି ବାବୁ ମଣିଷ କରିଥିଲେ ସେମାନେ ତାଙ୍କୁ ବିରୋଧ କଲେ । ଫଳରେ ତାଙ୍କୁ ଜିଲ୍ଲା ବିଜେଡି ସଭାପତି ପଦ ହରାଇବାକୁ ପଡିଲା । ପରେ କେନ୍ଦୁଝର ଗଡ ପୌରପରିଷଦ ଓ ଆନନ୍ଦପୁର ପୌରପାଳିକାରେ ଅନାସ୍ଥା ପ୍ରସ୍ତାବ ଭୋଟରେ ଦଳୀୟ ହ୍ୱିପ ବି କାମ ଦେଲାନି । ବିଜେଡି ହାତରୁ ଚାଲିଗଲା ଅଧ୍ୟକ୍ଷ ପଦ । ଆଉ ମାନ ମହତ ଗଲା ବଦ୍ରିଙ୍କର । ଆଉ ତାଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଚିହ୍ନ ଲାଗିଲା । ସେହିପରି ବେଲବାହାଳିଠାରେ କୁଶେଇ ନଦୀରେ ପୋଲ ନିର୍ମାଣକୁ ନେଇ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି ସ୍ଥାନୀୟ ପାଞ୍ଚଟି ପଞ୍ଚାୟତ ଲୋକେ । ବିବାଦକୁ ଟାଣି ହୋଇଛନ୍ତି ମନ୍ତ୍ରୀ ଓ ତାଙ୍କ ପୁଅ । ପ୍ରସ୍ତାବିତ ସ୍ଥାନରେ ପୋଲ ନିର୍ମାଣକୁ ସ୍ଥାନୀୟ ଲୋକେ ବିରୋଧ କରୁଥିବା ବେଳେ ମନ୍ତ୍ରୀ ଓ ତାଙ୍କ ପୁଅ କାଳେ ପୋଲ ନିର୍ମାଣ ଲାଗି ଜୋରସୋର ଉଦ୍ୟମ କରୁଛନ୍ତି । ପୋଲ ତିଆରି କରୁଥିବା କଂପାନୀରେ କୁଆଡେ ମନ୍ତ୍ରୀଙ୍କ ପୁଅ ଭାଗୀଦାରୀ ଥିବାରୁ ଲାଭ ପାଇଁ ଲୋକଙ୍କ ସ୍ୱାର୍ଥକୁ ଘାଇ ମୁହଁକୁ ଠେଲୁଛନ୍ତି ବୋଲି ଅଭିଯୋଗ ଆଣି ଲୋକେ ମନ୍ତ୍ରୀଙ୍କୁ ବିରୋଧ କରୁଛନ୍ତି । ବିବାଦ ଏତିକିରେ ଅଟକିନି । ଏହି ଘଟଣାରେ ବେଲବାହଳି ଲୋକଙ୍କୁ ଧମକଚମକ ଦେବା ଅଭିଯୋଗରେ ବଦ୍ରିଙ୍କ ପୁଅ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି ।  ସେହିପରିି ତେଲକୋଇ ବିଧାୟକ ବେଦବ୍ୟାସ ନାୟକଙ୍କୁ ମାଡମରା ଘଟଣା ବି ତାଙ୍କ ପାଇଁ କିଛି ଅଡୁଆ ସୃଷ୍ଟି କରିନାହିଁ । ଜୁଲାଇ୨୮ରେ ହରିଚନ୍ଦନପୁର ଗୁଣ୍ଡିଚା ଘାଗି ଠାରେ ବଦ୍ରିଙ୍କ ସମର୍ଥକମାନେ ବେଦବା୍ୟାସଙ୍କୁ ମାଡ ମାରି ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ଆସିଛି । ଏନେଇ ନିଜ ମାଆଙ୍କ ସହ ଆସି ବଦ୍ରିଙ୍କ ବିରୋଧରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଗରେ ଫେରାଦ ହୋଇଛନ୍ତି ବିଧାୟକ ବେଦବ୍ୟାସ ନାୟକ । ବଦ୍ରିଙ୍କୁ ଚେକମେଟ ଦେବାକୁ ଯାଇ ଆକ୍ରମଣ ଘଟଣା ପ୍ରତିବାଦରେ ୫ ହଜାରରୁ ଅଧିକ ଗଣ୍ଡ ସଂପ୍ରଦାୟର ଆଦିବାସୀଙ୍କୁ ଧରି ରାସ୍ତାକୁ ଓହ୍ଲାଇଛନ୍ତି । ଆକ୍ରମଣରେ ମନ୍ତ୍ରୀଙ୍କ ସଂପୃକ୍ତି ଥିବା କଥା ଉଠାଇ ଘଟଣାର ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ଦେଇଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ । ଏତିକିବେଳକୁ ଜିଲ୍ଲାରେ ବଦ୍ରି ଅଧିକ ବିବାଦୀୟ ହୋଇପଡିବା ସହ କେନ୍ଦୁଝର ଜିଲ୍ଲାରେ ନିଜ ସମର୍ଥନ ହରାଇଲେଣି । ତାଙ୍କ ଭୂମିକାକୁ ନେଇ ବିଜେଡି ଭାବମୂର୍ତ୍ତିରେ ବି ଛିଟା ଲାଗିଛି । ଏସବୁ ଖବର ତୃତୀୟ ମହଲାରେ ପହଞ୍ଚି ସାରିଛି । ଶୁଣିବାକୁ ମିଳୁଛି ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଉପରେ ଲଗାମ କଷିବାକୁ କୁଆଡେ ଠିକଣା ସମୟକୁ ଅପେକ୍ଷା କରିଛନ୍ତି ନବୀନ!

 

ONA
Top