You are here
Home > Breaking News > ମହାନଦୀ ପ୍ରଂସଗରେ ଛତିଶଗଡ଼ର ଗୁମର ଖୋଲିଲେ ଧର୍ମେନ୍ଦ୍ର

ମହାନଦୀ ପ୍ରଂସଗରେ ଛତିଶଗଡ଼ର ଗୁମର ଖୋଲିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୧.୬.୨୦୧୮: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ପାଣି ଛଡ଼ାଯିବ ନାହିଁ ବୋଲି ଏକ ସଭାରେ କହିବା ପରେ ଏହାକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି । ରମଣ ସିଂହଙ୍କ ଏହି ମନ୍ତବ୍ୟକୁ ବିଜେପି ପକ୍ଷରୁ ଘୋର ବିରୋଧ କରାଯାଇଛି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ କେତେକ ପଦକ୍ଷେପକୁ ବିରୋଧ କରିଥିଲେ । ଏବେ ସେ ପାଣି ନଛାଡ଼ିବା ପାଇଁ ଛତିଶଗଡ଼ କହିବା ପରେ ଆଉ ଚୁପ୍ ହୋଇ ନରହି ଖୋଲାଖୋଲି ଭାବେ ବିରୋଧ କରିବା ପାଇଁ ଧର୍ମେନ୍ଦ୍ର ଆଗେଇ ଆସିଛନ୍ତି । କେବଳ ଏତିକି ନୁହେଁ ଛତିଶଗଡ଼ର ଗୁମର ଖୋଲିବାକୁ ମଧ୍ୟ ପଛାଇ ନାହାନ୍ତି । ଶିଳ୍ପପତିକୁ ପାଣି ଦେବା ପାଇଁ କେନ୍ଦ୍ରକୁ ଭୁଲ ତଥ୍ୟ ଦେଇ କିପରି ଛତିଶଗଡ଼ ଅନୁମୋଦନ ନେଇଛି ସେ ବିଷୟ ମଧ୍ୟ ସେ ପଦାକୁ ଆଣିଛନ୍ତି । ଏଥି ସହ ଏକ୍ଷେତ୍ରରେ ଛତିଶଗଡ଼ ବିରୋଧରେ ଯାଇ ଓଡ଼ିଶା ସରକାରଙ୍କୁ ସହଯୋଗ କରିବାକୁ କହିଛନ୍ତି ।
ଗଣମାଧ୍ୟମକୁ ଧର୍ମେନ୍ଦ୍ର କହିଛନ୍ତି, “ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରି ଛତିଶଗଡ଼ ସରକାର ଭୁଲ କରିଛନ୍ତି । ଏପରିକି ଓଡ଼ିଶା ସରକାର ମଧ୍ୟ ଏ ଘଟଣାରେ ଠିକ୍ କାର୍ଯ୍ୟ କରୁନାହାନ୍ତି । ମହାନଦୀ ଜଳ ନେଇ ଓଡ଼ିଶାର ସ୍ୱାର୍ଥ ବିରୋଧରେ ଯିଏ ଯିବ ସେଥିରେ ବିଜେପି ସାଲିସ କରିବନାହିଁ ବୋଲି ସେ କହିଛନ୍ତି । ଏଘଟଣାରେ ଓଡ଼ିଶା ସରକାର ଯଦି ଆନ୍ତରିକତାର ସହ ଛତିଶଗଡ଼ ଉପରେ ଚାପ ପ୍ରୟୋଗ କରନ୍ତି, ତେବେ ସେ ବ୍ୟକ୍ତିଗତ ଭାବେ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି ।”
ଛତିଶଗଡ଼ କିଭଳି ଭାବରେ ଭୁଲ ତଥ୍ୟ ଅନୁମତି ନେଇଛି ତାହାର ଗୁମର ଖୋଲି ଧର୍ମେନ୍ଦ୍ର କହିଛନ୍ତି, ଉପରମୁଣ୍ଡ ବ୍ୟାରେଜ ନିର୍ମାଣ କରି ଛତିଶଗଡ଼ ସରକାର ନିଶ୍ଚୟ ଭୁଲ କରୁଛନ୍ତି । ୨୦୦୦ ହଜାର ହେକ୍ଟର ଜମି ଜଳସେଚନ କରିବା ଆଳରେ ସିଡବ୍ଲୁସିକୁ ଅନ୍ଧାରରେ ରଖି ଶିଳ୍ପାନୁଷ୍ଠାକୁ ପାଣି ଦେବା ପାଇଁ ବ୍ୟବସ୍ଥା କରିଛନ୍ତି । ଏପରିକି ଛତିଶଗଡ଼ ଭୁଲ କରିଥିବା କଥା କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ସଂଜୀବ ବାଲ୍ୟାନ ମଧ୍ୟ ସ୍ପଷ୍ଟ ଭାବେ କହି ସାରିଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମହାନଦୀ ସଂକ୍ରାନ୍ତ ବିବୃତ୍ତିକୁ ସେ ନିନ୍ଦା କରିଛନ୍ତି ବୋଲି କହିଛନ୍ତି । ହେଲେ ଓଡ଼ିଶା ସରକାର କ’ଣ କରୁଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ମହାନଦୀର ୫୦ ପ୍ରତିଶତ ଜଳ ସମୁଦ୍ରକୁ ଚାଲି ଯାଉଥିଲାବେଳେ ଓଡ଼ିଶା ସରକାର ଗତ ୧୮ ବର୍ଷ ମଧ୍ୟରେ ବୁନ୍ଦାଏ ପାଣି ଅଟକାଇ ବ୍ୟବହାର କରିବାରେ ସମର୍ଥ ହୋଇନାହାନ୍ତି । ଅନ୍ୟପଟରେ ଛତିଶଗଡ଼ ସହିତ ଆଲୋଚନା ବନ୍ଦ କରି ଓଡ଼ିଶା ସରକାର ଠିକ୍ କରିନାହାନ୍ତି । ଧର୍ମେନ୍ଦ୍ର କହିଛନ୍ତି ତାଙ୍କ ଉଦ୍ୟମ ଯୋଗୁ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମା ଭାରତୀ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକାଠି ବସାଇ ମହାନଦୀ ଜଳ ପ୍ରସଙ୍ଗରେ ଆଲୋଚନା କରାଇଥିଲେ । ହେଲେ ଏହି ଆଲୋଚନା ବିଫଳ ହୋଇଥିଲା । ଏବେ ଟ୍ରିବ୍ୟୁନାଲ୍ ଗଠନ ହୋଇସାରିଛି । ଏକ୍ଷେତ୍ରରେ ନ୍ୟାୟିକ ଲଢ଼େଇ ସହିତ ଓଡ଼ିଶା ସରକାର ଆଲୋଚନା ଜାରି ରଖିଥିଲେ ଭଲ ହୋଇଥାନ୍ତା । ସେ କହିଛନ୍ତି ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଅଣ ମୌସୁମୀ ଋତୁରେ ବ୍ୟାରେଜରେ ବନ୍ଦ ହୋଇ ରହିଥିବା ମହାନଦୀ ଜଳକୁ ଛାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତିଶଗଡ଼ ଉପରେ ଚାପ ପ୍ରୟୋଗ କରନ୍ତୁ । ମୁଖ୍ୟମନ୍ତ୍ରୀ ଚାପ ପକାଇଲେ ବ୍ୟକ୍ତିଗତସ୍ତରରେ ଯାହା ସହାୟତା ଆବଶ୍ୟକ ପଡ଼ିବ ସେ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । କେନ୍ଦ୍ର ସରକାର ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ସବୁ କିଛି କରିବାକୁ ପ୍ରସ୍ତୁତ । କିନ୍ତୁ କେନ୍ଦ୍ର ନୁହେଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଚାପ ପକାଇଲେ ଏହା ଅଧିକ ଫଳପ୍ରଦ ହୋଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ONA

Leave a Reply

Top