You are here
Home > ବିଶେଷ > ସାରା ରାଜ୍ୟରେ ମଧୁବାବୁଙ୍କ ଜୟନ୍ତୀ ପାଳିତ: ‘ଭାରତ ରତ୍ନ’ ଲାଗି ଦସ୍ତଖତ ଅଭିଯାନ ଆରମ୍ଭ

ସାରା ରାଜ୍ୟରେ ମଧୁବାବୁଙ୍କ ଜୟନ୍ତୀ ପାଳିତ: ‘ଭାରତ ରତ୍ନ’ ଲାଗି ଦସ୍ତଖତ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ମଧୁ ବାରିଷ୍ଟର ରୂପେ ପରିଚିତ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କର ଆଜି ହେଉଛି ଜନ୍ମଦିନ । ସାରା ରାଜ୍ୟରେ ପାଳିତ ହେଉଛି ମଧୁଜୟନ୍ତୀ । ମଧୁବାବୁଙ୍କର ଜନ୍ମପୀଠ ସତ୍ୟଭାମାପୁର, କର୍ମଭୂମି କଟକ ତଥା ରାଜ୍ୟ ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟବାସୀ ଆଜି ଏହି ଯୋଗଜନ୍ମା ସ୍ୱାଭିମାନୀ ଓଡ଼ିଆଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଓକିଲାତି ଥିଲା ତାଙ୍କର ପେସା କିନ୍ତୁ ଅହରହ ତାଙ୍କୁ ଘାରୁଥିଲା ଓଡ଼ିଶାର ବିକାସର ନିଶା । ସେ ଥିଲେ ସ୍ୱପ୍ନଦ୍ରଷ୍ଟା ଓ ପ୍ରଚଣ୍ଡ ସ୍ୱାଭିମାନୀ । ଓଡ଼ିଆ ଭାଷାର ସ୍ୱାଭିମାନ ଲାଗି ନିଜକୁ ତିଳତିଳ କରିଦେଇଥିଲେ ମଧ୍ୟ ସଂଗ୍ରାମ ଅବ୍ୟାହତ ରଖିଥିଲେ । ସ୍ୱତନ୍ତ୍ର ଓଡ଼ିଶା ଗଠନରେ ମଧୁବାବୁଙ୍କର ଏକ ବିରାଟ ଅବଦାନ ରହିଥିଲା ଯାହାକି ଅବର୍ଣ୍ଣନୀୟ । ଓଡ଼ିଶା ତଥା ଓଡ଼ିଆଙ୍କ ସ୍ୱାର୍ଥ ଲାଗି ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦୃଢ ସଂଗ୍ରାମ ଜାରି ରଖିଥିଲେ । ସାଧାରଣ ଜନତା ତଥା ଗରିବଙ୍କ ଲାଗି ତାଙ୍କ ପ୍ରାଣ କାନ୍ଦି ଉଠୁଥିଲା । ସେ ଓଡ଼ିଶାରୁ ବିଲାତ ଓ କଲିକତା ଯାଉଥିଲେ କେବଳ ଓଡ଼ିଶା ପ୍ରଦେଶ ତଥା ଓଡ଼ିଆ ଜାତିର ସ୍ୱାର୍ଥରକ୍ଷା ପାଇଁ ।

ମଧୁବାବୁ ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲା ସତ୍ୟଭାମାପୁରରେ ଚୌଧୁରୀ ରଘୁନାଥ ଦାସ ଏବଂ ମାତା ପାର୍ବତୀ ଦେବୀଙ୍କ ଓøରସରୁ ଜନ୍ମଗ୍ରହଣ କରିଥିଲେ । ଆଜି ତାଙ୍କର ଜନ୍ମଦିନକୁ ରାଜ୍ୟ ସ୍ୱାଭିମାନ ଦିବସ ରୂପେ ପାଳିତ କରୁଛି । ଉକ୍ରଳ ସମ୍ମିଳନୀ ପକ୍ଷରୁ ରାଜଭବନ ସମ୍ମୁଖରେ ମଧୁବାବୁ ଜୟନ୍ତୀ ପାଳିତ ହୋଇଥିବା ବେଳେ ଓଡ଼ିଶା ବିଧାନସଭା ପରିସରରେ ରହିଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ବିଧାନସଭାର ବାଚସ୍ପତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସମସ୍ତ ଦଳର ବିଧାୟକମାନେ ମାଲ୍ୟର୍ପଣ କରି ମଧୁବାବୁଙ୍କ ଅବଦାନକୁ ସ୍ମୃତିଚାରଣ କରିଛନ୍ତି । ଏହି ଅବସରରେ ରାଜଭବନ ଛକସ୍ଥିତ ଉକ୍ରଳଗୌରବ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲ୍ୟାର୍ପଣ କରିଛନ୍ତି । ଜୟଦେବ ଭବନଠାରେ ମଧୁବାବୁ୍ଙ୍କ ଜୀବନୀ ଉପରେ ଆଧାରିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ରାଜ୍ୟ ସ୍ୱାସ୍ଥ୍ୟ ଓ ସୂଚନା ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।

ସେହିପରି ମଧୁବାବୁଙ୍କୁ ‘ଭାରତ ରତ୍ନ’ ପ୍ରଦାନ କରିବା ଲାଗି ମଧୁମାଟି ସାଲେପୁରରେ ଆରମ୍ଭ ହୋଇଛି ‘ଦସ୍ତଖତ’ ଅଭିଯାନ । ସାଲେପୁର ମହୋତ୍ସବ ଅବ୍ୟବହିତ ପୂର୍ବରୁ ୧୦ଲକ୍ଷ ଦସ୍ତଖତ ସଂଗ୍ରହ କରି ସରକାରଙ୍କୁ ପ୍ରଦାନ କରାଯିବ । ତାହାଛଡ଼ା ମଧୁବାବୁଙ୍କ ଜନ୍ମପୀଠକୁ ଜାତୀୟ ସ୍ମାରକୀ ରୂପେ ମାନ୍ୟତା ଦେବାକୁ ସରକାରଙ୍କ ନିକଟରେ ଆନୁଷ୍ଠାନିକ ଭାବେ ଦାବି କରାଯିବ ବୋଲି ସାଲେପୁରର କେତେକ ଅନୁଷ୍ଠାନ ଜଣାଇଛନ୍ତି ।

ONA

Leave a Reply

Top