You are here
Home > ଇଣ୍ଡିଆ > ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲା : କାଲି ଶୁଣାଣି

ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲା : କାଲି ଶୁଣାଣି

ନୂଆଦିଲ୍ଲୀ : କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜେପି ନେତା ବି. ଏସ୍. ୟେଦିୟୁରପ୍ପା । କିନ୍ତୁ ରାଜନୀତି ଥମିନି । ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ । ୟେଦିୟୁରପ୍ପାଙ୍କୁ ସରକାର ଗଢ଼ିବାକୁ ରାଜ୍ୟପାଳ ବାଜୁଭାଇ ବାଲା ଆମନ୍ତ୍ରଣ କରିବା ପରେ ଗତକାଲି ରାତି ଅଧ ଯାଏଁ, ସୁପ୍ରିମକୋର୍ଟରେ ଚାଲିଥିଲା ଶୁଣାଣି । ଶପଥ ସମାରୋହରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଲଗାଇଲେନି କିମ୍ବା ଶପଥ ସମାରୋହକୁ ଘୁଞ୍ଚାଇ ଦେଲେନି । କିନ୍ତୁ ମାମଲାକୁ ଗୁରୁତ୍ବର ସହ ନେଇଛନ୍ତି କୋର୍ଟ । ଯାହା ଉପରେ ଆସନ୍ତାକାଲି ଶୁଣାଣି ହେବ । ଆଉ ରାୟ ଉପରେ ନିର୍ଭର କରିବ ୟେଦିଙ୍କ ଭାଗ୍ୟ ।

ସୁପ୍ରିମକୋର୍ଟରେ କର୍ଣ୍ଣାଟକ ନାଟକ । ବିଜେପି ନେତା ବି. ଏସ୍. ୟେଦିୟୁରପ୍ପା, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବି ତାଙ୍କ ମୁଣ୍ଡ ଉପରେ ଝୁଲୁଛି ଆଇନର ଖଣ୍ଡା । ଯାହା କାଲି ସ୍ପଷ୍ଟ ହେବାକୁ ଯାଉଛି । ସଂଖ୍ୟା ନଥାଇ, ରାଜ୍ୟପାଳ, ବାଜୁଭାଇ ବାଲା କେମିତି, ୟେଦିୟୁରପ୍ପାଙ୍କୁ ସରକାର ଗଢ଼ିବାକୁ ଆମନ୍ତ୍ରଣ କଲେ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ଓ ଜେଡିଏସ୍ । ଉଭୟ ଦଳ ଏନେଇ ସୁପ୍ରିମକୋର୍ଟ ଯାଇଛନ୍ତି । ଯାହା ଉପରେ ଆସନ୍ତାକାଲି ହେବ ଫାଇନାଲ୍ ଶୁଣାଣି ।

ଗତକାଲି ରାଜ୍ୟପାଳ, ୟେଦିୁରପ୍ପାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା ପରେ ସୁପ୍ରିମକୋର୍ଟ ଯାଇଥିଲେ କଂଗ୍ରେସ ଓ ଜେଡିଏସ୍ । ଯାହା ଉପରେ ଭୋର୍ ଯାଏଁ ଶୁଣାଣି ଚାଲିଥିଲା । ପ୍ରଧାନ ବିଚାରପତିଙ୍କ ନିର୍ଦ୍ଦେଶରେ ବିଚାରପତି ଏ. କେ. ସିକ୍ରି, ଏସ୍. ଏ. ବବଡେ ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ୟେଦିୟୁରପ୍ପାଙ୍କ ଶପଥ ସମାରୋହକୁ ସ୍ଥଗିତ ରଖିବାକୁ କିମ୍ବା ଘୁଞ୍ଚାଇ ଦେବାକୁ ପ୍ରତିପକ୍ଷ ଓକିଲ ଅଭିଷେକ ମନୁ ସିଂଘଭି ଦାବି କରିଥିଲେ । କିନ୍ତୁ ବିଜେପି ଓକିଲ ମୁକୁଲ ରୋହତଗୀ, ତାହା ଖଣ୍ଡନ କରିଥିଲେ । କଂଗ୍ରେସ ଓ ଜେଡିଏସର ଦାବିକୁ ଖଣ୍ଡପୀଠ ଗ୍ରହଣ କରି ନଥିଲେ ମଧ୍ୟ ଆସନ୍ତାକାଲି ମାମଲାର ଶୁଣାଣି କରିବାକୁ ସ୍ଥିର କରିଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ଓ କର୍ଣ୍ଣାଟକ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ରାଜ୍ୟପାଳଙ୍କ ପାଖରେ ୟେଦିୟୁରପ୍ପା ରଖିଥିବା ସମର୍ଥନ ପତ୍ର କୋର୍ଟରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେପଟେ ରାଜ୍ୟପାଳଙ୍କ ପଦକ୍ଷେପକୁ ନେଇ ବରିଷ୍ଠ ଓକିଲ ରାମ ଜେଠମାଲାନୀ ପ୍ରଶ୍ନ ଉଠାଇଥିବା ବେଳେ ପର୍ସନାଲ୍ କାପାସିଟିରେ ମାମଲାରେ ହସ୍ତକ୍ଷେପ କରିବାକୁ ପ୍ରଧାନ ବିଚାରପତିଙ୍କ ଅନୁମତି ଲୋଡ଼ିଛନ୍ତି ।

କୋର୍ଟଙ୍କ ଆସନ୍ତାକାଲିର ରାୟ ହିଁ ୟେଦିୟୁରପ୍ପାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ତେବେ ପ୍ରଶ୍ନ ଉଠୁଛି, ଏବେ ୟେଦିୟୁରପ୍ପା କେମିତି ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ । କାରଣ କର୍ଣ୍ଣାଟକରେ ୨୨୨ ଆସନରେ ଭୋଟ୍ ନିଆ ଯାଇଥିବା ବେଳେ ମ୍ୟାଜିକ୍ ନମ୍ବର ହେଉଛି ୧୧୨ ଜଣେ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପାଇ ବିଜେପି ୧୦୪ରୁ ୧୦୫ ହୋଇଛି । ସେପଟେ କଂଗ୍ରେସ ଓ ଜେଡିଏସର ୧୧୬ ବିଧାୟକ ଅଛନ୍ତି । ତେଣୁ ଏଭଳି ସ୍ଥିତିରେ ବିଜେପି, ମ୍ୟାଜିକ୍ ନମ୍ବର ଠାରୁ ୭ କମ୍-ରେ ରହୁଛି । ସେପଟେ କଂଗ୍ରେସର ୩ ଓ ଜେଡିଏସର ୨ ବିଧାୟକ ନିଖୋଜ ଥିବା ବେଳେ ବିଜେପି କିଛି ମାତ୍ରାରେ ଉତ୍ସାହିତ ରହିଛି । ଆଉ ଯଦି କିଛି ବିଧୟାକ ଅନୁପସ୍ଥିତ ରହି ଯାଆନ୍ତି, ତେବେ ମ୍ୟାଜିକ୍ ନମ୍ବର କମିଯିବ ଏବଂ ବିଜେପି ପାଇଁ ରାସ୍ତା ସଫା ହୋଇଯିବ । ଏଠି ପ୍ରଶ୍ନ ଉଠୁଛି, ବିଜେପି ସୁବିଧା ପାଇଁ କଂଗ୍ରେସ ଓ ଜେଡିଏସର ଯେଉଁ ବିଧାୟକମାନେ ଅନୁପସ୍ଥିତ ରହିବେ, ସେମାନଙ୍କ ପାଇଁ ଦଳ ବିରୋଧୀ ଆଇନ୍ ଲାଗୁ ହେବ କି ନାହିଁ । ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ତଥା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କିନ୍ତୁ କହୁଛନ୍ତି, ଲାଗୁ ହେବ ନାହିଁ । ନିର୍ବାଚିତ ପ୍ରତିନିଧିମାନେ ବିଧାୟକ ଭାବେ ଶପଥ ନେଇ ନଥିବାରୁ ସେମାନଙ୍କ କ୍ଷେତ୍ରରେ ଦଳ ବିରୋଧୀ ଆଇନ ଲାଗୁ ହେବ ନାହିଁ ବୋଲି କହୁଛନ୍ତି ରୋହତଗୀ ।

କର୍ଣ୍ଣାଟକ ରାଜନୀତିକୁ ନେଇ ସବୁ ମହଲରେ ଚର୍ଚ୍ଚା । ମିଡିଆରୁ ଆରମ୍ଭ କରି ସୋସିଆଲ୍ ମିଡିଆ ସବୁଠି ଦେଖିବାକୁ ମିଳୁଛି ପ୍ରତିକ୍ରିୟା । ଗୋଆ ଭଳି ବିଜେପି, ରାଜ୍ୟପାଳଙ୍କୁ ଧରି କର୍ଣ୍ଣାଟକରେ କ୍ଷମତାର ଅପବ୍ୟବହାର କରିଥିବା କଂଗ୍ରେସ ନେତାଏ କହୁଛନ୍ତି । ସେହିଭଳି ବିଜେପି ଛାଡ଼ିଥିବା ଯଶୱନ୍ତ ସିହ୍ନା କହିଛନ୍ତି ୨୦୧୯ ପାଇଁ ବିଜେପି କର୍ଣ୍ଣାଟକରେ କରିଛି ରହରସାଲ୍ ।

 

ONA

Leave a Reply

Top