You are here
Home > ଲାଟେଷ୍ଟ > ରାଜ୍ୟ ସରକାର ଦେଲେ୨୦୨.୩୯କୋଟି ଟଙ୍କା ,ଖୁବ୍ ଶୀଘ୍ର କଳାହାଣ୍ଡି ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ-ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା

ରାଜ୍ୟ ସରକାର ଦେଲେ୨୦୨.୩୯କୋଟି ଟଙ୍କା ,ଖୁବ୍ ଶୀଘ୍ର କଳାହାଣ୍ଡି ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ-ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର : କଳାହାଣ୍ଡି ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୨୦୨.୩୯ କୋଟି ଟଙ୍କା ପ୍ରଦାନ କଲେ । ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । କଳାହାଣ୍ଡିରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଫଳରେ କଳାହାଣ୍ଡି ଜିଲ୍ଲା ତଥା ନିକଟବର୍ତୀ ଅଂଚଳର ଲୋକମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହେବା ସହିତ ସେମାନେ ସ୍ୱାସ୍ଥ୍ୟସେବା ପାଇବାର ଆଶା ଫଳବତୀ ହେବ । ଅନ୍ୟ ପକ୍ଷରେ , କଳାହାଣ୍ଡି ଜିଲ୍ଲାର ଅନଗ୍ରସରତାକୁ ଏହି କଲେଜ ପ୍ରତିଷ୍ଠା ପରାହତ କରିବ । ରାଜ୍ୟବାସୀଙ୍କ ନିକଟରେ ଗୁଣାତ୍ମକ ଓ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପହଂଚାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍ଦର୍ଶନର ଯଥାର୍ଥ ଫଳଶ୍ରୃତି ଭାବରେ କଳାହାଣ୍ଡି ମେଡିକାଲ କଲେଜ ଅଂଚଳବାସୀଙ୍କ ସେବାରେ ଉତ୍ସର୍ଗୀକୃତ ହେବ ।
ରାଜ୍ୟ ସରକାରଙ୍କ ପୂର୍ତ ବିଭାଗ ତତ୍ୱାବଧାନରେ ଟର୍ଣ୍ଣ-କି ଭିତିରେ ନିର୍ମିତ ହେବାକୁ ଯାଉଥିବା କଳାହାଣ୍ଡି ମେଡିକାଲ କଲେଜ ଓ ହସପିଟାଲ ବାବଦରେ ୩୦୨.୩୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ରାଜ୍ୟ ବଜେଟରେ ଅର୍ଥ ବ୍ୟବସ୍ଥା କରାଯାଇଛି । ନିର୍ମାଣ ନେଇ ପୂର୍ତ ବିଭାଗ ତରଫରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ନୂତନ ମେଡିକାଲ କଲେଜ ଓ ହସ୍ପିଟାଲ ନିମନ୍ତେ ବିଭିନ୍ନ ନିର୍ମାଣକାର୍ଯ୍ୟ ମଧ୍ୟରେ ରହିଛି ୩୦୦ ଛାତ୍ର ,୧୫୦ ଛାତ୍ରୀ , ୧୦୦ ଶିକ୍ଷାନବିସ , ୧୦୦ ସିନିୟର ରେସିଡେଂଟ ଓ ୬୦ ଜଣ ନର୍ସ ରହିପାରିବା ଭଳି ହଷ୍ଟେଲ । ଏହା ବ୍ୟତୀତ ବିଭିନ୍ନ କିସମର ୮୬ ଟି ବାସଗୃହ ମଧ୍ୟ ନିର୍ମାଣ କରାଯିବ । ଏଥିରେ ୨୫ ଟି ୪-ଆର୍ , ୨୫ ଟି ୩-ଆର୍ ଓ ୩୬ ଟି ୨-ଆର୍ କ୍ୱାର୍ଟର ଅନ୍ତର୍ଭୁକ୍ତ ।
ନିର୍ମିତ ହେବାକୁ ଥିବା ହସପିଟାଲରେ ମଧ୍ୟ ୧୫୦ ସ୍ଥାନ ବିଶିଷ୍ଟ ନର୍ସିଂ ହଷ୍ଟେଲ , ପାରାମେଡିକ୍ମାନଙ୍କ ପାଇଁ ୩୬ ଟି ବାସଗୃହ ରହିବ । ଏହା ବ୍ୟତୀତ କେନ୍ଦ୍ରୀୟ ବାତାନୁକୂଳ ସୁବିଧା ଥିବା ୬୫୦ ଆସନ ବିଶିଷ୍ଟ ଏକ ଅତ୍ୟାଧୁନିକ ଅଡିଟୋରିୟମ୍ ମଧ୍ୟ ଏଠାରେ ରହିବ ।
ଏହି ମେଡିକାଲ କଲେଜ ପାଇଁ ଟିଚିଂ ହସପିଟାଲ ନିର୍ମାଣ ସକାଶେ ବେଦାନ୍ତ ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଏହି ଡାକ୍ତରଖାନାର ନିର୍ମାଣ ଆନୁମାନିକ ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା । ବେଦାନ୍ତ ଏହି ଡାକ୍ତରଖାନ ନିର୍ମାଣ ବାବଦକୁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ,ଆଇନ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ପୂର୍ବରୁ ଥିବା କଟକ , ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜକୁ ଛାଡି ୨୦୧୭-୧୮ ଶିକ୍ଷାବର୍ଷରୁ ବାରିପଦାରେ ପ୍ରତିଷ୍ଠିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ କୋରାପୁଟରେ ଶହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜରେ ପାଠପଢା ଆରମ୍ଭ ହୋଇଥିବା ବେଳେ ୨୦୧୮-୧୯ ଶିକ୍ଷାବର୍ଷରୁ ବଲାଙ୍ଗିର ଓ ବାଲେଶ୍ୱର ମେଡିକାଲ କଲେଜରେ ଶିକ୍ଷାଦାନ ଆରମ୍ଭ ହେବାକୁ ଯାଉଛି । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଖୁବ୍ଶୀଘ୍ର କଳାହାଣ୍ଡି ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ଓ କାର୍ଯ୍ୟାରମ୍ଭର ୨୪ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଏହି ମେଡିକାଲ କଲେଜରୁ ପ୍ରତି ବର୍ଷ ୧୦୦ ଏମ୍.ବି.ବି.ଏସ୍. ଡାକ୍ତର ବାହାରିବେ । ଶ୍ରୀ ଜେନା କହିଛନ୍ତିଯେ ପୁରୀ , ତାଳଚେର , ସୁନ୍ଦରଗଡ ଓ କେଉଁଝରରେ ପ୍ରସ୍ତାବିତ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି ଏବଂ ଏହା ଫଳରେ ଅଧିକ ସଂଖ୍ୟକ ଏମ୍.ବି.ବି.ଏସ୍. ଡାକ୍ତର ସୃଷ୍ଟି ହେବେ । ସ୍ୱାସ୍ଥ୍ୟସେବାକୁ ରାଜ୍ୟବାସୀଙ୍କ ନିକଟତର କରାଇବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରୋକ୍ତ କାର୍ଯ୍ୟକ୍ରମ ଗୁଡିକରେ ପ୍ରତିଫଳିତ ।

ONA

Leave a Reply

Top