You are here
Home > ଏକ୍ସକ୍ଲୁସିଭ୍ > ଜାତକ ବିଚାର,ଜୟ ହେବେ ସିଏମ୍!

ଜାତକ ବିଚାର,ଜୟ ହେବେ ସିଏମ୍!

ଭୁବନେଶ୍ୱର:୨୦୧୪ ନିର୍ବାଚନ ପରଠାରୁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ଓରଫ ଜୟ ପଣ୍ଡା କେବଳ ରାଜନୈତିକ ସସପେନସ୍ ସୃଷ୍ଟି କରି ଚାଲିଛନ୍ତିି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଯାହା କହୁଛନ୍ତି, ତାହାର ବିପରୀତ କାମ କରୁଛନ୍ତି ଜୟ । ନବୀନ ନିଦେ୍ର୍ଦଶ ଦେଲେ, ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରକ୍ଷା କରିବା ପାଇଁ । ହେଲେ ସେହି ହ୍ୱିପକୁ ପ୍ରଥମେ ଅବମାନନା କଲେ ଜୟ । କେତେବେଳେ କାହାକୁ କିଛି ନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜାପାନ ଚାଲିଗଲେ ତ ଆଉ କେେତେବେଳେ ଜାତୀୟ ଗଣମାଧ୍ୟମରେ ମୋଦିଙ୍କ ବିଦେଶ ନୀତିକୁ ଭୂୟସୀ ପ୍ରଶଂସା କଲେ । ପ୍ୟାରୀ ମହାପାତ୍ରଙ୍କ ସମର୍ଥକ ପ୍ରଫୁଲ ଘଡାଇଙ୍କୁ ବିଜେଡି ଦୂରେଇ ଦେଲା, ହେଲେ ଜୟ ସିନିୟର ଘଡାଇଙ୍କ ଘରେ ବସି ମନ୍ତ୍ରଣା କଲେ । ମୋଦିଙ୍କ ଗୁଣଗାନ ଜୟ ଏପରି କଲେ ଯେ ବାଧ୍ୟ ହୋଇ ତାଙ୍କ ମତକୁ ଦଳର ମତ ନୁହେଁ, ବ୍ୟକ୍ତିଗତ ବୋଲି କହିଲା ବିଜେଡି । ଗୋଟେ ସମୟରେ ଲାଗିଲା ଯେପରି ବିଜେପିରେ ମିଶିବେ ବିଜେଡି ସାଂସଦ ଜୟ । ନବୀନଙ୍କୁ ବି ଏହି ଅଭାସ ମିଳିଥିଲା । ଯେଉଁଥିପାଇଁ ନବୀନ ନିବାସରେ ହେଉଥିବା ସଂସଦୀୟ ଦଳ ବୈଠକରେ ବୈଜୟନ୍ତ କୋଣଠେସା ହେଲା ପରି ଲାଗିଲେ । ସେ ସମୟରେ ନବୀନଙ୍କ କାନରେ ଏପରି ବି କଥା ପଡିଥିଲା ଯେ ଜୟ ନିଜ ଅଫିସ୍ ଷ୍ଟାଫ୍ଙ୍କୁ ସଂଘ ପରିବାରରେ ସାମିଲ ହେବାକୁ କହିଛନ୍ତି । ହେଲେ ଏବେ କଥା ବଦଳିବାରେ ଲାଗୁଛି । ଆଉ ଦଳ ଛାଡିବା ମୁଡ୍୍ରେ ନାହାନ୍ତି ପଣ୍ଡା ବାବୁ । ଶୁଣିବାକୁ ମିଳିଛି, ବୈଜୟନ୍ତଙ୍କ ଜାତକରେ ଲେଖା ଅଛି ଯେ ଦିନେ ନା ଦିନେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ହେବେ ।
ଓଡିଶାର ବିଜନେସ୍ ଟାଇକୁନ୍ ଭାବେ ପ୍ରସିଦ୍ଧ ବୈଜୟନ୍ତ ଓ ତାଙ୍କ ପରିବାର । ବିଜୁ ପଟ୍ଟନାୟକଙ୍କ ସମର୍ଥନରେ ଜୟଙ୍କ ମା’ ଇଲା ପଣ୍ଡା ରାଜ୍ୟସଭା ଯାଇଥିଲେ । ପାଶ୍ଚାତ୍ୟ ସଭ୍ୟତାରେ ଜୀବନ ବିତାଉଥିବା ଜୟଙ୍କ ପରିବାର କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଉପରେ ପ୍ରଗାଢ ବିଶ୍ୱାସ କରୁଥିବା ଶୁଣିବାକୁ ମିଳିଛି । ପଣ୍ଡା ବାବୁଙ୍କ ପରିବାରର ସମସ୍ତ ସଫଳତା ଜ୍ୟୋତିଷଙ୍କ ଅଙ୍କକଷାରେ ଚାଲୁଥିବା ଖବର ମିଳିଛି । ଜ୍ୟୋତିର୍ବିଦ କୁଆଡେ ବୈଜୟନ୍ତଙ୍କୁ ପରାମର୍ଶ ଦେଇଛନ୍ତି ବିଜୁ ଜନତା ଦଳରେ ତିଷ୍ଠି ରହିବା ପାଇଁ । ଦଳରେ ଯେତେ ବି କୋଣଠେସା ହେଲେ, ଦଳ ଛାଡି ଯିବା ତାଙ୍କ ପାଇଁ ଲାଭୟଦାୟକ ହେବ ନାହିଁ । କାରଣ ନବୀନଙ୍କ ପରେ ସେ ମୁଖ୍ୟମନ୍ତ୍ରୀ ହେବାର ବି ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଜାତକ ବିଚାର କରିଛି ।
ଅବଶ୍ୟ ଯଦି ବର୍ତ୍ତମାନର ରାଜନୈତିକ ବ୍ୟକ୍ତିତ୍ୱଙ୍କ ଉପରେ ନଜର ପକାଯାଏ, ବୈଜୟନ୍ତଙ୍କ ଗଠନ, ଚାଲିଚଳଣ ଓ ବୁଦ୍ଧି ଅନ୍ୟମାନଙ୍କଠାରୁ ଅଧିକ । ଏପରିକି ବିଜୁ ପଟ୍ଟନାୟକଙ୍କ ସହ ବି ତାଙ୍କ ଅନେକ ଗୁଣ ମେଳ ଖାଏ:
ବିଜୁଙ୍କ ପରି ବୈଜୟନ୍ତ ବି ଉଡାଜାହାଜ ଚଲାଇବାକୁ ବେଶ୍ ପସନ୍ଦ କରନ୍ତି ନିର୍ଭୀକ ଭାବେ ଜାତୀୟ ସ୍ତରରେ ରାଜନୈତିକ ବକ୍ତବ୍ୟ ଦେବା କଳା ବି ବିଜୁଙ୍କ ସହ ସମାନଉଭୟ ବିଜୁ ଓ ଜୟଙ୍କ କଟକ ଚୌଦ୍ୱାରରେ ବ୍ୟବସାୟ ପ୍ରତିଷ୍ଠାନ ଅଛି ନା ବିଜୁ ନା ବୈଜୟନ୍ତ, କେହି ବି କେନ୍ଦ୍ରାପଡାର ମୂଳ ବାସିନ୍ଦା ନୁହନ୍ତି । ହେଲେ ଉଭୟଙ୍କର ରାଜନୈତିକ କର୍ମଭୂମି କେନ୍ଦ୍ରାପଡାବିଜୁ ବାବୁଙ୍କ ପରି ବୈଜୟନ୍ତ ବି ପଞ୍ଜାବୀ କନ୍ୟାଙ୍କୁ ବିବାହ କରିଛନ୍ତି ବିଜୁ ବାବୁଙ୍କ ପରି ଜୟ ଡେଙ୍ଗା ଆଉ ପ୍ରଚଣ୍ଡ ଧୀଶକ୍ତି ସଂପନ୍ନ ଏସବୁ ଗୁଣ ସହ ଦକ୍ଷ ରାଜନୈତିକ ଆଧିପତ୍ୟ ବୈଜୟନ୍ତଙ୍କୁ  ଭବିଷ୍ୟତର ମୁଖ୍ୟମନ୍ତ୍ରୀ ପାଇଁ ପ୍ରମୁଖ ଦାବିଦାର କରେ । ଯେବେ ବୈଜୟନ୍ତଙ୍କୁ ବିଜୁ ଜନ୍ମ ଶତବାର୍ଷିକୀ କମିଟିରୁ ବିଜେଡି ବାଦ ଦେଇଥିଲା, ସେ ସମୟରେ ବୈଜୟନ୍ତ କହିଥିଲେ ଯେ କମିଟିରୁ ବାହାର କଲେ କ’ଣ ହେଲା, ତାଙ୍କ ହୃଦୟରୁ ବିଜୁ ଅଙ୍କଲଙ୍କୁ କେହି ବାହାର କରି ପାରିବେ ନାହିଁ । କଥା ଯାହା ହେଲେ ବି ଯେଉଁ ବିଜୁ ପଟ୍ଟନାୟକଙ୍କ ନାଁ ଦେଇ ବିଜେଡି ଗଠନ ହୋଇଥିଲା ଓ ପରବର୍ତ୍ତୀ ସମୟରେ ରାଜନୈତିକ ସଫଳତାର ଶିଖର ଛୁଇଁ ପାରିଥିଲା, ସେ ଅମଳର ନେତା ଆଉ ଦଳରେ ନାହାନ୍ତି । ଆଉ ଯେଉଁ କାଁଭାଁ ନେତା ଦଳରେ ଅଛନ୍ତି, ସେମାନେ ଦଳରେ ମର୍ଯ୍ୟାଦା ହରାଇ ସାରିଲେଣି । ହୁଏତ ବୈଜୟନ୍ତ ବି ଦଳରେ ନିଜ କାୟା ହରାଉଛନ୍ତି, ହେଲେ ମର୍ଯ୍ୟାଦା ସହ ଫେରିବାର କଳା ତାଙ୍କ ବେଶ ଜଣା । ତେବେ ନବୀନ ବାବୁ ଥିବା ଯାଏ ନୂଆ ମୁଖ୍ୟମନ୍ତ୍ରୀଙ୍କ କଥା ଚିନ୍ତା କରିବା ଅମୂଳକ । ହେଲେ ନବୀନଙ୍କ ଅସୁସ୍ଥତା ଯୋଗୁଁ ତାଙ୍କର ଉତ୍ତରାଧିକାରୀ ପାଇଁ ଆକଳନ ଆରମ୍ଭ ହେଲାଣି । କିଏ କହିବ, ଜାତକ ବିଚାର ସତ ହେବ ନା ମିଛ? କାରଣ ଜ୍ୟୋତିଷମାନେ ଦିନେ କହିଥିଲେ ଯେ ଶେଷ ନିଶ୍ୱାସ ଯାଏ ଅଟଳ ବିହାରୀ ବାଜପୟୀ ଭାରତର ପ୍ରଧାନମନ୍ତ୍ରୀ ହୋଇ ରହିବେ ଓ ସେହି ଜ୍ୟୋତିଷ ବିଦ୍ୟା ହିଁ ଗଣନା କରିଥିଲା ଯେ ନରେନ୍ଦ୍ର ମୋଦି କେବେ ବି ପ୍ରଧାନମନ୍ତ୍ରୀ ହୋଇ ପାରିବେ ନି! ହେଲେ ଯାହା ହେଲା, ତାହା ଇତିହାସ । ତେଣୁ ଜୟ ଜାତକ ବିଚାରରେ ମାତିବା ବେଳେ ଇତିହାସକୁ ଭୁଲିଲେ କ୍ଷତିରେ ପଡି ପାରନ୍ତି ।

ONA

Leave a Reply

Top