You are here
Home > ଏକ୍ସକ୍ଲୁସିଭ୍ > ସର୍ତରେ ଅଟକିଛି ବୈଜୟନ୍ତଙ୍କ ଯୋଗଦାନ

ସର୍ତରେ ଅଟକିଛି ବୈଜୟନ୍ତଙ୍କ ଯୋଗଦାନ

ଭୁବନେଶ୍ୱର : ବିଜେଡି ଓ ସାଂସଦ ପଦରୁ ଇସ୍ତଫା ଦେବା ପରେ ବୈଜୟନ୍ତ ପଣ୍ଡା ଏବେ ସଂପୂଣ୍ଣ ମୁକ୍ତ । ସେ ଜଣେ ରାଜନୈତିକ ବ୍ୟକ୍ତି ଓ ରାଜ୍ୟ ରାଜନୀତି ସହ ପ୍ରତ୍ୟକ୍ଷ ଭାବେ ଜଡିତ ଥିବାରୁ ଚୁପ ଚାପ ହୋଇରହିବେ ନାହିଁ କିମ୍ବା ଦୂରେଇ ରହି ରାଜନୀତିରୁ ସନ୍ୟାସ ନେବେ ନାହିଁ । ଏଣୁ ସେ ପ୍ରତ୍ୟକ୍ଷ ରାଜନୀତିରେ ରହିବେ । ଏଠି ପ୍ରଶ୍ନ ଉଠୁଛି ଜୟ ଯଦି ରାଜନୀତିରେ ରହିବେ, ତେବେ କେଉଁ ଦଳକୁ ଯିବେ । ତାଙ୍କ ଆଗରେ ଦୁଇଟି ପ୍ରମ୍ମୁଖ ରାଜନୈତିକ ଦଳ ରହିଛି । ବିଜେପି ଓ କଂଗ୍ରେସ ମଧ୍ୟରୁ ସେ କାହାକୁ ବାଛିବେ ? ସେ ବିଜେଡି ସହ ସଂପୂର୍ଣ୍ଣ ଭାବେ ସଂପର୍କ ଛିହ୍ନ କରିବା ପରେ ଏହି ଦୁଇ ଜାତୀୟ ରାଜନୈତିକ ଦଳ ତାଙ୍କୁ ନେବା ଲାଗି ବେଶ ଆଗ୍ରହୀ । ଇତି ମଧ୍ୟରେ କୁଆଡେ ବିଜେପି ଓ କଂଗ୍ରେସର ବରିଷ୍ଠ ନେତା ମାନେ ଜୟଙ୍କ ସହ ଯୋଗାଯୋଗା କରିଛନ୍ତି । ଜାତୀୟ ଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ପ୍ରମ୍ମୁଖ ନେତା ଜୟଙ୍କ ସହ ଆଲୋଚନା କରିଥିବା କଥା କୁହାଯାଉଛି । ହେଲେ ସେ କାହାରିକୁ ହଁ କି ନା କହିନଥିବା କଥା ଉଠୁଛି । ବୈଜୟନ୍ତ ନିଜେ କହୁଛନ୍ତି ତାଙ୍କ ପାଖରେ ସବୁ ବିକଳ୍ପ ଖୋଲା ଅଛି, ଭାବି ଚିନ୍ତି ପଦକ୍ଷପେ ନେବେ ।

ବିଜେଡିରୁ ନିଲମ୍ବିତ ହୋଇ ସାଂସଦ ପଦ ଛାଡିବା ପରେ ବୈଜୟନ୍ତ ପଣ୍ଡା ଏବେ ନୂଆ ଯୋଜନାରେ । ତାଙ୍କ ନୂଆ ରାଜନୈତିକ ଭବିଷ୍ୟତ ଚିନ୍ତାରେ । ବିଜେପିକୁ ଜୟ ଯିବେ ବୋଲି ଚର୍ଚ୍ଚା ଚାଲିଛି ସତ । ହେଲେ ଜୟଙ୍କୁ କୁଆଡେ ଦୁଇଟି ଜାତୀୟ ଦଳରୁ ଅଫର ରହିଛି । ହେଲେ ପଦ୍ମ ଧରିବାକୁ ବିଜେପି କେନ୍ଦ୍ରୀୟ ନେତାଙ୍କ ସହ ବାର୍ଗେନ ଆରମ୍ଭ କରିଛନ୍ତି । କୁହାଯାଉଛି ବିଜେପିର ଚାଣକ୍ୟଙ୍କ ଆଗରେ ଜୟ ରଖିଛନ୍ତି ତିନି ସର୍ତ୍ତ…

କିନ୍ତୁ ବୈଜୟନ୍ତଙ୍କ କାର୍ଯ୍ୟଧାରା ଯାହା କଂଗ୍ରେସ ଅପେକ୍ଷା ସେ ବିଜେପିକୁ ଯିବା ସମ୍ଭାବନା ଅଧିକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସବୁବେଳେ ସମର୍ଥନ କରି ଆସିଛନ୍ତି । ବିଜେଡିରୁ ବିଦା ହେବା ଓ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ମତ ପାର୍ଥକ୍ୟ ବଢିବା କାରଣ ମଧ୍ୟ ମୋଦିଙ୍କୁ ସମର୍ଥନ । ମୋଦି ଓ ବିଜେପିକୁ ନବୀନ ଓ ତାଙ୍କ ଟିମ ବିରୋଧ କରୁଥିବାବେଳେ ଜୟ ଖୋଲା ପ୍ରସଂଶା କରୁଥିଲେ , ଏଥି ଯୋଗୁ ହିଁ ତାଙ୍କୁ ନବୀନ ଦୂରେଇ ଦେଲେ । ସବୁ କଥା ଜାଣି ବୈଜୟନ୍ତଙ୍କ ପ୍ରସଂଶା ପଛରେ ତାଙ୍କ ଉଦେଶ୍ୟ ବହୁ ଆଗରୁ ବାରି ହୋଇପଡୁଥିଲା । ଏଣୁ ସେ ନିଜ ଦଳ ଓ ସୁପ୍ରିମୋଙ୍କ ମତ ବିରୋଧରେ ଯାଇ ମୋଦିଙ୍କ ଆଡକୁ ଢଳୁ ଥିବାରୁ ତାଙ୍କ ଭଭିଷ୍ୟତ କାର୍ଯ୍ୟପନ୍ଥା ଆଉ କାହାରିକୁ ଅଛପା ରହିନାହିଁ । ହେଲେ ବୈଜୟନ୍ତଙ୍କ ଇସ୍ତଫା କଥା ସ୍ପଷ୍ଟ ହେବା ପରେ ଏଆଇସିସିର ଜଣେ ସର୍ବ ବରିଷ୍ଠ ନେତା ଏବଂ ରାଜ୍ୟର ଜଣେ ବରିଷ୍ଠ ନେତା ତାଙ୍କୁ ଯୋଗାଯୋଗ କରିଥିବା କୁହାଯାଉଛି । କିନ୍ତୁ ବୈଜୟନ୍ତଙ୍କ ପାଖ ଲୋକଙ୍କ କହିବା କଥା ସେ କଂଗ୍ରେସକୁ ଯିବା ପାଇଁ ଆଗ୍ରହୀ ନୁହଁନ୍ତି । ରାଜ୍ୟ କଂଗ୍ରେସରେ ଯେପରି ଗୋଡ ଟଣା ଟଣି ଚାଲିଛି ଓ କେହି କାହାକୁ ସହି ପାରୁ ନାହାନ୍ତି, ଗୋଷ୍ଠି ବିବାଦରେ ନେତାଏ ମାତିଛନ୍ତି ସେ କ୍ଷେତ୍ରରେ ସେଇ ଦଳକୁଯିବା ନିରାପଦ ନୁହେଁ । ତେଣୁ କଂଗ୍ରେସରେ ନିଜର ଭବିଷ୍ୟତ କାଳେ ଦେଖିପାରୁ ନାହାନ୍ତି ଜୟ । ସେଥିଲାଗି କଂଗ୍ରେସର ଅଫରକୁ କୁଆଡେ ଜୟ ପରୋକ୍ଷରେ ନା ବୋଲି କହିସାରିଛନ୍ତି ।
ବିଜେପି ଏବେ କ୍ଷମତାରେ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଜୟଙ୍କ ଘନିଷ୍ଠ ସଂପର୍କ ଅଛି । ଏ କ୍ଷେତ୍ରରେ ଜୟ ବିଜେପିକୁ ନଯାଇ ଅନ୍ୟ ଦଳକୁ କାହିଁକି ବା ଯିବେ ଏକଥା ମଧ୍ୟ ଉଠୁଛି । ବିଜେପିରେ ଯୋଗ ଦେବା ପାଇଁ ତାଙ୍କ ପାଖଲୋକ ମାନେ ବି ପରାମର୍ଶ ଦେଉଛନ୍ତି । ଜୟଙ୍କ ପାଖରେ ସବୁଠାରୁ ବଡ ଅସ୍ତ୍ର ହେଉଛି ତାଙ୍କ ଟିଭି ଚ୍ୟାନେଲ । ରାଜ୍ୟରେ ଯେତେ ଟିଭି ଚ୍ୟାନେଲ ରହିଛି ସେମାନଙ୍କ ଭିତରେ ଜୟଙ୍କ ଚ୍ୟାନେଲ ସବୁଠୁ ଆଗରେ ରହିଛି । ହେଲେ ରାଜ୍ୟରେ ବିଜେପିକୁ ଆଖିବୁଜି ଖୋଲା ସମର୍ଥନ ଦେବା ଭଳି ଗୋଟିଏ ହେଲେ ଖବର କାଗଜ କି ଟିଭି ଚ୍ୟାନେଲ ନାହିଁ । ଓଟିଭିକୁ ଢାଡି ଦେଲେ ବିଜେଡି ପ୍ରାୟ ସବୁ ଗଣମାଧ୍ୟମକୁ ନିଜ ପଟକୁ ନେବାରେ ସମର୍ଥ ହୋଇଥିବା କୁହାଯାଉଛି । ଆଗକୁ ଓଡିଶାରେ ବିଜେପି କ୍ଷମତାକୁ ଆସିବା ପାଇଁ ଆଶା ବାନ୍ଧିଥିବାରୁ ଗଣମାଧ୍ୟମର ସହାୟତା ଏକାନ୍ତ ଆବଶ୍ୟକ । ଏଣୁ ବୈଜୟନ୍ତ ଯଦି ବିଜେପିରେ ମିଶନ୍ତି ତେବେ ଦଳକୁ ଗୋଟିଏ ଟାଣୁଆ ଗଣମାଧ୍ୟମର ସହାୟତା ମିଳିଯିବ ।
ବୈଜୟନ୍ତ ନିକଟରେ ଜାତୀୟ ଗଣମାଧ୍ୟ ଏନଡିଟିଭିକୁ ଦେଇଥିବା ସାକ୍ଷାତକାରରୁ ସେ କଂଗ୍ରେସକୁ ନଯାଇ ବିଜେପିକୁ ଯିବା ନେଇ ଏକ ପ୍ରକାର ସଙ୍କେତ ଦେଇ ସାରିଛନ୍ତି । ସାକ୍ଷାତକାର ଦେବା ଅବସରରେ ଓଡ଼ିଶା ରାଜନୀତି ସମ୍ପର୍କରେ କହିଛନ୍ତି ବାସ୍ତବ କଥା ହେଉଛି ବିଜେଡି ଏବେ ବି ଓଡ଼ିଶାରେ ସବୁଠାରୁ ବଡ଼ ଦଳ ହୋଇ ରହିଛି । ଅବଶ୍ୟ ଦଳର ସ୍ଥିତିରେ କିଛିଟା ହ୍ରାସ ଘଟିଥିଲେ ବି ବୃହତ ଦଳଭାବେ ରାଜ୍ୟରେ ରହିଛି । ଗତ ୩/୪ ବର୍ଷ ମଧ୍ୟରେ ବିଜେପି ୨ୟ ନମ୍ବରକୁ ଆସିଛି । ପଞ୍ଚାୟତ ନିର୍ବାଚନ ଓ ଅନ୍ୟ ନିର୍ବାଚନକୁ ଦେଖିଲେ ଏହା ସ୍ପଷ୍ଟ ହୋଇଛି । ଏହାର ଅର୍ଥ ନୁହଁ କଂଗ୍ରେସର ସ୍ଥିତି ନାହିଁ । କଂଗ୍ରେସର ସ୍ଥିତି ସବୁ ଗାଁରେ ରହିଛି । ଦଳର ନୂଆ ପିସିସି ସଭାପତି ଆସିଲା ପରେ ଏବେ ଦଳ ହଠାତ୍ ସକ୍ରିୟ ହୋଇଛି ବୋଲି ବୈଜୟନ୍ତ ମତ ରଖିଛନ୍ତି ।
ବିଜେଡି ଛାଡ଼ିଲା ପରେ ଏବେ ଅନ୍ୟ କେଉଁ ଦଳକୁ ଯିବେ ସେ ସମ୍ପର୍କରେ ବୈଜୟନ୍ତ କହିଛନ୍ତି ସେ ଏଯାଏଁ ସ୍ଥିର କରିନାହାଁନ୍ତି । ସବୁ କଥାକୁ ଖୋଲା ରଖିଛନ୍ତି । ରାଜନୈତିକ ଓ ଅଣରାଜନୈତିକ ସବୁ ଦିଗକୁ ଅନୁଧ୍ୟାନ କରୁଛନ୍ତି । ମୁଁ ହଠାତ୍ ତରବର ଭାବରେ କୌଣସି ନିଷ୍ପତ୍ତି ନେବାକୁ ଚାହୁଁନାହିଁ । ଏ ଦିଗରେ ଆଗକୁ ବଢ଼ିବା ପୂର୍ବରୁ ମୁଁ ସବୁ ଦିଗପ୍ରତି ଅନୁଧ୍ୟାନ କରୁଛି ବୋଲି ସେ କହିଛନ୍ତି ।
ବିଜେପି ଓ ମୋଦିଙ୍କ ବାଟ ରୋକିବା ପାଇଁ ବିରୋଧୀ ଏକାଠି ହେବା ପ୍ରସଙ୍ଗରେ ବୈଜୟନ୍ତ କହିଛନ୍ତି ଏଥିରେ ବହୁ ବ୍ୟକ୍ତି ରହିଛନ୍ତି, ସେମାନଙ୍କ ଭିତରେ ଥିବା ଅହଂଭାବ, ବ୍ୟକ୍ତିଗତ ଓ ଆଦର୍ଶଗତ ମତପାର୍ଥକ୍ୟ ରହିଛି । ଏଣୁ ଏହି ମେଣ୍ଟ ପକ୍ଷରୁ ମୋଦିଙ୍କୁ ମୁକାବିଲା କରିଲାଭଳି ଏକ ବିକଳ୍ପ ଚେହେରା ବାହାର କରିବାକୁ ହେବ । କାରଣ ମୋଦି ହେଉଛନ୍ତି ବର୍ତ୍ତମାନ ଦେଶର ସବୁଠାରୁ ଲୋକପ୍ରିୟ ରାଜନେତା ବୋଲି ଜୟ ମତ ରଖିଛନ୍ତି । ରାହୁଲ ଗାନ୍ଧୀ ମୋଦିଙ୍କର ବିକଳ୍ପ ଚେହେରା ହୋଇପାରିବେ କି ବୋଲି ପ୍ରଶ୍ନରେ ବୈଜୟନ୍ତ ସିଧାସଳଖ ଉତ୍ତର ନ ରଖି ସେ କହିଛନ୍ତି ମୁଁ ଭାବୁନି ଏହି ମେଣ୍ଟ ପାଖରେ ମୋଦିଙ୍କର ବିକଳ୍ପ ଚେହେରା ଅଛି ।
ଜୟ ଇତି ମଧ୍ୟରେ ମୋଦି ଓ ରାଷ୍ଟିୟ ସଭାପତି ଅମିତ ଶାହଙ୍କ ସହ ଯୋଗା ଯୋଗ କରିଥିବା ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି । ଜୟ ବିଜେପିରେ ଯୋଗଦେବା ଲାଗି କୁଆଡେ କେତେକ ସର୍ତ୍ତ ରଖିଛନ୍ତି । ପ୍ରଥମେ ହେଉଛି ତାଙ୍କୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସାମିଲ କରାଇବା । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଜଣେ ବ୍ୟକ୍ତି ନିର୍ବାଚିତ ନ ହୋଇ ବି ୬ ମାସ ଯାଏ ମନ୍ତ୍ରୀ ପଦରେ ରହିପାରିବେ । ଏଣୁ ସାଂସଦ ନରହିଲେ ବି ମୋଦି ଚାହିଁଲେ ଜୟ ମନ୍ତ୍ରୀ ହୋଇପାରିବେ । କେନ୍ଦ୍ରାପଡା ଲୋକସଭା ଆସନ ତାଙ୍କ ପାଇଁ ଖାଲି ହେବା ପରେ ଯେଉଁ ନିର୍ବାଚନ ହେବ ସେଥିରେ ସେ ବିଜେପିରୁ ପ୍ରାର୍ଥୀ ହେବେ । ଯଦି ହାରିଯାଆନ୍ତି ତେବେ ଅନ୍ୟ କୌଣସି ରାଜ୍ୟରୁ ରାଜ୍ୟ ସଭାକୁ ନିର୍ବାଚିତ କରାଇ ମନ୍ତ୍ରୀ ପଦରେ ରଖିବାକୁ ଜୟ ସର୍ତ୍ତ ରଖିିଛନ୍ତି ।  ତେବେ ଏସବୁର ସର୍ତ୍ତ ଖୁବ ନେଇ ହୋଇଥିବା ଆଲୋଚନାର ଖୁବ ଶିଘ୍ର ସମାଧାନ ହେବ ଓ ଜୟ ପଦ୍ମ ଧରିବେ ଏହା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।

ONA

Leave a Reply

Top