You are here
Home > ବିଜିନେସ୍ > ପୁରୁଣା ନୋଟ ଜମା ଉପରେ କଟକଣା ହଟିଲା

ପୁରୁଣା ନୋଟ ଜମା ଉପରେ କଟକଣା ହଟିଲା

ମୁମ୍ବାଇ: ବିମୁଦ୍ରାୟନ ପରେ ଟଙ୍କା ଉଠାଣ ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ପ୍ରଥମ ଥର ପାଇଁ ପୁରୁଣା ନଗଦ ଟଙ୍କା ଜମା ଉପରେ କଟକଣା ଜାରି କରିଥିଲେ ରିଜର୍ଭ ବ୍ୟାଙ୍କ । ଡିସେମ୍ବର ୩୦ ତାରିଖ ସୁଦ୍ଧା ଜଣେ ବ୍ୟକ୍ତି ଥରକୁ ୫ ହଜାର ଟଙ୍କା ଜମା କରିପାରିବେ ବୋଲି ଯେଉଁ କଟକଣା ଜାରି ହୋଇଥିଲା ତାହାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପ୍ରତ୍ୟାହାର କରାଯାଇଥିବା ସୂଚନା ଦେଇଛନ୍ତି । ସେ କହିଛନ୍ତି ଟଙ୍କା ଜମା ନେଇ କୌଣସି କଟକଣା ନାହିଁ । ଜଣେ ବ୍ୟକ୍ତି ଯେତେ ବି ପରିମାଣର ଟଙ୍କା ଜମା କରିପାରିବେ । ମାତ୍ର ବାରମ୍ବାର ଜମା କରିବା ନିଷିଦ୍ଧ । ଯେଉଁ ବ୍ୟକ୍ତି ଏକାଧିକ ଥର ଟଙ୍କା ପୁରୁଣା ନୋଟ୍ ଜମା କରିବାକୁ ବ୍ୟାଙ୍କ ଯିବେ ସେମାନଙ୍କୁ ଉତ୍ତର ଦେବାକୁ ପଡିବ । ଆହୁରି ମଧ୍ୟ ଜେଟଲୀ କହିଛନ୍ତି, ଦେଶ ଚଳାଇବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପାଖରେ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଆବଶ୍ୟକ ପରିମାଣର ନୂଆ ନୋଟ୍ ମୁଦ୍ରିତ ହୋଇସାରିଛି । ଏପରି ସମସ୍ୟା ଆଗକୁ ହେବ ନାହିଁ ବୋଲି କହିବା ସହ, ବିମୁଦ୍ରାୟନ ପୂର୍ବରୁ ଆରବିଆଇ ଏ ନେଇ ପ୍ରସ୍ତୁତି କରିଥିବା ଉଲ୍ଲେଖ କରିଛନ୍ତି ଜେଟଲୀ ।
              ସୋମବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ଏକ ମାର୍ଗଦର୍ଶିକାରେ ପ୍ରକାଶ କରାଯାଇଥିଲା ଯେ ଡିସେମ୍ବର ୩୦ ମଧ୍ୟରେ ବ୍ୟକ୍ତିଗତ ଜମାଖାତାରେ ସର୍ବାଧିକ ଥରେ ୫୦୦୦ ଟଙ୍କାରୁ ଊଦ୍ଧ୍ୱର୍ ପୁରୁଣା ଟଙ୍କା ଜମା କରାଯାଇ ପାରିବ ନାହିଁ । ଦ୍ୱିତୀୟ ଥର ଜମା କରିବାକୁ ହେଲେ ବ୍ୟାଙ୍କର ଦୁଇ ଅଧିକାରୀଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେବାକୁ ହେବ । ବିମୁଦ୍ରାୟନର ଦୀର୍ଘ ୬ ସପ୍ତାହ ବିତି ଯାଇଥିବାବେଳେ କେଉଁ କାରଣରୁ ପୁରୁଣା ଟଙ୍କା ବ୍ୟାଙ୍କରେ ଜମା କରି ପାରି ନ ଥିଲେ ତାହା ତଦନ୍ତ ସମୟରେ ପ୍ରକାଶ କରିବେ । ସଂପୃକ୍ତ ଦୁଇ ଅଧିକାରୀଙ୍କ ଇଚ୍ଛା ଉପରେ ଅର୍ଥ ଜମା ହୋଇ ପାରିବ ନା ନାହିଁ ତାହା ନିର୍ଭର କରିବ । ସେହିପରି ପାଞ୍ଚ ହଜାର ଟଙ୍କାରୁ କମ ମୂଲ୍ୟର ଟଙ୍କା ବାରମ୍ବାର ଜମା କରାଇଲେ ମଧ୍ୟ ଏହି ପ୍ରକି୍ରୟା ଦେଇ ଯିବାକୁ ହେବ ବୋଲି ରିଜର୍ଭ ବ୍ୟାଙ୍କର ଉକ୍ତ ଅଧିସୂଚନାରେ ଉଲ୍ଲେଖ କରାଯାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ରିଜର୍ଭ ବ୍ୟାଙ୍କର ଏହି ନୂତନ ନିୟମ କଳାଧନ ଜମାକାରୀଙ୍କ ପାଇଁ ଲାଗୁ ହେବ ନାହିଁ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ୨୦୧୬ ଅନୁସାରେ ଜମା ପାଇଁ କୌଣସି ସୀମା ନିର୍ଦ୍ଧାରଣ କରାଯାଇ ନାହିଁ । ତେବେ ଏହି ଯୋଜନାରେ ଜମା ଅର୍ଥର ପ୍ରାୟ ୫୦ ପ୍ରତିଶତ କର ଆକାରରେ ସରକାରୀ ଖଜଣାକୁ ଚାଲିଯିବ ଏବଂ ୨୫ ପ୍ରତିଶତ ଅର୍ଥ ୪ ବର୍ଷ ପାଇଁ ବିନା ସୁଧରେ ଜମା ହୋଇ ରହିବ । ଏହା ପରେ ଯାଇ ଉକ୍ତ ଅଘୋଷିତ ଆୟ ବୈଧ ମାନ୍ୟତା ହେବ । ଅପରପକ୍ଷରେ ବ୍ୟାଙ୍କରେ ଭିଡ଼ କିମ୍ବା ଅନ୍ୟ କୌଣସି ଅସୁବିଧାରୁ ପୁରୁଣା ନୋଟ ଜମା କରି ପାରି ନ ଥିବା ବ୍ୟକ୍ତି ବିଶେଷଙ୍କ ବ୍ୟାଙ୍କ ଅଧିକାରୀଙ୍କ ତଦନ୍ତର ସମ୍ମୁଖୀନ ହେବା ପରେ ଯାଇ ତାକୁ ଜମା କରି ପାରିବେ ।

ONA

Leave a Reply

Top