ମୟୂରଭଞ୍ଜ : ଜଗତର ନାଥ ଜଗନ୍ନାଥ। କୋଟି କୋଟି ଓଡ଼ିଆଙ୍କ ହୃଦୟର ଦେବତା । ବଡ ଠାକୁର ଭାବରେ ପୁରୀଧାମରେ ପୂଜା ପାଇ ଆସୁଛନ୍ତି । ଧନୀ ହେଉକି ଗରିବ ଜଗନ୍ନାଥ ମହାପ୍ରଭୁଙ୍କ ନାମ ଶ୍ରଦ୍ଧା ଆଉ ଭକ୍ତିର ସହ ସ୍ମରଣ କଲେ ସମସ୍ତ ଦୁଃଖ ଦୂର ହୋଇଥାଏ ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି । ତେବେ ପୁରୀ ଧାମକୁ ଯାଇ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ଜୁଟି ନ ଥାଏ । ସେଥିପାଇଁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଭଞ୍ଜକିଆ ଠାରେ ସ୍ଥାନୀୟ ଜଗନ୍ନାଥ ସଂକୃତି ଏବଂ ଜଗନ୍ନାଥ ପ୍ରେମୀଙ୍କ ପକ୍ଷରୁ ଜଗନ୍ନାଥ ମହାପ୍ରଭୁଙ୍କ ୨୪ ବେଶ ଆୟୋଜନ କରାଯାଇ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଏଠାରେ ଥିବା ଭଞ୍ଜକିଆ ଚୈତନ୍ୟପ୍ରସାଦ ମହାବିଦ୍ୟାଳୟ ପରିସରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ୨୪ ବେଶ ଆୟୋଜନ କରାଯାଇ ଏକକାଳୀନ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇ ଥିବା ବେଳେ ସ୍ଥାନୀୟ ଲୋକଙ୍କ ସମେତ ଦୂରଦୂରାନ୍ତରୁ ଭକ୍ତମାନେ ଆସି ଦର୍ଶନ କରିବାର ସୁଯୋଗ ହାତଛଡା କରୁନଥିବାରୁ ଲମ୍ବା ଲାଇନ ଲାଗିବା ସଙ୍ଗେ ସଙ୍ଗେ ଗହଳି ଲାଗି ରହିଛି । ଜଗନ୍ନାଥ ମହାପ୍ରଭୁଙ୍କ ଦୁର୍ଲଭ ଚବିଶ ବେଶ ଗୋଟିଏ ସ୍ଥାନରେ ଦର୍ଶନ କରି ଆନନ୍ଦ ନେବା ସହିତ ମହାପ୍ରଭୁଙ୍କ କୃପାଲାଭ ପାଇଁ ନିଜନିଜ ମାନସିକ ଜଣାଇ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁମାନେ । ଏହି ୨୪ ବେଶ କାର୍ୟ୍ୟକ୍ରମ ଗତ ତିନି ତାରିଖ ରୁ ଆରମ୍ଭ ହୋଇଥିବା ବେଳେ ସାତ ତାରିଖ ପର୍ୟ୍ୟନ୍ତ ଚାଲି ଆଜି ଶେଷ ହେବାର କାର୍ୟ୍ୟକ୍ରମ ରହିଛି । ସେଥିପାଇଁ ସ୍ଥାନୀୟ ଅଞ୍ଚଳର ଜଗନ୍ନାଥ ପ୍ରେମୀ ଏବଂ ସ୍କୁଲ କଲେଜ ଛାତ୍ରଛାତ୍ରୀ ମହାପ୍ରଭୁଙ୍କ ଚବିଶ ବେଶ ଦର୍ଶନ କରିବା ପାଇଁ ଭିଡ ଲାଗାଉ ଥିବା ଦେଖିବାକୁ ମିଳୁଛି ।
https://onakhabar.com/2020/02/07/magha-mela-joranda-mahimagadi/