You are here
Home > ବଡ଼ଖବର > ଶ୍ରୀମନ୍ଦିରର ସଂସ୍କାର ପାଇଁ ଚିନ୍ତା ନାହିଁ କାହାର

ଶ୍ରୀମନ୍ଦିରର ସଂସ୍କାର ପାଇଁ ଚିନ୍ତା ନାହିଁ କାହାର

କଟକ: ଶ୍ରୀମନ୍ଦିରର ଶୃଙ୍ଖଳା ଓ ସଂସ୍କାର ପାଇଁ ଲୋକଙ୍କ ମତାମତ ଲୋଡିଥିଲେ ଜଷ୍ଟିସ ବି.ପି. ଦାସ କମିଶନ୍ । ହେଲେ ଅକ୍ଟୋବର ଶେଷ ସୁଦ୍ଧା ମାତ୍ର ୭ଜଣ ସତ୍ୟପାଠ ଜରିଆରରେ ଶ୍ରୀମନ୍ଦିର ସଂସ୍କାର ସଂପର୍କରେ ମତାମତ ଦେଇଛନ୍ତି । ଏଥିପାଇଁ ବାଧ୍ୟ ହୋଇ ଜଷ୍ଟିସ ଦାସ ସତ୍ୟପାଠ ଦାଖଲ କରିବାର ଅବଧି ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ପୂର୍ବରୁ ସତ୍ୟପାଠ ଦାଖଲର ଶେଷ ତାରିଖ ନଭେମ୍ବର ୪ ତାରିଖ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାସହ ସତ୍ୟପାଠ ବଦଳରେ ଏଣିକି ସାଦା କାଗଜରେ ନିଜର ମତାମତ ଦେଲେ ମଧ୍ୟ ତାହା ଗ୍ରହଣୀୟ ହେବ ବୋଲି କହିଛନ୍ତି ଜଷ୍ଟିସ ଦାସ କମିଶନ । ଏହା ବ୍ୟତୀତ ଶ୍ରୀମନ୍ଦିର ପରିସରରେ ଗତ ୨ମାସ ଭିତରେ ହୋଇଥିବା ଗଣ୍ଡଗୋଳର ବିବରଣୀ ଓ ଜଗନ୍ନାଥଙ୍କ ଜମି ସମ୍ପର୍କରେ ବିବରଣୀ ଦେବା ପାଇଁ ନୋଟିସ୍ ଜାରି କରିଛନ୍ତି କମିଶନ ।

ତେବେ ଗତ ଜୁଲାଇ୧୭ରେ ଶ୍ରୀଜିୟୁଙ୍କ ନିଳାଦ୍ରୀ ବିଜେ ସମୟରେ ପୁରୀ ଜିଲ୍ଲାପାଳଙ୍କୁ ସେବାୟତଙ୍କ ଦୁର୍ବ୍ୟବହାର ପରେ ରାଜ୍ୟ ସରକାର ଜଣିକିଆ ଦାସ କମିଶନ ଗଠନ କରିଥିଲେ । ଶ୍ରୀମନ୍ଦିରର ଶୃଙ୍ଖଳା ଓ ସଂସ୍କାର ପାଇଁ ଲୋକଙ୍କ ମତାମତ ଲୋଡିଥିଲେ ଜଷ୍ଟିସ ବି.ପି. ଦାସ କମିଶନ । ରାଜ୍ୟର ପ୍ରତ୍ୟେକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମତାମତ ବାକ୍ସ ସ୍ଥାପନ ହେବାକୁ ନିଷ୍ପତ୍ତି ହୋଇଥିଲା । ସେହିପରି ରାଜ୍ୟ ବାହାରେ ରହୁଥିବା ଲୋକମାନେ ଇ-ମେଲ୍ ଏବଂ ୱେବସାଇଟ୍ ଜରିଆରେ ସେମାନଙ୍କ ମତାମତ ଦେଇପାରିବେ । ଏପରିକି କଟକ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟକୁ ରେଜିଷ୍ଟ୍ରି ପୋଷ୍ଟ କରି ମତାମତ ଦେବାର ବ୍ୟବସ୍ଥା ହୋଇଥିଲା ।

ମାତ୍ର ସତ୍ୟପାଠ ଦାଖଲର ସଂଖ୍ୟା ନୈରାଶ୍ୟ ଜନକ ରହିଛି । ସେଥିପାଇଁ ଆଜି କମିଶନ ଲୋକଙ୍କ ମତାମତ ଦେବାର ଅବଧି ଡିସେମ୍ୱର ୪ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏହାସହ ମିଡିଆ ଓ ଜିଲ୍ଲାପାଳଙ୍କୁ ସଚେତନତା ସୃଷ୍ଟି କରିବା ଲାଗି ଅନୁରୋଧ କରିଛନ୍ତି । ଯାହା ଫଳରେ ଶ୍ରୀମନ୍ଦିର ସଂସ୍କାର ଲାଗି ଲୋକମାନେ ନିଜ ମତ ଦେଇପାରିବେ । ତେବେ ଜଷ୍ଟିସ ଦାସ ସାଧାରଣ ଲୋକ, ବୁଦ୍ଧିଜୀବୀ ଓ ସ୍ତମ୍ଭକାରଙ୍କ ନୀରବତାକୁ ନେଇ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ଶ୍ରୀଜିୟୁଙ୍କ ନିଳାଦ୍ରୀ ବିଜେ ସମୟରେ ବିଶୃଙ୍ଖଳାକୁ ନେଇ ସେ ସମୟରେ ବିଭିନ୍ନ ପ୍ରତିକ୍ରିୟା ଦେଉଥିବା ବୁଦ୍ଦିଜୀବୀ ଏବେ ଚୁପ କାହିଁକି ବୋଲି ଜଷ୍ଟିସ ଦାସ ପ୍ରଶ୍ନ କରିଛନ୍ତି । 

 

ONA

Leave a Reply

Top