You are here
Home > ପଲିଟିକ୍ସ > “ପ୍ରଦେଶ କଂଗ୍ରେସରେ ମୁଁ, ବିଧାୟକ ଦଳ ଆମେରେ ଚାଲୁଛି”

“ପ୍ରଦେଶ କଂଗ୍ରେସରେ ମୁଁ, ବିଧାୟକ ଦଳ ଆମେରେ ଚାଲୁଛି”

ଭୁବନେଶ୍ବର, ଓଡ଼ିଶା କଂଗ୍ରେସରେ ଫାଟ। ବିଧାୟକ ଦଳ ଓ ପ୍ରଦେଶ କଂଗ୍ରେସ କମିଟି ମଧ୍ୟରେ ତାଳମେଳ ନଥିବା ସ୍ପଷ୍ଟ ହୋଇଛି। ମଙ୍ଗଳବାର ସଂଧ୍ୟାରେ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ବସିଥିଲା ବୈଠକ। ସେହି ବୈଠକରେ ୧୬ ଜଣ ବିଧାୟକଙ୍କ ଭିତରୁ ୧୪ ଜଣ ଉପସ୍ଥିତ ଥିଲେ। ଝାରସୁଗୁଡା ବିଧାୟକ ନବ କିଶୋର ଦାସ ଓ କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝୀ ସ୍ବାସ୍ଥ୍ୟଗତ କାରଣରୁ ବୈଠକରେ ଯୋଗଦେଇ ନଥିଲେ। କଂଗ୍ରେସ ବିଧାୟକ ଦଳ ବୈଠକରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ କିପରି ପ୍ରସ୍ତୁତ ହେବ ସେନେଇ ଆଲୋଚନା ହେଲା ବୋଲି କହିଛନ୍ତି  ବିରୋଧୀଦଳ ନେତା। ଏହାସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଦଳ ପଞ୍ଚାୟତ ନିର୍ବାଚନ ଲଢ଼ିବ। ସୋନିଆ ନିର୍ଦ୍ଦେଶ ଦେଲେ ବିଧାୟକମାନେ ନିର୍ବାଚନ ପ୍ରଚାରରେ ସାମିଲ ହେବେ ବୋଲି ନରସିଂହ ମିଶ୍ର କହିଛନ୍ତି। ତେବେ ବିଧାନସଭାର ଶୀତକାଳୀନ ଅଧିବେଶନ ଆଗରୁ ପୁର୍ନବାର କଂଗ୍ରେସ ବିଧାୟକ ଦଳ ବୈଠକ ବସିବାର ସୂଚନା ଦେଇଛନ୍ତି ନରସିଂହ।

ଏହି ବୈଠକକୁ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ କାହିଁକି ଆସିଲେ ନାହିଁ ବୋଲି ପଚାରା ଯିବାରୁ ବିରୋଧୀ ଦଳ ନେତା କହିଛନ୍ତି “ଏହା କେବଳ ବିଧାୟକ ଦଳ ବୈଠକ“। ତେବେ କଂଗ୍ରେସ ବିଧାୟକ ଦଳର ଏହି ବୈଠକ ପିସିସି ନେତୃତ୍ବ ବିରୋଧରେ ଥିଲା। କାରଣ ସୋମବାର ପିସିସି ପକ୍ଷରୁ ପଞ୍ଚାୟତ ନିର୍ବାଚନ ଲାଗି ଜିଲ୍ଲା ସଭାପତି ମାନଙ୍କର ବୈଠକ ବସିଥିଲା। ଆଉ ସେହି ବୈଠକକୁ ବିରୋଧୀଦଳ ନେତାଙ୍କୁ ଡକାଯାଇ ନଥିଲା। ବିରୋଧୀ ଦଳ ନେତା ନିଜର ଶକ୍ତି ପ୍ରଦର୍ଶନ ପାଇଁ ମଙ୍ଗଳବାର ବିଧାୟକ ଦଳ ବୈଠକ ଡାକିଥିଲେ। ଆଉ ପଞ୍ଚାଯତ ନିର୍ବାଚନ ଲାଗି ବିଧାୟକ ଦଳ ମଧ୍ୟ ଚିନ୍ତିତ ଏବଂ ଏଭଳି ବୈଠକ ବାରମ୍ବାର ବସିବ ବୋଲି ନରସିଂହ ମିଶ୍ର ଇସାରା ଦେଇଛନ୍ତି।  ସେପଟେ ଦଳ ଭିତରେ ଥିବା ଅସନ୍ତୋଷ ବାହାରକୁ ଆସିଛି । କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ହୋଇଛି। ତାରା କହିଛନ୍ତି “ବିଧାୟକ ଦଳର ବୈଠକକୁ ପିସିସି ସଭାପତିଙ୍କୁ ଡାକିବାର ଆବଶ୍ୟକତା ନାହିଁ । ବିଧାୟକ ଦଳ ଆମେରେ ଅଛୁ, କିନ୍ତୁ ପ୍ରଦେଶ କଂଗ୍ରେସରେ କେହି ନୁହେଁ , କେବଳ ମୁଁ ଅଛି“। ତାରାଙ୍କ ଏପରି ମନ୍ତ୍ରବ୍ୟ ପ୍ରସାଦ ହରିଚନ୍ଦନଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା। ସେହିପରି ତଲସରାର ବିଧାୟକ ପ୍ରଫୁଲ ମାଝି ମଧ୍ୟ ତାରାଙ୍କ ସହ ସ୍ୱର ମିଳାଇଛନ୍ତି। ବିଧାୟକ ଦଳ ବୈଠକକୁ ସଭାପତିଙ୍କୁ ଡାକିବାର ଆବଶ୍ୟକତା ନଥିବା ଶ୍ରୀ ମାଝି ଦୋହରାଇଛନ୍ତି ।

ତେବେ ସଂଗଠନ ଓ ବିଧାୟକ ଦଳ ପିସିସି ମଧ୍ୟରେ ସମନ୍ୱୟର ଅଭାବ ରହିଛି। ଗତକାଲି ରାଜ୍ୟ କଂଗ୍ରେସ ଭବନରେ ଜିଲ୍ଲା ସଭାପତିଙ୍କ ବୈଠକ ବସିଥିଲା। ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକକୁ  ଜିଲ୍ଲା ସଭାପତି ଦାୟିତ୍ୱରେ ଥିବା ବିଧାୟକ ନବ ଦାସ, ଦେବେନ୍ଦ୍ର ଶର୍ମା, ପ୍ରକାଶ ବେହେରା ଓ କୋରାପୁଟ ଜିଲ୍ଲା ସଭାପତି ତଥା ତାରା ପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି ବୟକଟ୍ କରିଥିଲେ। ଏମିତି ବି ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସମର୍ଥକ ଛାତ୍ର-ଯୁବ କଂଗ୍ରେସ, ପିସିସି ସଭାପତି ଓ କେନ୍ଦ୍ରୀୟ ବରିଷ୍ଠ ନେତାଙ୍କ ସହ ମୁହାଁମୁହିଁ ହୋଇଥିଲା। ଏସବୁ ପ୍ରତିଫଳନ ଯେ ପଞ୍ଚାୟତ ନିର୍ବାଚନରେ ନିଶ୍ଚେ ଦେଖା ଦେବ ଏଥିରେ ସନ୍ଦେହ ନାହିଁ।

ONA

Leave a Reply

Top