You are here
Home > ଇଣ୍ଡିଆ > ମହାଭିଯୋଗ ମାମଲାରେ ଲାଗିଲା ଫୁଲ୍ ଷ୍ଟପ୍ : ଖାରଜ କଲେ ସୁପ୍ରିମକୋର୍ଟ

ମହାଭିଯୋଗ ମାମଲାରେ ଲାଗିଲା ଫୁଲ୍ ଷ୍ଟପ୍ : ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପ୍ରତ୍ୟାହୃତ, ଖାରଜ । ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି ପୂର୍ବରୁ ହାଇ ଅକ୍ଟେନ୍ ଯୁକ୍ତିତର୍କ ପରେ ମହାଭିଯୋଗ ପ୍ରତ୍ୟାହାର କରି ନେଇଛନ୍ତି ବରିଷ୍ଠ ଓକିଲ ତଥା କଂଗ୍ରେସ ନେତା କପିଲ ସିବଲ୍ । ଆଉ ସଙ୍ଗେ ସଙ୍ଗେ ମାମଲାରୁ ଖାରଜ କରି ଦେଇଛନ୍ତି ସାମ୍ବିଧାନିକ ଖଣ୍ଡପୀଠ ।

ଶୁଣାଣି ପୂର୍ବରୁ ହାଇ ଅକ୍ଟେନ୍ ଯୁକ୍ତିତର୍କରେ ମହାଭିଯୋଗ ମାମଲାରେ ଲାଗିଲା ଫୁଲ୍ ଷ୍ଟପ୍ । ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ନୋଟିସକୁ ରାଜ୍ୟସଭା ଅଧ୍ୟକ୍ଷ, ଭେଙ୍କୟା ନାଇଡୁ ଖାରଜ କରି ଦେଇଥିବା ବେଳେ ଏବେ ସୁପ୍ରିମକୋର୍ଟରେ ସେଥିରେ ଲାଗିଲା ପୂର୍ଣ୍ଣଛେଦ । ଶୁଣାଣି ପୂର୍ବରୁ ସାମ୍ବିଧାନିକ ଖଣ୍ଡପୀଠ ଗଠନ ନେଇ ପ୍ରଶ୍ନ ଉଠାଇଥିଲେ ପ୍ରତିପକ୍ଷ ଓକିଲ କପିଲ୍ ସିବଲ୍ । ସାମ୍ବିଧାନିକ ଖଣ୍ଡପୀଠ ଗଠନ ନିର୍ଦ୍ଦେଶନାମାର କପି ମାଗିଥିଲେ । କିନ୍ତୁ ସାମ୍ବିଧାନିକ ଖଣ୍ଡପୀଠ ମନା କରିଦେବା ପରେ ସିବଲ୍, ମାମଲା ପ୍ରତ୍ୟାହାର କରି ନେଇଛନ୍ତି । ଆଉ ସଙ୍ଗେ ସଙ୍ଗେ ସାମ୍ବିଧାନିକ ଖଣ୍ଡପୀଠ ମଧ୍ୟ ମାମଲାକୁ ଖାରଜ କରି ଦେଇଛନ୍ତି ।

ଜଷ୍ଟିସ୍ ବି. ଏଚ୍. ଲୋୟାଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିବାକୁ ସୁପ୍ରିମକୋର୍ଟ ମନା କରିଦେବା ପରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପାଇଁ ରାଜ୍ୟସଭାରେ ନୋଟିସ୍ ଆସିଥିଲା । କଂଗ୍ରେସ ସମେତ ୭ଟି ରାଜନୈତିକ ଦଳର ୬୪ ଜଣ ସାଂସଦ ସେଥିରେ ଦସ୍ତଖତ କରିଥିଲେ । କିନ୍ତୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାହା ଅଗ୍ରାହ୍ୟ କରିଦେବା ପରେ ମାମଲା ସୁପ୍ରିମକୋର୍ଟକୁ ଆସିଥିଲା । ପଞ୍ଜାବର କଂଗ୍ରେସ ସାଂସଦ ପ୍ରତାପ ସିଂହ ବାଜୱା ଏବଂ ଗୁଜରାଟର ଆମି ହର୍ଷଦ୍ରୟ ୟାଗନିକ୍, ରାଜ୍ୟସଭା ଅଧ୍ୟକ୍ଷଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଯାହା ଉପରେ ଆଜି ଶୁଣାଣି ହେବାର ଥିଲା ।

ସାମ୍ବିଧାନିକ ଖଣ୍ଡପୀଠ ଗଠନ ପାଇଁ ପ୍ରଧାନ ବିଚାରପତି ହିଁ ପ୍ରଶାସନିକ ନିର୍ଦ୍ଦେଶ ଦେଇପାରିବେ । କିନ୍ତୁ ମାମଲା ପ୍ରଧାନ ବିଚାରପତିଙ୍କୁ ନେଇ ହୋଇଥିବାରୁ ନିର୍ଦ୍ଦେଶନାମାର କପି ମାଗିଥିଲେ ସିବଲ୍ । ସେପଟେ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖରେ ଆଗତ ନୋଟିସରେ କପିଲ ସିବଲ୍ ମଧ୍ୟ ଦସ୍ତଖତ କରିଥିଲେ । ତେଣୁ ମାମଲାରେ ଓକିଲାତି ପାଇଁ ସିବଲଙ୍କୁ ବିରୋଧ କରିଥିଲା ସୁପ୍ରିମକୋର୍ଟ ଓକିଲ ସଂଘ । ସେପଟେ ଏଭଳି ସ୍ଥିତିରେ ପ୍ରତିପକ୍ଷଙ୍କ ପାଇଁ ପ୍ରତିନିଧିତ୍ବ କରିବା ସିବଲଙ୍କ ଇଚ୍ଛାଧୀନ ବୋଲି କହିଥିଲେ ଖଣ୍ଡପୀଠର କିଛି ବିଚାରପତି । ଆଉ ନିର୍ଦ୍ଦେଶନାମା କପିକୁ ବାହାନା କରି ସିବଲ୍ ମାମଲା ପ୍ରତ୍ୟାହାର କରି ନେଇଥିବା ବେଳେ ଖଣ୍ଡପୀଠ ତାହା ଖାରଜ କରି ଦେଇଛନ୍ତି ।

ONA

Leave a Reply

Top