You are here
Home > ବଡ଼ଖବର > ପିତାମାତାଙ୍କୁ ହଇରାଣ କଲେ ସମ୍ପତି ହରାଇବେ: ବମ୍ବେ ହାଇକୋର୍ଟ

ପିତାମାତାଙ୍କୁ ହଇରାଣ କଲେ ସମ୍ପତି ହରାଇବେ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ନିଜ ପିତାମାତାଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ବା ସେମାନଙ୍କୁ ବିଭିନ୍ନ ପ୍ରକାରର ହଇରାଣ ହରକତ କରୁଥିବା କିମ୍ବା ସ୍ନେନ ଶ୍ରଦ୍ଧା କରୁ ନ ଥିବା ବ୍ୟକ୍ତିଙ୍କୁ ଆଉ ସମ୍ପତିରୁ ଭାଗ ପାଇପାରିବେ ନାହିଁ । ବମ୍ବେ ହାଇକୋର୍ଟ ସୋମବାର ଏପରି ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି ।
ଏକ ଆବେଦନର ବିଚାର କରି ବିଚାରପତି ରଞ୍ଜିତ୍ ମୋରୋ ଏବଂ ଅନୁଜା ପ୍ରଭୁଦେଶାଇଙ୍କ ଖଣ୍ଡପୀଠ କହିଛନ୍ତି, ପିଲାମାନେ ଭଲରେ ରହିବା ପାଇଁ ହେଉ ବା ସ୍ନେହଶ୍ରଦ୍ଧା ଯୋଗୁ ହେଉ ପିତାମାତାମାନେ ସେମାନଙ୍କୁ କିଛି ସମ୍ପତି ବା ଘର ଦେଇଥାନ୍ତି । କିନ୍ତୁ ପରବର୍ତୀ ସମୟ ବା ବାର୍ଦ୍ଧକ୍ୟ ସମୟରେ ଯଦି ସେମାନଙ୍କୁ ସେହି ଅନୁସାରେ ସେବା ନ ମିଳେ ବା ସେମାନଙ୍କୁ ହଇରାଣ ହରକତ କରାଯାଏ, ତେବେ ନିର୍ଯାତନାରେ ଶିକାର ହେଉଥିବା ବୃଦ୍ଧ ପିତାମାତା ପୁଣି ସେହି ସମ୍ପତିକୁ ଫେରାଇ ନେଇପାରିବେ । ଏକ୍ଷେତ୍ରରେ ପିତାମାତା ଓ ବରିଷ୍ଠ ନାଗରିକ ମଙ୍ଗଳ ଆଇନରେ ରହିଥିବା ବ୍ୟବସ୍ଥା ଲାଗୁ କରାଯିବ । ଏଭଳି ଆଭିମୁଖ୍ୟ ପ୍ରକାଶ କରିବା ପରେ ଟ୍ରିବ୍ୟୁନାଲଙ୍କ ପକ୍ଷରୁ ହୋଇଥିବା ଏକ ରାୟକୁ ଖଣ୍ଡପୀଠ କାଏମ୍ ରଖିଛନ୍ତି । ଅନେ୍ଧରୀର ଜଣେ ବୃଦ୍ଧ ପିତା ନିଜ ପୁଅକୁ ତାଙ୍କ ଫ୍ଲାଟ୍ର ୫୦% ହସ୍ତାନ୍ତର କରିଥିଲେ । କିନ୍ତୁ ପରେ ପୁଅ ହଇରାଣ କରିବା ଯୋଗୁ ପିତା ଜଣକ ଟ୍ରିବ୍ୟୁନାଲ୍ଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଟ୍ରିବ୍ୟୁନାଲ ନିଜର ଗୁରୁତ୍ୱପୂର୍ଣ୍ଣ ରାୟରେ ଦର୍ଶାଇଥିଲେ ଯେ, ଏ କ୍ଷେତ୍ରରେ ବୃଦ୍ଧ ପିତା ଫ୍ଲାଟ୍ରେ ଥିବା ନିଜ ୫୦% ସେୟାରକୁ ପୁନଃ ଫେରାଇ ନେଇପାରିବେ । ପରେ ପୁଅ ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଟ୍ରିବ୍ୟୁନାଲଙ୍କ ରାୟକୁ କାଏମ୍ ରଖି ଖଣ୍ଡପୀଠ ଦର୍ଶାଇଛନ୍ତି, ପୁଅ ଓ ବୋହୂଙ୍କ ଅନୁରୋଧକ୍ରମେ ସେମାନଙ୍କୁ ପିତାମାତା ଖୁସି ମନରେ ନିଜ ସମ୍ପତି ଉପହାର ଭାବେ ପ୍ରଦାନ କରିଥାନ୍ତି । ଏହାପରେ ପୁଅବୋହୂଙ୍କଠାରୁ ସେମାନେ ସେବାଯତ୍ନ ପାଇବାକୁ ହକ୍ଦାର ।
ଅନେ୍ଧରୀ ଘଟଣାରେ ସମ୍ପୃକ୍ତ ବରିଷ୍ଠ ନାଗରିକ ଜଣଙ୍କ ପ୍ରଥମ ପତ୍ନୀ ୨୦୧୪ରେ ମୃତ୍ୟୁବରଣ କରିଥିଲେ । ପୁତ୍ର ଓ ବୋହୂଙ୍କ ଅନିଚ୍ଛା ସତ୍ୱେ ତା ପରବର୍ଷ ସେ ଆଉ ଜଣଙ୍କୁ ବିବାହ କରିଥିଲେ । ବୃଦ୍ଧ ପିତା ଜଣକ ଦ୍ୱିତୀୟ ପତ୍ନୀ ରଖିଥିବାରୁ ତାଙ୍କର ପୁଅବୋହୂ ସେମାନଙ୍କୁ ସେବା ଯୋଗାଇବାକୁ ଅନିଚ୍ଛୁକ ପ୍ରକାଶ କରିଥିଲେ । ଘଟଣାର ସତ୍ୟାସତ୍ୟ ଯାଚ ପରେ ଖଣ୍ଡପୀଠ କହିଛନ୍ତି, ଏ କ୍ଷେତ୍ରରେ ମଧ୍ୟ ସନ୍ତାନମାନେ ନିଜ ବୃଦ୍ଧ ପିତାଙ୍କୁ ହଇରାଣ କରିପାରିବେ ନାହିଁ । ଆଉ ଯଦି କରନ୍ତି ତେବେ ପିତା ଜଣକ ଚାହିଁଲେ ନିଜ ଭାଗ ସମ୍ପତି ଫେରାଇ ନେଇପାରିବ । ଏଭଳି ରାୟ ଦେଇ ପୁଅ ଜଣଙ୍କ ଦ୍ୱାରା ହୋଇଥିବା ପିଟିସନ୍କୁ ଖଣ୍ଡପୀଠ ଖାରଜ କରିଦେଇଥିଲେ ।
ପିତାମାତା ଓ ବରିଷ୍ଠ ନାଗରିକ ମଙ୍ଗଳ ଆଇନ, ୨୦୦୭ରେ ରହିଥିବା ବ୍ୟବସ୍ଥା ଅନୁସାରେ, ଭବିଷ୍ୟତରେ ପିଲାମାନଙ୍କଠାରୁ ସେବା ପାଇବା ଆଶାରେ ସେମାନଙ୍କୁ ନିଜ ସମ୍ପତି ଦେଇଥିବା ପିତା ଯଦି ପରବର୍ତୀ ମୁହୂର୍ତରେ ହଇରାଣ ହରକତ ହୁଅନ୍ତି ଏବଂ ଯଦି ସମ୍ପତି ପୁତ୍ର ନାମରେ ହୋଇଥିଲେ ମଧ୍ୟ ସେ ଫେରିପାଇବେ ।

ONA

Leave a Reply

Top