You are here
Home > ବଡ଼ଖବର > ଏମ୍ଏସ୍ପି ନେଇ ଗୃହକମିଟି ଭେଟିବ ରାଷ୍ଟ୍ରପତିଙ୍କୁ, ଆସିଲେନି ବିଜେପି ସଦସ୍ୟ

ଏମ୍ଏସ୍ପି ନେଇ ଗୃହକମିଟି ଭେଟିବ ରାଷ୍ଟ୍ରପତିଙ୍କୁ, ଆସିଲେନି ବିଜେପି ସଦସ୍ୟ

ଭୁବନେଶ୍ୱର: ଧାନ ସମ୍ପର୍କରେ ଗଠିତ ବିଧାନସଭା ଗୃହକମିଟିର ବୈଠକ ବାଚସ୍ପତି ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା । ବୈଠକର ନିଷ୍ପତ୍ତି ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହ କମିଟିକୁ ସାକ୍ଷାତ ପାଇଁ ସୁଯୋଗ ଦେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା । ଏଣୁ କମିଟି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) କୁଇଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିବେ । ଏଥିନେଇ କମିଟି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସମୟ ମାଗିବେ । ଆଜିର ବୈଠକରେ ବିଜେପିର ଦୁଇ ସଦସ୍ୟ ଅନୁପସ୍ଥିତ ଥିଲେ । ବିଜେପି ବିଧାୟକ ଦଳର ନେତା ଓ ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ ଆସି ନ ଥିଲେ । କିନ୍ତୁ କଂଗ୍ରେସ ସଦସ୍ୟମାନେ ଉପସ୍ଥିତ ଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ର, ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଧାୟକ ପ୍ରଫୁଲ୍ଲ ମାଝି ଓ ଅନ୍ୟମାନେ ଉପସ୍ଥିତଥିଲେ ।
ଗତବର୍ଷ କମିଟି ବୈଠକ ବସି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନେଇଥିଲା । ଏଥିନେଇ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଚିଠି ଲେଖାଯାଇଥିଲା । ହେଲେ କୌଣସି ଉତ୍ତର ଆସି ନ ଥିଲା । ଭେଟିବା ପାଇଁ ସୁଯୋଗ ନ ମିଳିବାରୁ ଏହାକୁ କେନ୍ଦ୍ର ସରକାରଙ୍କୁ ଉଭୟ ବିଜେଡି ଓ କଂଗ୍ରେସ ସମାଲୋଚନା କରିଥିଲେ । କିନ୍ତୁ ବିଧାନସଭା କମିଟି ଭେଟିବା ପାଇଁ ସମୟ ମାଗିବା ପୂର୍ବରୁ ଧାନର ସହାୟକ ମୂଲ୍ୟ କେନ୍ଦ୍ର ସରକାର ଧାର୍ଯ୍ୟ କରି ସାରିଥିଲେ । ସାରା ଦେଶ ପାଇଁ ଗୋଟିଏ ମୂଲ୍ୟ ନିର୍ଦ୍ଧାରଣ ହୋଇସାରିଥିବା ଓଡ଼ିଶା କଥାକୁ ସ୍ୱତନ୍ତ୍ର ଭାବେ ବିଚାରକୁ ନିଆଯାଇ ନ ଥିଲା । କମିଟି ଭେଟିବା ପୂର୍ବରୁୂ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିଲା । ଏଥିରେ ବିଜେଡି, ବିଜେପି ଓ କଂଗ୍ରେସ ସବୁ ଦଳ ସହମତି ପ୍ରଦାନ କରିଥିଲେ । ଏଥର ପୁଣି କେନ୍ଦ୍ର ସରକାର ଧାନର ଏମ୍ଏସ୍ପି କୁଇଣ୍ଟାଲ ପିଛା ୨୦୦ ଟଙ୍କା ବଢ଼ାଇ ସାରିଛନ୍ତି । ଏହାପରେ ଗୃହକମିଟି ବୈଠକ ବସିଛି । ଗତଥର ପ୍ରଧାନମନ୍ତ୍ରୀ ସମୟ ଦେଇ ନ ଥିବାରୁ ଏଥର ରାଷ୍ଟ୍ରପତିଙ୍କୁ ଭେଟିବ ପାଇଁ ନିଷ୍ପତ୍ତି ନିଆଯାଇଛି । ହେଲେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଆଜିର ବୈଠକ ନିଷ୍ପତ୍ତି ସମ୍ପର୍କରେ ଜଣାଇ ଦେବାକୁ ସ୍ଥିର ହୋଇଛି ।
କେନ୍ଦ୍ର ସରକାର ଧାନର ଉତ୍ପାଦନ ମୂଲ୍ୟ ଯେଉଁ ହାରରେ ନିର୍ଦ୍ଧାରଣ କରିଛନ୍ତି ତାହା ଭୁଲ୍ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି । ଓଡ଼ିଶାରେ ଚାଷୀମାନେ ଯେତିକି ପରିମାଣର ଖର୍ଚ୍ଚ କରୁଛନ୍ତି ସେହି ତୁଳନାରେ ସହାୟକ ମୂଲ୍ୟ ଧାର୍ଯ୍ୟ ହେଉନାହିଁ । ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିଥିଲେ ଫସଲ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ ଏମ୍ଏସ୍ପି ଧାର୍ଯ୍ୟ କରାଯିବ । ଏ ଦୃଷ୍ଟିରୁ ସବୁକଥାକୁ ବିଚାରକୁ ନେଇ ସରକାର ୨୯୩୦ ଟଙ୍କା ଧାର୍ଯ୍ୟ କରିବାକୁ ଦାବି କରିଥିଲେ । ହେଲେ କେନ୍ଦ୍ର ସରକାର ଏହି ଦାବିକୁ ବି ଏଥର ଗ୍ରହଣ କରି ନାହାଁନ୍ତି । ଇତିମଧ୍ୟରେ କେନ୍ଦ୍ର ସରକାର ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିସାରିଛନ୍ତି । ଏ କ୍ଷେତ୍ରରେ ଗୃହ କମିଟି ରାଷ୍ଟ୍ରପତିଙ୍କୁ ଭେଟିଲେ କେତେ ସୁଫଳ ମିଳିବ ତାହା ଦେଖିବା କଥା । ହେଲେ କେନ୍ଦ୍ର ସହାୟତା ଦେଉନାହିଁ ଏକଥା କହି ବିଜେଡି, କଂଗ୍ରେସ ରାଜନୀତି କରିବାକୁ ସୁଯୋଗ ପାଇବେ ।

ONA

Leave a Reply

Top