You are here
Home > Breaking News > ରତ୍ନଭଣ୍ଡାର ଚାବି ମିଳିଲା କହି ହରଡ଼ଘଣାରେ ଜିଲ୍ଲାପାଳ, କାର୍ଯ୍ୟାନୁଷ୍ଠାନ ଦାବି କଲେ ବିରୋଧୀ

ରତ୍ନଭଣ୍ଡାର ଚାବି ମିଳିଲା କହି ହରଡ଼ଘଣାରେ ଜିଲ୍ଲାପାଳ, କାର୍ଯ୍ୟାନୁଷ୍ଠାନ ଦାବି କଲେ ବିରୋଧୀ

ଭୁବନେଶ୍ୱର, ୧୪ା୦୬ା୨୦୧୮: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ଏବେ ପୁରୀ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଅଡୁଆରେ ପଡିଛନ୍ତି । ବିଶେଷ କରି ବିରୋଧୀ ଓ ସେବାୟତ ଜିଲ୍ଲାପାଳଙ୍କୁ ଟାର୍ଗେଟ କରିଛନ୍ତି । ଘଟଣାକ୍ରମେ ଜଟିଳ ହୋଇଛି । ଚାବି ମିଳିବା ନେଇ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ବୁଧବାର ରାତିରେ ସୂଚନା ଦେଲା ପରେ ନୂଆ ବିବାଦ ଛିଡ଼ା ହୋଇଛି । ଚାବି କେଉଁ ପରିସ୍ଥିତିରେ ସେଠାକୁ ଆସିଲା, କିଏ ରଖିଥିଲା, ଏପ୍ରିଲ ୪ରୁ ଆଜି ପର୍ଯ୍ୟନ୍ତ କାହିଁକି ଖୋଜା ଯାଉନଥିଲା । ଏବଂ ମିଳିଥିବା ଚାବିକୁ କାହିଁକି ଡୁପ୍ଲିକେଟ କୁହାଯାଉଛି । ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ବଦଳିବା ପରେ ହଠାତ୍ ଚାବି ମିଳିବା କଥା କାହିଁକି ପଦାକୁ ଆସିଲା । ଏସବୁ ନେଇ ନାନା ପ୍ରଶ୍ନ ଏବେ ବିରୋଧୀ ପଚାରିବାରେ ଲାଗିଛନ୍ତି । ଅନ୍ୟପଟରେ ସରକାର ଯେଉଁ ବିଚାର ବିଭାଗୀୟ ତଦନ୍ତ ଦେଇଛନ୍ତି ତାହାର ଭାଗ୍ୟ କ’ଣ ହେବ ବୋଲି ଆଲୋଚନା ହେଉଛି । ହେଲେ ତଦନ୍ତ ପାଇଁ ବିଜ୍ଞପ୍ତି ଜାରି ହୋଇ ସାରିଥିବାରୁ କମିଶନ ତାଙ୍କ କାର୍ଯ୍ୟ କରିବେ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ।
ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରତ୍ନଭଣ୍ଡାର ସ୍ଥିତି ପରଖିବା ପାଇଁ ଏପ୍ରିଲ୍ ୪ ତାରିଖରେ କମିଟି ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିଲା । ସେ ସମୟରେ ଚାବି ହଜି ଥିବା ନେଇ ଜଣାପଡ଼ିଥିଲା । ସେତେବେଳେ ଏହି ଘଟଣାକୁ ଗୁରୁତ୍ୱ ଦିଆଯାଇନଥିଲା । ପରେ ପରବର୍ତ୍ତୀ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ବହୁ ହୋହାଲ୍ଲା ହେବା ଓ ବିରୋଧୀ ସମାଲୋଚନା କରିବାକୁ ସରକାର କାଳ ବିଳମ୍ବ ନକରି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ । ଏହି ତଦନ୍ତକୁ ନେଇ ପୁଣି ନୂଆ ବିବାଦ ସୃଷ୍ଟି ହେଲା, ଅନେକ ଏହାକୁ ବିରୋଧ କଲେ । ସରକାର ଚାବି ହଜିବା ନେଇ ଥାନାରେ ଏତଲା ନଦେଇ କମିଶନ ଗଠନ କରିବା ଆବଶ୍ୟକ କ’ଣ ବୋଲି ପ୍ରଶ୍ନ ଉଠିଲା । କିନ୍ତୁ ସରକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରଘୁବୀର ଦାସଙ୍କୁ କମିଶନ ଭାବେ ନିଯୁକ୍ତ କରି ୩ମାସ ଭିତରେ ତଦନ୍ତ ନେଇ ବିଜ୍ଞପ୍ତି ଜାରି କରିସାରିଛନ୍ତି । ବିଜେପି ଏହି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଯାଇଛି । ଇତିମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ସରକାର ବଦଳାଇ ନୂଆ ପ୍ରଶାସକ ଭାବେ ପ୍ରଦୀପ୍ତ ମହାପାତ୍ରଙ୍କୁ ନିଯୁକ୍ତ କରିଛନ୍ତି । ଏହି ବାଦବିବାଦ ଲାଗି ରହିଥିଲାବେଳେ ହଠାତ୍ ବୁଧବାର ରାତିରେ ପୁରୀ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଚାବି ମିଳିବା ନେଇ ସୂଚନା ଦେଲେ । ଉକ୍ତ ସୂଚନା ମିଳିବା ପରେ ବିବାଦ ଆହୁରୀ ତୀବ୍ରତର ହୋଇଛି । ଏବେ ବିଭିନ୍ନ ଆଲୋଚନା ଓ ସମାଲୋଚନା ଆରମ୍ଭ ହୋଇଯାଇଛି ।
ଦଇତାପତି ନିଯୋଗ ସହ ସଂପାଦକ ବିନାୟକ ଦାସ ମହାପାତ୍ର କହିଛନ୍ତି, “ଜିଲ୍ଲା କୋଷାଗାରରେ ଚାବି ରହିବା କଥା । ଏବେ ରେକର୍ଡ ରୁମ୍ ଭିତରୁ ମିଳିଲା । ଗୋଟିଏ ମିଛ ଘୋଡାଇ ବା ପାଇଁ ଏବେ ଶହ ଶହ ମିଛ କୁହାଯାଉଛି । ଆଉ କାଳ ବିଳମ୍ବ ନକରି ସରକାର ସଂପୂର୍ଣ୍ଣ ଭାବରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଚାବି ଫିଟାଇ ଯେଉଁ ରତ୍ନ ରହିଛି ତାହା ଯାଞ୍ଚ କରାଯାଉ । ରତ୍ନଭଣ୍ଡାର ଯାହା ଅଛି ତାହା ଠିକ୍ ଭାବରେ ଅଛି କି ନାହିଁ ତାହା ଜନସାଧାରଣଙ୍କୁ ଅବଗତ କରାଯାଉ । ବର୍ତ୍ତମାନ ଯେଉଁ ଅବସ୍ଥା ଆସି ପହଞ୍ଚିଲାଣି ସେଥିରେ ସରକାର ବଦନାମ, ମନ୍ଦିର ପ୍ରଶାସନ ବଦନାମ ଓ ସେବାୟତ ବଦନାମ ହେଲେଣି । ଏଣୁ ଏସବୁ ନେଇ ଭିତର ସେବାୟତଙ୍କ ଏକ ବୈଠକ ଡାକଯାଇ ଆଲୋଚନା କରାଯିବ ।”
ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାବି ମିଳିଛି । ମିଳିଥିବା ଚାବିରେ ଲେଖାଯାଇଛି ୧୯୮୫ ମସିହାରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିବା ଚାବି । ଏହି ଚାବି ମିଳିବା ପରେ ବର୍ତ୍ତମାନ ଯେଉଁ ବିଭିନ୍ନ ପ୍ରକାର ପ୍ରଶ୍ନ ଆସୁଛି, ଚାବି କେମିତି ମିଳିଲା, କେଉଁଠି ଥିଲା, କେଉଁମାନେ ଦାୟିତ୍ୱରେ ଥିଲେ । ବର୍ତ୍ତମାନ ସେହି ଚାବିକୁ ବ୍ୟବହାର କରାଗଲେ ତାହା ଠିକ୍ ଭାବରେ ଖୋଲିବ କି ନାହିଁ । ଏସବୁ ପ୍ରଶ୍ନର ଉତ୍ତର ପାଇଁ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ କରିଛନ୍ତି । ସେ ଏସବୁକୁ ବିଚାର କରିବେ । ବିଚାର ବିଭାଗୀୟ କମିଶନ ନିଯୁକ୍ତ କରାଯାଇଛି । ତାଙ୍କ ମୁଖ୍ୟ କାର୍ଯ୍ୟ ହେଉଛି ରତ୍ନଭଣ୍ଡାର ଚାବି ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବା । ଯେଉଁ ସବୁ ପ୍ରଶ୍ନ ମନକୁ ଆସୁଛି ସେସବୁ କମିଶନଙ୍କ ରିପୋର୍ଟ ଆସିଲେ ଜଣାପଡ଼ିବ ।”
ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରତିକ୍ରିୟା ରଖି ପୁରୀ ଜିଲ୍ଲାପାଳଙ୍କ ଉପରେ ବର୍ଷିଛନ୍ତି ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ଦାବି କରିଛନ୍ତି । ବିଜୟ କହିଛନ୍ତି, “ କେଉଁ ଅବସ୍ଥାରେ ଜିଲ୍ଲାପାଳ ଏହି ଚାବି ପାଇଲେ । ସେ ଆଜି ପର୍ଯ୍ୟନ୍ତ କରୁଥିଲେ କ’ଣ । ଏସବୁ କିଛି କେନ୍ଦ୍ରୀଭୂତ ହେଲା ଜିଲ୍ଲାପାଳଙ୍କ ଘୋଷଣା ପରେ । ଚାବି ମିଳିବାଟା ଲୋକଙ୍କ ମନରେ ଗୋଟେ ଆଶ୍ୱସ୍ତି ପ୍ରକୃତରେ ଯଦି ସେଇଟା ଚାବି ହୋଇଥାଏ । ଆଜି ଯାଏଁ ଜିଲ୍ଲାପାଳ ଚାବି କେଉଁଠି ଖୋଜୁଥିଲେ । ଏହା ଜିିଲ୍ଲାପାଳଙ୍କ ଦାୟିତ୍ୱ ହୀନତାର ପରିଚୟ । ଜିଲ୍ଲାର ମୁଖ୍ୟ ଯିଏ ଟ୍ରେଜେରିର ମାଲିକ ଓ ରେକର୍ଡ ରୁମ୍ର ମାଲିକ ତାଙ୍କଠାରୁ ଏଭଳି ଦାୟିତ୍ୱହୀନ ବିବୃତ୍ତି ଆଶା କରାଯାଏ ନାହିଁ । ତାଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ହେବା କଥା । ରେକର୍ଡ ରୁମରୁ ଚାବି ମିଳୁଛି । ନିୟମ ଅଛି ଟ୍ରେଜେରିରେ ରହିବା କଥା । ଚାବି ରେକର୍ଡ ରୁମ୍କୁ ଗଲା କେମିତି? ଜିଲ୍ଲାପାଳ କରୁଥିଲେ କ’ଣ? ତଦନ୍ତ କାହିଁକି ଆଗରୁ କଲେନି । ସେହି ଜିଲ୍ଲାପାଳ କହୁଥିଲେ ଚାବି ମିଳୁନି । ଏବେ ହଠାତ୍ କହୁଛନ୍ତି ଚାବି ମିଳିଗଲା । ସେ ଘଟଣାଟିକୁ ଅତ୍ୟନ୍ତ ଜଟିଳ କରି ଦେଇଛନ୍ତି । ମୁଁ ଭାବୁଛି କମିଶନ ପ୍ରଥମେ ଜିଲ୍ଲାପାଳଙ୍କୁ ଜେରା କରିବା ଦରକାର । ଜିଲ୍ଲାପାଳଙ୍କଠାରୁ ଶ୍ରୀମନ୍ଦିରର ଯାହା ଦାୟିତ୍ୱ ସେଥିରୁ ତାଙ୍କୁ ବାଦ ଦିଆଯିବ ଆବଶ୍ୟକ । ନହେଲେ ତଦନ୍ତ ସମୟରେ ପ୍ରକୃତ ସତ୍ୟ ପଦାକୁ ଆସିବ ନାହିଁ । ମନ୍ଦିରର ଚାବି ବଜାରରେ ମିଳେ ନାହିଁ । ମନ୍ଦିର ତାଲା ଚାବି ତିଆରି କରାଯାଏ । କୁମ୍ଭାରମାନେ ସ୍ୱତନ୍ତ୍ର ଭାବେ ମନ୍ଦିର ଚାବି ତିଆରି କରିଥାନ୍ତି । ଏଇଟା ଦୋକାନ ଚାବି ନୁହେଁ । ଧାରଣା ହେଉଥିବ ଯେ ଦୋକାନରୁ ଚାବି କିଣି ପକାଇଛନ୍ତି । ଜଗନ୍ନାଥ ମନ୍ଦିରରେ ଏ ବ୍ୟବସ୍ଥା ନାହିଁ । ଚାବି ତିଆରି କରି ପକାଯାଏ । ସେଥିପାଇଁ ସ୍ୱତନ୍ତ୍ର ଭାବେ କୁମ୍ଭାର ଅଛନ୍ତି । ଚାବି ଗୋଟିଏ ତିଆରି ହୁଏ । ତେବେ ଦୁଇଟି ଚାବି ହୋଇଥାଏ ଆଉ ଗୋଟେ ଗଲା କୁଆଡେ?”
ପୂର୍ବତନ ଆଇନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, “ ମୁଁ ଏତେ ବର୍ଷ ଧରି ଆଇନ ମନ୍ତ୍ରୀ ଥିଲି ଅତ୍ୟନ୍ତ ପକ୍ଷେ ଡୁପ୍ଲିକେଟ ଚାବି ଅଛି ବୋଲି କେବେ ଜାଣିନଥିଲି । ଆଇନରେ ସେଭଳି କିଛି ନାହିଁ ଯେ ଗୋଟିଏ ଡୁପ୍ଲିକେଟ ଚାବି ଅଛି । ଯଦି ସେଭଳି କିଛି ନାହିଁ ତେବେ ଡୁପ୍ଲିକେଟ ଚାବି ଆସିଲା କେଉଁଠୁ । ଚାବି ଟ୍ରେଜେରିରେ ରହିବା କଥା ଏହା ରେକର୍ଡ ରୁମ୍ରୁ କିପରି ବାହାରିଲା । ସେଠି ଚାବି ଅଛି ଏବେ ଜାଣିଲେ କିପରି । ପ୍ରଥମରୁ କାହିଁକି ରେକର୍ଡ ରୁମ୍ ସର୍ଚ୍ଚ କଲେନାହିଁ । ଖୋଜିଲା ପରେ ଯଦି ମିଳିଲା ତେବେ ପ୍ରଥମରୁ କାହିଁକି ଖୋଜୁନଥିଲେ । ଏହି ସବୁ ଘଟଣା ସବୁ ରହସ୍ୟାବୃତ ହେଉଛି । ଲୋକମତ ଯେତେବେଳେ ଅତି ଭୟଙ୍କର ହେଲା ସେତେବେଳେ ରକ୍ଷା ପାଇବା ପାଇଁ ଚାବି ତିଆରି କରାଯାଇ ଡୁପ୍ଲିକେଟ୍ ଚାବି ମିଳିଲା ବୋଲି କୁହାଯାଉଛି । ପ୍ରଶାସନ ଓ ସରକାରଙ୍କ ବିରୋଧରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲୋକଙ୍କ ମନରେ ସନ୍ଦେହ ଉପୁଜିଛି, ଏଥିରେ ନିଶ୍ଚିତ ଭାବରେ କିଛି ଗଡ଼ବଡ଼ ହୋଇଛି ।”

ONA

Leave a Reply

Top