You are here
Home > ବଡ଼ଖବର > ଗୁରୁପ୍ରିୟା ସେତୁ ଦୁର୍ନୀତି ପ୍ରସଙ୍ଗ

ଗୁରୁପ୍ରିୟା ସେତୁ ଦୁର୍ନୀତି ପ୍ରସଙ୍ଗ

  • ନିରଞ୍ଜନ କହିଲେ ଦୁର୍ନୀତିରେ ବୁଡିଛି ବିଜେଡି

  • ବିଜେପି କହିଲା ପିସି କାରବାର ଗନ୍ଧ ବାରିହୋଇ ପଡୁଛି

ଭୁବନେଶ୍ୱର: ଗୁରୁପ୍ରିୟା ସେତୁ ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ବିରୋଧୀ ବିଜେଡିକୁ ଘେରିଛନ୍ତି । ସେତୁ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାନତାର ଗୁଣଗାନ କରାଯାଉଥିଲା ବେଳେ ଆକାଉଣ୍ଟାଣ୍ଟ ଜେନେରାଲ ପୂର୍ତ୍ତ ବିଭାଗକୁ ୭୩ କୋଟି ୯୧ ଲକ୍ଷ ଟଙ୍କା ଅହେତୁକ ଅନୁକମ୍ପା ଠିକାଦାରକୁ ପ୍ରଦର୍ଶନ କରାଯାଇଥିବା ନେଇ ସ୍ପଷ୍ଟୀକରଣ ମାଗିବା ପରେ ଏ ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଛି । କାର୍ଯ୍ୟର ବିଭିନ୍ନ ଦିଗ ଦର୍ଶାଇ ଏଜି ଏ ସମ୍ପର୍କରେ କାରଣ ଦର୍ଶାଇବାକୁ କହିଛନ୍ତି । ନିୟମକୁ ଉଲ୍ଲଂଘନ କରାଯାଇ ଏବଂ ପିଡବ୍ଲ୍ୟୁଡି କୋର୍ଡରେ ବ୍ୟବସ୍ଥା ନ ଥାଇ ଠିକାଦାରକୁ ଅର୍ଥ ଦିଆଯାଇଛି । ଯାହାକୁ ନେଇ ଏଜି ଆପତ୍ତି ଉଠାଇଛନ୍ତି । ଏଜିଙ୍କ ଏହି ରିପୋର୍ଟ ସିଏଜି ରିପୋର୍ଟରେ ଆଗକୁ ସ୍ଥାନ ପାଇବ । ରାଜ୍ୟ ସରକାର ପୋଲ ନିର୍ମାଣକୁ ନେଇ ଶ୍ରେୟ ମୁଣ୍ଡାଇବାକୁ ଯାଉଥିଲା ବେଳେ ଏଜି ଏହି ଦୁର୍ନୀତିର କଳଙ୍କ ଆଣି ଛିଡ଼ା କରିଛନ୍ତି । ଫଳରେ ଏହାକୁ ନେଇ ରାଜନୀତିକ ବାଦବିବାଦ ଦେଖାଦେଇଛି । କଂଗ୍ରେସ ଓ ବିଜେପି ଏହି ଘଟଣାରେ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି । ଶ୍ରେୟ ଯେତେବେଳେ ନେଉଛନ୍ତି ସେତେବେଳେ ଦୁର୍ନୀତିକୁ ମଧ୍ୟ ମୁଣ୍ଡାନ୍ତୁ ବୋଲି ବିରୋଧୀ କହିଛନ୍ତି । କିନ୍ତୁ ବିଜେଡି ଏହି ଘଟଣାରେ ଭିନ୍ନମତ ରଖିଛି । ୧୮୭ କୋଟି ୨୫ ଲକ୍ଷ ଟଙ୍କା ପ୍ରକଳ୍ପ ବ୍ୟୟରେ ୭୩ କୋଟି ୯୧ ଲକ୍ଷ ଟଙ୍କା ବା ୭୪ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ ଆସିବା ପରେ ଏବେ ସରକାରୀସ୍ତରରେ ଚାଲିଛି ତନାଘନା ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମାଲୋଚନା କରି କହିଛନ୍ତି ବିପୁଳ ଅର୍ଥ ଏଥିରେ ଆତ୍ମସାତ କରାଯାଇଛି । ଠିକାଦାର ମାଧ୍ୟମରେ ଅର୍ଥ ଆହରଣ କରିଛନ୍ତି ଏହାର ତାର ପ୍ରମାଣ । ଏହି ସେତୁ ନିର୍ମାଣ ବିଜେଡି ସରକାର ଦୁର୍ନୀତିକୁ ପଦାରେ ପକାଇଛି । ଦୁର୍ନୀତିରେ ବିଜେଡି ଭରପୁର ରହିଛି । ଏହି ସେତୁ ତାର ଏକ ନମୁନା । ଏମାନେ ଲୋକଙ୍କ ସହ ସାଂଘାତିକ ବିଶ୍ୱାସ ଘାତକ କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ବିଜେପି ମୁଖପାତ ଗୋଲକ ମହାପାତ୍ର କହିଛନ୍ତି ପୋଲ ନିର୍ମାଣର ଦୁର୍ନୀତିର ଅନ୍ତନାହିଁ । ଗୋଟିଏ ମିଟର ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏମିତି କେଉଁଥିରେ ତିଆରି ହୋଇଛି ଯେ, ଗୋଟିଏ ମିଟର ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା । ଏହା ପିସି କାରବାରକୁ ପ୍ରମାଣିତ କରୁଛି । ଏଥିରେ ଦୁର୍ନୀତିର ଗନ୍ଧ ବାରି ହୋଇ ପଡିଛି । ଏହାର ଗୋଟିଏ ଉଚ୍ଚସ୍ତରୀୟ ତଦନ୍ତ ହେବାର ଆବଶ୍ୟକ ରହିଛି । କାରଣ ଏହି ଦୁର୍ନୀତି ବହୁତ ପୁରୁଣା । ୨୦୧୦ରୁ ଏହାର ଆରମ୍ଭ ହୋଇଛି । ସେତେବେଳେ ୯୦ କୋଟି ଟଙ୍କା ଖର୍ଚ୍ଚର ଅଟକଳ କରାଯାଇଥିଲା ଏବେ ୧୮୮ କୋଟିରେ ରାଜି ହେଲେ । ଏଥିରେ ଦୁର୍ନୀତିର ବାଟ ସେବେଠାରୁ ଖୋଲିଛି ବୋଲି ସେ କହିଛନ୍ତି ।
ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ରାଜ୍ୟ ସରକାର ପ୍ରଶାସନିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଇଛନ୍ତି । ଏହା ଉପରେ କୌଣସି ରାଜନୀତିକ ମତ ଆବଶ୍ୟକ ନାହିଁ । ପ୍ରଶାସନିକ ବ୍ୟବସ୍ଥାକୁ ଅପେକ୍ଷା କରାଯାଉ । ଏଥିରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିରୋଧୀଙ୍କ ମନରେ ଏହାକୁ ନେଇ ଏତେଛନକା କାହିଁକି ପସୁଛି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି ।

ONA

Leave a Reply

Top