You are here
Home > Uncategorized > ଦିଗହରା ବିଜେପି

ଦିଗହରା ବିଜେପି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଉ ୬ ମାସ ବି ନାହିଁ, ହେଲେ ଲାଗୁନି ଯେ ବିଜେପି ଏନେଇ ଚିନ୍ତିତ । ଗତଥର ବିଜେପି ମାତ୍ର ୩୬ଟି ଜିଲ୍ଲା ପରିଷଦ ଆସନରେ ଜିଣିଥିଲା । ଏଥର କେନ୍ଦ୍ରରେ ସରକାର ଥାଇ ମଧ୍ୟ ଦଳ ୫୦ ଜିଲ୍ଲା ପରିଷଦ ଆସନ ଜିଣିପାରିବ କି ନାହିଁ ସନେ୍ଦହ! କାରଣ ଦଳ ତ ଏଠି ଦି’ଫାଳ । ଗୋଟେପଟେ ଧର୍ମେନ୍ଦ୍ର ଆଣ୍ଡ କୋ’ ଅନ୍ୟପଟେ ବିଜୟ ଗ୍ରୁପ

ଭୁବନେଶ୍ୱର,(ONA): ରାଜ୍ୟ ରାଜନୈତିକ ପୋଖରିରେ ପଦ୍ମ ଚେର ମାରିବା ଆରମ୍ଭ କରିବା ବେଳକୁ ସବୁ କିଛି ବିଗିଡିଗଲାଣି । ୨୦୧୫ ଜାନୁଆରୀ ୬’ର ମହାସଂଗ୍ରାମ ସମାବେଶରୁ ହ୍ୟାଙ୍ଗଓଭରରୁ ଏବେବି ଦଳୀୟ କର୍ମୀ ଉଧେଇ ପାରୁନାହାନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଭୁବନେଶ୍ୱର ଆସି ଥିବା ବେଳେ ଓଡିଶା ବିଜେପିକୁ ଏମିତି କି ଗଦ ଶୁଙ୍ଘାଇ ଯାଇଛନ୍ତି ଯେ, ଦଳ ଦିଗହରା ହୋଇଯାଇଛି । ନିଜେ ଅମତ ତ ସେତେବେଳେ ନବୀନ ପଟ୍ଟନାୟକଙ୍କ ବିରୋଧରେ ପଦୁଟିଏ କହିଲେନି, ବରଂ ବିଜେପିର ବିକାଶ ନୌକାରେ ଯାତ୍ରୀ ହେବାକୁ ବିଜେଡିକୁ ପ୍ରସ୍ତାବ ଦେଲେ । ଅମିତଙ୍କ ଆଚରଣ ଓ ଉଚାରଣରେ ଭାଙ୍ଗି ପଡିଲେ ବିଜେପିର ନେତା ଓ କର୍ମୀ । ଏସବୁ ଦେଖି ପ୍ରତାପ ଷଡଙ୍ଗୀଙ୍କୁ ସଭାପତି ଆସନରେ ବସାଇବାକୁ ସଂଘ ପରିବାର ଚାହିଁଲା । ନିଜ ନିୟନ୍ତ୍ରଣରେ ଓଡିଶା ବିଜେପିକୁ ରଖି ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କଲା ସଂଘ । ହେଲେ ଆରଏସଏସ କ୍ଷେତ୍ର-ପ୍ରମୁଖଙ୍କର କଥା ରହିଲାନି । ସଂଘ ବିରୋଧରେ ଓଡିଶା ବିଜେପି ମଙ୍ଗୁଆଳ ନିଯୁକ୍ତ ହେଲେ ।
ଏବେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଭିଡ ଜମୁଛି ସତ, ହେଲେ ସଂଗଠନ ମଜଭୁତ ହେଲା ପରି ଲାଗୁନି । ପ୍ରଧାନମନ୍ତ୍ରୀଙ୍କ ୩ଟି ଜନସଭା ପାରାଦୀପ, ବରଗଡ ଓ ବାଲେଶ୍ୱରକୁ ଲକ୍ଷାଧିକ ଲୋକ ଆସିଲେ ସତ, କିନ୍ତୁ କର୍ମୀମାନେ ସଂଗଠିତ ହୋଇ ପାରୁନାହାନ୍ତି । ଦଳ ଏମିତି ସ୍ଥିତିରେ ଥିବା ବେଳେ  ଓଡିଶା ବିଜେପିର ସଂଗଠନ ଦାୟିତ୍ୱ ସୌଦାନ୍ ସିଂ ନେଲେ । ଲାଗୁଥିଲା ଏହା ପରେ ଦଳର ସ୍ଥିତି ସୁଦୃଢ ହେବ । ହେଲେ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପିକୁ ଶାସନ ଗାଦିରେ ବସାଇଥିବା ସୌଦାନ୍ କିନ୍ତୁ ଫେଲ୍ ମାରିଲେଣି ଓଡିଶାରେ । ଶୁଣିବାକୁ ମିଳୁଛି ଓଡିଶାରେ ବିଜେପି ସଂଗଠନ ସୁଦୃଢ କରିବାର ଠିକା ନେଇଥିବା ଅରୁଣ ସିଂ ଓ ସୌଦାନ୍ ସିଂ ବୋଲକରା ସାଜିଛନ୍ତି । ସଂଗଠନ ଧାର ଧରୁନଥିବା ନେତାଙ୍କ ହାତରେ ଏବେ ସଂଗଠନ ଦାୟିତ୍ୱ । ସେଥିପାଇଁ ମୋବାଇଲ ଫୋନ ମେସେଜରେ ଓଡିଶାରେ ୩୦ଲକ୍ଷ ସଭ୍ୟ କରି ବିଜେପି ନେତାଏ କୁତୁକୁତୁ ହୋଇଗଲେ । ସେହିଭଳି ସଂଗଠନ ସମ୍ପାଦକ ପରି ଗୁରୁଦାୟିତ୍ୱରେ ଏଭଳି ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଆଗଲା ଯିଏ କି ବିଜୟ ମହାପାତ୍ର, କନକ ବର୍ଦ୍ଧନ ସିଂହଦେଓଙ୍କ ପରି ବରିଷ୍ଠ ନେତାଙ୍କ ସହ ଚର୍ଚ୍ଚା କରିବାକୁ ସହଜ ମଣି ପାରୁନାହାନ୍ତି ।
ଏବେ ଦଳ ଭିତରେ ଏକତା ଥିଲା ପରି କାହିଁ ମନେ ହେଉନାହିଁ । ଏକତା ଥିଲେ ମହାନଦୀର ଜଳ ବିବାଦକୁ ନେଇ ଦଳ ଭିତରୁ ହିଁ କେବଳ ଗୋଟିଏ ସ୍ୱର ଶୁଭି ଥାଆନ୍ତା! ଜଳ ବିବାଦକୁ ନେଇ ମହାନଦୀର ପାଣି ଯେତିକି ଗୋଳିଆ ହେଲା ବିଜେପିର ଅର୍ନ୍ତଦ୍ୱନ୍ଦ୍ୱ ସେତିକି ଫୁଟିକି ବାହାରିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟେ କଥା କହୁଛନ୍ତି ତ ବିଜୟ ମହାପାତ୍ର ସେହି କଥାକୁ କାଉଣ୍ଟର କରୁଛନ୍ତି । ଅଗଷ୍ଟ ୫ରେ ଧର୍ମେନ୍ଦ୍ର ପ୍ରଧାନ ପାର୍ଟି ଅଫିସରେ ମହାନଦୀ ଜଳ ବିବାଦର ସମାଧାନ ଲାଗି “ଜଏଣ୍ଟ ମ୍ୟାନେଜମେଣ୍ଟ ବୋର୍ଡ” ଗଠନର ପ୍ରସ୍ତାବ ଦେଲେ । ଆଉ ଅଗଷ୍ଟ ୯ରେ ଧର୍ମେନ୍ଦ୍ରଙ୍କ ଜ୍ଞାନ ପରିସୀମା ଚାଲେଞ୍ଜ କଲେ ବିଜୟ କହିଲେ ଜଏଣ୍ଟ ମ୍ୟାନେଜମେଣ୍ଟ ବୋର୍ଡ ନୁହେଁ ରିଭର ବୋର୍ଡ ଗଠନ ହେଲେ ମହାନଦୀ ଜଳ ବିବାଦର ସମାଧାନ ହେବ ।
ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟ ବିଜେପିର ଅଧିକାଂଶ ନେତା ଅଛନ୍ତି । ରାଜ୍ୟ  ସଭାପତି ବସନ୍ତ ପଣ୍ଡା, ଓଡିଶା ପ୍ରଭାରୀ ଅରୁଣ ସିଂ, ସୌଦାନ ସିଂ ରହିଛନ୍ତି । ବିଧାୟକ ଦଳ ନେତା ହେବା ପରେ ଯଦିଓ କନକ ବର୍ଦ୍ଧନ ସିଂହଦେଓଙ୍କର ହୃଦୟ ଧର୍ମେନ୍ଦ୍ରଙ୍କ ସହ ରହିଛି । କିନ୍ତୁ ବିଜୟ ମହାପାତ୍ର ଆଣ୍ଡ କମ୍ପାନୀ ସହ ବିଧାୟକ ଦିଲ୍ଲୀପ ରାୟ ଅଛନ୍ତି । ସେହିପରି ଧର୍ମେନ୍ଦ୍ର ବିରୋଧୀ ଜୁଏଲ ଓରାମ ଓ ସୁରେଶ ପୂଜାରୀଙ୍କ ପ୍ରଭାବରେ ବିଧାୟକ ରାଧାରାଣୀ ପଣ୍ଡା ଏବଂ ରବି ନାଏକ ବିଜୟଙ୍କ ଗ୍ରୁପରେ ରହିଛନ୍ତି ।

ଦି’ଫାଳ
ଧର୍ମେନ୍ଦ୍ର ପ୍ରଧାନ                 ବିଜୟ ମହାପାତ୍ର
ଅରୁଣ ସିଂହ (ଓଡ଼ିଶା ପ୍ରଭାରୀ)    ଜୁଏଲ ଓରାମ
ସୌଦାନ ସିଂହ             ସୁରେଶ ପୂଜାରୀ
କନକ ବର୍ଦ୍ଧନ ସିଂଦେଓ            ଦିଲ୍ଲୀପ ରାୟ
ବସନ୍ତ ପଣ୍ଡା (ରାଜ୍ୟ ସଭାପତି)    ପ୍ରତାପ ଷଡ଼ଙ୍ଗୀ
ଶାରଦା ଶତପଥୀ (ସଂଗଠନ ସମ୍ପାଦକ)    ସୁବାସ ଚୌହାନ
ପ୍ରଭାତୀ ପରିଡ଼ା             ସୁରମା ପାଢ଼ୀ
ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ ଯଦିଓ ଧର୍ମେନ୍ଦ୍ରଙ୍କ କ୍ୟାମ୍ପର । କିନ୍ତୁ ଦୁର୍ଯେ୍ୟାଧନ ମାଝି, ନୀତେଶ ଗଙ୍ଗଦେବ, ପ୍ରଦୀପ ପୁରୋହିତ ଓ ଗୋବିନ୍ଦ ଦାସଙ୍କ ପରି ବିଧାୟକ ଉଭୟ କ୍ୟାମ୍ପରେ । ସେହିପରି ଭୃଗୁ ବକ୍ସିପାତ୍ର, ସମୀର ମହାନ୍ତିଙ୍କ ପରି ନେତାଙ୍କର ବିଜୟଙ୍କ ପ୍ରତି ଆନୁଗତ୍ୟ ରହିଛି । ଏହାରି ଭିତରେ ବିଜେପି ଜାତୀୟ ମୁଖପାତ୍ର ସଂବିତ ପାତ୍ରଙ୍କ ବିଜୟଙ୍କ ସହ ଘନିଷ୍ଠତା ବଢିଯାଇଛି । ଫଳରେ ଉଭୟ ଗୋଷ୍ଠୀ ବିବାଦରେ ଛନ୍ଦି ହୋଇପଡିଛନ୍ତି । ଆଉ ଲାଗୁଛି ଓଡିଶା ବିଜେପି ଆଗାମୀ ପଞ୍ଚାୟତ ନିର୍ବାଚନ ଲଢିବା ମୁଡରେ ନାହିଁ । ଯଦି ଅରୁଣ ସିଂଙ୍କ ବଦଳରେ ଜଣେ ଦୃଢ ସଂଗଠକଙ୍କୁ ଓଡିଶା ବିଜେପି ଦାୟିତ୍ୱ ମିଳିବ ଏବଂ ସେହି ବ୍ୟକ୍ତି  ପ୍ରଥମେ ଓଡିଶା ବିଜେପିକୁ ବୁଝିବା ଦରକାର, ପରେ ଆରଏସଏସ ସହ ବିସ୍ତୁତ ଆଲୋଚନା କରି ସଂଗଠନ ସୁଧାରିବା ଲାଗି ପଦକ୍ଷେପ ନେଲେ । ଓଡିଶାରେ ବିଜେପି ସ୍ଥିତିରେ ସୁଧାର ଆସିପାରେ ।

ଉଭୟ କ୍ୟାମ୍ପର
ବିଧାୟକ              ସଙ୍ଗଠକ
ଦୁର୍ଯେ୍ୟାଧନ ମାଝି     ଭୃଗୁ ବକ୍ସିପାତ୍ର
ନୀତେଶ ଗଙ୍ଗଦେବ     ସମୀର ମହାନ୍ତି
ପ୍ରଦୀପ ପୁରୋହିତ     ମନମୋହନ ସାମଲ
ଗୋବିନ୍ଦ ଦାସ     ସମୀର ଦେ

ରୁଦ୍ର ପାଣି             ଜୟ ନରାୟଣ ମିଶ୍ର
ଗିରିଧର ଗମାଙ୍ଗୋ     ରାଜକିଶୋର ଦାସ
ସଜ୍ଜନ ଶର୍ମା             ଅଶ୍ୱିନୀ ଷଡ଼ଙ୍ଗୀ
ରାମଚନ୍ଦ୍ର ପଣ୍ଡା           ସୀମନ୍ତିନୀ ଜେନା
ସୁରେନ୍ଦ୍ର ଲାଠ୍           ଲେଖାଶ୍ରୀ ସାମନ୍ତସିଂହାର

 

ONA
Top