You are here
Home > ଏକ୍ସକ୍ଲୁସିଭ୍ > ବିଜୟ – ଦିଲ୍ଲୀପଙ୍କ ଏକମାତ୍ର ବିକଳ୍ପ କଂଗ୍ରେସ !

ବିଜୟ – ଦିଲ୍ଲୀପଙ୍କ ଏକମାତ୍ର ବିକଳ୍ପ କଂଗ୍ରେସ !

ଭୁବନେଶ୍ୱର : ରାଜ୍ୟ ରାଜନୀତିର ବିଜେପିର ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ବିଧାୟକ ଦିଲ୍ଲୀପ ରାୟ ବେଶ ଚର୍ଚ୍ଚିତ ଚେହେରା । ଏହି ଦୁଇ ନେତା ନିଜ ଦଳ ଭିତରେ ବର୍ତ୍ତମାନ ବିଦ୍ରୋହୀ ଭୂମିକା ଅବତୀର୍ଣ୍ଣ ହୋଇଛନ୍ତି । ଦଳ ସହ ଉଭୟଙ୍କର ସଂପର୍କ କ୍ରମେ ତିକ୍ତରୁ ତିିକ୍ତ ହେବାରେ ଲାଗିଛି । ଉଭୟ ଏବେ ଦଳ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଥିଲେ ବି ସେମାନଙ୍କୁ ନିଲମ୍ବିତ କି ବହିଷ୍କାର କରାଯାଇ ନାହିଁ । ହେଲେ ସେମାନଙ୍କ କାର୍ଯ୍ୟଧାରାରୁ ଯାହା ଜଣାପଡୁଛି ବିଜେପିରେ ରହିବା ପାଇଁ ଆଉ ଚାହୁଁ ନାହାନ୍ତି । ବିକଳ୍ପ ଅନୁସନ୍ଧାନରେ ଅଛନ୍ତି । ଆଗକୁ ବିଜେପି ମଧ୍ୟ ସେମାନଙ୍କୁ ସାଥୀରେ ନେବାକୁ ଚାହୁଁ ନଥିବା କ୍ରମେ ସ୍ପଷ୍ଟ ହେଲାଣି । ଏହି ଦୁଇ ନେତା ବିଜେପି ଛାଡ଼ିଲେ କେଉଁ ଦଳକୁ ଯିବେ ନା ଅନ୍ୟ କିଛି ବିକଳ୍ପ ପନ୍ଥା କରିବେ ତାକୁ ନେଇ ଚାଲିଛି ରାଜନୀତିକ ଚର୍ଚ୍ଚା ।
ଉଭୟଙ୍କ ଲାଗି ବର୍ତ୍ତମାନ ରାଜନୈତିକ ଦଳ ହିସାବରେ କଂଗ୍ରେସ ହିଁ ବିକଳ୍ପ ବୋଲି ଆଲୋଚନା ହେଉଛି । ବିଜେଡି ଏହି ଦୁଇ ନେତାଙ୍କୁ ନେବ ବୋଲି ପ୍ରଥମେ ଯେଉଁ ଆଲୋଚନା ଚାଲିଥିଲା । ତାହାକ୍ରମେ ଶୀତଳ ପଡ଼ି ଯାଇଛି । ବିଶେଷ କରି ବିଜୟଙ୍କୁ ଆଉ ବିଜେଡିକୁ ଫେରାଇନେବା ମାନସିକତାରେ ସୁପ୍ରିମୋ ନବୀନ ପଟ୍ଟନାୟକ ନାହାଁନ୍ତି । ବିଜେଡିରେ ବହୁ ବିଜୟ ଶୁଭେଚ୍ଛୁ ଅଛନ୍ତି । ସେମାନେ ବିଭିନ୍ନ ମାଧ୍ୟମରେ ଏଥିଲାଗି କୁଆଡ଼େ ଉଦ୍ୟମ କରି ଫେଲ୍ ମାରି ସାରିଛନ୍ତି । ବିଜୟ ଇତିମଧ୍ୟରେ ବିଜେପିକୁ ବିଭିନ୍ନ ଘଟଣାରେ ବିରୋଧ କରିବା ସହ ବିଜେଡି ସପକ୍ଷରେ ମତ ରଖୁଛନ୍ତି । ବିଶେଷ କରି ମହାନଦୀ ମହା ବିବାଦଠାରୁ ବିଜୟଙ୍କ ଏହି ପରିବର୍ତ୍ତନ ଲକ୍ଷ କରାଯାଉଛି । ମହାନଦୀ ଘଟଣାରେ ବିଜେଡି ଅପେକ୍ଷା ବିଜୟ ହିଁ ବିଜେପି ଅଧିକ ଅଡୁଆରେ ପକାଇଛନ୍ତି । ସରକାରଙ୍କ କାର୍ଯ୍ୟକ୍ରମକୁ ସମାଲୋଚନା କରିବା ବଦଳରେ ବିଜେପିକୁ ବିରୋଧ କରିବା ଦେଖାଦେଇ ଆସୁଛି । ସେ ଖୋଲାଖୋଲି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦଳୀୟ ନେତାଙ୍କ ବିରୋଧରେ ମତ ରଖୁଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଡକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି । ଯେଉଁ ବିଜୟ ଦିନେ ନବୀନ ପଟ୍ଟନାୟକଙ୍କ ନାଁ ନେଇ ଗର୍ଜୁଥିଲେ । ଏବଂ ତାଙ୍କ କାର୍ଯ୍ୟଧାରାକୁ ସମାଲୋଚନା କରି ବର୍ଷୁଥୁଲେ ସେ ଏବେ ସଂପୂର୍ଣ୍ଣ ଓଲଟି ଯାଇଛନ୍ତି । ବିଜେପି ଓ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିବା ଦ୍ୱାରା ବେଶ୍ ଉତ୍ସାହିତ ହୋଇଛି । ଏଥିରେ କୁହାଯାଉଥିଲା ବିଜେଡିକୁ ଯିବା ପାଇଁ ବିଜୟ ବାଟ ଫିଟାଉଛନ୍ତି । ପଞ୍ଚାୟତ ନିର୍ବାଚନ ବିପର୍ଯ୍ୟୟ ପରେ ପୁରୁଣା ନେତାଙ୍କୁ ଫେରାଇ ଆଣିବା ଲାଗି ନବୀନଙ୍କ ସୂଚନା ଆସିଥିଲା । ସେତେବେଳେ ପ୍ରଚାର ହେଲା ବିଜେଡିରୁ ଯାଇଥିବା ବିଜୟ ଦିଲ୍ଲୀପ ଓ ଅନ୍ୟମାନେ ଫେରି ପାରନ୍ତି । କିନ୍ତୁ ସେଭଳି କିଛି ହେବାର ସମ୍ଭାବନା ନାହିଁ ।
ସେହିପରି ଦିଲ୍ଲୀପ ମଧ୍ୟ ବିଜୟଙ୍କ ମାର୍ଗରେ ଗୋଡ଼ ବଢ଼ାଇଛନ୍ତି । ସେ ବି ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍ ହସ୍ପିଟାଲକୁ ଆଳ କରି ନିଜ ଦଳ ଓ ନେତାଙ୍କ ବିରୋଧରେ ସ୍ୱର ଉଠାଇ ଚାଲିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ବିବାଦ ଭିତରକୁ ଟାଣିବା ପାଇ ପଛାଇ ନାହାନ୍ତି । ବିଜେଡିକୁ ବିରୋଧ କରିବା ଦିଲ୍ଲୀପ ଏକ ପ୍ରକାର ଭୁଲି ଯାଇଛନ୍ତି । ତାଙ୍କର ବର୍ତ୍ତମାନ ଗୋଟିଏ ଲକ୍ଷ୍ୟ ବିଜେପିକୁ ବିରୋଧ କରିବା । ଦିଲ୍ଲୀପଙ୍କର ବିଜେଡିକୁ ଫେରିବା ପାଇଁ ବହୁ ଆଗ୍ରହ ଥିଲା । ବିଭିନ୍ନ ମାଧ୍ୟମରେ ସେ ମଧ୍ୟ ଉଦ୍ୟମ କରିଥିଲେ । ଏଥିପାଇଁ ନିଜର ନିସ୍ତାର ପ୍ରମାଣ ଦେବା ପାଇଁ ବିଜେପିକୁ ବାରମ୍ବାର ବିରୋଧ କରିବାରେ ଲାଗିଥିଲେ । ଅବଶ୍ୟ ବିଜୟଙ୍କ ଭଳି ଦିଲ୍ଲୀପଙ୍କୁ ବିଜେଡି ନେବାରେ ସେଭଳି କିଛି ପ୍ରତିବନ୍ଧକ ନାହିଁ ବୋଲି କୁହାଯାଏ । ହେଲେ ବର୍ତ୍ତମାନ ଯାଏଁ ବିଜେଡରୁ କୌଣସି ଅନୁକୂଳ ସୂଚନା ଦିଲ୍ଲୀପଙ୍କ ପାଖରେ ପହଁଞ୍ଚି ନଥିବା କୁହାଯାଉଛି ।
ଉଭୟ ନେତାଙ୍କର ବିଜେଡି ଯିବା ଆଶା ଏକ ପ୍ରକାର ମଉଳିବାରେ ଲାଗିଛି । ଅବଶ୍ୟ ନବୀନଙ୍କ ସହ ବିଜୟଙ୍କର ଯେଉଁ ତିକ୍ତତା ସୃଷ୍ଟି ହୋଇଥିଲା । ସେହିକ୍ଷେତ୍ରରେ ବିଜୟ ଆଉ ବିଜେଡିକୁ ଫେରିବେ ଏକଥାକୁ ବିଶ୍ୱାସ କରାଯାଇ ପାରୁନଥିଲା । କେବଳ ପାରିପାଶ୍ୱର୍ିକ ସ୍ଥିିତିକୁ ଦେଖି ଯାହା ଚର୍ଚ୍ଚା ହେଉଥିଲା । ବିଜେଡିକୁ ଯିବା ସମ୍ଭାବନା କ୍ଷୀଣ ଥିବାରୁ ଯେଉଁମାନେ ବିଭିନ୍ନ ଦଳରେ ରହି ଅସନ୍ତୁଷ୍ଟ ଅଛନ୍ତି ସେମାନେ ମିଳିମିଶି ଏକ ଆଞ୍ଚଳିକ ଦଳ ଗଠନ କରିବେ ବୋଲି ଯୋଜନା ଚାଲିଥିଲା । ବିଜୟ ଦିଲ୍ଲୀପଙ୍କ ସହ ବିଜେଡିର ବୈଜୟନ୍ତ ପଣ୍ଡା ଓ ଆଉ କିଛି ନେତା ଏବଂ କଂଗ୍ରେସର ନିରଞ୍ଜନ ପଟ୍ଟନାୟକ, ଆମ ଓଡ଼ିଶାର ସୌମରଂଜନ ପଟ୍ଟନାୟକ, ପୂର୍ବତନ ବିଜେଡି ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ମିଶି ଏକ ଆଞ୍ଚଳିକ ଗଠନ କରିବା ନେଇ ଯୋଜନା ଚଳାଇଥିଲେ । ଦୀର୍ଘ ଦିନ ଧରି ଆଞ୍ଚଳିକ ଦଳ ଗଠନକୁ ନେଇ ବହୁ କସରତ ଓ ବୈଠକ ନେତାମାନେ ଚଳାଇଥିଲେ । କିନ୍ତୁ ଏହାକୁ ସଫଳ କରିବା ପାଇଁ ଯେଉଁ ଚୂଡ଼ାନ୍ତ ରୁପରେଖ ଦେବା କଥା ତାହା ହୋଇପାରି ନଥିଲା । ସମସ୍ତେ ସମୟକୁ ଅପେକ୍ଷା କଲେ । ଇତିମଧ୍ୟରେ ବିଜେଡି ବୈଜୟନ୍ତଙ୍କୁ ଦୂରେଇ ଦେବା ପାଇଁ ମନସ୍ଥ କରିବା ପରେ ସୌମ୍ୟରଂଜନଙ୍କୁ ପାଖକୁ ନେବା ପାଇଁ ଯୋଜନା କଲା । ସୌମ୍ୟଙ୍କ ହାତରେ ଶକ୍ତିଶାଳୀ ଖବରକାଗଜ ଓ ଟିଭି ଚ୍ୟାନେଲ୍ ରହିଛି । ବୈଜୟନ୍ତଙ୍କୁ ଦୂରେଇ ସୌମ୍ୟଙ୍କୁ ନେଲେ ଦଳ ମୁକାବିଲା କରିବାରେ ସମର୍ଥ ହେବ । ଏହି ଯୋଜନା କରି ସୌମ୍ୟଙ୍କୁ କ୍ରମେ ନିଜ ଆଡକୁ ନେବା ପାଇଁ ଉଦ୍ୟମ ଚଳାଇଲେ । ଶେଷରେ ତାଙ୍କୁ ଡାକି ଆଲୋଚନା କଲେ ଏବଂ ରାଜ୍ୟସଭା ପଦ ଲୋଭରେ ସୌମ୍ୟରଂଜନ ବିଜେଡିରେ ଝାସ ଦେବାକୁ ରାଜି ହୋଇଗଲେ । ସୌମ୍ୟ ରଂଜନ ଗଲା ପରେ ମେଣ୍ଟ ଟିକେ ଦୁର୍ବଳ ହେଲା । ନିରଞ୍ଜନଙ୍କ ଉପରେ ମଧ୍ୟ ଆଶା ଥିଲା । ପିସିସି ସଭାପତି ପଦ ନମିଳିଲେ ନିରଞ୍ଜନ ଆଞ୍ଚଳିକ ଦଳ ଗଠନ କରିବେ ବୋଲି ଯୋଜନା କରିଥିଲେ । ଏଣୁ ପ୍ରସାଦ ହରିଚନ୍ଦନ ସଭାପତିରୁ ହଟିବା ପରେ ଯଦି ଅନ୍ୟ କେହି ସଭାପତି ହୋଇଥାନ୍ତେ ତେବେ ଆଞ୍ଚଳିକ ଦଳ ପରିକଳ୍ପନା ଯୋରଦାର ହୋଇଥାନ୍ତା । କିନ୍ତୁ ନିରଞ୍ଜନଙ୍କୁ ସଭାପତି କରିବା ପରେ ଆଉ ଆଞ୍ଚଳିକ ଦଳ ଗଠନରେ ପୂର୍ଣ୍ଣଛେଦ ପଡ଼ିଲା ।
ବୈଜୟନ୍ତ ପଣ୍ଡା ବିଜେଡିରୁ ଇସ୍ତଫା ଦେବା ପରେ ତାଙ୍କ ଉପରେ ମଧ୍ୟ ଭରସା କରାଯାଉଥିଲା । କିନ୍ତୁ ସେ ଆଞ୍ଚଳିକ ଦଳ ଗଠନ କରି ବିଜେଡି ସହ ଲଢ଼ିବା ସମ୍ଭବ ନୁହେଁ ବୋଲି ଅନୁଭବ କଲେ । ଏଣୁ ତାଙ୍କୁ ଏକ ଶକ୍ତିଶାଳୀ ଦଳରେ ହିଁ ରହିବାକୁ ପଡ଼ିବ । ଅନ୍ୟପଟରେ ଆଞ୍ଚଳିକ ଦଳ ପାଇଁ ଯେତିକି ସାଧନର ଆବଶ୍ୟକ ଏବଂ ସମୟର ଆବଶ୍ୟକ ରହିଛି ତାହା ନାହିଁ । ନିର୍ବାଚନ ଆଉ ବେଶୀ ଦିନ ନାହିଁ । ସ୍ପଳ୍ପ ସମୟ ଭିତରେ ଗୋଟିଏ ଦଳ ଗଠନ କରି ତାକୁ ଛିଡ଼ା କରାଇବା ସମ୍ଭବ ହୋଇନପାରେ । ଫଳରେ ସେ ମଧ୍ୟ ଏହି ପରିକଳ୍ପନାରୁ ଦୂରେଇ ଗଲେ ।
ଏଣୁ ବର୍ତ୍ତମାନ କଥା ଉଠୁଛି ବିଜୟ ଓ ଦିଲ୍ଲୀପ ଏବେ କରିବେ କ’ଣ । ବିଜୟ ୨୦୦୦ ମସିହାରୁ ଏଯାଏଁ ବିଧାନସଭା ମାଟି ମାଡ଼ି ପାରୁନାହାନ୍ତି । ପ୍ରତ୍ୟେକ୍ଷ ରାଜନୀତିରୁ କ୍ରମେ ଦୂରେଇବାରେ ଲାଗିଛନ୍ତି । କେବଳ ଗଣମାଧ୍ୟମରେ ନିଜରସ୍ଥିତି ଜାହିର କରି ଚାଲିଛନ୍ତି । କୁହାଯାଉଛି ଏହି ଦୁହିଁଙ୍କ ପାଇଁ ବର୍ତ୍ତମାନ ଏକମାତ୍ର ବିକଳ୍ପ ରହିଛି କଂଗ୍ରେସ । ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ମଙ୍ଗ ଧରିଲା ପରେ ସେ ଚାହୁଁଛନ୍ତି ବିଜୟ ଓ ଦିଲ୍ଲୀପଙ୍କ ଭଳି ନେତାମାନେ ଆସି କଂଗ୍ରେସ ଯୋଗ ଦିଅନ୍ତୁ । ଏଥିଲାଗି ମଧ୍ୟ ଉଭୟଙ୍କୁ ପ୍ରସ୍ତାବ ଦିଆଯାଇଥିବା କଥା କୁହାଯାଉଛି । ଅବଶ୍ୟ ବିଜୟ ଯେତେବେଳେ ବିଜେଡିରୁ ବାଦ ପଡ଼ିଲେ ସେ ସମୟରେ ଜାନକୀ ବଲ୍ଲଭ ପଟ୍ଟନାୟକ ଥିବାବେଳେ ବିଜୟଙ୍କୁ କଂଗ୍ରେସକୁ ଆଣିବା ପାଇଁ ଉଦ୍ୟମ ହୋଇଥିଲା । ବିଜୟ ସେତେବେଳେ ରାଜି ନହୋଇ ବିଜେପିରେ ଯୋଗଦେଇଥିଲେ । ଏବେ ରାଜନୀତିକ ପାଣିପାଗ ବଦଳିଛି । ଆଗକୁ ଅନେକ ଚ୍ୟାଲେଞ୍ଜ ମଧ୍ୟ ଆସୁଛି । ନିରଞ୍ଜନ ନିଜର ନେତୃତ୍ୱ ଓ ପରୋକାଷ୍ଠା ପ୍ରଦର୍ଶନ କରିବା ପାଇଁ ଚାହୁଁଛନ୍ତି । ରାହୁଲ ଗାନ୍ଧି ଜୁଲାଇ ଶେଷ ସପ୍ତାହ କିମ୍ବା ଅଗଷ୍ଟ ପ୍ରଥମ ସପ୍ତାହରେ ଓଡ଼ିଶାଗସ୍ତରେ ଆସିବା ଅଛି । ସେ ସମୟରେ କିଛି ପ୍ରତିଷ୍ଠିତ ନେତାଙ୍କୁ ମିଶାଇବା ପାଇଁ ଉଦ୍ୟମ ଚଳାଇଥିବା କୁହାଯାଉଛି । ବିଜୟ ଓ ଦିଲ୍ଲୀପଙ୍କ ମନୋଭାବ ସହ ମିଶି କାର୍ଯ୍ୟ କରିବା ପାଇଁ କଂଗ୍ରେସରେ ଅନେକ ନେତା ଅଛନ୍ତି । ଏଣୁ ଆଲୋଚନା ହେଉଛି ଉଭୟ ନେତାଙ୍କ ପାଇଁ କଂଗ୍ରେସ ବାଟ ହିଁ ଖୋଲା ।

ONA

Leave a Reply

Top