You are here
Home > ପଲିଟିକ୍ସ > ଭଙ୍ଗା ଆଇନା ଦେଖାଉଛନ୍ତି ମୁଖ୍ୟମନ୍ତ୍ରୀ-ଧର୍ମେନ୍ଦ୍ର

ଭଙ୍ଗା ଆଇନା ଦେଖାଉଛନ୍ତି ମୁଖ୍ୟମନ୍ତ୍ରୀ-ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ସଫଳତାର ପୁସ୍ତିକା ଆଇନା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବା ପରେ ଭଙ୍ଗା ଆଇନା ଦେଖାଇ ମୁଖ୍ୟମନ୍ତ୍ରୀ ଓଡିଶାର ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ତଥ୍ୟର ସୌଦାଗର ବୋଲି କହିଛନ୍ତି । ଏହାସହ ତାଙ୍କର ପାଞ୍ଚୋଟି ପ୍ରଶ୍ନର ଉତ୍ତର ରଖିବା ପାଇଁ ଆହ୍ୱାନ ଜଣାଇଛନ୍ତି । ନିଜର ଅପାରଗତା ଓ ଦୁର୍ବଳତାକୁ ଲୁଚାଇବା ପାଇଁ ମିଛକୁ ବାରମ୍ବାର ଦୋହରାଇ ମୁଖ୍ୟମନ୍ତ୍ରୀ ସତ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ୫ଟି ପ୍ରଶ୍ନ
୧-ଶିକ୍ଷାରେ ସଫଳତା ଦାବି ହେଲେ ସ୍ଥାୟୀ ଶିକ୍ଷକ ନିଯୁକ୍ତିର ସାହସିକ ପଦକ୍ଷେପ କାହିଁକି ନେଇ ନାହାନ୍ତି?
୨-ଦାନ ମାଝୀ, ନଗଡା ଶିଶୁ ମଡକ, ମାଲକାନଗିରି ଜାପାନୀ ଜ୍ୱର ସ୍ୱାସ୍ଥ୍ୟ ସେବାର ବିଫଳତା ନା ନାହିଁ?
୩-୪୦%ରୁ ଅଧିକ ପରିବାରରେ ବିଜୁଳି ସଂଯୋଗ ହୋଇନାହିଁ କାହିଁକି?
୪- ମୁଖ୍ୟମନ୍ତ୍ରୀଙ୍କ ଦାବି ୨ବର୍ଷରେ ଦଶ ଲକ୍ଷ ପରିବାରକୁ ପକ୍କା ଘର ସତ ନା ବିଧାନସଭାରେ ମନ୍ତ୍ରୀଙ୍କ ଉତର ୩ବର୍ଷରେ ତିନି ଲକ୍ଷ ସତ?
୫- ଖାଦ୍ୟ ସୁରକ୍ଷା ଯୋଜନାରେ ୮୫ ଲକ୍ଷ ପରିବାରର ତାଲିକା ପଞ୍ଚାୟତ ହିସାବରେ କେବେ ସାର୍ବଜନୀନ ହେବ?

ମୁଖ୍ୟମନ୍ତ୍ରୀଙ୍କ ୫୦ ପୃଷ୍ଠାର ସଫଳତାର ପୁସ୍ତିକାରେ ମୁଖ୍ୟମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ବହୁ ଭଲ କାମ କରିଛନ୍ତି ବୋଲି ବର୍ଣନା କରା ଯାଇଥିବାବେଳେ ସ୍ଥାୟୀ ଶିକ୍ଷକ ନିଯୁକ୍ତିର ସାହସିକ ପଦକ୍ଷେପ କାହିଁକି ନେଇ ନାହାନ୍ତି ବୋଲି ପ୍ରଶ୍ନ କରିବା ସହ ଏହାର ଉତର ରଖିବା ପାଇଁ କହିଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ସ୍ଥିତି ଉପରେ ପ୍ରଶ୍ନ ଉଠାଇ କଳାହାଣ୍ଡିର ଦାନ ମାଝୀ, ଯାଜପୁରର ନଗଡାର ଶିଶୁ ମଡକ, ମାଲକାନଗିରିରେ ଜାପାନୀ ଏନସେଫାଲାଇଟିସରେ ଥମୁ ନଥିବା ଶିଶୁ ମୃତ୍ୟୁ ତଥା କଟକର ଶିଶୁ ଭବନରେ ଇଂଜେକ୍ସନ ପାଇଁ ସିରିଞ୍ଜର ଅଭାବର ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର । ରାଜ୍ୟରେ ବିଜୁଳିର ଘୋର ସମସ୍ୟା ପ୍ରଶ୍ନ ଉଠାଇ ରାଜ୍ୟର ୪୦ ପ୍ରତିଶତରୁ ଅଧିକ ପରିବାରରେ ବିଜୁଳି ସଂଯୋଗ କାହିଁକି ପହଞ୍ଚି ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ ବିପିଏଲ ପରିବାର ମାଗଣା ବିଜୁଳି ଦେବାର କଥା ରାଜ୍ୟ ସରକାର କହୁଥିବାବେଳେ ୪୨ ପ୍ରତିଶତ ବିପିଏଲ ପରିବାରକୁ କାହିଁକି ବିଦୁ୍ୟତ ସଂଯୋଗ ଦିଆଯାଇ ନାହିଁ । ସେହିପରି ପକ୍କା ଘର ଦେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବାରମ୍ବାର ମିଥ୍ୟା ତଥ୍ୟ ଦେଉଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଗତ ୨ବର୍ଷରେ ଦଶ ଲକ୍ଷ ପରିବାରକୁ ପକ୍କା ଘର ଯୋଗାଇ ଦିଆ ଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ଦାବି ମିଥ୍ୟା ତଥ୍ୟ ଉପରେ ଆଧାରିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ ବିଗତ ତିନି ବର୍ଷରେ ରାଜ୍ୟରେ ମୋଟ ତିନି ଲକ୍ଷ ପକ୍କା ଘର ତିଆରି କରାଯାଇଥିବା ମନ୍ତ୍ରୀମାନେ ବିଧାନସଭାରେ ଉତ୍ତର ରଖିଛନ୍ତି । ଖାଦ୍ୟ ସୁରକ୍ଷା ଆଇନରେ ଓଡିଶାର ୮୫ ଲକ୍ଷ ପରିବାରକୁ ସାମିଲ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଆଇନା ପତ୍ରିକାରେ ଉଲ୍ଲେଖ କରିଛନ୍ତି । । ଏହି ୮୫ ଲକ୍ଷ ପରିବାରର ପଞ୍ଚାୟତ ହିସାବରେ ତାଲିକାକୁ ସରକାର କାହିଁକି ସାର୍ବଜନୀନ କରୁନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ONA

Leave a Reply

Top