You are here
Home > ବିଜିନେସ୍ > ବିଜେଡିକୁ ଧର୍ମେନ୍ଦ୍ର ଅଛୁଆଁ, ସମାଲୋଚକା କଲେ ନିରଞ୍ଜନ

ବିଜେଡିକୁ ଧର୍ମେନ୍ଦ୍ର ଅଛୁଆଁ, ସମାଲୋଚକା କଲେ ନିରଞ୍ଜନ

ଭୁବନେଶ୍ୱର: ବିଜେପି-ବିଜେଡି ମଧ୍ୟରେ ଟକରାଟକରି ରାଜନୀତି ଜୋର୍ଦାର ଚାଲିଛି । ଉଭୟ ପକ୍ଷ ପରସ୍ପରକୁ ପ୍ରତି କଥାରେ ବିରୋଧ କରିବା ଦେଖାଦେଇ ଆସୁଛି । ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ପାଇଁ ଆଡୁଆ ହୋଇଛନ୍ତି । ଧର୍ମେନ୍ଦ୍ରଙ୍କ କଥା ଶୁଣିଲେ ବିଜେଡି ନେତାମାନେ ଏବେ ମୁହଁ ମୋଡୁଛନ୍ତି । ବିଜେଡି ପାଇଁ ଧର୍ମେନ୍ଦ୍ର ଅଛୁଆଁ ହୋଇ ରହିଥିବା ଦେଖାଯାଉଛି । ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଯାହା ସବୁ କେନ୍ଦ୍ର ପକ୍ଷରୁ ଓଡ଼ିଶାରେ କରାଯାଉଛି ସେଥିରେ ଧର୍ମେନ୍ଦ୍ର ହିଁ ମୁଖ୍ୟ ଭାବରେ ଆସି ମଙ୍ଗ ଧରୁଛନ୍ତି । ଏକଥା ବିଜେଡି ପାଇଁ ଗ୍ରହଣୀୟ ହୋଇପାରୁନାହିଁ । ଏଥିଲାଗି ଧର୍ମେନ୍ଦ୍ରଙ୍କୁ ବୟକଟ୍ କରିବାରେ ବିଜେଡି ଲାଗିଛି ବୋଲି ଆଲୋଚନା ହେଉଛି । କାରଣ ଶନିବାର ରେଳବାଇ ପକ୍ଷରୁ ବାରଙ୍ଗଠାରେ ନୂତନ ରେଳଷ୍ଟେଶନ୍ ଉଦ୍ଘାଟନ କାର୍ଯ୍ୟକ୍ରମରେ ବିଜେଡିର ୫ ଜଣ ନେତାଙ୍କୁ ଡକାଯାଇଥିଲା ବେଳେ କେହି ଜଣେ ହେଲେ ସାମିଲ ହୋଇ ନଥିଲେ । ଏହାକୁ ନେଇ ଧର୍ମେନ୍ଦ୍ର ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି । ବିଜେଡି ମଧ୍ୟ ପ୍ରତିକ୍ରୀୟା ରଖିଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଘଟଣାରେ କଂଗ୍ରେସ ବିଜେଡିର ଏହି ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛି ।
କିଛି ବର୍ଷ ହେଲା ଦେଖାଯାଉଛି ଦୁଇ ଦଳ ଭିତରେ ବିବାଦ ବଢ଼ିବାରେ ଲାଗିଛି । କେହିକାହାକୁ ଆଗକୁ ବାଟ ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି । ଶ୍ରେୟକୁ ନେଇ ମଧ୍ୟ ବହୁ ସମୟରେ ବିତର୍କ ହୋଇଛି । ଶନିବାର ବାରଙ୍ଗରେ ନୂତନ ରେଳଷ୍ଟେଶନ ଉଦ୍ଘାଟନକୁ ବିଜେଡି କେହି ନେତା ଗଲେ ନାହିଁ । ପରିବହନ ମନ୍ତ୍ରୀ ନୃସିଂହଚରଣ ସାହୁ, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି ଓ ପ୍ରୀୟଦର୍ଶୀ ମିଶ୍ରଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏମାନଙ୍କ ନାଁ ନିମନ୍ତ୍ରଣ ପତ୍ରରେ ଓ ଉଦ୍ଘାଟନ ଫଳକରେ ଲେଖାଯାଇଥିଲା । ତଥାପି ଏମାନଙ୍କ ଭିତରେ କେହି ଜଣେ ହେଲେ ଯାଇ ନ ଥିଲେ । ଏଥିରେ କୁହାଯାଉଛି ଧର୍ମେନ୍ଦ୍ରଙ୍କ ସହ ବସିବା ପାଇଁ କଟକଣା ଥିବାରୁ ଭୟରେ କେହି ନେତା ଗଲେ ନାହିଁ । ଏହାକୁ ନେଇ ଧର୍ମେନ୍ଦ୍ର ସମାଲୋଚନା କରି କହିଛନ୍ତି ସ୍ଥାନୀୟ ବିଧାୟକ, ମନ୍ତ୍ରୀ ଓ ସାଂସଦମାନେ ଯଦି ଆସିଥାନ୍ତେ ତାହାହେଲେ ସେମାନେ ତାଙ୍କ ଦାୟିତ୍ୱ ନେଇ ରାଜ୍ୟ ସରକାରଙ୍କ ପାଖରେ ଅସୁବିଧା ଉପସ୍ଥାପନ କରିଥାନ୍ତେ । ଏହା ହେଉଛି ସେମାନଙ୍କ ଭୂମିକା । ଦାୟିତ୍ୱରୁ ମୁହଁ ଲୁଚାଇବା, ବାହାନା କରିବା ଏଇଟା ସହଯୋଗ ନୁହେଁ । ଏଣୁ ବିକାଶ କାର୍ଯ୍ୟକ୍ରମରେ ଛୋଟ ରାଜନୀତି ନ କଲେ ଭଲ । ଯେଉଁମାନେ ଏହି କାମ କରୁଛନ୍ତି ସେମାନଙ୍କୁ ପଚରାଯିବା ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି ।
କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ପାଇ ଯାଇ ନ ଥିବା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ସେମାନେ କହୁଛନ୍ତି ବିକାଶ କାର୍ଯ୍ୟକ୍ରମ କରୁଛନ୍ତି, ଆମେ କଣ ବିକାଶ କାମ କରୁନାହୁଁ । ମୁଁ କଣ ମୋ ଅଞ୍ଚଳର ବିକାଶକୁ ବନ୍ଦ କରିଦେବି । ସେମାନେ ଗୋଟିଏ କଥା ଭୁଲି ଯାଉଛନ୍ତି ଯେଉଁ ଏମ୍ଓୟୁ ଦସ୍ତଖତ କରିବାରଥିଲା ରାଜ୍ୟସରକାରଙ୍କ ସହ ସେ କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ବିଜେପି ମୁଖପାତ୍ର ବିଧାୟକ ସୌମ୍ୟରଞ୍ଜନ ଦାସ କହିଛନ୍ତି, ରାଜ୍ୟ ସରକାର ସବୁପ୍ରକାର ସହଯୋଗ କରୁଛନ୍ତି । ବିକାଶ କାର୍ଯ୍ୟକ୍ରମ ପାଇଁ ଜମୀ ଯୋଗାଇ ଦେଇଛନ୍ତି ଓ ଆନୁସଙ୍ଗକ ସହାୟତା ଦେଇଛନ୍ତି । ଜମୀ କଣ ରାଜ୍ୟ ସରକାର ନ ଦେଇ କେନ୍ଦ୍ରରୁ ଆଣିଛନ୍ତି । ରାଜ୍ୟ ସରକାର ବିକାଶ କାର୍ଯ୍ୟକ୍ରମରେ ସବୁ ସାହାର୍ଯ୍ୟ ଓ ସହଯୋଗ କରୁଛନ୍ତି । କିଏ କେଉଁଠିକି ଗଲେ ନ ଗଲେ କାର କେଉଁଠି କଣ କାମ ଥିôବ ତାକୁ ନେଇ କୁହାଯିବା ଉଚିତ ନୁହଁ । ବିଧାୟକ ପ୍ରୀୟଦର୍ଶୀ ମିଶ୍ର କହିଛନ୍ତି କେନ୍ଦ୍ର ସରକାର ଓ ରେଳବାଇ ବିଭାଗ ବହୁ ପାତରଅନ୍ତର କରୁଛନ୍ତି । ରେଳଷ୍ଟେଶନ୍ରୁ ପାଣି ବହୁଛି । ଏଣୁ ଲୋକଦେଖାଣିଆ ଭାବେ ଉଦ୍ଘାଟନ କାର୍ଯ୍ୟକ୍ରମ କଲେ ସମସ୍ୟାର ସମାଧାନ ହେବାନହିଁ ବୋଲି ଶ୍ରୀ ମିଶ୍ରୀ କହିଛନ୍ତି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡିକୁ ସମାଲୋଚନା କରି କହିଛନ୍ତି ଏହା ଏକ ଭଲ ପରମ୍ପରା ନୁହେଁ । ଆଗରୁ ଯୋଗ ଦେଉଥିଲେ କେମିତି? ଏବେ କଣ ହେଲା ଯୋଗ ଦେଉନାହାଁନ୍ତି । ବ୍ୟକ୍ତିଗତ ଭାବେ ତ ବହୁ ପରମ୍ପରା ଭଙ୍ଗ କରାଯାଇଛି । ସାମ୍ବିଧାନିକ ଦୃଷ୍ଟିକୋଣରୁ ଓ ଶାସନଗତ ଭାବେ ପରମ୍ପରାକୁ ନଷ୍ଟ କରାଯିବା ଉଚିତ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ONA

Leave a Reply

Top