You are here
Home > ଫ୍ୟୁଚର ପ୍ଲସ୍ > ଡାଲଖାଇ ଗୁରୁବାରୀ ଆରପାରିରେ

ଡାଲଖାଇ ଗୁରୁବାରୀ ଆରପାରିରେ

ବରଗଡ଼,(ଶାନ୍ତନୁ ବିଶ୍ୱାଳ): ତାରୁଣ୍ୟରେ ଡାଲଖାଇ ନୃତ୍ୟରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ବିମୋହିତ କରି ତାଙ୍କ ସହ ନାଚିଥିବା ଗୁରୁବାରୀ ମିର୍ଦ୍ଧା ସବୁଦିନ ପାଇଁ ଆଖି ବୁଜିଛନ୍ତି । ତାଙ୍କ ପରଲୋକରେ ଡାଲଖାଇ ନୃତ୍ୟ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।  ବରଗଡ ଜିଲ୍ଲା ବନପାଲି ବାବାମଠ ଶ୍ମଶାନରେ ଗୁରୁବାରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏଥିସହ ଏକ ଦାରିଦ୍ର୍ୟ, ଦୁଃଖ ଓ ରୋଗ ଯନ୍ତ୍ରଣା ଜର୍ଜରୀତ ଜୀବନର ଅବସାନ ଘଟିଛି ।

ଅବିଭକ୍ତ ସମ୍ବଲପୁର ଜିଲ୍ଲା ତଥା ଏବେକାର ବରଗଡ଼ ଜିଲ୍ଲା ଲରମ୍ଭା ଗାଁରେ ୧୯୪୭ ମସିହାରେ ଜନ୍ମଗ୍ରହଣ କରିଥିଲେ ଗୁରୁବାରୀ ମିର୍ଦ୍ଧା । ଏକ ଗରିବ ଆଦିବାସୀ ‘କୁଡ଼ା’ ପରିବାରରେ ତାଙ୍କର ଜନ୍ମ । ବାପାଙ୍କ ନାଁ ଚିତ୍ରୀ ମିର୍ଦ୍ଧା ଓ ମାଆ ବିଶାଖା । ଆଦୌ ପାଠ ପଢି ନଥିବା ଗୁରୁବାରୀଙ୍କ ପିଲାଟି ଦିନରୁ ନୃତ୍ୟ ପ୍ରତି ଥିଲା ଅହେତୁକ ଆକର୍ଷଣ । ତାଙ୍କୁ ୧୦ ବର୍ଷ ବୟସ ହେବା ବେଳକୁ ସେ ବିଭିନ୍ନ ଉତ୍ସବାନୁଷ୍ଠାନରେ ଡାଲଖାଇ ନୃତ୍ୟ ଦେଖି ଦେଖି ନିଜେ ନାଚିବା ଆରମ୍ଭ କରିଥିଲେ । ବିନା ଗୁରୁରେ ଗୁରୁବାରୀ ଡାଲଖାଇ ନୃତ୍ୟରେ ପଟୁତା ଅର୍ଜନ କରିଥିଲେ । ଆଖପାଖ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଡାଲଖାଇ ନୃତ୍ୟ ପରିବେଷଣ କରୁ କରୁ ସେ ଜଣେ ପ୍ରସିଦ୍ଧ ନୃତ୍ୟ ଶିଳ୍ପୀ ପାଲଟିଗଲେ । ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ଡାଲଖାଇ ନୃତ୍ୟ ପ୍ରତିଯୋଗିତାରେ ମଧ୍ୟ ସେ ଭାଗନେଇ କୃତିତ୍ୱ ଅର୍ଜନ କଲେ । ସେ ସମୟରେ ବିଜୟିନୀ ନର୍ତ୍ତକୀମାନଙ୍କୁ ମୂଲ୍ୟବାନ ଶାଢ଼ି ପୁରସ୍କାର ସ୍ୱରୂପ ଦିଆଯାଉଥିଲା । ଗୁରୁବାରୀ ବିଭିନ୍ନ ପ୍ରତିଯୋଗିତାରେ ବିଜୟ ହାସଲ କରି ସିନ୍ଦୂର ବାହାଲ, ପୋଡ଼ବାଡ଼ି, କୁମେଲସିଂହା, ଗମ୍ଭାରିପାଲି ପ୍ରଭୃତି ଗ୍ରାମରୁ ଅନେକ ଶାଢ଼ି ପୁରସ୍କାର ପାଇଥିଲେ । ଡାଲଖାଇ ପରି ପଶ୍ଚିମ ଓଡ଼ିଶାର ଅନନ୍ୟ ଲୋକନୃତ୍ୟକୁ ଜନପ୍ରିୟ କରିବାରେ ତାଙ୍କର ଅବଦାନ ପ୍ରଶଂସନୀୟ ଥିଲା । ସେ ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର, ବୁର୍ଲା, ରାଜଧାନୀ ଭୁବନେଶ୍ୱର ପରି ବଡ଼ ବଡ଼ ସହରରେ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କ ପ୍ରଶଂସା ଲାଭ କଲେ ।

୧୯୬୮ ମସିହାରେ ସେ ଦିଲ୍ଲୀକୁ ଡାଲଖାଇ ନୃତ୍ୟ ପରିବେଷଣ କରିବାକୁ ଯାଇଥିଲେ । ସେତେବେଳେ ଗୁରୁବାରୀଙ୍କ ବୟସ ମାତ୍ର ୧୬ । ପ୍ରଥମ କରି ଦିଲ୍ଲୀ ଯାଇଥିବାରୁ ସେ କିଛିଟା ନର୍ଭସ ଥିଲେ । ମଞ୍ଚରେ ଗୁରୁବାରୀ ନୃତ୍ୟ ପରିବେଷଣ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ନୃତ୍ୟରେ ବିମୋହିତ ହୋଇଯାଇଥିଲେ । ପାଦ ତାଙ୍କର ଅମାନିଆ ହୋଇଥିଲା । ଆଉ ମଞ୍ଚକୁ ଆସି ଗୁରୁବାରୀଙ୍କ ହାତ ଧରି ଇନ୍ଦିରା ଗାନ୍ଧି ନାଚିବା ପରେ ଗୁରୁବାରୀ ବେଶ ଚର୍ଚ୍ଚିତ ହୋଇପଡିଥିଲେ । ଏହାପରେ ତାଙ୍କ ସହ ସ୍ମୃତିକୁ ସାଇତି ରଖିବା ପାଇଁ ଗୁରୁବାରୀ ଓ ଅନ୍ୟ ଡାଲଖାଇ କଳାକାରମାନେ କିଛି ଫଟୋ ଉଠାଇଥିଲେ । ଗୁରୁବାରୀ ଦୂରଦର୍ଶନର  ଜଣେ ନିୟମିତ କଳାକାର ଥିଲେ । ନିଜର ଉଚ୍ଚକୋଟୀର ନୃତ୍ୟ ପରିବେଷଣ ପାଇଁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ଆଦିବାସା ଭାଷା ସଂସ୍କୃତି ଏକାଡେମୀ, ସମ୍ବଲପୁର ଲୋକ ମହୋତ୍ସବ, ମଠଖାଇ ମହୋତ୍ସବ, ବଲାଙ୍ଗୀର ଆଦିରେ ସେ ସମ୍ମାନିତ ହୋଇଛନ୍ତି । ବିଜେପୁର ପାଖ ଏମ୍.ଗଣ୍ଡପାଲି ଗ୍ରାମର ତାଙ୍କ ମାମୁ ଝିଅଙ୍କୁ ବାହା ହୋଇଥିବା ହର୍ଷ ମିର୍ଦ୍ଧା ଘର ଜ୍ୱାଇଁ ହୋଇ ରହୁଥିବା ବେଳେ ଗୁରୁବାରୀ ତାଙ୍କ ସାଙ୍ଗରେ ବିଭିନ୍ନ ଜାଗାକୁ ଡାଲଖାଇ ନାଚିବାକୁ ଯାଉଥିଲେ । ହର୍ଷ ମିର୍ଦ୍ଧାଙ୍କ ସ୍ତ୍ରୀଙ୍କର ବିୟୋଗ ପରେ ଗୁରୁବାରୀ ୨୫ ବର୍ଷ ବୟସରେ ତାଙ୍କୁ ଜୀବନସାଥୀ ରୂପେ ବାଛି ନେଇଥିଲେ । ପତ୍ନୀଙ୍କ ଦେହାନ୍ତ ପରେ ହର୍ଷ ଗୁରୁବାରୀଙ୍କୁ ସାଙ୍ଗରେ ନିଜ ପୈତୃକ ଗ୍ରାମ ଏମ୍.ଗଣ୍ଡପାଲିକୁ ଫେରି ଯାଇଥିଲେ । ସେହି ଦିନରୁ ଗୁରୁବାରୀ ହର୍ଷ ମିର୍ଦ୍ଧାଙ୍କ ସହ ସେଠାରେ ରହି ଆସୁଥିଲେ । ନିଜ ୪୦ ବର୍ଷର ନୃତ୍ୟ କ୍ୟାରିଅରରେ ନାନା ପୁରସ୍କାର ଓ ସମ୍ବର୍ଦ୍ଧନା ପାଇଥିବା ଗୁରୁବାରୀଙ୍କ ଶେଷ ଜୀବନ ଥିଲା ଖୁବ ଦୁଃଖମୟ । ଅଭାବ, ଅନଟନରେ କଟିଥିଲା ତାଙ୍କର ଶେଷ ଜୀବନ । ସ୍ୱାମୀ ହର୍ଷଙ୍କ ଗୋଡ ଖରାପ ହେବାରୁ ସେ ଆଉ କାମଧନ୍ଦାକୁ ଯାଇପାରିଲେନାହିଁ । ଫଳରେ ନାନା ଅଭାବଅସୁବିଧା ମଧ୍ୟରେ ଗୁରୁବାରୀ ଜୀବନ କାଟୁଥିଲେ । ଆଉ ଗତ ୧୯ ତାରିଖରେ ସବୁ ଦିନ ପାଇଁ ମୃତ୍ୟୁର କୋଳରେ ଶୋଇଯାଇଛନ୍ତି ଗୁରୁବାରୀ ।

ONA

Leave a Reply

Top