You are here
Home > Breaking News > ଦଳ ଛାଡିବେ ଦିଲ୍ଲୀପ

ଦଳ ଛାଡିବେ ଦିଲ୍ଲୀପ

ଭୁବନେଶ୍ୱର,୧୦.୬.୨୦୧୮: ବିଜେପିର ବରିଷ୍ଠ ନେତା ଦିଲ୍ଲୀପ ରାୟ ଦଳ ଛାଡ଼ିବେ ଏକଥା କ୍ରମେ ସ୍ପଷ୍ଟ ହେଲାଣି । ସେ ଯେକୌଣସି ମୁହୂର୍ତ୍ତରେ ବିଜେପି ଛାଡ଼ି ଅନ୍ୟ ଦଳରେ ଯୋଗଦେବା ନେଇ ଆଲୋଚନା ଆରମ୍ଭ ହୋଇଛି । ରାଉରକେଲାରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ଏବଂ ଆଇଜିଏଚ୍ ମେଡିକାଲକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ୍ ମାନ୍ୟତା ପ୍ରସଙ୍ଗରେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଦିଲ୍ଲୀପଙ୍କ ମତ ପାର୍ଥକ୍ୟ ସୃଷ୍ଟି ହୋଇଛି । ଏହା ଏବେ ଚରମ ସୀମାରେ ପହଞ୍ଚିଛି । ଦିଲ୍ଲୀପଙ୍କ ମନ୍ତବ୍ୟରୁ ସେ ଆଉ ବିଜେପି ସହ ରହିବାକୁ ଚାହୁଁନଥିବା ଆଉ ଅବୁଝା ରହୁନାହିଁ । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ବିଳମ୍ବ ପ୍ରସଙ୍ଗରେ ପୂର୍ବରୁ ଦିଲ୍ଲୀପ ଏକାଧିକ ବାର ନିଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିବା ସହ ବିବାଦ ଭିତରକୁ ଟାଣିଥିଲେ । ନିକଟରେ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ଆଇଜିଏଚ୍ରେ ଡାକ୍ତର ନିଯୁକ୍ତି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ୧୦ କୋଟି ଟଙ୍କା ଅନୁଦାନ ଘୋଷଣା କରିବା ବେଳେ ଦିଲ୍ଲୀପ ଏହାକୁ ନେଇ ସନ୍ଦେହ ପ୍ରକାଶ କରିବା ସହ ଯେଉଁ ମନ୍ତବ୍ୟ ରଖିଲେ ସେଥିରେ ସିଧାସଳଖ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କୁ ଟାର୍ଗେଟ କଲେ । ଏପରିକି ଆଗାମୀ ନିର୍ବାଚନରେ ରାଉରକେଲା ବାସୀ ଜବାବ ଦେବେ ବୋଲି ଦିଲ୍ଲୀପ କହିଛନ୍ତି । ନିଜ ଦଳକୁ ଏଭଳି ଚେତାବନୀ ଦେବା ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କୁ ସେ ମାଟି ପାଇଁ ନୁହେଁ ପାର୍ଟି ପାଇଁ କାମ କରୁଛନ୍ତି ବୋଲି ଆକ୍ଷେପ କରି ଦିଲ୍ଲୀପ ତାଙ୍କ ମନୋଭାବ ଜଣାଇ ଦେଇଛନ୍ତି ବୋଲି ଆଲୋଚନା ହେଉଛି । ସେ ବିଜେପି ବିରୋଧରେ ଏକପ୍ରକାର ବିଦ୍ରୋହ ଘୋଷଣା କରିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଦୀର୍ଘ ଦିନ ହେଲା ଦିଲ୍ଲୀପ ଦଳ ଛାଡ଼ିବା ନେଇ ବିଭିନ୍ନ ପର୍ଯ୍ୟାୟରେ ସୂଚନା ଦେଇ ଚାଲିଛନ୍ତି । ହେଲେ ତାଙ୍କୁ ଦଳରେ ରଖିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବହୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିଲେ ନାହିଁ । ଗୋଟିଏ ପରେ ଗୋଟିଏ ଘଟଣାରେ ଦଳ ବିରୋଧୀ କାର୍ଯ୍ୟ କରି ସେ ତାଙ୍କ ମନୋଭାବ ଜଣାଇବାରେ ଲାଗିଛନ୍ତି ।
ଆଇଜିଏଚ୍ ପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ଯେଉଁ ୧୦ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି ତାହା ଜୁଏଲ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକାରୀ ହେବ ବୋଲି ଜଣାଇବା ପରେ ଏହାକୁ ନେଇ ବିଧାୟକ ଦିଲ୍ଲୀପ କ୍ଷୁବ୍ଧ ହୋଇଛନ୍ତି । ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର ଏଯାଏଁ କାର୍ଯ୍ୟକାରୀ କରିନଥିବା ବେଳେ ଏବେ ଦିଲ୍ଲୀପ ଆଇଜିଏଚ୍ କାର୍ଯ୍ୟକ୍ରମ ନେଇ ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି । ସେ କହିଛନ୍ତି ରାଉରକେଲାବାସୀ ଆଉ କେନ୍ଦ୍ର ସରକାରଙ୍କ କଥା ଉପରେ ବିଶ୍ୱାସ କରିବା ସ୍ଥିତିରେ ନାହାନ୍ତି । ଯେପର୍ଯ୍ୟନ୍ତ କାମ ଆରମ୍ଭ ହେବା ନଦେଖିଛନ୍ତି ଓ କାମ ନହୋଇଛି ସେପର୍ଯ୍ୟନ୍ତ ବିଶ୍ୱାସକୁ ନେବେ ନାହିଁ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପରେ କେବଳ ସେ ନୁହନ୍ତି ସମସ୍ତ ରାଉରକେଲାବାସୀ ଅସନ୍ତୁଷ୍ଟ ଅଛନ୍ତି । ଏପରିକି ଦିଲ୍ଲୀପ ନିଜ ଦଳକୁ ଚେତାଇ ଦେଇଛନ୍ତି ଯେ ଯଦି ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ରାଉରକେଲାବାସୀଙ୍କୁ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍ ହସ୍ପିଟାଲକୁ ସୁପରସ୍ପେଶାଲିଷ୍ଟ ହସପିଟାଲରେ ପରିଣତ କରିବା ନେଇ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରନ୍ତି ତେବେ ଏହାର ଜବାବ ଲୋକେ ନିର୍ବାଚନରେ ହିଁ ଦେବେ । କେବଳ ଏତିକି ନୁହେଁ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କୁ ମଧ୍ୟ ଆକ୍ଷେପ କରିବାକୁ ସେ ପଛଘୁଞ୍ଚା ଦେଇନାହାନ୍ତି । ଜୁଏଲ୍ଙ୍କ ନାଁ ନ ନେଇ ଦିଲ୍ଲୀପ କହିଛନ୍ତି, କିଛି ଲୋକ ଅଛନ୍ତି ଯେଉଁମାନେ ମାଟି ପାଇଁ ନୁହେଁ, ପାର୍ଟି ପାଇଁ କାମ କରୁଛନ୍ତି । କିନ୍ତୁ ମୁଁ ସବୁବେଳେ ମାଟି ସହିତ ଅଛି ଓ ମାଟି ପାଇଁ କାମ କରିବି ବୋଲି ଦିଲ୍ଲୀପ କହିଛନ୍ତି । ଏଥିରୁ ଦିଲ୍ଲୀପଙ୍କ ଆଭିମୁଖ୍ୟ କ’ଣ ତାହା ଆଉ ବୁଝିବାକୁ ବାକି ନାହିଁ ।
ଅନ୍ୟପଟରେ ଦିଲ୍ଲୀପଙ୍କ ନାଁ ନନେଇ ଜୁଏଲ୍ ତାଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି । ଦିଲ୍ଲୀପଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ବ୍ରାହ୍ମଣୀ ସେତୁ ପ୍ରସଙ୍ଗକୁ କିଛି ଲୋକ ଅଧିକ ସ୍ପର୍ଶକାତର କରିଛନ୍ତି । ଏହାକୁ ନେଇ ରାଜନୀତିକରଣ କରି ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି । ବ୍ରାହ୍ମଣୀ ସେତୁ ପାଇଁ ଯାହା କାର୍ଯ୍ୟ କରିବାର ଅଛି ତାହା କେନ୍ଦ୍ର ସରକାର ମଞ୍ଜୁର କରି ସାରିଛନ୍ତି ଓ ପଦକ୍ଷେପ ନେଇସାରିଛନ୍ତି । ସେତୁ ପାଇଁ ଆବଶ୍ୟକ ଆପ୍ରୋଚ୍ ରୋଡ୍ ରାଜ୍ୟ ସରକାର କରିବା କଥା । ଆଉ ଯଦି ରାଜ୍ୟ ସରକାର ଏହି ଆପ୍ରୋଚ୍ ରୋଡ ନକରନ୍ତି ତେବେ ଆମେ ଧାରଣା ଦେବୁ ଏବଂ କହିବୁ ରାଜ୍ୟ ସରକାର କାମ କରାଇ ଦେଉନାହାନ୍ତି । କିନ୍ତୁ ଏହି ଘଟଣାରେ ଜୁଏଲଙ୍କ ସହ ସହମତ ନହୋଇ ଦିଲ୍ଲୀପ ରାଜ୍ୟ ସରକାରଙ୍କ ବଦଳରେ କେନ୍ଦ୍ର ସରକାରଙ୍କୁ ପାଲଟା ଆକ୍ଷେପ କରିଛନ୍ତି । ଆମ ନିଜ ଦଳର ସରକାର ଯେତେବେଳେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ଫେଲ୍ ମାରୁଛନ୍ତି ସେ କ୍ଷେତ୍ରରେ ଅନ୍ୟ କାହାକୁ ଦୋଷ ଦେବାକୁ ମୁଁ ଚାହୁଁନାହିଁ ବୋଲି ସେ କହିଛନ୍ତି ।
ଦିଲ୍ଲୀପ ଆଗରୁ ଦଳ ସହ ଯୋଡ଼ି ହୋଇ ରହିଥିଲେ । କିନ୍ତୁ ସେ ଅତୀତରେ କୋଇଲା ମନ୍ତ୍ରୀ ଥିଲାବେଳେ ହୋଇଥିବା କୋଲ ବ୍ଲକ ଆବଣ୍ଟନ ଦୁର୍ନୀତି ନେଇ ସିବିଆଇ ତାଙ୍କ ନାଁରେ ମାମଲା ରୁଜୁ କରିବା ଓ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବା ପରେ ସେ ଅସନ୍ତୁଷ୍ଟ ହୋଇଛନ୍ତି । ସେବେଠାରୁ ସେ ବିଜେପିରୁ କ୍ରମେ ଦୂରେଇବା ପାଇଁ ଲାଗିଛନ୍ତି । ଦଳର ଅନ୍ୟତମ ବିଦ୍ରୋହୀ ନେତା ବିଜୟ ମହାପାତ୍ରଙ୍କ ସହ ସାମିଲ ହୋଇ ବିରୋଧାତ୍ମକ ମତ ଦେଇ ଚାଲିଛନ୍ତି । ବିଜୟଙ୍କଠାରୁ ଦିଲ୍ଲୀପଙ୍କୁ ଅଲଗା କରି ତାଙ୍କୁ ଦଳର ମୁଖ୍ୟସ୍ରୋତରେ ସାମିଲ କରି ରଖିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବହୁ ଉଦ୍ୟମ କରିଥିଲେ । ଦିଲ୍ଲୀପଙ୍କୁ ଡାକି ତାଙ୍କ ସହ ଆଲୋଚନା କରି ଏବଂ ମଧ୍ୟାହ୍ନଭୋଜନରେ ଆପ୍ୟାୟିତ କରି ଯେତେ ନିଜର କରିବାକୁ ଉଦ୍ୟମ କରିଥଲେ ମଧ୍ୟ ସଫଳ ହୋଇନାହିଁ । କୁହାଯାଉଛି ଦିଲ୍ଳୀପ ଦଳ ଛାଡ଼ିବା ପାଇଁ ମନସ୍ତ କରିସାରିଥିବାରୁ ତାଙ୍କୁ ବର୍ତ୍ତମାନ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍ ହସ୍ପିଟାଲ ଏକ ଭଲ ପ୍ରସଙ୍ଗ ମିଳିବ । ଯାହାକୁ ଦର୍ଶାଇ ସେ ଏବେ ଦଳକୁ ବିବାଦର କାଠଗଡ଼ାକୁ ଟାଣିବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ଆରମ୍ଭ କି ଅନ୍ୟ କେନ୍ଦ୍ର ମନ୍ତ୍ରୀମାନେ ଯାହା ପ୍ରତିଶ୍ରୁତି ଦିଅନ୍ତି ତାହା କାର୍ଯ୍ୟକାରୀ କରନ୍ତି ନାହିଁ । ଏପରିକି ନିଜ ଦଳକୁ ମିଛୁଆ କହିବା ପାଇଁ ମଧ୍ୟ ଦିଲ୍ଲୀପ କୁଣ୍ଠା ପ୍ରକାଶ କଲେ ନାହିଁ ।
ମହାନଦୀ ମହା ବିବାଦ ନେଇ ବିଜେଡି ପକ୍ଷରୁ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଉଥିଲା ବେଳେ ଦିଲ୍ଲୀପ ନିଜ ବଦଳରେ ବିରୋଧୀଙ୍କ ହାତ ମିଳାଇଥିଲେ । କେନ୍ଦ୍ର ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ହିସାବ ଦେବା ପାଇଁ ନିକଟରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର କଟକ ସହରକୁ ଆସିଥିଲାବେଳେ ସେହି କାର୍ଯ୍ୟକ୍ରମରେ ଦିଲ୍ଲୀପ ସାମିଲ ହୋଇନଥିଲେ । ଏପରିକି ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ଏବଂ ଦଳ ପକ୍ଷରୁ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମରେ ବିଭିନ୍ନ ଆଳ ଦେଇ ଦିଲ୍ଲୀପ ଦୂରେଇ ରହୁଛନ୍ତି ି । ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ମଧ୍ୟ ଯୋଗ ଦେଇନାହାନ୍ତି । ଏବେ କିଛି ଦିନ ହେଲା ସେ ତାଙ୍କର ଦଳ ବିରୋଧୀ ଆଭିମୁଖ୍ୟକୁ ଅଧିକ କରିଛନ୍ତି । ଏଣୁ ଦିଲ୍ଲୀପ ଯେ ଖୁବଶୀଘ୍ର ଦଳ ଛାଡ଼ିବେ ଏକଥା ଏବେ ଜୋରଦାର ଚର୍ଚ୍ଚା ଚାଲିଛି ।

ONA

Leave a Reply

Top