You are here
Home > ଏକ୍ସକ୍ଲୁସିଭ୍ > ଦେହ ହାତ ମନ ଶଙ୍ଖ

ଦେହ ହାତ ମନ ଶଙ୍ଖ

ଭୁବନେଶ୍ୱର : ହାତ ଛାଡି ଶଙ୍ଖ ଫୁଙ୍କିବା ତାଲିକାରେ ଅଛନ୍ତି ଆଉ କିଛି ବଡବଡିଆ କଂଗ୍ରେସିଆ, ଏକଥା ଚନ୍ଦ୍ରଶେଖର ସାହୁଙ୍କ ବିଜେଡିରେ ମିଶିବା ସ୍ପଷ୍ଟ କରୁଛି । ଦକ୍ଷିଣ ପରେ ଏବେ ପଶ୍ଚିମର ପାଳି । ଅବଶ୍ୟ ଫରକ ଏତିକି ଚନ୍ଦ୍ରଶେଖର, ବିକ୍ରମ ପଣ୍ଡା, ଭଗବାନ ଗନ୍ତାୟତଙ୍କୁ ନେବାକୁ ବିଜେଡି ସୁପ୍ରିମୋ ଚାହୁଁଥିଲେ । କିନ୍ତୁ ସୁନ୍ଦରଗଡ-ଝାରସୁଗୁଡା ଜିଲ୍ଲାର କେତେକ କଂଗ୍ରେସ ବିଧାୟକ ପ୍ରସାଦ ହରିଚନ୍ଦନଙ୍କୁ ପାନେ ଦେବାକୁ ବିଜେଡିରେ ମିଶିବାକୁ ଚାହୁଁଛନ୍ତି । ଅବଶ୍ୟ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ବିଧାୟକଙ୍କ ସହ ବିଜେଡିର ପାୱାର ବ୍ରୋକରଙ୍କ ମଧୁର ସମ୍ପର୍କ । କିନ୍ତୁ ସେହି ବିଧାୟକଙ୍କ ଟ୍ରାକ ରେକର୍ଡ ଏତେ ଖରାପ ଯେ ଗୁଇନ୍ଦା ବିଭାଗ ରିପୋର୍ଟ ନେଗଟିଭ୍ ହେଉଛି । ଯେଉଁଥିପାଇଁ ସେମାନଙ୍କୁ ବିଜେଡିରେ ମିଶିବାକୁ ଗ୍ରୀନ୍ ସିଗନାଲ ମିଳୁନାହିଁ । ତେବେ ସେହି ରେଡ୍ ସିଗନାଲକୁ ଗ୍ରୀନ୍ କରିବା ଲାଗି ଲାଗି ପଡିଛନ୍ତି ଝାରସୁଗୁଡା କଂଗ୍ରେସ ବିଧାୟକ ନବ କିଶୋର ଦାସ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କୁ ଇମ୍ପ୍ରେସ କରିବାକୁ କଳବଳ ଲଗାଇଛନ୍ତି । ଆଉ ନବଙ୍କୁ ସାହାଯ୍ୟ ସହଯୋଗ ମିଳୁଛି ବାରବାଟୀ ବିଧାୟକ ଦେବାଶିଷ ସାମାନ୍ତରାୟଙ୍କ ଠାରୁ ବୋଲି ଶୁଣିବାକୁ ମିଳୁଛି ।

ନିର୍ବାଚନ ଆସିଲେ କଂଗ୍ରେସକୁ ଛି କରିବା ପର୍ବ ଆରମ୍ଭ ହୋଇଯାଏ । ଭୁପିନ୍ଦର ସିଂହ ହୁଅନ୍ତୁ ଅବା ଅନୁପ ସାଏ । କ୍ଷମତା ଲାଳସାରେ ନିଜର ଆଦର୍ଶକୁ ବନ୍ଧା ପକାଇ ନବୀନଙ୍କ ଗୁଣଗାନ କରିଛନ୍ତି ।
ଏବେ ଏବେ ଗଞ୍ଜାମ ହାତକୁ ଫ୍ରାକ୍ଚର କରି ଶଙ୍ଖ ନାଦ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ଆଣ୍ଡ କମ୍ପାନି । ତାଙ୍କ ପରେ ପିସିସି ସଭାପତି ନିଶା ଛାଡ଼ି ପଶ୍ଚିମଓଡ଼ିଶା କୋଟାରେ ମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖିଲେଣି ନବ ବାବୁ ।
କଂଗ୍ରେସକୁ ଇବ୍ ନଦୀରେ ବୁଡ଼ାଇ ବିଜେଡି ମୁହାଁ ହେଲେଣି । ତେବେ ନବ ବିଜେଡିର କଳେବରକୁ ବଢ଼ାଇବେ ନା ତାଙ୍କ ଆସିବା କ୍ଷଣି ଝାରସୁଗୁଡ଼ା ଶଙ୍ଖ ଦି’ଫାଳ ହେବ ତାକୁ ନେଇ ଚର୍ଚ୍ଚା…

ବିଜୁ ଏକ୍ସପ୍ରେସ ୱେର ଉଦଘାଟନୀ ଉତ୍ସବରେ ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ନବ । ବିଲେଇ କପାଳକୁ ଶିକା ଛିଡିବା ପରି ଏପ୍ରିଲ୧୫’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଝାରସୁଗୁଡା ଗସ୍ତ କାର୍ଯ୍ୟକ୍ରମ ରହିଛି । ୧୧୭ କେଟି ୯୦ଲକ୍ଷ ଟଙ୍କା ବ୍ୟୟରେ ଇବ ନଦୀରେ ନିର୍ମିତ ରମ୍ପେଲା ସେତୁର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ସଭା କିପରି ସଫଳ ହେବ ସେ ଚିନ୍ତା ଘାରିଛି କଂଗ୍ରେସିଆ ନବଙ୍କୁ । ଯଦିଓ ରମ୍ପେଲା ସେତୁର କିଛି ବି ସମ୍ପର୍କ ନାହିଁ ନବ ଦାସଙ୍କ ବିଧାନସଭା କ୍ଷେତ୍ର ଝାରସୁଗୁଡା ସହିତ, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସଭା ଲାଗି ଲୋକ ଯୋଗଡରେ ସେ ମାତିଛନ୍ତି ବୋଲି ଶୁଣିବାକୁ ମିଳିଛ । ଉଦ୍ଦେଶ୍ୟ ହେଉଛି ବିଜେଡିରେ ଜଏନ କରିବା ଲାଗି ସେ କେତେ ଲୋକପ୍ରିୟ ତାହା ନବୀନ ପଟ୍ଟନାୟକଙ୍କୁ ଦେଖାଇବେ । ନବ ଦାସଙ୍କୁ ତାଙ୍କ ପୁରୁଣା କଂଗ୍ରେସ ସହଯୋଗୀଙ୍କର ସହାୟତା ମିଳୁଛି । ଏହାସହ ବିଜେଡି ବିଧାୟକ ରମେଶ ପଟୁଆ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀ ରେଙ୍ଗାଲିରେ ନବ ଦାସଙ୍କ ସହ ବୁଲାବୁଲି କରି ନବୀନଙ୍କ ସଭା ଲାଗି ଜନସମର୍ଥନ ଯୋଗାଡ କରୁଛନ୍ତି । ଏହାସହ କଂଗ୍ରେସ ଛାଡି ବିଜେଡିରେ ମିଶି ରେଢାଖୋଲରୁ ପ୍ରତିନିଧିତ୍ୱ କରୁଥିବା ବିଧାୟକ ରୋହିତ ପୂଜାରୀଙ୍କ ସହ ଗୁପ୍ତ ବୈଠକ କରୁଛନ୍ତି ନବ ବୋଲି ଖବର ମିଳିଛି । ସେହିପରି କଂଗ୍ରେସର ଦିବଙ୍ଗତ ନେତା ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ଭଉଣୀ ତଥା ସମ୍ବଲପୁର ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀଙ୍କ ସହ ଆଲୋଚନା କରିଛନ୍ତି ନବ ।
ରମ୍ପେଲା ସେତୁ ବ୍ରଜରାଜ ନଗରରୁ ସମ୍ବଲପୁରର ମଧ୍ୟରେ ଦୂରତା କମାଇବ । ହେଲେ ଏହି ସେତୁ ଉଦଘାଟନ ପର୍ବ କୁଆଡେ ଜିଲ୍ଲା ବିଜେଡିର ସମ୍ପର୍କରେ ଫାଟ କରିବ ବୋଲି ଚର୍ଚ୍ଚା ଚାଲିଲାଣି । କାହିଁକି ନା ପୋଲ ଉଦଘାଟନ ଉତ୍ସବରେ ନିଜ ନିଜ କର୍ମୀ ଓ ଲୋକଙ୍କୁ ଯୋଡି ସଫଳତାର ଶ୍ରେୟ ନେବାକୁ ଚାହୁଁଥିଲେ ବିଜେଡି ନେତାଏ । ଏମିତିକି ବ୍ରଜରାଜ ନଗରର ନେତା ଅନୁପ ସାଏ ରମ୍ପେଲା ସେତୁ ନିକଟରେ ନିଜ କର୍ମୀ ଓ ସମର୍ଥକକୁ ଏକାଠି କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ଲାଗି ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି । ତାଙ୍କ ସହ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଟିକେଶ୍ୱର ସେନାପତି, ନଳିନୀ ସିଂହ, ଠଣ ସୁନ୍ଦର ସାହୁ ପ୍ରମୁଖ ଶତାଧିକ କର୍ମୀ ଏକାଠି ହୋଇଥିଲେ । ହେଲେ ଏବେ ସେମାନଙ୍କ ମନ କୁଆଡେ ଭାଙ୍ଗି ଯାଇଛି ବୋଲି କୁହାଯାଉଛି । ନବ ଏହି ସଭା ଲାଗି ଲୋକ ଯୋଗାଡ କରୁଥିବାରୁ ଜିଲ୍ଲାର ବିଜେଡି ନେତା ଓ କର୍ମୀଙ୍କ ମନରେ ହରସ ନଥିବା କଥା ଚର୍ଚ୍ଚା ଚାଲିଛି । ପୋଲ ଯୋଗୁ ସରକାର ଓ ବିଜେଡି ଯେତିକି ଫାଇଦା ନେବା କଥା ସେଥିରେ କୁଆଡେ ନବ ଦାସ ଅନ୍ତରାୟ ହେଉଥିବା ଦଳୀୟ କର୍ମୀଙ୍କ ଭିତରେ ଆଲୋଚନା ହେଉଛି । ତେବେ ବିଜେପୁର ଉପନିର୍ବାଚନରେ ବିଜେପିକୁ ଜିତାଇବା ଲାଗି ରିପୁନାଥ ସେଠ୍ଙ୍କୁ କଂଗ୍ରେସର ପ୍ରାର୍ଥୀ କରିବାକୁ ଲାଗିଥିବା ଖବର ନବ ବାବୁଙ୍କ ଲାଗି ଅଡୁଆ ହେଉଛି । ହେଲେ ନବଙ୍କ ସହ ବିଜିନେସ୍ ସମ୍ପର୍କ ରଖିଥିବା କିଛି ସରକାରୀ ବାବୁ ଏବଂ ବିଜେଡି ନେତା ଝାରସୁଗୁଡା ବିଧାୟକଙ୍କୁ ବିଜେଡିରେ ନେବାକୁ ଚାହୁଁଛନ୍ତି । ସେଥିଲାଗି ସିଏମଙ୍କ ସଭା ସଫଳ ଭାବେ କରିବାକୁ ନବଙ୍କୁ ପରାମର୍ଶ ଦେଇଛନ୍ତି ।

ONA

Leave a Reply

Top