You are here
Home > Breaking News > ଚାବି ରାଜନୀତି

ଚାବି ରାଜନୀତି

ଭୁବନେଶ୍ୱର,୧୦.୬.୨୦୧୮: ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି କୁଆଡେ ଗଲା? ବାସ୍ତବରେ କାହା ପାଖରେ ଥିଲା ଚାବି ? ଶେଷଥର ଲାଗି ଚାବି କିଏ ଆଣିଥିଲେ ? ଆଉ ଚାବି ଫେରିଥିଲା ନା ନାହିଁ ? ଯଦି ହଜିଛି ତେବେ କେଉଁ ପରିସ୍ଥିତିରେ? ଏହା ପଛରେ ଦାୟୀ କିଏ? ଏମିତି ଅନେକ ଅସମାହିତ ପ୍ରଶ୍ନ ଏବେ ସାରା ରାଜ୍ୟରେ କୋଟି କୋଟି ଓଡିଆଙ୍କ ମନରେ ଉଙ୍କି ମାରୁଛି । ଆଉ ଏହା ପଛକୁ ଆଉ ଏକ ସନ୍ଦେହ ଆସୁଛି ଯେ, ମହାପ୍ରଭୁଙ୍କ ରତ୍ନ ଭଣ୍ଡାରରେ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି ନା ନାହିଁ? ଆଉ ଗତ ଏପ୍ରିଲ ୪ ତାରିଖ ଦିନ ରତ୍ନଭଣ୍ଡାର ଯାଞ୍ଚ ସମୟରେ ଚାବି ନ ମିଳିବା ନେଇ କାହିଁକି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସରକାର ଓ ଜିଲ୍ଲା ପ୍ରଶାସନ ଲୁଚାଇଥିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ସରକାର ଏନେଇ ବିଚାର ବିଭାଗୀୟ ତଦନ୍ତ କମିଶନ ବସାଇଛନ୍ତି । ତିନି ମାସ ଭିତରେ କମିଶନ କ’ଣ ରିପୋର୍ଟ ତେବେ ତାହା ତ ଭିନ୍ନ କଥା । ହେଲେ ଗଜପତି ମହାରାଜ ଦିବ୍ୟ ସିଂ ଦେବଙ୍କ ପ୍ରତିକ୍ରିୟା ଏହି ପ୍ରସଙ୍ଗକୁ ଆହୁରି ବିବାଦୀୟ କରିଦେଇଛି । ସେ କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିବାରେ ଗଜପତି ତାଙ୍କର କୌଣସି ଭୂମିକା ନାହିଁ । ୧୯୬୦ ମସିହାରୁ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଏବଂ ତତ୍ସଂକ୍ରାନ୍ତ ଶ୍ରୀଜଗନ୍ନାଥ ମନ୍ଦିର ରୁଲ୍ସ ୧୯୬୦ କାର୍ଯ୍ୟକାରୀ ହେବା ପରଠାରୁ ଶ୍ରୀଜଗନ୍ନାଥ ମନ୍ଦିରର ସମସ୍ତ ପ୍ରଶାସନିକ ଦାୟିତ୍ୱ ଓଡ଼ିଶା ସରକାରଙ୍କ ହାତକୁ ଚାଲିଯାଇଛି । ଗଜପତିଙ୍କ ପାଖରେ ବାହାର ଭଣ୍ଡାରର କେବଳ ଗୋଟିଏ ଚାବି ରହୁଛି । କୌଣସି ପରିସ୍ଥିତିରେ ଭିତର ଭଣ୍ଡାରର ଚାବି ରଖିବା କିମ୍ବା ଏହାର ଦାୟିତ୍ୱ ନେବାରେ ଗଜପତିଙ୍କ ଭୂମିକା ନାହିଁ ବୋଲି ନିଜେ ଗଜପତି ଦିବ୍ୟସିଂହ ଲିଖିତ ମନ୍ତବ୍ୟ ଦେଇଛନ୍ତି । ୧୯୬୦ ରୁଲ୍ସର ନିର୍ଦ୍ଦେଶମତେ ଭିତର ରତ୍ନଭଣ୍ଡାରର ତାଲା ବନ୍ଦ ହେବା ପରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉକ୍ତ ଚାବି ସରକାରୀ ଟ୍ରେଜରୀରେ ଦାଖଲ କରିଥାନ୍ତି । ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ନେବା ଦିନଠାରୁ ଭିତର ରତ୍ନଭଣ୍ଡାରର ଚାବି ରକ୍ଷଣାବେକ୍ଷଣ ଦାୟିତ୍ୱ ଗଜପତି ମହାରାଜାଙ୍କୁ କୌଣସି ସମୟରେ ପ୍ରଦାନ କରାଯାଇନାହିଁ । ୧୯୬୦ ମସିହା ପରେ ସ୍ୱଳ୍ପ ସମୟ ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇଛି । ଏହା ଶ୍ରୀମନ୍ଦିର ପ୍ରଶାସକ ଏବଂ ୨୦୦୪ ମସିହାଠାରୁ ଶ୍ରୀମନ୍ଦିର ପରିଚାଳନା କମିଟିର ଉପାଧ୍ୟକ୍ଷ ଥିବା ଜିଲ୍ଲାପାଳଙ୍କ
ତତ୍ତ୍ୱାବଧାନରେ ହୋଇଥାଏ ଏବଂ ସେମାନଙ୍କ ଦାୟିତ୍ୱରେ ଚାବି ରହିଥାଏ । ବାହାର ରତ୍ନଭଣ୍ଡାରର ୩ଟି ଚାବି ରହିଛି । ଯାହା ଗଜପତି, ଶ୍ରୀମନ୍ଦିର ପ୍ରଶାସକ ଏବଂ ଶ୍ରୀମନ୍ଦିରର ଭଣ୍ଡାର ମେକାପଙ୍କ ତତ୍ତ୍ୱାବଧାନରେ ରହିଥାଏ । ୧୯୬୦ ପରଠାରୁ ଗଜପତିଙ୍କ ପାଖରେ ବାହାର ରତ୍ନଭଣ୍ଡାର ଘରର ଗୋଟିଏ ଚାବି ରହୁଛି । ଯେତେବେଳେ ବାହାର ଭଣ୍ଡାର ଘର ଖୋଲାଯାଏ ଶ୍ରୀମନ୍ଦିର ପ୍ରଶାସନର ଆବଶ୍ୟକମତେ ଶ୍ରୀନଅରର ଜଣେ ପ୍ରତିନିଧି ଉକ୍ତ ଚାବି ନେଇ ତାଲା ଖୋଲିଥାନ୍ତି । ବାହାର ଭଣ୍ଡାରରେ ପଡିଥିବା ୩ଟି ତାଲାର ଚାବି ମଧ୍ୟରୁ ଗଜପତିଙ୍କ ନିକଟରେ ଗୋଟିଏ ଚାବି ରହୁଥିବାବେଳେ ଅନ୍ୟ ଦୁଇଟି ଚାବି ଶ୍ରୀମନ୍ଦିର ପ୍ରଶାସକ ଓ ଭଣ୍ଡାର ମେକାପଙ୍କ ନିକଟରେ ରହିଥାଏ । ଏହି ତିନି ପ୍ରତିନିଧି ଏକାଠି ହେଲେ ବାହାର ଭଣ୍ଡାର ଘର ଖୋଲାଯାଇଥାଏ । ୧୯୬୦ ପୂର୍ବରୁ ଗଜପତି ରାଜା ସୁପରିନ୍ଟେଣ୍ଡେଣ୍ଟ୍ ହିସାବରେ ଶ୍ରୀମନ୍ଦିରର ପରିଚାଳନା ଦାୟିତ୍ୱ ବହନ କରୁଥିଲେ । ରତ୍ନଭଣ୍ଡାରର ଚାବି ଏବଂ ସୁରକ୍ଷା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା । ମାତ୍ର ମନ୍ଦିର ଆଇନ ପ୍ରଣୟନ ପରେ ସରକାର ସର୍ବୋଚ୍ଚ ଅଧିକାରୀ ହେଲେ । ସରକାର ଯୁକ୍ତିଯୁକ୍ତ ଆଇନ ପ୍ରଣୟନ କଲେ । ଗଜପତିଙ୍କ ହାତରୁ ସମସ୍ତ କ୍ଷମତା କାଢ଼ି ନିଆଗଲା । ବର୍ତ୍ତମାନ ମୁଖ୍ୟ ପ୍ରଶାସକଙ୍କ ହାତରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ରହିଛି । ଶ୍ରୀମନ୍ଦିର ପରିଚାଳନା କମିଟି ସରକାରଙ୍କ ଦ୍ୱାରା ଗଠନ କରାଯାଇଛି । କେବଳ ବ୍ୟବସ୍ଥାବଳୀ ଉପରେ ପରିଚାଳନା କମିଟି ନିଷ୍ପତ୍ତି ନେଇପାରିବ । ପରିଚାଳନା କମିଟିର କୌଣସି ପ୍ରଶାସନିକ ଦାୟିତ୍ୱ ନାହିଁ । ଗଜପତି ମହାରାଜା କମିଟିର ଅଧ୍ୟକ୍ଷ ଭାବରେ କେବଳ ବୈଠକରେ ଅଧ୍ୟକ୍ଷତା କରିବେ । ଏତଦବ୍ୟତୀତ କମିଟିର ଅନ୍ୟ ସଦସ୍ୟମାନଙ୍କ ସହିତ ଗଜପତିଙ୍କ ଭୂମିକା ସମାନ । ମୁଖ୍ୟ ପ୍ରଶାସକ ସମସ୍ତ ନିଷ୍ପତ୍ତି ଗ୍ରହଣ କରନ୍ତି ଏବଂ ତାକୁ ଅନୁପାଳନ କରନ୍ତି । ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ମୁଖ୍ୟ ପ୍ରଶାସକ ସମନ୍ୱୟ ରକ୍ଷା କରନ୍ତି । ମନ୍ଦିର ପ୍ରଶାସନର ଗୁରୁ ଦାୟିତ୍ୱ ତୁଲାଇବା ପାଇଁ ୨୦୦୪ରେ ଆଇନରେ ସଂଶୋଧନ କରାଯାଇ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦବୀ ସୃଷ୍ଟି କରାଗଲା । ଯେଉଁଥିରେ ଜଣେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିଯୁକ୍ତି ଦିଆଗଲା । ତାଙ୍କୁ ଶ୍ରୀମନ୍ଦିରର ସମସ୍ତ ପରିଚାଳନା ଭାର ଅର୍ପଣ କରାଯାଇଛି । ଏ ପ୍ରସଙ୍ଗରେ ଗଜପତି ମହାରାଜ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କ ଉପରେ ସବୁ ଦୋଷ ଲଦିଛନ୍ତି ।
ସେପଟେ ଏହାକୁ ନେଇ ଜୋର ଧରିଛି ରାଜ୍ୟ ରାଜନୀତି । ସରକାରଙ୍କୁୁ ବିରୋଧୀ ଘେରିବା ଆରମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସରକାରଙ୍କୁ ଟାର୍ଗେଟ କରିବାର ଗୋଟିଏ ଦିନ ପରେ ରାଜ୍ୟବ୍ୟାପି ଆନ୍ଦୋଳନ ଡାକରା ଦେଉଛି ବିଜେପି । ଚାବି ହଜିବା ପ୍ରସଙ୍ଗରେ ୧୧ ତାରିଖରେ ବିଜେପି ରାଜ୍ୟର ସବୁ ଜିଲ୍ଲା ଓ ସବଡିଭିଜନର ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବ । ୧୨ରୁ ସପ୍ତାହେ ବ୍ୟାପୀ ସବୁ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମାମଲାରେ ସରକାରଙ୍କ ବିରୋଧରେ ଏତଲା ଦେବ ବୋଲି କହିଛନ୍ତି । ଏହା ସହ ସବୁ ଜଗନ୍ନାଥ ମନ୍ଦିରରେ ସମୂହ ଦୀପ ଦାନ କରିବ ଦଳ ।
ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଏହି ଘଟଣାରେ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଖୋଲାଖୋଲି ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା । ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୁରୀ ଗଜପତି ମହାରାଜ ଯାହା ମତ ରଖିଛନ୍ତି ତାହା ଠିକ ବୋଲି କହିଛନ୍ତି ନରସିଂହ । ଏହି ଘଟଣାରେ ନ୍ୟାୟିକ ତଦନ୍ତ ସମାଧାନ ନୁହେଁ ବୋଲି ଯୁକ୍ତି ବାଢିଛନ୍ତି । କହିଛନ୍ତି, ଚାବି ହଜିଛି ନା ନାହିଁ, ଚାବି କେଉଁଠି ଅଛି, କାହା ପାଖରେ ଅଛି । ଏହା ପୂର୍ବରୁ ଯଦି ଲୋକଙ୍କ ମନରେ ସନ୍ଦେହ ହେଉଛି ରତ୍ନ ଭଣ୍ଡାରରୁ ଚୋରୀ ହୋଇଛି କିମ୍ବା ରତ୍ନ ଭଣ୍ଡାର ଖାଲି ହୋଇଯାଇଛି ତାହାଲେ ରତ୍ନ ଭଣ୍ଡାର ଖୋଲିବା ଅସୁବିଧା କେଉଁଠି ରହିଛି । ଏଥିରେ ସବୁ ସମସ୍ୟାର ସମାଧାନ ଗୋଟିଏ ମିନିଟରେ ହେବ । ଯଦି ଚାବି ହଜିଛି ତେବେ ପ୍ରଥମେ ରତ୍ନ ଭଣ୍ଡାର ଯାଞ୍ଚ ହେବା ଦରକାର । ରାଜ୍ୟ ସରକାରଙ୍କ ଏନେଇ କ୍ଷମତା ମଧ୍ୟ ରହିଛି । ସରକାର ଚାହିଁଲେ ତାଲା ଭାଙ୍ଗି ଯାଞ୍ଚ କରିପାରିବେ । ତେଣୁ ଆଗ ରତ୍ନଭଣ୍ଡାର ଯାଞ୍ଚ ହେବା ଦରକାର ବୋଲି ମତ ରଖିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଏଣୁ ଯଦି ରତ୍ନ ଅଳଙ୍କାର ହେରଫେର ହୋଇଥିବ ତେବେ ପ୍ରଥମେ ଫୌଜଦାରୀ ମାମଲା କରାଯିବା ଦରକାର ବୋଲି ସେ କହିଛନ୍ତି ।
ସେପଟେ ବିରୋଧୀଙ୍କ ଅଭିଯୋଗ ନେଇ ଜବାବ ରଖିଛି ବିଜେଡି । ବିଜେଡିର ଯୁକ୍ତି ରାଦ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିରୋଧୀ ଦଳଙ୍କର ବିଚାର ବ୍ୟବସ୍ଥା ଉପରେ ବିଶ୍ୱାସ ରହିବା ଦରକାର । ହେଲେ ବିରୋଧୀ ଅଯଥା ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ରାଜନୀତି କରୁଛନ୍ତି । ଏଥିରେ କିଛି ଲାଭ ମିଳିବ ନାହିଁ ।

ONA

Leave a Reply

Top