You are here
Home > ପଲିଟିକ୍ସ > ୟୁପି ଓ ବିହାରର ଉପନିର୍ବାଚନରେ ବିଜେପି ଫେଲ

ୟୁପି ଓ ବିହାରର ଉପନିର୍ବାଚନରେ ବିଜେପି ଫେଲ

 ଭୁବନେଶ୍ବର : ୨୦୧୪ ସଫଳତାକୁ ଦୋହରାଇବାରେ ଅସମର୍ଥ ହେଲା ବିଜେପି ।ଉତ୍ତର ପ୍ରଦେଶ ଓ ବିହାରର  ହୋଇଥିବା ଲୋକସଭା ଓ ବିଧାନସଭା  ଉପନିର୍ବାଚନରେ ବିଜେପି ଚିତ୍‌ପଟାଙ୍ଗ ମାରିଛି । ଉତ୍ତର ପୂର୍ବ ରାଜ୍ୟର ବିଧାନସଭା ନିର୍ବାଚନରେ ବାମପନ୍ଥୀ ଓ କଂଗ୍ରେସକୁ ହଟାଇ ଉତ୍‌ଫୁଲିତ ଥିବା ବିଜେପି କିନ୍ତୁ ୟୁପି ଓ ବିହାରରେ ଏସ୍‌ପି ଓ ଆରଜେଡି ଠାରୁ ଝଟ୍‌କା ଖାଇଛି । ଏପିରିକି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡ କୁହାଯାଉଥିବା ଗୋରଖପୁର ଲୋକସଭା ନିର୍ବାଚନ ମଣ୍ଡଳୀକୁ ବିଜେପି ହାତଛଡା କରିଛି ।

ଉତ୍ତର ପ୍ରଦେଶ ଓ ବିହାରରେ ଅଦିନିଆ ହୋଲି । ଉତ୍ସବ ମନାଉଛନ୍ତି ସପା-ବସପା କର୍ମୀ। ଆଉ  ବିଜେପିକୁ ଲାଗିଛି ଯୋରଦାର ଝଟ୍‌କା । ଗେରୁଆଙ୍କ ଉପରେ ଭାରିପଡିଛନ୍ତି ବୁଆ-ବବୁଆ ଯୋଡ଼ି ।  ଉତ୍ତର ପ୍ରଦେଶ ଗୋରଖପୁର ଓ ଫୁଲପୁର ଲୋକସଭା ନିର୍ବାନମଣ୍ଡଳୀରେ ସମାଜବାଦୀ ପାର୍ଟି ବିଜେପି ଉପରେ ତଡ଼ିଦେଇଛନ୍ତି । ବିଜେପିର ଗଡ କୁହାଯାଉଥିବା ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ସମାଜବାଦୀ ପାର୍ଟିର ସାଇକେଲ୍‌ ଗଡ଼ିଛି। ଏହି ଗୋରଖପୁର ଆସନରୁ ଲଗାତର ଜିତି ଯୋଗୀ ଆଦିତ୍ୟନାଥ ଲୋକସଭାକୁ ଯାଉଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ଏହି ସିଟ୍‌ ଖାଲି ପଡିଥିଲା । ନିଜ ଗଡକୁ ବଞ୍ଚାଇ ପାରି ନାହାନ୍ତି ଯୋଗୀ  । ସେହିପରି ଫୁଲପୁରରେ ଫୁଲ ଝଡ଼ିଯାଇଛି। ସେଠିବି ସାଇକେଲ ଚଢିଯାଇଛି

ସେପଟେ ଆରଜେଡି ହାତ ଛାଡି ବିଜେପି ହାତ ଧରିଥିବା ନୀତିଶ କୁମାରଙ୍କୁ ବି ଲାଗିଛି ଝଟ୍‌କା । ଅରରିଆ ଲୋକସଭା ସିଟ୍‌ରେ ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ବିଜୟୀ ହୋଇଥିବା ବେଲେ ଜେହନବାଦ୍‌ ବିଧାନସଭା  ଆସନକୁ ବି କବଜା କରିଛି । କେବଳ ଭବୁଆ ବିଧାନସଭା  ସିଟ୍‌ରେ ହିଁ ବିଜେପି ବିଜୟୀ ହୋଇଛି । ବିହାରରେ ଜେଡିୟୁ ଓ ବିଜେପି ମିଶି ଲଢିଥିବା ବେଳେ ଆରଜେଡି-କଂଗ୍ରେସ ଏକାଠି ହୋଇ ଲଢିଥିଲେ । ଚାରା ଘୋଟାଲାରେ ଲାଲୁ ଯାଦବ ଜେଲ୍‌ରେ ଥିବା ବେଳେ  ପୁଅ ତେଜସ୍ବୀ ପ୍ରଚାରର ମଙ୍ଗ ଧରିଥିଲେ ।

ନିକଟରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ପଦ୍ମ ଫୁଟାଇ ଉତ୍ସାହିତ ହୋଇ ପଡିଥିବା ବିଜେପିକୁ ୟୁପି -ବିହାରରେ ଲାଗିଛି ଯୋରଦାର ଝଟ୍‌କା ।  ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ  ପରେ ୟୁପି ଓ ବିହାର ଉପନିର୍ବାଚନରେ ବିରୋଧୀଙ୍କ ବିଜୟ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିରୋଧୀଙ୍କୁ ବଳ ଦେଇଥିବା ବେଳେ ବିଜେପିକୁ ମାନସମନ୍ଥନ କରିବାକୁ ବାଧ୍ୟ କରିଛି।

ONA

Leave a Reply

Top