You are here
Home > ଲାଟେଷ୍ଟ > ଡରିଗଲେ ତହସିଲଦାର ନିହାରିକା : ବଦଳି ପାଇଁ ଆବେଦନ

ଡରିଗଲେ ତହସିଲଦାର ନିହାରିକା : ବଦଳି ପାଇଁ ଆବେଦନ

ଖୋର୍ଦ୍ଧା: ରାଜସ୍ୱ ସଚିବଙ୍କୁ ଭେଟିଲେ ବୋଲଗଡ ତହସିଲଦାର ନିହାରିକା ନାୟକ । ବୋଲଗଡରୁ ତାଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ସେ ଅନୁରୋଧ କରିଛନ୍ତି । କାରଣ ବାହୁବଳି ବିଧାୟକଙ୍କ ଭୟରେ ଏଭଳି ବଦଳି ଆବେଦନ କରିଛନ୍ତି ତହସିଲଦାର । ଜବରଦଖଲ ଉଚ୍ଛେଦକୁ ନେଇ ବେଗୁନିଆର ବିଧାୟକ ପ୍ରଶାନ୍ତ ଜଗଦେବ ତାଙ୍କୁ ଲଣ୍ଠନ ଯୋଗେ ମାଡ ମାରିଥିବା ନେଇ ସେ ଏତଲା ଦାୟର କରିଛନ୍ତି । ତହସିଲଦାରଙ୍କ ଅଭିଯୋଗକୁ ଭିତ୍ତି କରି ବୋଲଗଡ ଥାନାରେ ଏକ ମାମଲା ରୁଜୁ ହୋଇଛି । ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟ ନିର୍ବାହରେ ବାଧା ସୃଷ୍ଟି କରିବା ନେଇ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାଁରେ ଅଭିଯୋଗ କରିଥିଲେ ବୋଲଗଡ ତହସିଲଦାର । ଅକ୍ଟୋବର ୩୧ରେ ମଣିଆବନ୍ଧ ଏକଡାଳିଆ ରାସ୍ତାରେ ଥିବା ଜବରଦଖଲ ଉଚ୍ଛେଦ ଲାଗି ବିଧାୟକ କହିଥିଲେ । ହେଲେ ସନ୍ଧ୍ୟା ହୋଇଥିବାରୁ ତହସିଲଦାର ଉଚ୍ଛେଦ ପାଇଁ ମନା କରିବାରୁ ଏକ ଲଣ୍ଠନ ଯୋଗେ ସେ ତାଙ୍କୁ ମାରିଥିବା ତହସିଲଦାର ଅଭିଯୋଗ କରିଥିଲେ ।
ତହସିଲଦାରଙ୍କୁ ମାଡ ମରାଯିବା ପ୍ରତିବାଦରେ ବୋଲଗଡ ତହସିଲର କର୍ମଚାରୀମାନେ କଲମଛାଡ ଆନେ୍ଦାଳନ କରିବା ସହ ଧାରଣାରେ ବସିଥିଲେ । ପରେ କର୍ମଚାରୀମାନେ ଏଡିଏମ୍ଙ୍କ ପ୍ରତିଶ୍ରୁତି ପରେ କର୍ମଚାରୀମାନେ ଆନେ୍ଦାଳନରୁ ଓହରିଥିଲେ । ଏତଦଭିନ୍ନ ବିଧାୟକ ଜଗଦେବଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି ହୋଇଥିଲା । ସେପଟେ ତହଲସିଲଦାରଙ୍କୁ ମାଡମାରିବା ପ୍ରସଙ୍ଗକୁ ବିଧାୟକ ପ୍ରଶାନ୍ତ ଜଗଦେବ ଖଣ୍ଡନ କରିଥିଲେ । ଏମିତି କିଛି ଘଟଣା ଘଟି ନାହିଁ। କାର୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ମୋ ନିର୍ବାଚନମଣ୍ଡଳୀକୁ ଯାଇଥିଲି। ବାଟରେ ଏକଡାଳିଆ ନିକଟରେ ମୁଁ ଦେଖିଲି ରାସ୍ତା ଉପରେ ଏକ ଘର ତିଆରି ହୋଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସେହି ରାସ୍ତାଟି ନିର୍ମାଣାଧୀନ ଅଛି। ଏବେ ପିଚୁ ପକାଇବା ସ୍ଥିତିକୁ ଆସିଯାଇଛି। ଦେଢ଼ ବର୍ଷ ତଳେ ଏହି ରାସ୍ତା ପାଇଁ ଆମେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲୁ। ରାସ୍ତା ଉପରେ ଘରଟିଏ ଦେଖି ମୁଁ ଅଟକି ଯାଇଥିଲି। ଗାଡ଼ିରୁ ଓହ୍ଲାଇ କିଏ ଘର କରିଛନ୍ତି ବୋଲି ପଚାରିଥିଲି। ଜଣେ ବ୍ୟକ୍ତି କହିଲେ ସେ ଘରଟି କରିଛନ୍ତି। ରାସ୍ତା ଉପରେ କାହିଁକି ଘର କଲେ ବୋଲି ମୁଁ ତାଙ୍କୁ ପଚାରିଲି। ସେ କହିଲେ ସେଇଠି ତାଙ୍କ ଜାଗା ଅଛି। ତା’ପରେ ମୁଁ କହିଲି ଏଇଟା ୪୦ ବର୍ଷର ରାସ୍ତା। କାହିଁ କେବେ ତ ଆପଣ ଅଭିଯୋଗ କରି ନାହାନ୍ତି? କୌଣସି ସରକାରୀ ଅଧିକାରୀ ବା ମୋ ପାଖରେ ଆପଣ କାହିଁକି ଅଭିଯୋଗ କରି ନାହାନ୍ତି? ରାସ୍ତା ନିର୍ମାଣ ପାଇଁ ଶୁଭ ପକାଇବା ଦିନ ବି କେହି ଅଭିଯୋଗ କରି ନ ଥିଲେ ବୋଲି ମୁଁ କହିଥିଲି। କାହାରି ନିକଟରେ ଅଭିଯୋଗ ନ କରି ଏମିତି ଗୋଟେ ପଦକ୍ଷେପ କାହିଁକି ନେଲେ ବୋଲି ମୁଁ ତାଙ୍କୁ କହିଥିଲି। ସେ କିନ୍ତୁ କହିଲେ ଯେ ତାଙ୍କର ଜାଗା ଅଛି, ତେଣୁ ସେ ଘର କରିଛନ୍ତି। ତାଙ୍କର ଏଭଳି କଥାବାର୍ତ୍ତା ଶୁଣି ମୁଁ ତହସିଲଦାରଙ୍କୁ ଫୋନ୍‌ କରି ସେଠାକୁ ଡକାଇଥିଲି। ସେତେବେଳକୁ ଅପରାହ୍ନ ପ୍ରାୟ ୪ଟା ବାଜିଥିଲା।”
ତହସିଲଦାର ମୋତେ ରାତିରେ ଫୋନ୍ କଲେ। ଉକ୍ତ ବ୍ୟକ୍ତି ସହିତ ବୁଝାମଣା କରି କିଛି ପଇସା ଦେଇ ଘରଟିକୁ ହଟାଇବାକୁ କଥାବାର୍ତ୍ତା କରିବାକୁ ତହସିଲଦାର ମୋତେ କହିଲେ ଓ ସେଠାକୁ ଡାକିଲେ। ମୁଁ ସେଠାରେ ପହଞ୍ଚିଲା ବେଳକୁ ତହସିଲଦାର ସେଠାରେ ନ ଥିଲେ। ସେହି ଘର କରିଥିବା ବ୍ୟକ୍ତି, ତାଙ୍କ ସ୍ତ୍ରୀ ଓ ଆଉ ଜଣେ ବ୍ୟକ୍ତି ସେଠାରେ ଥିଲେ। ଗୋଟିଏ ଲଣ୍ଠନ ଜାଳି ସେମାନେ ବସିଥିଲେ। ପରସ୍ପର ବୁଝାମଣା ମାଧ୍ୟରେ ସମସ୍ୟାର ସମାଧାନ କରିବାକୁ ମୁଁ ସେମାନଙ୍କୁ କହିଲି। କିନ୍ତୁ ସେମାନେ ଖରାପ ବ୍ୟବହାର ଦେଖାଇଥିଲେ। ଏଥିରେ ବିରକ୍ତ ହୋଇ ଆମର ଜଣେ ପିଲା ଲଣ୍ଠନଟିକୁ ଫୋପାଡ଼ି ଦେଲା। ସେତେବେଳକୁ ତହସିଲଦାର ସେଠାରେ ପହଞ୍ଚିଲେ। ତାଙ୍କ ଦେହରେ ଲଣ୍ଠନ ବାଜିନି। କିନ୍ତୁ ତାଙ୍କୁ ସେଇଟା ଟିକା ବାଧିଲା। ଏତିକି ହେଉଛି ଘଟଣା। ଆଉ ସବୁ ଯାହା କୁହାଯାଉଛି ତାହା ଅତିରଞ୍ଜିତ।”

ONA

Leave a Reply

Top