You are here
Home > ଅଧିକ ଖବର > ମହାନଗର ନିଗମ ପଲଟିକ୍ସ: ବିଏମସି-ସିଏମସିରେ ହେବନି ନିର୍ବାଚନ

ମହାନଗର ନିଗମ ପଲଟିକ୍ସ: ବିଏମସି-ସିଏମସିରେ ହେବନି ନିର୍ବାଚନ

  • ବିନୟ ବରାଳ :
  • କୋର୍ଟ ଆଳରେ ଘୁଞ୍ଚିବ ବିଏମସି ନିର୍ବାଚନ 
  • ସାଧାରଣ ନିର୍ବାଚନ ପରେ ମହାନଗର ଇଲେକ୍ସନ
  • ବିଜେପି ଗ୍ରୋଥକୁ ଡରୁଛି ବିଜେଡି

ଭୁବନେଶ୍ୱର : ନବଗଠିତ ମହାନଗର ନିଗମ ରାଉରକେଲା ଓ ସମ୍ବଲପୁରରେ ବିଜେଡି ସ୍ଥିତି ଭଲ ନଥିବାରୁ ତିନି ବର୍ଷରୁ ଅଧିକ ସମୟ ହେଲାଣି ହୋଇପାରୁନି ନିର୍ବାଚନ। ସେହି ଫର୍ମୁଲା ଏବେ କଟକ-ଭୁବନେଶ୍ୱରରେ ବି ହେବ।ସୀମା ପୁନଃନିର୍ଦ୍ଧାରଣ କଥା ହେଉ କି ୱାର୍ଡ ସଂରକ୍ଷଣକୁ ନେଇ ମାମଲା କୋର୍ଟ କଚେରୀକୁ ଯାଇପାରେ।ଆଉ ଏହାକୁ ଆଳ କରି ନିର୍ବାଚନ ଘୁଞ୍ଚାଇବା ଯୋଜନାରେ ବିଜେଡି ଶାସନ କଳକୁ ବ୍ୟବହାର କରୁଥିବା ସୂଚନା ରହିଛି।କାରଣ କଟକ-ଭୁବନେଶ୍ୱରରେ ମହାନଗର ନିଗମ ନିର୍ବାଚନ ଯଦି ସାଧାରଣ ନିର୍ବାଚନ ପୂର୍ବରୁ ହୁଏ, ଆଉ ସେଥିରେ ବିଜେଡିର ପ୍ରଦର୍ଶନ ଭଲ ନରୁହେ, ତାର ପ୍ରଭାବ ଦେଖିବାକୁ ମିଳିବ ୨୦୧୯ ବିଧାନସଭା ଓ ଲୋକସଭା ନିର୍ବାଚନରେ।କଟକ-ଭୁବନେଶ୍ୱର ମହାନଗର ନିର୍ବାଚନ ଫଳାଫଳ ଯେ ସାରା ଓଡିଶାକୁ ପ୍ରଭାବିତ କରେ, ସେଥିରେ ସନେ୍ଦହ ନାହିଁ। ସେଥିପାଇଁ ହି ପ୍ରଥମେ ନବୀନ ନିଜେ ଲଢିବେ, ତା ପରେ ୱାର୍ଡ ୱାର୍ଡ ବୁଲି ବିଜେଡି କର୍ପୋରେଟରଙ୍କ ପାଇଁ ଭୋଟ ଭିକ୍ଷା କରିବେ ବୋଲି ଚାଲିଛି ମାଷ୍ଟର ପ୍ଲାନିଂ!
       କଟକ-ଭୁବନେଶ୍ୱରରେ ତାପମାତ୍ରା ଅସମ୍ଭାଳ। ଟାଣ ଖରା ନୁହେଁ, ବରଂ ୱାର୍ଡ ରାଜନୀତିରେ ବିଜୁ ଜନତା ଦଳ ଲାଲ ପଡି ଗଲାଣି। କଟର ଭାଇଚାରା ରାଜନୀତି ହେଉ ବା ଭୁବନେଶ୍ୱରର କର୍ପୋରେଟ ୱାର୍ଡ ପଲିଟିକସ୍, ବିଜେଡି ପାଇଁ ଅଡୁଆ ପରିସ୍ଥିତି ଆରମ୍ଭ ହେଲାଣି। ଯାହା ଏବେ ଦଳକୁ ବାଧ୍ୟ କରୁଛି ଏକ ବଡ ଚକ୍ରବ୍ୟୁହ ରଚନା କରିବା ପାଇଁ।୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମହାନଗର ନିଗମ ନିର୍ବାଚନ ନ କରାଇବା ପାଇଁ ଚାଲିଛି ଯୋଜନା। କାରଣ ମୋ ବୁଥ୍-ସବୁଠୁ ମଜଭୁତ୍ କରି କରି ୱାର୍ଡ ଗୁଡିକରେ ଧସେଇ ପଶିଲାଣି ବିଜେପି। ସେପଟେ ୨୦୧୩ ମହାନଗର ନିର୍ବାଚନରେ ଅଧିକାଂଶ କର୍ପୋରେଟର ସ୍ୱାଧୀନ ଭାବେ ଜିତିବା ପରେ ବିଜେଡିରେ ମିଶିଥିଲେ।ଭୁବନେଶ୍ୱରର ୬୭ଟି ୱାର୍ଡରୁ ୪୯ଟିରେ ବିଜେଡି ଜିତିଥିବାବେଳେ ୧୧ଟିରେ ସ୍ୱାଧୀନ କର୍ପୋରେଟର ବିଜୟୀ ହୋଇଥିଲେ।ସେହିପରି କଟକର ୫୯ଟି ୱାର୍ଡରୁ ୩୬ଟିରେ ବିଜେଡି ଜିତିଥିବାବେଳେ ୧୦ଟି ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ।ଟିକେଟ୍ ବଣ୍ଟନରେ ତ୍ରୁଟି ଓ ଦଳୀୟ ଅସନ୍ତୋଷର ଏହା ପ୍ରତିଫଳନ ଥିଲା ବୋଲି ରିପୋର୍ଟ ଗଲା ନବୀନଙ୍କ ପାଖକୁ। ହେଲେ ସ୍ୱାଧୀନ କର୍ପୋରେଟର ବିଜେଡିରେ ମିଶିବା ପରେ ବି ପାଇଲେନି ସେତେଟା ମର୍ୟ୍ୟାଦା। ଯାହା ସେମାନଙ୍କ ଅସନ୍ତୋଷ ଆହୁରି ବଢାଇ ଦେଇଛି।
    ୨୦୦୮ ମସିହାରେ ରାଜ୍ୟରେ ବିଜେପି-ବିଜେଡିର ମେଣ୍ଟ ସରକାର ଚାଲିଥିବା ବେଳେ ଭୁବନେଶ୍ୱର ଓ କଟକ ମହାନଗର ନିର୍ବାଚନରେ ଅଲଗା ଅଲଗା ଲଢିଥିଲେ ଦୁଇ ଦଳ। ବନ୍ଧୁତ୍ୱପୂର୍ଣ୍ଣ ଲଢେଇର ନାଁ ଦେଇ ଅଲଗା ଅଲଗା ନିର୍ବାଚନ ଲଢିବା ଥିଲା ବିଜେଡିର ତକ୍ରାଳୀନ ଚାଣକ୍ୟ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଯୋଜନା। କାରଣ ସେ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାର ଟେମ୍ପରେଚର ମାପୁଥିଲେ। ସେ ଜଣାଇବାକୁ ଚାହୁଁଥିଲେ ଯେ ଓଡିଶାରେ ନବୀନ ବଡ ଚେହେରା କି ନୁହେଁ ? ଯେବେ ବି ଓଡିଶାରେ ସାଧାରଣ ନିର୍ବାଚନ ହେବ, ବିଜେପିର ବିନା ସମର୍ଥନରେ ବିଜେଡି ଜିତି ପାରିବ କି ନାହିଁ ? ଏଥିପାଇଁ ଅଲଗା ଅଲଗା ନିର୍ବାଚନ ଲଢିବାକୁ ପ୍ୟାରୀ ଗୋଟି ଚଳାଇଥିବା ବେଳେ ତାଙ୍କ ବନ୍ଧୁତ୍ୱପୂର୍ଣ୍ଣ ନିର୍ବାଚନୀ ଫମୁର୍ଲା କାମ କଲା। ଭୁବନେଶ୍ୱର ଓ କଟକରେ ଜିତିଲା ବିଜେଡି। ଏହି ଉତ୍ସାହ ଏତେ ବଢିଲା ଯେ ୨୦୦୯ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ଏକାକୀ ଲଢି ସଂଖ୍ୟା ଗରିଷ୍ଠ ଆସନ ହାସଲ କଲା।୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ପରବର୍ତ୍ତୀ ହିଂସାରେ ବିଜେପିକୁ ସାଂପ୍ରଦାୟିକ ଦଳ କହି ସାଇଡଲାଇନ୍ କଲେ ପ୍ୟାରୀ ବାବୁ।ଲାଗିଲା ସରକାର ଗଢିବା କଷ୍ଟ ହେବ! ହେଲେ ମହାନଗର ନିର୍ବାଚନରେ ଯେ ନବୀନଙ୍କ ଲୋକପ୍ରିୟତାର ତାପମାତ୍ରା ଏତେ ବଢାଇ ଦେଇଥିଲେ ପ୍ୟାରୀ ବାବୁ, ତାକୁ ରୋକିବା କାଠିକର ପାଠ ଥିଲା।ରାଜଧାନୀରୁ ନବୀନଙ୍କ ପପୁଲାରିଟ୍ ଗାଁ ଗାଁକୁ ମାଡି ଚାଲିଥିଲା।
    ୨୦୧୮ ମହାନଗର ନିର୍ବାଚନ କଥା କିନ୍ତୁ ଭିନ୍ନ।ଭୁବନେଶ୍ୱର ଓ କଟକ ମହାନଗରରେ ବିଜେଡି ସ୍ଥିତି ବିଗିଡିଥିବା ରିପୋର୍ଟ ନବୀନଙ୍କ ପାଖକୁ ଯାଇଛି।୨୦୧୪ର ଅସନ୍ତୋଷ ପୁଣି ପୁଞ୍ଜିଭୁତ ହୋଇଛି। ଦଳୀୟ କନ୍ଦଳ ରୋକିବା କଷ୍ଟ ହୋଇ ପଡିଛି । କଟକର ପୂର୍ବତନ ମେୟର ଅନୀତା ବେହେରାଙ୍କ ରେସନ କାର୍ଡ ଦୁର୍ନୀତି ପ୍ରସଙ୍ଗ ହେଉ ବା କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପାରିବାରିକ ବିବାଦ! ଏହା ଦିନକୁ ଦିନ ବଢିବାରେ ଲାଗୁଛି।ଦେବାଶିଷଙ୍କ ପାଇଁ ଯେ କଟକରେ ବିଜେଡିର ସ୍ଥିତି ବିଗୁଡୁଛି, ସେ ଖବର ନବୀନଙ୍କ ପାଖରେ ପହଞ୍ଚିଛି।ଯେଉଁଥିପାଇଁ ନବୀନ ନିଜେ କଟକ ବିଜେଡି ସଂଗଠନ ସମ୍ଭାଳୁଥିବା ଶୁଣିବାକୁ ମିଳିଛି। ସେପଟେ ଭୁବନେଶ୍ୱରରେ ମେୟର ଅନନ୍ତ ନାରାୟଣ ଜେନାଙ୍କ ସେକ୍ସ ସିଡି ବିବାଦ ହେଉ ବା ରାଜୀବ ଆବାସ ଯୋଜନାରେ ଘର ଆବଣ୍ଟନ ପ୍ରସଙ୍ଗ, ରାଜଧାନୀରେ ବିଜେଡିର ଛବି ବିଗିଡି ଗଲାଣି। ଏଠାରେ ଭୋଟବ୍ୟାଙ୍କ କୁହାଯାଉଥିବା ବସ୍ତି ଗୁଡିକରେ କେନ୍ଦ୍ରମନ୍ତ୍ରୀମାନେ ଆସି ଭୋଜନ କଲେଣି। ଯାହା ବିଜେପିର ଇମେଜ ବିଲଡିଂ ପାଇଁ ସହାୟକ ହେଉଥିବା କୁହାଯାଉଛି।
    ବିଗୁଡୁଥିବା ସ୍ଥିତିର ପ୍ରଭାବ ଯେପରି ୨୦୧୯ ବିଧାନସଭା ନିର୍ବାଚନ ଉପରେ ନପଡେ, ସେଥିପାଇଁ କଳ, ବଳ ଓ କୌଶଳରେ ଭୁବନେଶ୍ୱର ଓ କଟକ ମହାନଗର ନିଗମ ନିର୍ବାଚନ ରୋକିବା ପାଇଁ ପ୍ରୟାସ ଚାଲିଥିବା ସୂଚନା ମିଳିଛି।

ONA

Leave a Reply

Top