You are here
Home > ଲାଟେଷ୍ଟ > ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟସରକାରଙ୍କ ସତ୍ସାହସ ଥିଲେ ନିଜ ବିରୁଦ୍ଧରେ ଏତଲା ଦିଅନ୍ତୁ : ବିଜେପି

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟସରକାରଙ୍କ ସତ୍ସାହସ ଥିଲେ ନିଜ ବିରୁଦ୍ଧରେ ଏତଲା ଦିଅନ୍ତୁ : ବିଜେପି

ଭୁବନେଶ୍ୱର : ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚୁପ୍ ରହିବା ଏବଂ ତାଙ୍କ ବିଜେଡି ଦଳର ପ୍ରତିନିଧୀମାନେ ବିଭିନ୍ନ ବିଭ୍ରାନ୍ତିକର ବୟାନ ରଖି ଘଟଣାକୁ ଚାପିଦେବାକୁ ଅପପ୍ରୟାସ କରିବା ଅତ୍ୟନ୍ତ ନିନ୍ଦନୀୟ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ପୁରୀ ସାଂସଦ ପିନାକୀ ମିଶ୍ର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାକୁ ସାମାନ୍ୟ ବୋଲି କହିବା ରାଜ୍ୟସରକାର ଏବଂ ଶାସକ ବିଜେଡିର ସମ୍ବେଦନହୀନତାର ପରିଚୟ ଦେଇଛି । ଏପରିକି ଭାରତରେ ଲକ୍ଷ ଲକ୍ଷ ଆଇନ ଭଙ୍ଗ ହୁଏ ବୋଲି ସାଂସଦ ଗଣମାଧ୍ୟରେ କହିବା ତାଙ୍କର ଓ ତାଙ୍କ ସରକାରର ଦାୟୀତ୍ୱହୀନତାର ପରିଚୟ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ଅନିୟମିତତା ଖର୍ଚ୍ଚ ମାମଲାରେ ଏହି ସାଂସଦ ଜଣକ ମୁଖ୍ୟମନ୍ତ୍ରୀଙ୍କ ଢାଲ ସାଜି ଅତ୍ୟନ୍ତ ଦାୟୀତ୍ୱହୀନତା ସହ ମନ୍ତବ୍ୟ ରଖିଥିଲେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।
ରତ୍ନ ଭଣ୍ଡାର ଚାବି ହଜିବା କିମ୍ବା ହଜାଇଦେବା ଏକ ଅପରାଧୀକ ଷଡଯନ୍ତ୍ର । ଏହା ହିନ୍ଦୁ ସମାଜର ଧାର୍ମୀୟ ଭାବନାକୁ କୁଠାରଘାତ କରିଛି । ଭାରତୀୟ ପିଙ୍ଗଳ କୋଡ୍ ୨୯୫(କ)ଅନୁଯାୟୀ ଏହା ଏକ ଧର୍ତବ୍ୟ ଅପରାଧ । ଏଥିପାଇଁ ୩ ବର୍ଷର ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି । ରାଜ୍ୟ ସରକାର ଏଭଳି ଏକ ସମ୍ବେଦନଶୀଳ ଘଟଣାରେ କୌଣସି ମନ୍ତବ୍ୟ ନରଖି ‘ମାର ମାର ଭଣ୍ଡାରିଆକୁ ମାର’ ନୀତିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକକୁ ବଦଳି କରି ନିଜ ଉପରୁ ଧୂଳି ଝାଡିବାର ପ୍ରୟାସ କରିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।
ରାଇଟ ଟୁ ଇନଫରମେସନ ଜରିଆରେ ଜଣା ପଡିଛି ଯେ, ଶ୍ରୀମନ୍ଦିରକୁ ୧୯୮୩ ମସିହାରୁ ଗତ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ୧୮ କେଜି ୨୩୧ ଗ୍ରାମ ସୁନା ଦାନସୁତ୍ରରେ ଆସିଛି । କିନ୍ତୁ ଏବେ କେବଳ ୧୪ କେଜି ୫୬୦ ଗ୍ରାମ ସୁନା ଅଳଙ୍କାର ଷ୍ଟେଟ ବ୍ୟାଙ୍କ ଲକରରେ ରଖାଯିବା ଏବଂ ବାକି ୪ କେଜିର କୌଣସି ହିସାବ ନଦେବା ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନର ଆଚରଣ ସନ୍ଦେହ ଘେରକୁ ଆସିଛି । ଶ୍ରୀମନ୍ଦିର ଆଇନ ୧୯୫୫ ଓ ୬୦ ଅନୁଯାୟୀ ରତ୍ନ ଅଳଙ୍କାର ସୁରକ୍ଷିତ ରଖିବାର ଆଇନ ରହିଛି । ଦାନ ସୂତ୍ରରେ ଆସିଥିବା ଅଳଙ୍କାର ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିବା କଥା । କିନ୍ତୁ ଦାନ ସୂତ୍ରରେ ପାଇଥିବା ରତ୍ନ ଅଳଙ୍କାର ଓ ସୁନାଗହଣାକୁ ରତ୍ନଭଣ୍ଡାରରେ ନରଖି ୧୯୮୩ ମସିହାରୁ ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନର ନାଜିରଖାନାରେ ରଖି ଗତ ଦୁଇ ତିନିଦିନ ତଳେ ଷ୍ଟେଟ ବ୍ୟାଙ୍କ ଲକରରେ ରଖିବାରୁ ନିଷ୍ପତି ନେବା ସିଧାସଳଖ ଆଇନର ଖୋଲା ଉଲ୍ଲଂଘନ ହୋଇଛି । କେଉଁ ଆଇନ ଆନୁସାରେ ରାଜ୍ୟସରକାର ଦାନସୂତ୍ରରେ ଆସିଥିବା ଅଳଙ୍କାରକୁ ନାଜିରଖାନାରେ ରଖିଥିଲେ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବୀ କରିଛନ୍ତି ।
ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଚାବି ହଜିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ମହାପ୍ରଭୃ ଓ ଶ୍ରୀମନ୍ଦିର ରତ୍ନଭଣ୍ଡାର ସହିତ ରାଜ୍ୟର ସାଢେ ୪ କୋଟି ଓଡିଆ, ଭାରତ ତଥା ବିଶ୍ୱର ଅଗଣିତ ଜଗନ୍ନାଥ ପ୍ରେମୀ, ଶ୍ରଦ୍ଧାଳୁଙ୍କ ଆସ୍ଥା, ବିଶ୍ୱାସ ଏବଂ ଭାବାବେଗ ସହ ଜଡିତ । ଚାବି ହଜିବା ଘଟଣା ଓଡିଶା ତଥା ଭାରତବର୍ଷର କୋଟିକୋଟି ହିନ୍ଦୁ, ଜଗନ୍ନାଥପ୍ରେମୀ ଏବଂ ଜଗନ୍ନାଥ ସଂସ୍କୃତି ସହ ଜଡିତ ଶ୍ରଦ୍ଧାଳୁଙ୍କ ଭାବାବେଗକୁ କୁଠାରଘାତ କରିଛି । ଏଭଳି ସମ୍ବେଦେନଶୀଳ ଘଟଣାକୁ ଏକ ସପ୍ତାହ ବିତିଥିଲେ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏନେଇ କୌଣସି ମନ୍ତବ୍ୟ ନରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ସାଢେ ୪ କୋଟି ଓଡିଆଙ୍କ ଭାବାବେଗ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚୁପ୍ ରହିବା ଏବଂ ନିଜ ମୁଣ୍ଡରୁ ଦୋଷ ଛଡେଇବାକୁ ଯାଇ ଏକ ନ୍ୟାୟିକ ତଦନ୍ତ ଗଠନ କରିବା ଆଦୈା ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଜୁନ୍ ୮ ତାରିଖରେ ମାନ୍ୟବର ସୁପ୍ରିମକୋର୍ଟ ଶ୍ରୀମନ୍ଦିର ମନ୍ଦିର ପ୍ରଶାସନିକ ଜନିତ ତ୍ରୁଟିରେ ହସ୍ତକ୍ଷେପ କରିଥିଲେ । ସତ୍ସାହସ ଥିଲେ ନଲୁଚି ମୁଖ୍ୟମନ୍ତ୍ରୀ ନିଜେ ଉତର ରଖନ୍ତୁ ଏବଂ ସାଢେ ୪ କେଜି ସୁନାର ହିସାବ ଦିଅନ୍ତୁ । ଏଥି ସହ ରାଜ୍ୟସରକାର ନିଜ ବିରୁଦ୍ଧରେ ମକୋଦ୍ଦମା ଦାୟର କରିବା ସହ ଉଚିତ୍ ଓ ନିରପେକ୍ଷ ତଦନ୍ତର ଦାୟୀତ୍ୱ ନିଅନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସଂପାଦକ ଶ୍ରୀ ଦିଲ୍ଲୀପ ମଲ୍ଲିକ ଏବଂ ବିଜେପି ନେତା ତଥା ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ଅଶୋକ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ONA

Leave a Reply

Top