You are here
Home > ବଡ଼ଖବର > ବିଜେଡି-ବିଜେପି ସମ୍ପର୍କ, ଦାଣ୍ଡରେ ପଡି ହାଟରେ ଗଡୁଛି: ନିରଞ୍ଜନ

ବିଜେଡି-ବିଜେପି ସମ୍ପର୍କ, ଦାଣ୍ଡରେ ପଡି ହାଟରେ ଗଡୁଛି: ନିରଞ୍ଜନ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କର ଗତ ଚାରିବର୍ଷର ଶାସନ ମଧ୍ୟରେ ଦେଶବାସୀ ବହୁ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇସାରିଲେଣି । ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବାରେ ବିଫଳ ହୋଇଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିରୋଧୀ ଦଳଙ୍କ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା । ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ କୁମ୍ବୀର କାନ୍ଦଣା କାନ୍ଦୁଥିବା ବିଜୁ ଜନତା ଦଳ ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଭୋଟ ନିଆଯିବା ସମୟରେ କକ୍ଷତ୍ୟାଗ କଲା । ବିଜେପି ଏବଂ ତାହାର ନେତାଙ୍କ ପ୍ରତି ପୂର୍ଣ୍ଣ ସମର୍ଥନ ରହିଥିବା ବିଜେଡି ସାଂସଦମାନଙ୍କ ନିକଟରୁ ଏହା ଆଶା କରାଯାଉଥିଲା ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ଏକ ବିବୃତିରେ ସେ କହିଛନ୍ତି ଯେ ବିଜେଡି ଓ ବିଜେପି ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ୯ ବର୍ଷ ଭାଗୁଆଳି ଶାସନ କରିଥିଲେ । ସେମାନଙ୍କ ମଧ୍ୟରେ ସମ୍ପର୍କ ଏବେ ବି ଅତୁଟ ରହିଛି । ଲୋକ ଦେଖାଣିଆ ଭାବରେ ସେମାନେ ପରସ୍ପର ବିରୋଧରେ ମନ୍ତବ୍ୟ ଦେଉଥାଇପାରନ୍ତି । କିନ୍ତୁ କେନ୍ଦ୍ରରୁ ଆସୁଥିବା ନେତୃବୃନ୍ଦ ଓ ସଚିବମାନେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି । ରାଜ୍ୟରେ ଚିଟ୍ଫଣ୍ଡ ଦୁର୍ନୀତିରେ ଲକ୍ଷଲକ୍ଷ ଦରିଦ୍ର ପରିବାର ପ୍ରଭାବିତ ହୋଇଛନ୍ତି । କିନ୍ତୁ ଏହାର ତଦନ୍ତ କେଉଁଦିଗରେ ଯାଉଛି ତାହା ସାଧାରଣ ଲୋକ ଜାଣିପାରୁନାହାନ୍ତି । ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ, ରାମଚନ୍ଦ୍ର ହାଁସଦା, ପ୍ରଶାନ୍ତ ଦାଶ, ଏଟି ଗ୍ରୁପ୍ର ସେଠୀଙ୍କୁ ଗିରଫ କରି ସିବିଆଇ ବଡମାଛମାନଙ୍କୁ ଛାଡିଦେଇଛି । ହଜାର ହଜାର କୋଟି ଟଙ୍କା ଚିଟ୍ଫଣ୍ଡ ଦୁର୍ନୀତିରେ ଯେଉଁ ବଡମୁଣ୍ଡମାନେ ସଂପୃକ୍ତ ସେମାନଙ୍କୁ ଧରିବା ଦିଗରେ ସିବିଆଇ କାହିଁକି ଆଗ୍ରହ ପ୍ରକାଶ କରୁନାହିଁ? ରାଜ୍ୟର କଳାହାଣ୍ଡିଠାରୁ ନେଇ ନଗଡା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅପପୁଷ୍ଟିର ଶିକାର ହୋଇ ଅଥବା ଉପଯୁକ୍ତ ସ୍ୱାସ୍ଥ୍ୟସେବା ନପାଇ ଶିଶୁ ମରୁଛନ୍ତି । ରାଜ୍ୟରେ ଡାକ୍ତର, ଜବାନ ଏବଂ ଗ୍ରାମବାସୀ ଖଟିଆରେ ରୋଗୀଙ୍କୁ ଡାକ୍ତରଖାନା ବୋହୁଛନ୍ତି । ରାସ୍ତାକଡରେ, ଅଟୋରିକ୍ସା ମଧ୍ୟରେ ଗର୍ଭବତୀ ମହିଳା ସନ୍ତାନ ପ୍ରସବ କରୁଛନ୍ତି । ଅଥଚ କେନ୍ଦ୍ର ସରକାରଙ୍କ ଅଧିକାରୀ ଆସି କହୁଛନ୍ତି ରାଜ୍ୟରେ ସ୍ୱାସ୍ଥ୍ୟସେବା ଠିକ୍ ଚାଲିଛି । ଗତ ୧୮ ବର୍ଷର ବିଜେଡି ଶାସନ ମଧ୍ୟରେ ରାଜ୍ୟରେ ଏକାଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି । ବିଭିନ୍ନ କୃଷିଜାତ ଜିନିଷର ଅଭାବୀ ବିକ୍ରି ବଢିଛି । ତଥାପି କେନ୍ଦ୍ର ସରକାର ଓଡ଼ିଶାକୁ କୃଷି କର୍ମଣ ପୁରସ୍କାର ପ୍ରଦାନ କରୁଛନ୍ତି । ବିଜେଡି ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଦାବି କରୁଥିବାବେଳେ କୃଷିଜାତ ସାମଗ୍ରୀ ବିକ୍ରିବଟା ପାଇଁ କୋ÷ଣସି ପଦକ୍ଷେପ ନିଆଯାଉନାହିଁ । ତାହାକୁ ଗଚ୍ଛିତ ରଖିବାକୁ ଗୋଦାମ ଘର ଏବଂ ଶୀତଳଭଣ୍ଡାରର ଘୋର ଅଭାବ ରହିଛି । ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ସରକାର ଶୃଙ୍ଖଳିତ କରିପାରିନାହାନ୍ତି । ସରକାରୀ ସ୍କୁଲଗୁଡିକ ନାନା ସମସ୍ୟା ଦେଇ ଗତିକରୁଛି । ରାସ୍ତାଘାଟ, ପାନୀୟଜଳ, ପରିମଳ ଆଦି କ୍ଷେତ୍ରରେ ମଧ୍ୟ ସରକାର ଶୋଚନୀୟ ଭାବେ ବିଫଳ ହୋଇଛନ୍ତି । ତାହାର ଉଦାହରଣ ଭୁବନେଶ୍ୱର ସ୍ମାର୍ଟ ସିଟି । ଦିନଟିଏ ଲଗାଣ ବର୍ଷା ହେଲେ ଏହି ସହରରେ ଡଙ୍ଗା ଚାଲିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି । ରାଜ୍ୟରେ ସରକାରୀ ଅଥବା ବେସରକାରୀ ସ୍ତରରେ ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିନାହିଁ । ବରଂ ରାଜ୍ୟର ଶିଳ୍ପ କାରଖାନାରେ ଅନ୍ୟ ରାଜ୍ୟର ଲୋକମାନେ ଅଧିକ ସଂଖ୍ୟାରେ ନିଯୁକ୍ତି ପାଉଛନ୍ତି । ରାଜ୍ୟର ଅନୁସୂଚିତ ଜାତି ଓ ଆଦିବାସୀମାନେ ସବୁକ୍ଷେତ୍ରରେ ଅବହେଳିତ ହୋଇ ରହିଛନ୍ତି । ରାଜ୍ୟରେ ମହିଳାମାନେ ଏବେ ଅସୁରକ୍ଷିତ । ଚୋରି, ରାହାଜାନି, ହତ୍ୟା, ଧର୍ଷଣ ଭଳି ଘଟଣା ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଦୁଇ ଦଳ ବିଜେଡି ଓ ବିଜେପି କେବଳ ଲୋକଦେଖାଣିଆ ଭାବେ ପରସ୍ପରକୁ ଦୋଷ ଦେଇ ଭୋଟରଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଅଛନ୍ତି । ରାଜ୍ୟର ସଚେତନ ଭୋଟରମାନେ ସେମାନଙ୍କର ଏହି ଭିତିରି ସମ୍ପର୍କ ବିଷୟରେ ବୁଝିସାରିଲେଣି ଏବଂ ଠିକଣା ସମୟରେ ତାହାର ଜବାବ ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ONA

Leave a Reply

Top