You are here
Home > Breaking News > ବିଜୟ-ବିଜେପି ବିବାଦ ଘନେଇଲା, ବିଶ୍ୱଭୂଷଣକୁ ଜବାବ ଦେଲେ ବିଜୟ

ବିଜୟ-ବିଜେପି ବିବାଦ ଘନେଇଲା, ବିଶ୍ୱଭୂଷଣକୁ ଜବାବ ଦେଲେ ବିଜୟ

ଭୁବନେଶ୍ୱର, ୧୩.୬.୨୦୧୮: ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କର ଦଳ ସହ ବିବାଦ ଏବେ ତୀବ୍ରତର ହୋଇଛି । ଶ୍ରୀମନ୍ଦିର ଚାବି ହଜିବା ଘଟଣାରେ ବିଜୟ ମଙ୍ଗଳବାର ଉଠାଇଥିବା ପ୍ରଶ୍ନ ଉପରେ ବୁଧବାର ପୂର୍ବତନ ଆଇନମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀ କରି ପାଲଟା ସମାଲୋଚନା କରିଥିଲେ । ବିଶ୍ୱଭୂଷଣଙ୍କ ସାମ୍ବାଦିକ ସମ୍ମିଳନୀ ଓ ଏହାର ମନ୍ତବ୍ୟକୁ ନେଇ ବିଜୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ଏବଂ ପୁଣି ବାଣ ମାରିଛନ୍ତି ।
ବିଜୟ ଗଣମାଧ୍ୟମକୁ କହିଛନ୍ତି, “ମୁଁ ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ସମର୍ଥନ କରିଥିଲି । ମୁଁ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନାଁ ଧରିନଥିଲି କି ବିଶ୍ୱଭୂଷଣ ବାବୁଙ୍କ ଆଇନ ମନ୍ତ୍ରୀ ହେବା ନେଇ ରିପୋର୍ଟ କାର୍ଡ ମାଗିନଥିଲି । ମୁଁ ଏବେବି ଶଙ୍କରାଚାର୍ଯ୍ୟ ମତକୁ ସମର୍ଥନ କରୁଛି । ବିଶ୍ୱଭୂଷଣ ବାବୁ କାହିଁକି ଦେହକୁ ନେଉଛନ୍ତି ମୁଁ ଜାଣିନି । ଶଙ୍କରାଚାର୍ଯ୍ୟ ଯେଉଁ ମନ୍ତବ୍ୟ ଦେଉଛନ୍ତି ତା’ ଉପରେ ତଦନ୍ତ ହେଉ । ଏବେ ସମସ୍ତେ ମୂଳ ପ୍ରସଙ୍ଗରୁ ଦୂରେଇ ଯାଉଛନ୍ତି । ୧୯୮୫ ପରଠାରୁ ଯିଏ ଶାସନରେ ଥିଲେ, ଯେଉଁ ପ୍ରଶାସନିକ ଅଧିକାରୀ ଓ ନେତା ଦାୟିତ୍ୱରେ ଥିଲେ ସମସ୍ତେ ଏହା ଉପରେ ମତ ରଖିବା ଉଚିତ୍ । ବ୍ୟକ୍ତଗତ ସ୍ୱାର୍ଥ ଓ ରାଜନୈତିକ ସ୍ୱାର୍ଥ ପାଇଁ ଶ୍ରୀ ଜଗନ୍ନାଥଙ୍କ ପ୍ରସଙ୍ଗରେ ମତ ଦେବା ଅନୁଚିତ୍ । ୨୦୦୦-୨୦୦୯ ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ବାର୍ଷିକ ବିବରଣୀ କେତେ ଥର ବିଧାନସଭାରେ ଉପସ୍ଥାପିତ ହୋଇଛି ତାହା ମଧ୍ୟ ତଦନ୍ତ ହେଉ । ମୁଁ ଯା ଭାବୁଛି ଶ୍ରୀମନ୍ଦିରର ବାର୍ଷିକ ବିବରଣୀ ଏପର୍ଯ୍ୟନ୍ତ ବିଧାନସଭାରେ ଉପସ୍ଥାପିତ ହୋଇନାହିଁ । କିନ୍ତୁ ନିୟମ ଅଛି ଶ୍ରୀମନ୍ଦିରର ବାର୍ଷିକ ପ୍ରତି ବର୍ଷ ଉପସ୍ଥାପିତ ହେବା କଥା । ସତକୁ ସମସ୍ତେ ସ୍ୱୀକାର କରିବା ଉଚିତ୍ । ସରକାର ଚାବି ଭାଙ୍ଗି ବର୍ତ୍ତମାନ ଆକଳନ କରିବା ଦରକାର । ଏଥିପାଇଁ ଆବଶ୍ୟକ ପଡ଼ିରେ ସରକାର ହାଇକୋର୍ଟରୁ ଅନୁମତି ଆଣନ୍ତୁ । ଏଥିରେ ଶ୍ରୀମନ୍ଦିର ପ୍ରଶାସନ, ସରକାର, ସ୍ଥାନୀୟ ପ୍ରଶାସନ ସମସ୍ତେ ଉପସ୍ଥିତ ରହିବା ଦରକାର ।”
ଉଲ୍ଲେଖଯୋଗ୍ୟ ଯେ, ଶଙ୍କରାଚାର୍ଯ୍ୟ କହିଥିଲେ, ଦିନ ଥିଲା ଯେତେବେଳେ ବିଜେପି ସହଯୋଗରେ ବିଜେଡି ଶାସନ କରୁଥିଲା । ଆଇନମନ୍ତ୍ରୀ ବିଜେପିରୁ ହିଁ ଥିଲେ । ଏବେ ପ୍ରଶ୍ନ ଉଠୁଛି ବିଜେପି ସମର୍ଥିତ ବିଜେଡି ଶାସନ କାଳରେ ଯେତେବେଳେ ବିଜେପିର ବି ସହଭାଗିତା ଥିଲା ଓ ବିଜେପିର ଆଇନମନ୍ତ୍ରୀ ଥିଲେ ସେତେବେଳେ ଶ୍ରୀମନ୍ଦିର ଅବ୍ୟବସ୍ଥା ଦୂର କରିବା ପାଇଁ କି ପଦକ୍ଷେପ ନିଆଯାଇଥିଲା ।

ONA

Leave a Reply

Top