You are here
Home > Breaking News > ବିଜୟଙ୍କୁ ବିଶ୍ୱଭୂଷଣଙ୍କ କଟାକ୍ଷ: କିଛି ନଜାଣି ମନ୍ତବ୍ୟ ଦେବା କୌତୁହଳ

ବିଜୟଙ୍କୁ ବିଶ୍ୱଭୂଷଣଙ୍କ କଟାକ୍ଷ: କିଛି ନଜାଣି ମନ୍ତବ୍ୟ ଦେବା କୌତୁହଳ

ଭୁବନେଶ୍ୱର, ୧୩.୬.୨୦୧୮: ରତ୍ନଭଣ୍ଡାର ଚାବି ହଜିବା ଘଟଣା କେଁ ଏବେ ବିଜେପି ଭିତରେ ପଶିଛି । ବିଜେଡିକୁ ଘାଇଲା କରିବା ପାଇଁ ବିଜେପି ରାଜରସ୍ତାକୁ ଓହ୍ଲାଇଥିଲାବେଳେ ଏବେ ନିଜ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର ତାଙ୍କ ନେତାଙ୍କୁ ଘାଇଲା କରିଛନ୍ତି । ଫଳରେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଅନ୍ୟତମ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ କଟାକ୍ଷ କରିଛନ୍ତି । ବିଜେଡି ଯେଉଁ ପ୍ରସଙ୍ଗ ଉଠାଇ ନାହିଁ ସେଭଳି କଥା ବିଜୟ ଉଠାଇବା ରହସ୍ୟ ଜନକ ବୋଲି ବିଜେପି କହିଛି । ବିଶ୍ୱଭୂଷଣ କହିଛନ୍ତି ବିଜୟଙ୍କ ଆଭିମୁଖ୍ୟ କୌତୂହଳ ଜନକ । ପ୍ରକୃତପକ୍ଷେ ବିଜୟ ଉଠାଇଥିବା ପ୍ରଶ୍ନ ବିଜେପି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଶାସକ ବିଜେଡି ସହ ବିଜେପି ଲଢ଼ିବ ନା ନିଜ ଦଳ ନେତାଙ୍କ ସହ ଲଢ଼ିବ ତାହା ଏବେ ବଡ଼ ପ୍ରଶ୍ନବାଚୀ ହୋଇଛି । ନିଜ ଦଳର ନେତା ବିଜୟଙ୍କୁ ଜବାବ ଦେବା ପାଇଁ ଶେଷରେ ବିଶ୍ୱଭୂଷଣଙ୍କୁ ସାମ୍ବାଦିକ ସମ୍ମିଳନୀ ଡାକି ନିଜ ପକ୍ଷ ସ୍ପଷ୍ଟ କରିବାକୁ ହୋଇଛି । ବିଜେପିର ଏହି ଆଭ୍ୟନ୍ତରୀଣ କଳି ବିଜେଡି ପାଇଁ ବେଶ ଖୋରାକ ଯୋଗାଇଛି ବୋଲି କୁହାଯାଇଛି ।
ମଙ୍ଗଳବାର ବିଜୟ ମହାପାତ୍ର ଗଣମାଧ୍ୟମରେ ଚାବି ହଜିବା ଘଟଣାରେ ବିଜେପିକୁ ପ୍ରଶ୍ନ କରିଥିଲେ । ୨୦୦୦-୨୦୦୯ ଯାଏଁ ବିଜେପି ଶାସନରେ ବିଜେଡି ସହ ମିଶି ଥିଲା । ଆଇନ ବିଭାଗ ବିଜେପି ହାତରେ ଥିଲା । ଏଣୁ ବିଜେପି ୯ବର୍ଷରେ କ’ଣ କରିଛି, ପ୍ରତି ୬ମାସରେ ରତ୍ନଭଣ୍ଡାର ଯାଞ୍ଚ ହେବାର ବ୍ୟବସ୍ଥା ଥିଲାବେଳେ କେତେ ଥର ଯାଞ୍ଚ କରାଯାଇଛି ବୋଲି ବିଜୟ ପ୍ରଶ୍ନ କରିବା ସହ ବିଜେପି ନେତାମାନେ ମନ୍ତବ୍ୟ ଦେବା ପୂର୍ବରୁ ଚିନ୍ତା କରିବା ଦରକାର ବୋଲି ବିଜୟ କହିଥିଲେ । ବିଜୟଙ୍କ ଏହି ପ୍ରଶ୍ନ ଉପରେ ଉତ୍ତର ରଖି ଶ୍ରୀ ହରିଚନ୍ଦନ କହିଛନ୍ତି, “ମିଳିତ ସରକାରରେ ବିଜେପି ଯେଉଁ ୯ବର୍ଷ ଥିଲା ସେଥିପାଇଁ ଉତ୍ତରଦାୟୀ ଏବଂ ବିଜେପି ଆଇନମନ୍ତ୍ରୀ ଏଥିପାଇଁ କ’ଣ କରିଛନ୍ତି । ଏଥିସହ କୌଣସି ସଂସ୍କାର କିଛି ହୋଇନାହିଁ । ସବୁ କିଛି କାଗଜପତ୍ରରେ ହୋଇଛି । ୯ ବର୍ଷରେ କେତେ ଥର ଚାବି ଖୋଲାଯାଇଛି । ବିଜେପି ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ଆନ୍ଦୋଳନ କରୁଛି । ଏଭଳି ପ୍ରଶ୍ନ ବିଜୟ ବାବୁ ପଚାରିବା ମୋ ଦୁର୍ଭାଗ୍ୟର ବିଷୟ । ଯେଉଁ କଥା କୌଣସି ସଂସ୍ଥା ବା ବ୍ୟକ୍ତି କିମ୍ବା ଯେଉଁ ସରକାରଙ୍କୁ ଆଜି ବିଜେପି କାଠଗଡ଼ାରେ ଠିଆ କରାଇଛି, ସେ ମଧ୍ୟ ଏପ୍ରଶ୍ନ ପଚାରି ନାହାନ୍ତି । କିନ୍ତୁ ଏହି ପ୍ରଶ୍ନ ବିଜେପିରେ ଥିବା ଜଣେ ନେତା ପଚାରିଛନ୍ତି । ଏହା ସବୁଠାରୁ ବଡ଼ କୌତୁହଳର ବିଷୟ । ତାଙ୍କ ସଂପର୍କରେ ଆଉ କିଛି କହିବି ନାହିଁ । ଖାଲି ଏତିକି କହିବି ଅନ୍ତତଃ ସବୁ କଥାକୁ ବୁଝି, ତଥ୍ୟ ସଂଗ୍ରହ କରି କ’ଣ କ’ଣ ହୋଇଛି କହିବା କଥା । କିଛି ନଜାଣି ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ । ୯ବର୍ଷ ଭିତରୁ ୨୦୦୦-୨୦୦୪ ମସିହା ମଧ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ବ୍ୟାପକ ସଂଶୋଧନ କରିଛି । ପ୍ରଶାସନିକ ସଂସ୍କାର ମଧ୍ୟ ଅନେକ କରାଯାଇଛି । ପୁରୀ ଗଜପତି ମହାରାଜ ବହୁ ପ୍ରସ୍ତାବ ଦେଇଥିଲେ, ସେ ମଧ୍ୟ ଆଲୋଚନା କରିଥିଲେ । ସେଥିରେ ଅପଗ୍ରେଟ୍ କରାଯାଇଥିଲା ପ୍ରଶାସକ ପରେ । ଏହି ପଦବୀରେ ଜଣେ ଯୁଗ୍ମ ସଚିବ ପାହ୍ୟାର ଅଫିସର ଥିଲେ, ଏହାକୁ ଅପ୍ଗ୍ରେଟ୍ କରାଯାଇ ଅତିରିକ୍ତ ସଚିବ ପାହ୍ୟାର ଜଣେ ଆଇଏସ୍ ଅଫିସରଙ୍କୁ ରଖାଗଲା । ଆରଡିସି ପାହ୍ୟାର ଜଣେ ଅଫିସରଙ୍କୁ ମୁଖ୍ୟ ପ୍ରଶାସକ କରାଗଲା । ପ୍ରଶାସକ ନୀତି, ପ୍ରଶାସକ ନିରାପତ୍ତା ମଧ୍ୟ ନିଯୁକ୍ତ ହେଲେ । ଏସ୍ପି, ଜିଲ୍ଲାପାଳ ଓ ଆଇନ ବିଭାଗର ଜଣେ ସଦସ୍ୟଙ୍କୁ ମଧ୍ୟ ନିଆଯାଇଥିଲା । ବୋଧହୁଏ ଏସବୁ ନଜାଣି ସେ ଏଭଳି ମନ୍ତବ୍ୟ ଦେଇଛନ୍ତି । ମନ୍ଦିରର ଆୟ ବଢ଼ିବା ପାଇଁ ପଦକ୍ଷେପ ନିଆଯାଇଥିଲା । ଶ୍ରୀମନ୍ଦିର ପ୍ରଶାସକ କାର୍ଯ୍ୟାଳୟକୁ ବାହାରକୁ ଅଣାଯାଇଥିଲା । ଯାତ୍ରୀମାନଙ୍କ ସୁବିଧା ପାଇଁ ନିଳାଞ୍ଚଳ ଭକ୍ତ ନିବାସ କରାଯାଇଥିଲା । ରଥଯାତ୍ରା ସମୟରେ ଯଦି କୌଣସି ଭକ୍ତଙ୍କର ମୃତ୍ୟୁ ହୁଏ ତାଙ୍କ ପାଇଁ ବୀମା ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସେ ୨ଲକ୍ଷ ଟଙ୍କା ପାଇବେ ବୋଲି ବ୍ୟବସ୍ଥା ହୋଇଥିଲା । ସେବାୟତମାନଙ୍କ ପାଇଁ ମଧ୍ୟ ବୀମା ବ୍ୟବସ୍ଥା ହୋଇଥିଲା । ଆନନ୍ଦ ବଜାରରେ ସଂପୂର୍ଣ୍ଣ ନବୀକରଣ ପଦକ୍ଷେପ ନିଆଯାଇଥିଲା । ମେଘନାଦ ପାଚେରୀ ଚାରିକଡ଼ରେ ଉଜ୍ୱଳ ଆଲୋକ ଲଗାଯାଇଥିଲା ।”
ଶ୍ରୀ ହରଚନ୍ଦନ ଏସବୁ କଥା ଦର୍ଶାଇ ବିଜୟଙ୍କୁ ଜଣାଇବା ପାଇଁ ଚାହିଁଛନ୍ତି । ତାଙ୍କ ସମୟରେ କେତେ ସଂସ୍କାର ମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । ଫଳରେ ବିଜୟ-ବିଜେପି ବିବାଦ ଜୋରଦାର ହୋଇଛି । ମଙ୍ଗଳବାର ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ବିଜୟଙ୍କୁ ପାଲଟା ପ୍ରଶ୍ନ କରି ସେ ୧୯୯୦-୯୫ ବିଜୁ ପଟ୍ଟନାୟକ ସରକାରରେ ଜଣେ ଦକ୍ଷ ମନ୍ତ୍ରୀ ଥିଲାବେଳେ କ’ଣ କରିଥିଲେ ବୋଲି ପଚାରିଥିଲେ ।

ONA

Leave a Reply

Top