You are here
Home > ଅଧିକ ଖବର > ଆଳି ଫେରିବେନି ପ୍ରତାପ: ବିଜେଡିରେ ମିଶିବେ କଂଗ୍ରେସ ବିଧାୟକ ଦେବେନ୍ଦ୍ର!

ଆଳି ଫେରିବେନି ପ୍ରତାପ: ବିଜେଡିରେ ମିଶିବେ କଂଗ୍ରେସ ବିଧାୟକ ଦେବେନ୍ଦ୍ର!

  • ସଞ୍ଜୟ ପ୍ରଧାନ :-

         

              ରାଜତନ୍ତ୍ର ସିନା ନାହିଁ ହେଲେ କେନ୍ଦ୍ରାପଡା ଜିଲ୍ଲାର ଆଳିରେ ରାଜପରିବାର ଶାସନ ଦୀର୍ଘ ଦିନ ଧରି ଚାଲିଥିଲା।୧୯୭୧ରୁ ୨୦୧୪ ଯାଏଁ କ୍ରମାଗତ ଭାବେ ଆଳି ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରିଆସୁଥିଲେ ରାଜପରିବାର ସଦସ୍ୟ। ଯଦିଓ ମଝିରେ ଦୁଇଟି ବିଧାନସଭା ନିର୍ବାଚନରେ ସେମାନଙ୍କ ହାତରୁ ଏହି ଆସନ ଖସି ଯାଇଥିଲା, ତେବେ ପରବର୍ତ୍ତୀ ସମୟରେ ପୁଣି ଗୋଟି ଚଳାଇ ଫେରିଥିଲେ ଗାଦିକୁ। ଆଳି ରାଜା ଶରତ ଦେବ ୧୯୭୧ରୁ ୧୯୮୪ ଯାଏଁ ଚାରି ଚାରି ଥର ବିଧାୟକ ହୋଇଥିବାବେଳେ ୧୯୮୪ ଉପନିର୍ବାଚନରେ କେନ୍ଦ୍ରାପଡାରୁ ସାଂସଦ ଭାବେ ଲୋକସଭାକୁ ସେ ନିର୍ବାଚିତ ହୋଇଥିଲେ। ତାଙ୍କ ପରେ ଶରତ ଦେବଙ୍କ ପତ୍ନୀ ତଥା ରାଣୀ ସୁଶ୍ରୀ ଦେବୀ ୧୯୯୦ରେ ଆଳିରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ପରେ ୨୦୦୨ ମସିହାରେ ସୁଶ୍ରୀ ଦେବୀ ବିଜେଡି ପକ୍ଷରୁ ବରିଷ୍ଠଙ୍କ ଗୃହ ରାଜ୍ୟସଭାକୁ ଯାଇଥିଲେ। ସୁଶ୍ରୀ ଦେବୀଙ୍କ ପରେ ପୁଅ ପ୍ରତାପ ଦେବ ୨୦୦୦ମସିହାରୁ ୨୦୧୪ ଯାଏଁ ତିନି ତିନି ଥର ଆଳି ଆସନରୁ ବିଧାନସଭାରେ ପ୍ରତିନିଧିତ୍ୱ କରିଛନ୍ତି, ବାପା ଶରତ ଦେବଙ୍କ ପରି ମନ୍ତ୍ରୀ ପଦ ବି ପାଇଥିଲେ ପ୍ରତାପ କେଶରୀ ଦେବ।ହେଲେ ୨୦୧୪ ନିର୍ବାଚନରେ ଆଳି ପ୍ରଜା ଆଉ ରାଜପରିବାରକୁ ଚାହିଁଲେନି। ମୁହଁ ମୋଡିଦେଲେ। ପ୍ରତାପଙ୍କୁ ଭୋଟ ରାଜନୀତିରେ ଗଡାଇଦେଲେ।ଏହାପରେ ଆଳିରେ ପୁଣି ବିଜୟ ବାନା ଉଡାଇବା ପାଇଁ ପ୍ରତାପ ଦେବ ପାଗ ଭିଡୁଥିବା ବେଳେ ତାଙ୍କୁ ଚାଲ୍ କରି ରାଜ୍ୟସଭାକୁ ପଠାଇଦିଆଯାଇଛି। ସେ ୨୦୨୨ ଯାଏଁ ରାଜ୍ୟସଭା ସଦସ୍ୟ ରହିବେ। ଆଉ ପ୍ରତାପ ରାଜ୍ୟ ରାଜନୀତିକୁ ଫେରିବେନି ବୋଲି ଶୁଣାଯାଉଛି। ପ୍ରତାପଙ୍କ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ବିଧାୟକ ଦେବେନ୍ଦ୍ର କିଶୋର ଶର୍ମାଙ୍କୁ ବିଜେଡିରେ ମିଶାଇ ଆଳିରୁ ଆଗାମୀ ନିର୍ବାଚନରେ ଟିକେଟ ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। କଂଗ୍ରେସର ହାତ ଥରୁ ଥିବାବେଳେ ଦେବେନ୍ଦ୍ର ବି ଶଙ୍ଖ ଫୁଙ୍କିବା ପାଇଁ ଆଗଭର ହେଲେଣି।ସେପଟେ ଆଳି ସମେତ କେନ୍ଦ୍ରାପଡାରେ ବିଜେଡକୁ ଚେକ୍ ଦେବା ତଥା ନିଜ ସ୍ଥିତିକୁ ମଜଭୁତ କରିବା ପାଇଁ ବିଜେପି ମିଶ୍ରଣ ସମାବେଶରେ ଜିଲ୍ଲାର ଦୁଇ ପୂର୍ବତନ ବିଧାୟକଙ୍କୁ ଦଳରେ ମିଶାଇଛି।   ୧୧ଜୁନ୍,୨୦୧୭। କେନ୍ଦ୍ରାପଡାରେ ବିଜେପିର ମିଶ୍ରଣ ସମାବେଶ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସେହି ସମାବେଶରେ ଯୋଗ ଦେଲେ ହଜାର ହଜାର କର୍ମୀ। ସତେ ଯେପରି ବିଜୁ ପଟ୍ଟନାୟକଙ୍କର ଗଡ କେନ୍ଦ୍ରାପଡା ହୋଇଗଲା ମୋଦିମୟ।ଜିଲ୍ଲାର ଦୁଇ ଜଣ ପୂର୍ବତନ ବିଧାୟକ ମିଶିଲେ ବିଜେପିରେ।କେନ୍ଦ୍ରାପଡାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା ଓ ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ପଦ୍ମ ପୋଖରୀକୁ ଡେଇଁଲେ।ହେଲେ ଅନେକ ଲୋକଙ୍କୁ ଏହା ହଜମ ହେଲା ନାହିଁ। ଦିନେ ବିଜୟ ମହାପାତ୍ରଙ୍କ ଏକାନ୍ତ ଅନୁଗତ ଥିବା ଉତ୍କଳ କେଶରୀ ପରିଡା ବିଜେପିରେ ମିଶିବା ପ୍ରସଙ୍ଗକୁ ଭିନ୍ନ ରଙ୍ଗ ଦିଆଗଲା। ଚର୍ଚ୍ଚା ହେଲା, ବିଜୟ ମହାପାତ୍ର ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଚାଲିଥିବା କନ୍ଦଳ ପାଇଁ ଉତ୍କଳଙ୍କୁ ଅସ୍ତ୍ର କରାଯାଇଛି। ଶିଷ୍ୟ ଉତ୍କଳଙ୍କୁ ଅସ୍ତ୍ର କରି ଗୁରୁ ବିଜୟଙ୍କୁ ମାତ୍ ଦିଆଯିବ। ଏନେଇ ବିଜୟ ସମର୍ଥକ ପ୍ରତିବାଦ ମଧ୍ୟ କଲେ।ମୋଦିଙ୍କ  ଫଟୋ ପୋଡିଲା ଏବଂ ବିଜୟଙ୍କ କଟ୍ଟାକ୍ଷ ସହ ତାଙ୍କ ସମର୍ଥକ ରହିଲେ ମିଶ୍ରଣ ସମାବେଶରେ ଅନୁପସ୍ଥିତ।
    ସେପଟେ ବଡ ୟୁ-ଟର୍ଣ୍ଣ ମାରିଲା ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକଙ୍କ ବିଜେପିରେ ମିଶିବା ଘଟଣା। କଂଗ୍ରେସ ଟିକେଟରୁ ୧୯୮୫ ଓ ୧୯୯୫ରେ ଦୁଇ ଦୁଇ ଥର ଆଳିରୁ ବିଧାୟକ ହୋଇଛନ୍ତି ଦୋଳଗୋବିନ୍ଦ। ବର୍ତ୍ତମାନ କଂଗ୍ରେସ ଟିକେଟରୁ ଆଳି ବିଧାନସଭା ଆସନ ଜିତିଥିବା ଦେବେନ୍ଦ୍ରନାଥ ଶର୍ମାଙ୍କ ସହ  ତାଙ୍କର ଅହିନକୁଳ ସମ୍ପର୍କ।ବାରମ୍ବାର କଂଗ୍ରେସ ଟିକେଟ ପାଉଥିବା ଦେବେନ୍ଦ୍ରଙ୍କୁ ଦୋଳ ବିରୋଧ କରୁଥିଲେ। ଯେଉଁଥିପାଇଁ ପୂର୍ବ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବଙ୍କ ଠାରୁ ପରାଜିତ ହେଉଥିଲେ ଦେବେନ୍ଦ୍ର।ହେଲେ ୨୦୧୪ରେ ପାଣିପାଗ ଅଲଗା ହେଲା।ଦୋଳଙ୍କ ଭାଇ ତଥା ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକଙ୍କୁ କେନ୍ଦ୍ରାପଡା ଲୋକସଭା ଆସନରୁ ମିଳିଲା କଂଗ୍ରେସ ଟିକେଟ୍। ଭାଇ ଧରଣୀଧରଙ୍କ ଲାଗି ଦେବେନ୍ଦ୍ରଙ୍କୁ ବାଧ୍ୟ ହୋଇ ସମର୍ଥନ କଲେ ଦୋଳ।ଫଳରେ ପୂର୍ବତନ ବିଧାୟକ ଦିବାକରନାଥ ଶର୍ମାଙ୍କ ପୁଅ ଦେବେନ୍ଦ୍ର ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ଜିତିଲେ।ହେଲେ ଏବେ ପୁଣି ରାଜନୀତି ପାଗ ବଦଳିଛି।କାରଣ ବିଜେପିରେ ମିଶିବା ପରେ ତ ଆଉ ଚୁପ୍ ବସିବେନି ଦୋଳ। ୨୦୧୯ରେ ଦୋଳଗୋବିନ୍ଦ ଆଳିରୁ ବିଜେପି ଟିକେଟରେ ଲଢିବା ଏକ ପ୍ରକାର ନିଶ୍ଚିତ।
    ସେପଟେ ପଞ୍ଚାୟତ ନିର୍ବାଚନରେ ଆଳିରେ କଂଗ୍ରେସର ଫ୍ଲପ୍ ସୋ ଦେବେନ୍ଦ୍ରଙ୍କ ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନେଇ ବିଧାୟକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ ଦେବେନ୍ଦ୍ର କୁଆଡେ ଶଙ୍ଖ ଫୁଙ୍କିବେ ବୋଲି ବିଜେଡି ପାୱାର କରିଡରରୁ ସିଗନାଲ୍ ପାଇଛନ୍ତି। ଦେବେନ୍ଦ୍ରଙ୍କ ଚରମ ଶତ୍ରୁ ବିଜେଡି ନେତା ତଥା ଆଳି ରାଜପରିବାର ସଦସ୍ୟ ପ୍ରତାପ ଦେବ ରାଜ୍ୟସଭାକୁ ଯାଇଛନ୍ତି।୨୦୨୨ ଯାଏ ଦିଲ୍ଲୀରେ ରହିବେ ପ୍ରତାପ।ତାଙ୍କ ସ୍ଥାନରେ ବିଜେଡିରୁ ଦେବେନ୍ଦ୍ରଙ୍କୁ ଆଳି ଆସନରୁ ଟିକେଟ ମିଳିପାରେ।ହେଲେ ବିଜେଡିକୁ ଯିବା ପୂର୍ବରୁ ତାଙ୍କୁ ପରୀକ୍ଷା ବି ଦେବାକୁ ପଡିଛି। ଚର୍ଚ୍ଚା ହେଉଛି, ଆଳିରେ ଯେଉଁର୍ମାନେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡି ଉପରେ ଅଣ୍ଡା ମାଡ କଲେ, ସେମାନେ ପ୍ରକୃତରେ ଦେବେନ୍ଦ୍ରଙ୍କ ଇସାରାରେ କରିଛନ୍ତି। ଯାହା ବିଜେଡିର କ୍ଷମତା ଅଳିନ୍ଦକୁ ବେଶ୍ ପ୍ରଭାବିତ କରିଛି। ପୂର୍ବରୁ ମଧ୍ୟ ଦେବେନ୍ଦ୍ରଙ୍କୁ ବିଜେଡିରେ ମିଶାଇବା ପାଇଁ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଲବି କରୁଥିବା ଖବର ରହିଛି । ଦେଖିବାକୁ ରହିଲା, ନିଜ ରାଜନୈତିକ ଓ ପାରିବାରିକ ଗଡରେ ବାପା ଶରତ ଦେବଙ୍କ ଶିଷ୍ୟ ଦେବେନ୍ଦ୍ରଙ୍କୁ ଜିତାଇବାରେ ପ୍ରତାପ ଦେବଙ୍କ ଭୂମିକା କଣ ରହୁଛି ?

ONA

Leave a Reply

Top