You are here
Home > ଲାଟେଷ୍ଟ > ଜଗମୋହନ ମରାମତି ପ୍ରସଙ୍ଗ: ପୋର୍ଟାଲ ଫ୍ରେମକୁ ଏଏସଆଇର ଅନୁମୋଦନ

ଜଗମୋହନ ମରାମତି ପ୍ରସଙ୍ଗ: ପୋର୍ଟାଲ ଫ୍ରେମକୁ ଏଏସଆଇର ଅନୁମୋଦନ

ପୁରୀ: ଶ୍ରୀମନ୍ଦିର ଜଗମୋହନର ସ୍ଥାୟୀ ସୁରକ୍ଷା ପାଇଁ ପୋର୍ଟାଲ ଫ୍ରେମ ଡିଜାଇନ୍କୁ ଅନୁମୋଦନ ମିଳିଛି । ଜଗମୋହନ ମରାମତି ପାଇଁ କୋର କମିଟି ପ୍ରସ୍ତୁତ କରିଥିବା ଡିଜାଇନକୁ ଶେଷରେ ଏଏସଆଇ ଅନୁମୋଦନ କରିଛି । ଗତ ୧୯ ତାରିଖରେ ଆସିଥିବା ଏହି ଅନୁମୋଦନକୁ ନେଇ ଆଜି ଏଏସଆଇ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି । ଏଏସଆଇର ତତ୍ତ୍ୱାବଧାନରେ ରାଜ୍ୟ ପୂର୍ତ୍ତ ବିଭାଗ ମରାମତି କାର୍ଯ୍ୟ କରିବ । ଏଥିପାଇଁ ଯଥାଶୀଘ୍ର ବ୍ୟୟଅଟକଳ ଦାଖଲ କରିବା ସହ ମରାମତି ପ୍ରକ୍ରିୟା ଆରମ୍ଭ କରିବାକୁ ଏଏସଆଇ ମହାନିର୍ଦେଶକ ରାକେଶ କୁମାର ତିୱାରୀ ଗତକାଲି ରାଜ୍ୟ ପୂର୍ତ୍ତ ସଚିବଙ୍କୁ ଚିଠି ଲେଖିଥିଲେ । ଜଗମୋହନ ମରାମତି ବେଳେ ପ୍ରାଚୀନ ଐତିହ୍ୟର ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ପାଇଁ ସେଥିରେ ପରାମର୍ଶ ଦିଆଯାଇଛି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଏହି ଚିଠି ଜଗମୋହନ ମରାମତି ବିବାଦକୁ ନୂଆମୋଡ ଦେଇଛି । ହାଇକୋର୍ଟଙ୍କ ତାଗିଦ ପରେ ଏଏସଆଇ ଉଚ୍ଚ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ଗ୍ରହଣ କରିଥିବା କୁହାଯାଉଛି । ଏଏସଆଇ ବାରମ୍ବାର ମତ ପରିବର୍ତ୍ତନ କରୁଥିବାରୁ ଡିଜାଇନ ଏବଂ ବ୍ୟୟଅଟକଳ ଦାଖଲ କରିବାକୁ ରାଜ୍ୟ ପୂର୍ତ୍ତ ବିଭାଗ ମନା କରିଦେଇଥିଲା । ଏହାପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି । ମିଳିଥିବା ସୂଚନା ଅନୁଯାୟୀ ଷ୍ଟେନଲେସ ଷ୍ଟିଲ ବକ୍ସଫ୍ରେମ ମାଧ୍ୟମରେ ପୋର୍ଟାଲ ଫ୍ରେମ ମରାମତି ପାଇଁ ଏଏସଆଇ ଦିଲ୍ଲୀ କାର୍ଯ୍ୟାଳୟ ନଭେମ୍ବର ୧୯ରେ ଅନୁମତି ଦେଇଥିଲା । ଏହାର ଠିକ ୪ଦିନ ପରେ ଆଉ ଏକ ଚିଠି ଲେଖି ମରାମତି ବେଳେ ଜଗମୋହନର ସ୍ଥାୟିତ୍ୱ ନେଇ ଲିଖିତ ପ୍ରତିଶ୍ରୁତି ଦେବାକୁ ଶ୍ରୀମନ୍ଦିର ପ୍ରଶାସନ, କୋର କମିଟି ଏବଂ ପୂର୍ତ୍ତ ସଚିବଙ୍କୁ ବିଭାଗୀୟ ଅତିରିକ୍ତ ମହାନିର୍ଦେଶକ ପରାମର୍ଶ ଦେଇଥିଲେ । କେବଳ ସେତିକି ନୁହେଁ, ଜଗମୋହନର ଯଦି କୌଣସି କ୍ଷତି ହୁଏ ତାହାହେଲେ ସେଥିପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦାୟୀ ରହିବ ନାହିଁ ବୋଲି ଗତ ୨୯ତାରିଖ ଚିଠିରେ ଏଏସଆଇ ଆଗୁଆ ନିଜ ଉପରୁ ଦୋଷ ଛଡାଇ ଦେଇଥିଲା । ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନିତ ଶରଣ ଏବଂ ଜଷ୍ଟିସ ଡଃ ବି.ଆର. ଷଡଙ୍ଗୀ ଦୁଇଦିନ ତଳେ ପୁରୀ ଗସ୍ତରେ ଆସି ଜଗମୋହନ ସ୍ଥିତି ଅନୁଧ୍ୟାନ କରିଥିଲେ । ମଙ୍ଗଳବାର ହାଇକୋର୍ଟରେ ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଥିଲା । ମାଡ୍ରାସ ଆଇଆଇଟି ପକ୍ଷରୁ ଡିଜାଇନ ଅନୁମୋଦନ କରାଯାଇଛି କି ନାହିଁ ସେଥିନେଇ ସବିଶେଷ ତଥ୍ୟ ପ୍ରଦାନ କରିବାକୁ କୋର୍ଟ ନିର୍ଦେଶ ଦେଇଥିଲେ ।

ONA

Leave a Reply

Top