You are here
Home > ଅଧିକ ଖବର > ଅକ୍ଷୟ ତୃତୀୟା: ଅନୁକୂଳର ପର୍ବ

ଅକ୍ଷୟ ତୃତୀୟା: ଅନୁକୂଳର ପର୍ବ

ଅକ୍ଷୟ ତୃତୀୟା । ସାରା ଓଡ଼ିଶା ଏହି ପବିତ୍ର ଦିନଟିକୁ ପାଳନ କରିଥାଏ ଅନୁକୂଳର ପର୍ବ ଭାବେ । ଆଜି ଓଡ଼ିଆ ଚଷାପୂଅ ଅକ୍ଷିମୁଠି ଅନୁକୂଳ କରିବା ସହିତ ଚାଷକାର୍ଯ୍ୟ ଆରମ୍ଭ କରିଥାଏ । କୃଷିପ୍ରଧାନ ରାଜ୍ୟ ଓଡ଼ିଶା ଲାଗି ଏହି ଦିନଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । ସାରା ବର୍ଷର ଧାନ ଓ ଧନ ଉପରେ ନିର୍ଭର କରିଥାଏ ଆଜିର ପବିତ୍ର ତିଥି । ଆଜି ଓଡ଼ିଆ ଚାଷୀ କ୍ଷେତରେ ହଳ ଲଙ୍ଗଳ ଚଲାଇବା ସହିତ ବିହନ ବୁଣି ଚାଷ କାର୍ଯ୍ୟର ଅୟମାରମ୍ଭ କରିଥାଏ । ଏହିସବୁ ଦୃଷ୍ଟିକୋଣରୁ ଆଜି ଦିନର ବେଶ୍ ତାତ୍ପର୍ଯ୍ୟ ରହିଛି ।
ପବିତ୍ର ଅକ୍ଷୟ ତୃତୀୟା ଦିନରେ ହିଁ ବ୍ୟାସଦେବ ମହାଭାରତ ରଚନା ଆରମ୍ଭ କରିଥିଲେ । ଏହି ଦିନରେ ଭଗବାନ ପର୍ଶୁରାମ ଜନ୍ମଗ୍ରହଣ କରିଥିଲେ । ଆଜିର ଦିନରେ ତ୍ରେତୟା ଯୁଗ ଆରମ୍ଭ ହୋଇଥିବାର ପୌରାଣିକ କିମ୍ବଦନ୍ତୀ କହେ । ଏପରିକି ଆଜିର ଏହି ଅକ୍ଷୟ ତୃତୀୟା ଦିନ ହିନ୍ଦୁମାନଙ୍କ ପବିତ୍ର ନଦୀ ଗଙ୍ଗାନଦୀ ସ୍ୱର୍ଗରୁ ମର୍ତ୍ତ୍ୟକୁ ଆସିଥିଲା ।

ଓଡ଼ିଆଙ୍କ ପ୍ରାଣର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଲାଗି ରଥକାଠ ପ୍ରତିଷ୍ଠା ହେବ । ଆଜି ଶ୍ରୀଜୀଉମାନେ ଚନ୍ଦନପୋଖରୀରେ ଖେଳିବେ ଚାପଖେଳ । ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ଆଜିଠୁ ହି ଆରମ୍ଭ ହେଉଛି । ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ଲାଗି ସମସ୍ତ ପ୍ରସ୍ତୁତିର ପୂଜା ଆଜିହିଁ ଆରମ୍ଭ ହେଉଛି ।

ସମସ୍ତ ଓଡ଼ିଆଙ୍କ ଲାଗି ଆଜିର ଏହି ଅକ୍ଷୟ ତୃତୀୟା ଦିନଟି ଏତେ ପବିତ୍ର ଯେ, ବିନା ପାଞ୍ଜିରେ ସମସ୍ତ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ । ଏହି ଦିନରେ ମଧ୍ୟ ସମସ୍ତେ କିଛି କିଛି ସୁନା ଅଳଙ୍କାର କ୍ରୟ କରିବାର ତଥା ଜମିବାଡ଼ି କ୍ରୟ କରୁଥିବାର ଦେଖାଯାଇଥାଏ । ତେଣୁ ଅନୁକୂଳର ପର୍ବ ଅକ୍ଷୟ ତୃତୀୟାକୁ ସମସ୍ତ ଓଡ଼ିଆମାନେ ସୁଖ ଓ ସମୃଦ୍ଧିର ଦିବସ ଭାବେ ଆଡ଼ମ୍ବର ସହକାରେ ପାଳନ କରୁଥିବାର ଦେଖାଯାଏ ।

ONA

Leave a Reply

Top