You are here
Home > ପଲିଟିକ୍ସ > ୭ ମନ୍ତ୍ରୀଙ୍କ ମୁଣ୍ଡରେ ଖଣ୍ଡା

୭ ମନ୍ତ୍ରୀଙ୍କ ମୁଣ୍ଡରେ ଖଣ୍ଡା

ପଞ୍ଚାୟତ ନିର୍ବାଚନ ନ ସରୁଣୁ ଆରମ୍ଭ ହୋଇଗଲାଣି ପୋଷ୍ଟମର୍ଟମ । କ’ଣ ପାଇଁ ଏଥର ବିଜେଡିର ଜିଲ୍ଲା ପରିଷଦ ଆସନ ସଂଖ୍ୟା କମିଲା ? କେଉଁଠି ରହିଗଲା ଭୁଲ ? ମନ୍ତ୍ରୀ ଓ ଜିଲ୍ଲା ସଭାପତିଙ୍କ ହାତରେ ଦଳୀୟ ପ୍ରଚାର ଓ ନିର୍ବାଚନ ପରିଚାଳନା ଦାୟିତ୍ୱ ସୁପ୍ରିମୋ ନବୀନ ପଟ୍ଟନାୟକ ଛାଡି ଦେବା ଭୁଲ ଥିଲା କି? ଏସବୁ ନେଇ ଆଲୋଚନା-ପର୍ଯ୍ୟାଲୋଚନା ଚାଲିଛି । ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଆଶାନୁରୂପ ସିଟ ମିଳିନଥିବା ବେଳେ ବିଜେପି ଦ୍ୱିତୀୟ ନମ୍ବର ସ୍ଥାନରେ ଥିବାରୁ ଏହାକୁ ନେଇ ନବୀନ ବିଚଳିତ । ବିଶେଷକିର ଯେଉଁ ୭ ମନ୍ତ୍ରୀଙ୍କ ଇଲାକାରେ ବିଜେଡି ଚିତପଟାଙ୍ଗ ମାରିଛି ସେମାନଙ୍କ ଉପରେ ସେ ଭୀଷଣ କ୍ଷୁବ୍ଧ । ଆଉ ସେହି ମନ୍ତ୍ରୀଙ୍କ ମୁଣ୍ଡରେ ଡେମୋକ୍ଲିସ ଖଣ୍ଡା ଝୁଲୁଛି ବୋଲି କୁହାଯାଉଛି ।
ଭୁବନେଶ୍ୱର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡିକୁ ଲାଗିଛି ଶକ୍ତ ଝଟକା । ଶଙ୍ଖ ଗଡରେ ପଦ୍ମ ଫୁଟିଛି । ଦଳୀୟ ନେତା ଓ ମନ୍ତ୍ରୀଙ୍କ ଔଧତ୍ୟ, ଅହଙ୍କାର ଓ ଅବହେଳା ଯୋଗୁ ବିଜେଡି ହାତରୁ ଅନେକ ଜିଲ୍ଲା ପରିଷଦ ଜୋନ ଖସିଯାଇଛି । ଭୋଟରମାନେ ଶଙ୍ଖ ନ ଫୁଙ୍କି ପଦ୍ମ ତୋଳିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନରେ ବିଜେଡିର ଫଳାଫଳକୁ ନେଇ ଖୁବ ଚିନ୍ତିତ । ମନ୍ତ୍ରୀ ଓ ଜିଲ୍ଲା ସଭାପତିଙ୍କ ଉପରେ ଭରସା କରି ସେ ଏଥର ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇନଥିଲେ । କେବଳ ନିଜ ଜିଲ୍ଲା ଗଞ୍ଜାମର ହିଞ୍ଜିଳିରେ ଗୋଟିଏ ଦିନ କିଛି ସମୟ ପାଇଁ ଯାଇ ରୋଡ ସୋ କରି ପଳାଇଆସିଥିଲେ । ଏଇଠି ହିଁ ବିଜେଡିକୁ ମିଳିିଛି ଆଶାତୀତ ସଫଳତା । ବାକି ସ୍ଥାନରେ ଦଳକୁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡିଛି । ମନ୍ତ୍ରୀଙ୍କ ଉପରେ ସେ ଅଧିକ ଭରସା କରିଥିବା ବେଳେ ୭ ମନ୍ତ୍ରୀଙ୍କ ଅଞ୍ଚଳରେ ବିଜେଡିର ବିପର୍ଯ୍ୟୟ ଘଟିଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, କ୍ରୀଡା ମନ୍ତ୍ରୀ ସୁଦାମ ମାରାଣ୍ଡି, ବୟନ ଶିଳ୍ପମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଅନୁସୂଚିତ ଜାତି-ଜନଜାତି ମନ୍ତ୍ରୀ ଲାଲ ବିହାରୀ ହିମିରିକା, ଏମଏସଏମଇ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଓ ଆଇନ ମନ୍ତ୍ରୀ ଅରୁଣ ସାହୁ ନିଜ ନିଜ ଗଡରେ ବିଫଳ ହୋଇଛନ୍ତି ।ଏହି ମନ୍ତ୍ରୀମାନେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ପାଖେପାଖେ ରହୁଥିଲେ । ହେଲେ ସାଧାରଣ ନିର୍ବାଚନକୁ ଅଢ଼େଇ ବର୍ଷ ବିତି ନଥିବାବେଳେ ଏହି ମନ୍ତ୍ରୀଙ୍କ ଅଞ୍ଚଳରେ ବିଜେଡି ଠାରୁ ମୁହଁ ଫେରାଇ ନେଲେଣି ଭୋଟର । ଭୋଟରମାନେ ଶଙ୍ଖ ନଫୁଙ୍କି ସେମାନଙ୍କ ଭିତରର କୋହକୁ ଜାହିର କରିଛନ୍ତି । ଆଉ ଗୋଟିଏ କଥା ସୂଚେଇ ଦେଇଛନ୍ତି ଯେ,  ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ମାଳମାଳ ଯୋଜନା ହେଲେ କିଛି ଲାଭ ନାହିଁ । ଏହା କାର୍ଯ୍ୟକାରୀ ହେବା ଦରକାର । ତୃଣମୂଳ ସ୍ତରରେ ଲୋକେ ଏହାର ଫାଇଦା ପାଇବା ଉଚିତ । ଏସବୁ ବିନା  ଓଲିଉଡ ଅଭିନେତାଙ୍କୁ ପଠାଇ ପ୍ରଚାର ଅଥବା ନିଜେ ଆସି ପ୍ରଚାର କରନ୍ତୁ, ଏହାର କୌଣସି ପ୍ରଭାବ ଲୋକଙ୍କ ଉପରେ ଆଉ ପଡିବ ନାହିଁ । ଜନତାଙ୍କୁ ବହଲାଇ, ଭଣ୍ଡାଇ ଆଉ ବିଜେଡି ଭୋଟ ହାତେଇପାରିବେ ନାହିଁ ବୋଲି ସଙ୍କେତ ମିଳିଛି ପଞ୍ଚାୟତ ନିର୍ବାଚନରୁ  । ପଞ୍ଚାୟତ ନିର୍ବାଚନ ୫ଟିି ପର୍ଯ୍ୟାୟରେ ଜିଲ୍ଲା ପରିଷଦ ଆସନ ପାଇଁ ଶାସକ ଦଳକୁ କଡା ଟକ୍କର ଦେଇଛି ବିଜେପି । ପ୍ରଥମ ପର୍ଯ୍ୟାୟରେ ୧୮୮ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ୧୦୩ରେ ବାଜିମାତ କରିଥିବା ବେଳେ ବିଜେଡି ଜିତିଥିଲା ୭୧ଟି  । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୧୭୫ ଆସନରୁ ୯୭ଟି ବିଜେଡି ଓ ୫୮ଟିରେ ବିଜେପି ବାଜିମାତ କରିଥିଲା । ତୃତୀୟ ପର୍ଯ୍ୟାୟ ମତଦାନରେ ବିଜେଡି ଆଗରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ବିଜେପି । ସେହିପରି ୪ର୍ଥ ଓ ୫ମ ପର୍ଯ୍ୟାୟରେ ମଧ୍ୟ ବିଜେଡି ଓ ବିଜେପି ଆଗ ପଛହୋଇ  ଜିଲ୍ଲା ପରିଷଦ ହାତେଇଛନ୍ତି ।
  ଏଥର ପଞ୍ଚାୟତ ନିର୍ବାଚନରେ ତୃଣମୂଳ ସ୍ତରରେ ମନ୍ତ୍ରୀଙ୍କ ପ୍ରଭାବ ପଡିପାରିନାହିଁ । ଭୁବନେଶ୍ୱରେ ବସି ବଡ ବଡ କଥା କହୁଥିବା ମନ୍ତ୍ରୀଙ୍କ ପ୍ରଭାବ ଯେ ତୃଣମୂଳ ସ୍ତରରେ ଶୂନ୍ୟ ତାହା ଫଳାଫଳ ପରେ ଆଉ ବିଜେଡି ସୁପ୍ରିମୋ ନବୀନଙ୍କୁ ଅଛପା ହୋଇ ରହିନାହିଁ  । ଫଳରେ ଅସୁସ୍ଥ ନବୀନଙ୍କ ପାଇଁ ବିପର୍ଯ୍ୟୟ ଯନ୍ତ୍ରଣା ବଢିବାରେ ଲାଗିଛି । ତେଣୁ ଆଗାମୀ ଦିନରେ ହେବାକୁ ଥିବା ମନ୍ତ୍ରିମଣ୍ଡଳ ଅଦଳବଦଳରେ ନବୀନ ବଡ ଧରଣର ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ବିଶେଷକରି ପଞ୍ଚାୟତ ନିର୍ବାଚନରେ ଦଳକୁ ପରାଜୟର ମୁହଁ ଦେଖାଇଥିବା ୭ ହେଭିୱେଟ୍ ମନ୍ତ୍ରୀଙ୍କ ଆସନ ଏବେ ଟଳମଳ । ଏଥର ନିର୍ବାଚନରେ ବିଜେଡି ପାଇଁ ସବୁଠୁ ବଡ ବିପର୍ଯ୍ୟୟ ଆଣିଛନ୍ତି ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର । ତାଙ୍କ ନିର୍ବାଚନମଣ୍ଡଳୀ କଟକ ଜିଲ୍ଲା ବଡମ୍ବା ଓ ନରସିଂହପୁରରେ ଦେବୀଙ୍କ ପ୍ରଭାବ ହ୍ରାସ ପାଇଛି । ଏଠି ଶଙ୍ଖ ଫାଟିଛି ଆଉ ପଦ୍ମ ଫୁଟିଛି । ଦେବୀଙ୍କ ନିର୍ବାଚନମଣ୍ଡଳୀର ଭୋଟର ୭ଟି ଜିଲ୍ଲାପରିଷଦ ଆସନରୁ ୬ଟିରେ ପଦ୍ମ ତୋଳିଛନ୍ତି । ସେହିପରି ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ନେତୃତ୍ୱକୁ ବି ପ୍ରତ୍ୟାଖ୍ୟାନ କରିଛନ୍ତି ଜନସାଧାରଣ । ପୁଷ୍ପେନ୍ଦ୍ରଙ୍କ କଳାହାଣ୍ଡି ହେଉଛି ପ୍ରଥମ ଜିଲ୍ଲା ଯେଉଁଠି ଦୁଇଟି ପର୍ଯ୍ୟାୟ ନିର୍ବାଚନର ୧୮ଟି ଜୋନ ବିଜେପି ହାତକୁ ଚାଲିଯାଇଛି । ଏଠି ବିଜେଡି ଖାତା ଶୂନ । ସେହିପରି ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଅଞ୍ଚଳ ମୟୂରଭଞ୍ଜରେ ପଦ୍ମ ଫୁଟିଛି । ଜେଏମଏମରୁ ଆଣି ମାରାଣ୍ଡିଙ୍କୁ ବିଜେଡିରେ ମିଶାଇ ମନ୍ତ୍ରୀ କରାଯିବା ପରେ ନିଜ ଜିଲ୍ଲା ମୟୂରଭଞ୍ଜର ଲୋକଙ୍କ ସେ କେତେ ନିକଟତର ତାହା ଫଳାଫଳରୁ ସ୍ପଷ୍ଟ ହେଉଛି । ସେହିପରି ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ଜିଲ୍ଲା ମଧ୍ୟ ମୟୂରଭଞ୍ଜ । ହେଲେ ମୟୂରଭଞ୍ଜ ଜିଲ୍ଲାରେ ପଦ୍ମ ଚେର ଗଭୀରକୁ ପଶିଛି । ସେହିପରି ବଲାଙ୍ଗୀରରେ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ନିଜ ନିର୍ବାଚନମଣ୍ଡଳୀରେ ବିଜେପିକୁ ରୋକିପାରିଲେନି । ଏଠି ବିଜେପି ଖାତାକୁ ୮ଟି ଜିଲ୍ଲା ପରିଷଦ ଜୋନ ଯାଇଥିବା ବେଳେ ବିଜେଡି  ଜିତିଛି ୫ଟିରେ  । ସେହିପରି ବରଗଡରେ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରାୟଗଡାରେ ଲାଲ ବିହାରୀ ହିମିରିକା ଓ ନୟାଗଡରେ ମନ୍ତ୍ରୀ ଅରୁଣ ସାହୁଙ୍କ କାଟତି କମିଛି । କେବଳ ଏତିକି ନୁହେଁ ଶାସକ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ବି ବିଜେଡି ପାଇଁ ଏଥର ସଫଳତା ଆଣିପାରିନାନ୍ତି । ତେବେ ବିଜେପିକୁ ଲୋକେ ଆଦରି ନେଉଥିବା ବେଳେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ନୂଆପଡା ଜିଲ୍ଲା ଭୋଟର ରାଜ୍ୟ ସଭାପତିଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଦଳରେ ଅଲୋଡା ହେଲେ ବି ବିଜୟ ମହାପାତ୍ର କେନ୍ଦ୍ରାପଡାରେ ପଦ୍ମ ଫୁଟାଇବାରେ ସଫଳ ହୋଇଛନ୍ତି  ।
  ମା ପେଟରୁ ମଶାଣି ଯାଏ ନବୀନ ଅନେକ ଲୋକାଭିମୁଖୀ ଯୋଜନା କରିଛନ୍ତି । ହେଲେ ତାହା ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରୁ ନାହିଁ । ଲୋକମାନଙ୍କୁ ଯୋଜନା ବାବଦରେ ଠିକ ଭାବେ ଅବଗତ କରାଯାଇପାରିନାହିଁ । ଏସବୁ ବିଫଳତା ପାଇ ପଞ୍ଚାୟତ ନିର୍ବାଚନରେ ବିଜେଡି ତଳକୁ ଖସିବା ସହ ମନ୍ତ୍ରୀଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଉଠିଛି । ମନ୍ତ୍ରୀଙ୍କ ବାହାସ୍ଫୋଟ ଯୋଗୁ ନବୀନଙ୍କୁ ଅଯଥା ବଦନାମ ହେବାକୁ ପଡୁଛି । ନବୀନଙ୍କ ପାଇଁ ଦଳକୁ ଭୋଟ ମିଳୁଥିଲା ବୋଲି ପୂର୍ବରୁ ନେତାମାନେ କହି ବୁଲୁଥିଲେ । ହେଲେ ଏଥର ପଞ୍ଚାୟତ ନିର୍ବାଚନରେ ବିପର୍ଯ୍ୟୟ ପାଇଁ ବିଜେଡି ନେତାମାନେ ତାଙ୍କ ମୁଣ୍ଡରେ ଦୋଷ ଲଦିବେନି ବୋଲି ତ ଚର୍ଚ୍ଚା ହେଉଛି ।

ONA

Leave a Reply

Top