You are here
Home > ଲାଟେଷ୍ଟ > ୩୦କୁ ଘୁଞ୍ଚିଲା +୨ ରସାୟନ ବିଜ୍ଞାନ ପରୀକ୍ଷା

୩୦କୁ ଘୁଞ୍ଚିଲା +୨ ରସାୟନ ବିଜ୍ଞାନ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ପରେ ରସାୟନ ବିଜ୍ଞାନ ପରୀକ୍ଷାକୁ ୧୬ ତାରିଖରୁ ୩୦କୁ ଘୁଞ୍ଚାଇ ଦିଆଯାଇଛି । ଏହି ପରୀକ୍ଷା ଅପରାହ୍ଣ ୨ଟାରୁ ୫ଟା ମଧ୍ୟରେ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ୧୪ଟି କଲେଜରେ ଗଣିତ ବଦଳରେ ରସାୟନ ବିଜ୍ଞାନ ପ୍ରଶ୍ନପତ୍ର ବାହାରିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ପ୍ରଶ୍ନପତ୍ର ପଠାଉଥିବା ସଂସ୍ଥାର ତ୍ରୁଟି ଯୋଗୁଁ ଏଭଳି ହୋଇଥିଲା । ଯୁକ୍ତ ଦୁଇ ବିଜ୍ଞାନ ପ୍ରଶ୍ନପତ୍ର ବିଭ୍ରାଟ ଘଟଣାର ତଦନ୍ତ କରାଯିବ । କେମିତି ପ୍ରଶ୍ନପତ୍ରରେ ବିଭ୍ରାଟ ତାହାର ତଦନ୍ତ କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ପରୀକ୍ଷା ନିୟନ୍ତ୍ରକଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାର ପ୍ରଶ୍ନପତ୍ର ବାହାରେ ପ୍ରିଣ୍ଟ ହେଉଛି । ପ୍ରେସର ତ୍ରୁଟି ଯୋଗୁ ଏପରି ଘଟିଛି । ସେଥିପାଇଁ ଉକ୍ତ ପ୍ରେସକୁ କଳା ତାଲିକାଭୁକ୍ତ କରାଯିବ ।
ମଙ୍ଗଳବାର ରାଜ୍ୟର ୧୪ଟି ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପ୍ୟାକେଟ ଖୋଲିବା ସମୟରେ ଗଣିତ ପ୍ୟାକେଟରେ ରସାୟନ ବିଜ୍ଞାନ ପ୍ରଶ୍ନପତ୍ର ବାହାରିଥିଲା । ଏହାକୁ ନେଇ ବିଭାଗ ପକ୍ଷରୁ ଗଣିତ ପରୀକ୍ଷାକୁ ଶୃଙ୍ଖଳିତ କରିବାପାଇଁ ସମସ୍ତ ୧୪ଟି ସ୍ଥାନରୁ ରସାୟନ ବିଜ୍ଞାନ ପ୍ରଶ୍ନପତ୍ର କାଢ଼ି ନିଆଯାଇ ସେଠାରେ ପୁନଶ୍ଚ ଗଣିତ ପ୍ରଶ୍ନପତ୍ର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ତେବେ ପ୍ରଶ୍ନପତ୍ର ଖୋଲିବା ସମୟରେ ବିଧି ଅନୁଯାୟୀ ପରୀକ୍ଷା ଦାୟିତ୍ୱରେ ସୁପରିନଟେଣ୍ଡେଣ୍ଟ ଓ ସ୍ଥାନୀୟ ମାଜିଷ୍ଟ୍ରେଟ ରହିଥିଲେ । ମାତ୍ର ପ୍ୟାକେଟରେ ଭୁଲ ପ୍ରଶ୍ନପତ୍ର ବାହାରିଥିଲା । ଯେହେତୁ ପ୍ୟାକେଟ ବେଳେ ପ୍ରଶ୍ନପତ୍ର ରଖିବାରେ ତ୍ରୁଟି ହୋଇଛି ସେଥିପାଇଁ ପ୍ରଶ୍ନପତ୍ର ପ୍ୟାକିଂ ଓ ବଣ୍ଟନ ଦାୟିତ୍ୱ ଦିଆଯାଇଥିବା ସଂସ୍ଥାକୁ ଦାୟୀ କରାଯାଇଛି । ରାଜ୍ୟରେ ୧୧୦୬ଟି କେନ୍ଦ୍ରରେ ପରୀକ୍ଷା ଚାଲିଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସବୁପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ୧୬ତାରିଖରେ ହେବାକୁ ଥିବା ରସାୟନବିଜ୍ଞାନ ପରୀକ୍ଷାକୁ ସ୍ଥଗିତ ରଖାଯାଇ ଏହାକୁ ମାର୍ଚ୍ଚ ୩୦କୁ ଘୁଞ୍ଚାଇ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଉକ୍ତଦିନ ଅପରାହ୍ନ ୨ଟାରୁ ୫ଟା ମଧ୍ୟରେ ପରୀକ୍ଷା କରାଯିବ ।
ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ବ୍ରହ୍ମଗିରି ଗଡ଼ରୋଡ଼ଙ୍ଗ ବିଜେବି କଲେଜ ଓ କସର୍ଦା ଦୋଳଗୋବିନ୍ଦ ବ୍ରଜକିଶୋର କଲେଜରେ ଯୁକ୍ତ ଦୁଇ ପରୀକ୍ଷାକେନ୍ଦ୍ରରେ ପ୍ରଶ୍ନ ପ୍ୟାକେଟରୁ ଗଣିତ ପ୍ରଶ୍ନପତ୍ର ପରିବର୍ତ୍ତେ ରସାୟନବିଜ୍ଞାନ ପ୍ରଶ୍ନପତ୍ର ବାହାରିବାରୁ ପରୀକ୍ଷା ବିଳମ୍ବରେ ଆରମ୍ଭ ହୋଇଥିଲା ।

ONA

Leave a Reply

Top