You are here
Home > ଲାଟେଷ୍ଟ > ୧୬ରୁ ଅତି ପ୍ରବଳ ବର୍ଷା

୧୬ରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର :ଅଧାରୁ ଅଧିକ ଜିଲ୍ଲାରେ ପାଚିଲା ଧାନ କ୍ଷେତକୁ ଚକଡ଼ା ପୋକ ଦାଉ ସାଧିଥିବାବେଳେ ଉପକୂଳ ଓଡ଼ିଶା ଚାଷୀଙ୍କୁ ଭୟ ଦେଖାଇଛି ଲଘୁଚାପ ବର୍ଷା । ଆସନ୍ତା ୧୬ ତାରିଖ ଠାରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଚାଷୀଙ୍କ ଚିନ୍ତା ବଢିଯାଇଛି । କୃଷି ବିଭାଗ ପକ୍ଷରୁ ସଅଳ ଫସଲ ଅମଳ କରି ଖଳାକୁ ଆଣିଆସିବା ପାଇଁ କୁହାଯାଇଥିବାବେଳେ ଚାଷୀ ପାଚିଲା ଧାନ ପଚିଯିବା ନେଇ ଆତଙ୍କିତ ହୋଇଛି । ମଝିରେ ଆଉ ଦିନ ଚାରିଟା । ଯେତେ ଚେଷ୍ଟା କଲେ ସବୁ ଫସଲ କାଟି ଆଣିବା ସମ୍ଭବ ନୁହେଁ । ପୁଣି ଯଦି ସବୁ ଚାଷୀ ଏକା ସମୟରେ କାଟିବାକୁ ଚାହିଁବେ ତେବେ କୃଷିଶ୍ରମିକ ଆସିବେ କୁଆଡ଼ୁ ଏହି ଚିନ୍ତାରେ ଘାରି ହେଉଛି ଚାଷୀ । ଗଞ୍ଜାମ,ଗଜପତି, କେନ୍ଦ୍ରାପଡ଼ା, ବାଲେଶ୍ୱର,ଭଦ୍ରକ, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, କେନ୍ଦୁଝର, ବୌଦ୍ଧ ,କନ୍ଧମାଳ, ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି । ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁସାରେ ବର୍ତ୍ତମାନ ଲଘୁଚାପ ଦକ୍ଷିଣ ପୂୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖରେ ରହିଛି । ୧୫ ତାରିଖ ବେଳକୁ ଏହା ଉତ୍ତର ଆନ୍ଧ୍ରପ୍ରଦେଶ- ଦକ୍ଷିଣ ଓଡ଼ିଶା ଉପକୂଳର ନିକଟରେ ହେବ । ଏହାର ପ୍ରଭାବରେ ୧୩ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଓ ୧୬ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ ।

ONA

Leave a Reply

Top