You are here
Home > ଇଣ୍ଡିଆ > ୟୁପି, ଉତ୍ତରାଖଣ୍ଡରେ ବିଜେପି, ପଞ୍ଜାବରେ କଂଗ୍ରେସ

ୟୁପି, ଉତ୍ତରାଖଣ୍ଡରେ ବିଜେପି, ପଞ୍ଜାବରେ କଂଗ୍ରେସ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଜେପି ସଂଖ୍ୟାଗରିଷ୍ଠତା ପାଇଛି । ମୋଦିଙ୍କ ରାଜନୀତିରେ ସକ୍ରୀୟତା ଫଳରେ ଉତ୍ତର ପ୍ରଦେଶ ରାଜନୀତିରେ ଏକ ଝଡର ଆଭାସ ମିଳିଛି । ସବକା ସାଥ୍ ସବକା ବିକାଶ ନାରା ଦେଉଥିବା ବିଜେପି ଶେଷରେ ସାମଜବାଦୀ ପାର୍ଟିକୁ ଉତ୍ତରପ୍ରଦେଶ ଶାସନରୁ ବିତାଡିତ କରିବାରେ ସକ୍ଷମ ହୋଇଛି । ଏବେ ସରକାର ଗଢ଼ିବାକୁ ଯାଉଛି ବିଜେପି । କିନ୍ତୁ ମୋଦି ହାୱା ପଞ୍ଜାବରେ କାମ ଦେଇନି । ଏଠି କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ରଣକୌଶଳ କାମ ଦେଇଛି ଓ ବହୁମତ ସହିତ କଂଗ୍ରେସ ସରକାର ଗଢ଼ିବା ସ୍ପଷ୍ଟ ହୋଇଛି । ତେବେ ଗୋଆ ଓ ମଣିପୁରରେ ଚିତ୍ର ସ୍ପଷ୍ଟ ହୋଇପାରି ନାହିଁ । ଉଭୟ କଂଗ୍ରେସ ଓ ବିଜେପି ଆଗପଛ ହୋଇ ରହିଛନ୍ତି । ଶେଷ ଖବର ସୁଦ୍ଧା ୟୁପିରେ ୪୦୩ ଆସନରୁ ବିଜେପି ୩୦୭ଟିରେ ଆଗରେ ରହିଥିବା ବେଳେ ସମାଜବାଦୀ ପାର୍ଟି ଓ କଂଗ୍ରେସ ମେଣ୍ଟ ବହୁପଛରେ ପଡି ଯାଇଛନ୍ତି । ଉଭୟ ଦଳ ମିଶି ମାତ୍ର ୬୯ଟି ଆସନରେ ଆଗୁଆ ଅଛନ୍ତି । ସେହିପରି ମାୟାବତୀଙ୍କ ବହୁଜନସମାଜବାଦୀ ପାର୍ଟି ମାତ୍ର ୨୦ଟି ଆସନରେ ଆଗୁଆ ରହିଛି । ଅନ୍ୟାନ୍ୟ ୭ଟି ଆସନରେ ଆଗୁଆ ରହିଛନ୍ତି । ସେହିପରି ଉତ୍ତରାଖଣ୍ଡରେ ୭୦ଟି ଆସନ ମଧ୍ୟରୁ ବିଜେପି ୪୮ଟିରେ ଆଗୁଆ ରହିଥିବା ବେଳେ କଂଗ୍ରେସ ମାତ୍ର ୧୯ଟି ଓ ଅନ୍ୟାନ୍ୟ ୩ଟିରେ ଆଗୁଆ ରହିଛନ୍ତି । ତେଣୁ ଉତ୍ତରାଖଣ୍ଡ କଂଗ୍ରେସ ହାତରୁ ଚାଲିଯାଇଛି । ପଞ୍ଜାବରେ ଚିତ୍ର ଭିନ୍ନ ରହିଛି । ଲୋକେ କଂଗ୍ରେସକୁ ପସନ୍ଦ କରିଛନ୍ତି । ୧୧୭ଟି ଆସନରୁ ୭୫ଟିରେ କଂଗ୍ରେସ ଆଗୁଆ ରହିଥିବା ବେଳେ ୨୬ଟିରେ ଆପ୍ ଏବଂ ୧୬ଟି ଶିରୋମଣି ଅକାଳିଦଳ ଓ ବିଜେପି ମେଣ୍ଟ ଆଗୁଆ ରହିଛି । ସେହିପରି ୪୦ ଆସନ ବିଶିଷ୍ଠ ଗୋଆରେ ବିଜେପି ୧୩ଟିରେ, କଂଗ୍ରେସ ୧୬ଟିରେ ଏବଂ ଅନ୍ୟାନ୍ୟ ୧୦ଟିରେ ଅଗ୍ରଣୀ ଲାଭ କରିଛନ୍ତି । ୬୦ ଆସନ ବିଶିଷ୍ଟ ମଣିପୁରରେ ମଧ୍ୟ କଂଗ୍ରେସ ୨୫ଟିରେ, ବିଜେପି ୨୧ଟିରେ ଏବଂ ଅନ୍ୟାନ୍ୟ ୧୦ଟିରେ ଆଗୁଆ ରହିଛନ୍ତି । ୟୁପି ଓ ଉତ୍ତରାଖଣ୍ଡରେ ବିଜେପି ସରକାର ଗଢ଼ିବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ପଞ୍ଜାବରେ ସ୍ପଷ୍ଟ ବହୁମତ ସହ କଂଗ୍ରେସ ସରକାର ଗଢ଼ିବ । ତେବେ ଗୋଆ ଓ ମଣିପୁରରେ ଝୁଲା ସରକାର ହେବାର ସମ୍ଭାବନା ରହିଛି ।

ONA

Leave a Reply

Top