You are here
Home > ଏକ୍ସକ୍ଲୁସିଭ୍ > ୟାରାନାରେ ଦାଗ!

ୟାରାନାରେ ଦାଗ!

ଭୁବନେଶ୍ୱର: ପୋଲିସ୍ ଓ ନେତାଙ୍କ ସଂପର୍କକୁ ନେଇ ସବୁବେଳେ ଚର୍ଚ୍ଚା ଚାଲିଥାଏ । ଏମିତିକି ନେତାଙ୍କ ଚାପରେ ପୋଲିସ କାମ କରୁଥିବା ଅନେକ ନଜିର ଦେଖିବାକୁ ମିଳିଛି । ସେ ପିପିଲି ପୀଡିତାଙ୍କ ଘଟଣାରେ ଥାନା ଅଧିକାରୀ ଅମୂଲ୍ୟ ଚମ୍ପତିରାୟ ହୁଅନ୍ତୁ କି ତିର୍ତ୍ତୋଲ ଏସିଡ ପୀଡିତାଙ୍କ କ୍ଷେତ୍ରରେ ଡିଏସ୍ପି ଆର.କେ.ଜେନା ଓ ଥାନାଧିକାରୀ ଶଙ୍କର୍ଷଣ ଦଳାଇଙ୍କ କାର୍ଯ୍ୟଶୈଳୀ । କୁହାଯାଉଛି ସରକାରଙ୍କୁ ସୁହାଇବା ପରି କାମ କରିବାରୁ ଏମାନେ କୁଆଡେ ଏବେ ବଦନାମ ହୋଇଛନ୍ତି । ହେଲେ ଏପରି କିଛି ପୋଲିସ ବାବୁ ଅଛନ୍ତି ଯେଉଁମାନେ ନେତାଙ୍କ ଆଗରେ ମୁଣ୍ଡ ନୁଆଇଁବାକୁ ପସନ୍ଦ କରନ୍ତି ନାହିଁ । ଏପରି ଜଣେ ପୋଲିସ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଉପ-ଆରକ୍ଷୀ ଅଧୀକ୍ଷକ (ଡିଏସ୍ପି) ଗୌତମ କିଶାନ । କର୍ତ୍ତବ୍ୟରେ ସାଧୁତା ବଜାୟ ରଖିବା ପାଇଁ ନିଜ ପ୍ରିୟ ରାଜନେତା ବନ୍ଧୁଙ୍କୁ ବି ବାଦ୍ ଦେବାକୁ ପଛାଇଲେ ନାହିଁ ।
୨୦୧୫ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ପରେ ଡିଏସ୍ପି ହୋଇଥିଲେ ଗୌତମ । ସେ ହେଉଛନ୍ତି ବଣେଇର ପୂର୍ବତନ ବିଧାୟକ ସ୍ୱର୍ଗତ ଦୟାନିଧି କିଶାନଙ୍କ ବଡ ପୁଅ । ବାରିପଦାରେ ତାଙ୍କର ପୋଷ୍ଟିଂ ହେଲା । ସେହି ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଅଧ୍ୟକ୍ଷ ହେଉଛନ୍ତି ସୁବୋଧ ମାରାଣ୍ଡି । ସୁବୋଧ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡିଙ୍କ ସାନ ଭାଇ । ସେପଟେ ଗୌତମ ଓ ସୁବୋଧ କଲେଜ ସମୟର ବନ୍ଧୁ । ଉଭୟ ୨୦୦୫ ମସିହାରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଦୁହେଁ ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ଆମ୍ବେଦକର ହଷ୍ଟେଲରେ ମିଶି ରହୁଥିଲେ । ତେବେ ପାଠପଢାରେ ଗୌତମ ଆଗୁଆ ଥିବାବେଳେ ଖେଳକୁଦରେ ଚାମ୍ପିଅନ ଥିଲେ ସୁବୋଧ । ଯେଉଁଠି ସୁବୋଧ ଭାଇ ସୁଦାମଙ୍କ ପରି ରାଜନୀତି କରିବାକୁ ରୁଚି ରଖିଥିଲେ, ଗୌତମ ବଡ ପ୍ରଶାସନିକ ଅଧିକାରୀ ହେବା ପାଇଁ ରାତିଦିନ ବହି ଭିତରେ ବୁଡି ରହୁଥିଲେ । ଏକ ଦଶନ୍ଦି ପରେ ଉଭୟଙ୍କ ଇଚ୍ଛା ପୂରଣ ବି ହେଲା । ହେଲେ ଏହା ଯେ ଦୁହିଁଙ୍କ ବନ୍ଧୁତା ଭାଙ୍ଗି ଦେବ, କେହି କେବେ ଚିନ୍ତା କରି ନଥିଲେ ।
୨୦୧୭ ପଞ୍ଚାୟତ ନିର୍ବାଚନରେ ବାଙ୍ଗିରିପୋଷି ବ୍ଲକ ଅଧ୍ୟକ୍ଷ ହୋଇଥିଲେ ସୁବୋଧ । ଯେବେ ଜାଣିଲେ ଯେ ବନ୍ଧୁ ଗୌତମ ବାରିପଦା ଡିଏସ୍ପି ଭାବେ କାମ କରୁଛନ୍ତି, କ୍ଷମତାର ଶିଖର ଚଢିବା ପାଇଁ ସୁବୋଧ ସ୍ୱପ୍ନ ଦେଖିଲେ । ଭାଇ ସୁଦାମଙ୍କ ଯାଇ କହିଥିଲେ ଯେ ସାଙ୍ଗ ଡିଏସ୍ପି ଥିବାରୁ ପୋଲିସ କେସ୍ ପାଇଁ ଚିନ୍ତା କରିବା ଦରକାର ନାହିଁ । ହେଲେ ଗୌତମ କିଛି ଭିନ୍ନ ଚିନ୍ତାଧାରାର ଲୋକ । କିଛି ମାସ ତଳେ ସୁଦାମଙ୍କ ରାଜନୈତିକ କର୍ମୀଙ୍କୁ ଅଟକ ରଖିଥିଲେ ଗୌତମ । ଏମାନଙ୍କ ବିରୋଧରେ ଅଭିଯୋଗ ସେତେଟା ସଙ୍ଗୀନ ନଥିଲେ ବି ଜେଲରେ ଭର୍ତ୍ତି କରିବା ପାଇଁ ଯଥେଷ୍ଟ ଥିଲା ବୋଲି ଶୁଣିବାକୁ ମିଳିଛି । ଭାଇର ସାଙ୍ଗ ଭାବି ସମର୍ଥକଙ୍କୁ ଛାଡିବା ପାଇଁ ଗୌତମଙ୍କୁ ସୁଦାମ ଅନୁରୋଧ କରିଥିଲେ । ହେଲେ ଗୌତମ କୁଆଡେ ଜିଲ୍ଲାପାଳ କି ଏସ୍ପିଙ୍କ ଦ୍ୱାରା ଏଥିପାଇଁ ଲିଖିତ ଅନୁମତି ଆଣିବା ପାଇଁ କହିଲେ । କାନମୁଣ୍ଡା ଆଉଁସି ସାନ ଭାଇ ସୁବୋଧଙ୍କ ପାଖକୁ ଗଲେ ସୁଦାମ । ସୂଚନା ଅନୁସାରେ, ବିରକ୍ତି ହୋଇ ସୁବୋଧଙ୍କୁ ଗାଳି କଲେ ସୁଦାମ । ଯାହାକୁ ସାଙ୍ଗ କହୁଥିଲେ, ସେ ହିଁ ଶତ୍ରୁ ବାହାରିଲା ବୋଲି ସୁବୋଧଙ୍କୁ ରୋକଠୋକ ଶୁଣାଇଦେଲେ । ଏହାପରେ ବାଧ୍ୟ ହୋଇ ଗୌତମଙ୍କ ପାଖକୁ ଯାଇ ସୁବୋଧ ନେହୁରା ହୋଇଥିବା ଖବର ମିଳିଛି ।
ବାରିପଦାରେ ଲୋକପ୍ରିୟ ପୋଲିସ ବାବୁ ଗୌତମ ନିଜ ବନ୍ଧୁ ସୁବୋଧଙ୍କ ଅନୁରୋଧକୁ ରଖିପାରିବେନି ବୋଲି କୁଆଡେ ରୋକଠୋକ୍ ମନା କରି ଦେଲେ । ଯାହା ସୁବୋଧଙ୍କ ଶିବରରୁ ଖବର ମିଳିଛି, ଗୌତମଙ୍କୁ ଏହାର କାରଣ ପଚାରିଲେ ସୁବୋଧ । ଗୌତମଙ୍କ ସ୍ପଷ୍ଟ ଉତ୍ତର ଥିଲେ ଯେ ସେମାନଙ୍କୁ ଛାଡିଲେ ଆଉ ବାରିପଦାରେ କ୍ରିମିନାଲ ପୋଲିସକୁ ଭୟ କରିବେନି । ଏତିକି ଶୁଣି ଭାଇ ସୁଦାମଙ୍କ ପରି ସୁବୋଧ ବି କାନମୁଣ୍ଡା ଆଉଁସି ଫେରି ଆସିଲେ । ସେବେଠାରୁ କୁଆଡେ ଗୌତମଙ୍କୁ ନିଜ ବନ୍ଧୁ ଭାବେ ପରିଚୟ ଦେବାକୁ ପଛଘୁଞ୍ଚା ଦେଉଛନ୍ତି ସୁବୋଧ । ଏପରିକି ଗୌତମ ଓ ସୁବୋଧଙ୍କ ୧୬ ବର୍ଷର ବନ୍ଧୁତାରେ ପୂର୍ଣ୍ଣଚ୍ଛେଦ ଲାଗିଥିବା ଖବର ମିଳିଛି । ଚାହିଁବି ମାରାଣ୍ଡି ପରିବାର ଗୌତମଙ୍କ ଉପରେ ରାଜନୈତିକ ଚାପ ସୃଷ୍ଟି କରି ପାରୁ ନାହାନ୍ତି । ଗୌତମଙ୍କ ମାଆ ପ୍ରେମଶୀଳା କିଶାନ ବି ବିଜେପିର ଭେଟେରାନ୍ ନେତ୍ରୀ ସହ ପିତା ବିଧାୟକ ଥିଲେ । ତାଙ୍କ ଭାଇ କିଛି ଦିନ ତଳେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଡ ବୁକରୁ ସୁଦାମ ଆଉଟ ହୋଇଥିବା ଶୁଣିବାକୁ ମିଳିଛି । ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗର ସଚ୍ଚୋଟ ଖାକି ବାବୁଙ୍କ ଦେହରେ ହାତ ମାରିବାର ସାହସ ଜୁଟାଇ ପାରୁ ନାହାନ୍ତି ସୁଦାମ ।

ONA

Leave a Reply

Top