You are here
Home > ଅଧିକ ଖବର > ହେ ରାମ, ମରିବାକୁ ଦିଅ

ହେ ରାମ, ମରିବାକୁ ଦିଅ

ବରଗଡ, (ଶାନ୍ତନୁ ବିଶ୍ୱାଳ): ଇଚ୍ଛା ମୃତୁ୍ୟ । ଏହା ଏକ ବିତର୍କିତ ଅଧ୍ୟାୟ ହୋଇ ରହିଛି । ଅସହ୍ୟ ଜୀବନ ଯନ୍ତ୍ରଣାରେ ସଢୁଥିବା ଜଣେ ଲୋକଙ୍କୁ ଇଚ୍ଛା ମୃତୁ୍ୟ ପାଇଁ ନା ଆମ ଦେଶର ସରକାର ନା କୋର୍ଟ କେହି ବି ଅନୁମତି ଦେଇନାହାନ୍ତି । କର୍ଣ୍ଣାଟକର କିଙ୍ଗ ଏଡୱାର୍ଡ ମେଡିକାଲ କଲେଜର ବହୁଚର୍ଚ୍ଚିତ ନର୍ସ ଅରୁଣା ସାନବାଗ ସେହି ମେଡିକାଲର ଜଣେ ୱାର୍ଡ ବୟ ସୋହନଲାଲ ବାଲ୍ମିକୀ ଦ୍ୱାରା ଅମାନୁଷିକ ଭାବେ ଦୁଷ୍କର୍ମର ଶିକାର ହେବା ପରେ ୪୨ ବର୍ଷ ଧରି କୋମାରେ ପଡି ଜୀବନ ସହ ଜୁଝିଥିଲେ । ଏପରିସ୍ଥିତିରେ ତାଙ୍କ ବଞ୍ଚିବା ଅପେକ୍ଷା ମୃତୁ୍ୟ ଶ୍ରେୟସ୍କର ଥିଲା । ଏଥିପାଇଁ ଅରୁଣାଙ୍କ ଲାଗି ୨୦୧୦ ମସିହା ସେପ୍ଟେମ୍ବରରେ ତାଙ୍କ ବନ୍ଧୁ ତଥା ସାମ୍ବାଦିକା ପିଙ୍କି ଭିରାନି ସୁପ୍ରିମକୋର୍ଟରେ ଇଚ୍ଛା ମୃତୁ୍ୟ ନିମନ୍ତେ ଆବେଦନ କରିଥିଲେ । ହେଲେ ଇଚ୍ଛା ମୃତୁ୍ୟ ଆବେଦନକୁ ଖାରଜ କରିଦେଇଥିଲେ ଶୀର୍ଷ ଅଦାଲତ । ତେବେ ଅରୁଣାଙ୍କ ଚିକିତ୍ସା ବନ୍ଦ କରିବାକୁ ଅନୁମତି ଦେଇଥିଲେ । ଏହାସହ ପାସିଭ୍ ୟୁଥାନାସିଆ(ପରୋକ୍ଷ ଇଚ୍ଛାମୃତୁ୍ୟ)କୁ ଆଇନଗତ କରିଥିଲେ ଅଦାଲତ । ଅରୁଣାଙ୍କ ପରେ କେନ୍ଦ୍ର ସରକାର ପାସିଭ ୟୁଥାନାସିଆ  ଚିଠା ବିଲ୍ ପ୍ରସ୍ତୁତ କରିଛନ୍ତି । ଏ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସରକାର ବିଭିନ୍ନ ବର୍ଗର ଲୋକଙ୍କ ମତାମତ ଆହ୍ୱାନ କରିଛନ୍ତି । ହେଲେ ଏହା ଆଇନେ ପରିଣତ ହୋଇପାରିନାହିଁ । କେବଳ ନର୍ସ ଅରୁଣା ନୁହନ୍ତି ବିଭିନ୍ନ ସମୟରେ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ ଓଡିଶାର ଏକାଧିକ ବ୍ୟକ୍ତି ମଧ୍ୟ ଇଚ୍ଛା ମୃତୁ୍ୟ ପାଇଁ ଅନୁମତି ମାଗିଛନ୍ତି । ହେଲେ ସେମାନଙ୍କୁ ଏଥିପାଇଁ ଅନୁମତି ମିଳିପାରିନାହିଁ । ଏବେ ଚିକିତ୍ସା ଅଭାବରୁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ବରଗଡ ଜିଲ୍ଲା ମହୁଲପାଲି ଗାଁର ଗୁଣନିଧି କ୍ଷେତି ଇଚ୍ଛାମୃତୁ୍ୟ ପାଇଁ ନୂଆ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି ।
ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ମହୁଲପାଲି ଗାଁର ଗୁଣନିଧି କ୍ଷେତି । ବୟସ ୪୩ । ପେସା ଚାଷ କାମ । ନିଜର ୩ ଏକର ଜମିରେ ଚାଷ କାମ କରି ଯାହା ମିଳେ ସେଥିରେ ପରିବାର ଚଳାନ୍ତି ଗୁଣନିଧି । ଦୁଇ ବର୍ଷ ହେଲା ଗୁଣନିଧିଙ୍କ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେଉଛି । ଯନ୍ତ୍ରଣା ଅସହ୍ୟ ହେଲାଣି । ଆଉ ରୋଗ ଦାଉ ସହି ହେଉନି । ଆଣ୍ଠୁଗଣ୍ଠି ପୀଡା ପ୍ରତି ମୁହୂର୍ତ୍ତରେ ତାଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ଡାକ୍ତରୀ ଚିିକିତ୍ସା ଲାଗି ଅର୍ଥ ନାହିଁ । ବିଶାଖାପାଟଣା ଯାଇ ଚିକିତ୍ସା କରାଇଛନ୍ତି । ଆଣ୍ଠୁ ଗଣ୍ଠିରେ ଅସ୍ତ୍ରୋପଚାର ହେଲା । ହେଲେ ରୋଗ କମିଲାନି । ଦୁଇ ବର୍ଷ ଧରି ଚିକିତ୍ସା ସତ୍ତ୍ୱେ ସେ ଏବେ ଶଯ୍ୟାଶାୟୀ । ବିଛଣାରେ ପଡି ପଡି ଶରୀର ଅବଶ ହୋଇପଡିଲାଣି । ପାଖରେ ଆଉ ସମ୍ବଳ ନାହିଁ । ଅଭାବୀ ପରିବାର ସଢୁଛନ୍ତି । ଏପରିସ୍ଥିିତିରେ କଲବଲ ହୋଇ ବଞ୍ଚି ଥାଉ ଥାଉ ମରିବା  ଅପେକ୍ଷା  ମୃତୁ୍ୟ ବରଂ ଭଲ । କୋହଭରା କଣ୍ଠରେ ଗୁଣନିଧି ଏହା କହିବା ସହ ଇଚ୍ଛା ମୃତୁ୍ୟ ଲାଗି ରାଷ୍ଟ୍ରପତିଙ୍କୁ ଅନୁମତି ମାଗିଛନ୍ତି । ଗତ ୧୩ ତାରିଖରେ ଚିଠି ଲେଖି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅନୁମତି ମାଗିଛନ୍ତି ଗୁଣନିଧି, ତାଙ୍କୁ ମରିବା ଲାଗି ଅନୁମତି ମିଳୁ ବୋଲି । କେବଳ ରାଷ୍ଟ୍ରପତିଙ୍କୁ ନୁହେଁ ସେ ଇଚ୍ଛା ମୃତୁ୍ୟ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବରଗଡ ଜିଲ୍ଲାପାଳଙ୍କୁ ବି ଚିଠି ଲେଖି ଜଣାଇଛନ୍ତି ।
ଗରିବ,ଖଟିଖିଆଙ୍କ ପାଇଁ ସରକାରଙ୍କ କେତେ କଣ ଯୋଜନା । ସ୍ୱାସ୍ଥ୍ୟ ସେବା ପାଇଁ ଉଭୟ ସରକାର ବିଭିନ୍ନ ଯୋଜନା ପ୍ରଚଳନ କରିଛନ୍ତି । ହେଲେ ଅଭାବୀ ଗୁଣନିଧିଙ୍କ ପାଇଁ ସବୁକିଛି ଅପହଞ୍ଚ । ତାଙ୍କ ଦୁଃଖ କାହା କାନରେ ପଡୁନି ।
କିଛି ଦିନ ତଳେ ବରଗଡ ଜିଲ୍ଲା ବିଜେପୁର ଲୁହୁରାପାଲିର ଦୁଇ ଭଉଣୀ ବୈଷ୍ଣୋଦେବୀ ଓ ଗାୟତ୍ରୀ ଦେବୀ ଦୂରାରୋଗ୍ୟ ହାଇପୋପ୍ଲାଷ୍ଟିକ ଏନିମିଆରେ ପୀଡିତ ଥିବା ବେଳେ ଅର୍ଥାଭାବରୁ ଚିକିତ୍ସିତ ହୋଇ ନପାରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକୁଳ ନିବେଦନ କରିଥିଲେ । ଏପରିକି ଚିକିତ୍ସା ପାଇଁ ସହାୟତା ମାଗିବା ସହ ଦୁଇ ଭଉଣୀ ଋଣ ସୁଝିବା ପାଇଁ ନର୍ସ ହୋଇ ଲୋକଙ୍କର ସେବା କରିବେ ବୋଲି ମୋଦିଙ୍କୁ ଚିଠି ଲେଖିଥିଲେ । ଏହାପରେ ଦୁଇ ଭଉଣୀଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଅଞ୍ଚଳର କିଛି ସଂଗଠନ ଓ ବଦାନ୍ୟ ବ୍ୟକ୍ତି ଆଗେଇ ଆସିଥିଲେ । ଏବେ ଆଣ୍ଠୁଗଣ୍ଠି ରୋଗରେ ପୀଡିତ ବରଗଡ ଜିଲ୍ଲା ମହୁଲପାଲି ଗାଁର ଗୁଣନିଧି କ୍ଷେତି ସେମିତି ଆକୁଳ ନିବେଦନ କରିଛନ୍ତି । ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତୁ୍ୟ ପାଇଁ ଅନୁମତି ମାଗିଛନ୍ତି, ତାଙ୍କୁ  ଅନୁମତି ତ ମିଳିବ ନାହିଁ ଏହା ସତ । ହେଲେ ଗୁଣନିଧି ସ୍ୱାଭାବିକ ଜୀବନ ଜିଇଁବା ଲାଗି ଉଚ୍ଚତର ଚିକିତ୍ସା ଦରକାର । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଆବଶ୍ୟକ ହୋଇଥିବାରୁ ଉଭୟ ସରକାର ଓ ବେସରକାରୀ ସ୍ତରରୁ ସହାୟତାର ହାତ ଲମ୍ବିବା ଦରକାର ।

ONA

Leave a Reply

Top