You are here
Home > ସଞ୍ଜିବନୀ > ହାଇ ବ୍ଲଡପ୍ରେସର

ହାଇ ବ୍ଲଡପ୍ରେସର

ବ୍ଲଡପ୍ରେସର ବା ଉଚ୍ଚ ରକ୍ତଚାପ ଏକ ମାରାତ୍ମକ ରୋଗ । ପ୍ରତ୍ୟେକ ବ୍ୟକ୍ତିର ରକ୍ତଚାପ ପ୍ରତିଦିନ ଓ ପ୍ରତି ଘଣ୍ଟାରେ ପରିବର୍ତ୍ତନ ହୋଇଥାଏ । ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କ ରକ୍ତର ଚାପ ୧୨୦/୮୦ ଅଟେ । ଯେତେବେଳେ ରକ୍ତର ଚାପ ୧୪୦/୯୦ରୁ ଅଧିକ ହୋଇଯାଏ, ତେବେ ଏହାକୁ ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡପ୍ରେସର କୁହାଯାଏ । ଅତ୍ୟଧିକ ପରିଶ୍ରମ,ଭୟ, ଚିନ୍ତା, ଦୁଃଖ, କ୍ରୋଧ ଇତ୍ୟାଦି ଅବସ୍ଥାରେ ରକ୍ତଚାପ କିଛି ସମୟ ବୃଦ୍ଧି ପାଇଥାଏ । ଉଚ୍ଚ ରକ୍ତଚାପ ହେଲେ ଆଖି ଖରାପ ହେବାର ସମ୍ଭାବନା ମଧ୍ୟ ରହିଛି । ଏହାସହ ଏହା କିଡନୀ ରୋଗର ଦ୍ୱିତୀୟ କାରଣ ଅଟେ ।

ଲକ୍ଷଣ: ଉଚ୍ଚ ରକ୍ତଚାପର କୌଣସି ଖାସ ଲକ୍ଷଣ ବାହାରକୁ ଦେଖାଯାଇନଥାଏ । କିଛି ଲୋକଙ୍କୁ ରକ୍ତଚାପ ଅଧିକ ବଢିଗଲେ ମୁଣ୍ଡ ବିନ୍ଧା ହୋଇଥାଏ । ଏହାସହ ଛାତିରେ ଯନ୍ତ୍ରଣା ଅନୁଭବ କରିବା, ମୁଣ୍ଡ ବୁଲାଇବା, ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ । ଅଣନିଶ୍ୱାସୀ ଓ ଥକ୍କା ଲାଗିବା, ରକ୍ତହୀନତା ଓ ଓଜନ ବଢିବା ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ ।
କାରଣ: ଏହା ସାଧାରଣତଃ ୪୦ ବର୍ଷ ବୟସରେ ଦେଖାଯାଇଥାଏ । ଯଦି କୌଣସି ବ୍ୟକ୍ତିଙ୍କର ୩୦ ବର୍ଷ ଆଗରୁ କିମ୍ବା ୫୦ ବର୍ଷ ପରେ ହଠାତ ଉଚ୍ଚ ରକ୍ତଚାପ ଦେଖାଯାଏ, ତେବେ ଏହା ଉଚ୍ଚ ରକ୍ତଚାପ ଜନିତ କିଡନୀ ରୋଗର ଲକ୍ଷଣ ଅଟେ ।
ଶରୀର ଉପରେ କୁପ୍ରଭାବ: ଉଚ୍ଚ ରକ୍ତଚାପ ଦ୍ୱାରା ଶରୀରରେ ଆହୁରି ଅନେକ ସମସ୍ୟା ଉପୁଜିଥାଏ । ଯେମିତିକି..
♦   ଏହାଦ୍ୱାରା କ୍ରୋନିକ କିଡନୀ ରୋଗ ଏବଂ କିଡନୀ ଖରାପ ହେବା
♦   ହୃଦଘାତ ଭଳି ରୋଗ
♦    ଆଖି ନଷ୍ଟ ହୋଇଯିବା
♦   ମସ୍ତିସ୍କରେ ଉଚ୍ଚ ରକ୍ତଚାପ ଯୋଗୁଁ ରକ୍ତ କମିଯିବା ଏବଂ ପାରାଲିସିସ ହେବା
ନିରାକରଣ
    ଉଚ୍ଚ ରକ୍ତଚାପର ସଠିକ କାରଣ ନିରୂପଣ ଦ୍ୱାରା ୧୦ ପ୍ରତିଶତ ଉଚ୍ଚ ରକ୍ତଚାପ ରୋଗର ଚିକିତ୍ସା କରାଯାଇପାରିବ ।
♦    ଡାକ୍ତରଙ୍କ ପରାମର୍ଶ ଅନୁସାରେ ରକ୍ତଚାପ ଔଷଧ ନିୟମିତ ଅନୁସାରେ ସେବନ କରନ୍ତୁ । ସମୟାନୁସାରେ ଡାକ୍ତରୀ ପରୀକ୍ଷା କରନ୍ତୁ ।
♦    ଶରୀର ଓଜନ ନିୟନ୍ତ୍ରିତ ରଖନ୍ତୁ । ନିୟମିତ ବ୍ୟାୟାମ କରନ୍ତୁ । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ନିୟମିତ ଚାଲନ୍ତୁ ।
♦    ଭିଟାମିନ ପ୍ରୋଟିନଯୁକ୍ତ ଖାଦ୍ୟ ଖାଆନ୍ତୁ । ରୁଟି, ଭାତ, ଡାଲି, ଶାଗ, ମାଛ , ସବୁଜ ପନିପରିବା ଏବଂ ତାଜା ଫଳ ଖାଆନ୍ତୁ । ଉପଯୁକ୍ତ ମାତ୍ରାରେ ପାଣି ପିଅନ୍ତୁ ।
♦    ତେଲ ଜାତୀୟ ଖାଦ୍ୟ, ଘିଅ, ତେଲ, ଲହୁଣି ଚିପ୍ସ, ଆଚାର, ପାମ୍ପଡ, ସସ୍୍ ଠାରୁ ଯଥା  ସମ୍ଭବ ଦୂରେଇ ରୁହନ୍ତୁ । ଚର୍ବିଜାତୀୟ ଖାଦ୍ୟ କମ ମାତ୍ରାରେ ଖାଇବା ଉଚିତ । ଏହାସହ ଚକୋଲେଟ, ଆଇସକ୍ରିମ, କେକ୍ ଓ ଥଣ୍ଡା ଜାତୀୟ ପାନୀୟ ନ ପିଇବା ଉଚିତ ।
♦    ଅଧିକ ଲୁଣ ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ ।
♦    ପୋଟାସିୟମ ଥିବା ଖାଦ୍ୟ ଅଧିକ ପରିମାଣର ଖାଇବା ଆବଶ୍ୟକ । କଦଳୀ, କମଳା, ଆଳୁ, କୋମଳ ନଡିଆ ପାଣି ପିଇବା ଦରକାର । ଏହି ଖାଦ୍ୟ ପଦାର୍ଥ ରକ୍ତଚାପ କମିବାରେ ସାହାଯ୍ୟ କରେ ।
♦    ଶରୀରର ଓଜନ ଠିକ ରଖିବା ପାଇଁ ଖାଦ୍ୟରେ କ୍ୟାଲୋରୀର ଅନୁପାତ ଠିକ ରଖିବା ଉଚିତ ।
ଏସବୁ ବ୍ୟତୀତ ଆପଣଙ୍କ ଜୀବନଶୈଳୀରେ ସାମାନ୍ୟ ପରିବର୍ତ୍ତନ ଆପଣଙ୍କୁ ଉଚ୍ଚ ରକ୍ତଚାପ ଭଳି ସମସ୍ୟାରୁ ଦୂରେଇ ରଖିବ ।

ONA

Leave a Reply

Top