You are here
Home > ଲାଟେଷ୍ଟ > ହକି ବିଶ୍ୱଲିଗ୍: ଜାତୀୟ ଦଳରେ ୩ ଓଡ଼ିଆ

ହକି ବିଶ୍ୱଲିଗ୍: ଜାତୀୟ ଦଳରେ ୩ ଓଡ଼ିଆ

♦ ସର୍ଦ୍ଦାର ବାଦ୍, ଫେରିଲେ ରୁପିନ୍ଦର, ବୀରେନ୍ଦ୍ର
ନୂଆଦିଲ୍ଲୀ: ଡିସେମ୍ବର ପହିଲାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱଲିଗ୍ ଫାଇନାଲ ବିଗୁଲ ବାଜିବ । ଏଥିରେ ଆୟୋଜକ ଭାରତ ସମେତ ବିଶ୍ୱର ଅନ୍ୟ ୭ଟି ଶକ୍ତିଶାଳୀ ଦଳ ଅଂଶଗ୍ରହଣ କରିବେ । ଏହି ଅବସରରେ ଶୁକ୍ରବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଭେଟରାନ ମିଡଫିଲ୍ଡର ସର୍ଦ୍ଦାର ସିଂଙ୍କୁ ସ୍ଥାନ ମିଳିନଥିବା ବେଳେ ଦୁଇ ଡିଫେଣ୍ଡର ରୁପିନ୍ଦର ପାଲ ସିଂ ଓ ବୀରେନ୍ଦ୍ର ଲାକ୍ରା ଦଳକୁ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗତ ମାସ ଢ଼ାକାରେ ଅନୁଷ୍ଠିତ ଏସିଆ କପରେ ଭାରତ ବିଜେତା ହୋଇଥିଲା । ଏହି ଦଳରେ ଥିଲେ ଭେଟରାନ ମିଡଫିଲ୍ଡର ସର୍ଦ୍ଦାର ସିଂ । କିନ୍ତୁ ପ୍ରଭାବୀ ପ୍ରଦର୍ଶନ ଦେଖାଇବାରେ ସେ ସମର୍ଥ ହୋଇପାରି ନଥିଲେ । ଏ ଦୃଷ୍ଟିରୁ ତାଙ୍କୁ ହକି ବିଶ୍ୱଲିଗ୍ ନିମନ୍ତେ ଘୋଷଣା ହୋଇଥିବା ଦଳରେ ସ୍ଥାନ ମିଳିନି ।
ଦୀର୍ଘ ଦିନର ବ୍ୟବଧାନ ପରେ ଜାତୀୟ ଦଳରେ ୩ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି । ଏମାନେ ହେଲେ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା, ଦୀପସାନ ତିର୍କୀ ଓ ଅମିତ ରୋହିଦାସ । ମିଡଫିଲ୍ଡର ମନପ୍ରୀତ ସିଂଙ୍କୁ ଅଧିନାୟକ ମନୋନୀତ କରାଯାଇଥିବା ବେଳେ ଚିଙ୍ଗଲେନସାନା ସିଂ ତାଙ୍କ ଡେପୁଟି ରହିଛନ୍ତି । ରୁପିନ୍ଦର ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରୀ କାରଣରୁ ଗତ ୫ ମାସ ହେବ ଦଳଠାରୁ ଦୂରେଇ ରହିଥିଲେ । ସେହିଭଳି ୨୦୧୬ ରିଓ ଅଲିମ୍ପିକ୍ସ ପୂର୍ବରୁ ଆଣ୍ଠୁରେ ଆଘାତ କାରଣରୁ ବୀରେନ୍ଦ୍ର ଲାକ୍ରା ଜାତୀୟ ଦଳରେ ସ୍ଥାନ ପାଇନଥିଲେ । ପାଖାପାଖି ୧୫ ମାସ ପରେ ସେ ମୁଖ୍ୟ ସ୍ରୋତକୁ ଫେରିଛନ୍ତି ।
ଦିନ ଥିଲା ଭାରତୀୟ ହକି ଦଳରେ ଅଧଡଜନ ଓଡ଼ିଆ ଖେଳାଳି ସ୍ଥାନ ପାଉଥିଲେ । ଦିଲ୍ଲୀପ ତିର୍କୀଙ୍କ ଠାରୁ ଆରମ୍ଭ କରି ଲାଜରୁଷ ବାର୍ଲା, ଇଗ୍ନେଶ ତିର୍କୀ, ୱିଲିୟମ ଖାଲକୋ, ପ୍ରବୋଧ ତିର୍କୀ ପ୍ରମୁଖ ଜାତୀୟଦଳର ନିୟମିତ ସଦସ୍ୟ ହେବା ସହ ନେତୃତ୍ୱ ନେଇଥିଲେ । ଗତ ୫ ବର୍ଷ ହେବ ଜାତୀୟ ଦଳରେ ଓଡ଼ିଆଙ୍କ ଅଂଶଗ୍ରହଣ କମିଛି । ତେବେ ହକି ବିଶ୍ୱଲିଗ୍ ନିମନ୍ତେ ୩ଜଣ ସ୍ଥାନ ପାଇଥିବାରୁ ପୁଣି ଓଡ଼ିଆଙ୍କ ପ୍ରାଧାନ୍ୟ ବଢ଼ିଛି । ଖାସ୍କରି ଓଡ଼ିଶାରେ ଏହି ମେଗା ପ୍ରତିଯୋଗିତା ଆୟୋଜିତ ହେଉଥିବାରୁ ଓଡ଼ିଆ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ଚୟନକର୍ତ୍ତା ।
ଜୁନିୟର ହକି ବିଶ୍ୱକପରେ ଭାରତର ଷ୍ଟାର ପାୱାର ସାଜିଥିବା ହରମନପ୍ରୀତ ସିଂ, ବରୁଣ କୁମାର ଓ ଓଡ଼ିଆ ଖେଳାଳି ଦୀପସାନ ତିର୍କୀ ନିକଟରେ ୟୁରୋପ ଟୁର ଓ ଏସିଆ କପ୍ରେ ଭଲ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଆସ୍ଥା ଭାଜନ ହୋଇପାରିଥିଲେ । ସେହିଭଳି ୨୦୧୭ ହକି ଇଣ୍ଡିଆ ଲିଗରେ ଅମିତ ରୋହିଦାସ ଜମାଣିଆ ପ୍ରଦର୍ଶନ ଦେଖାଇ ଜାତୀୟ ଦଳରେ ସ୍ଥାନ ପକ୍କା କରିପାରିଛନ୍ତି ।
ହକି ବିଶ୍ୱଲିଗ ଡିସେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆୟୋଜକ ଭାରତ ପୁଲ-ବି’ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଜର୍ମାନୀ ସହ ସ୍ଥାନ ପାଇଛି । ପ୍ରଥମ ଦିନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଖେଳି ଭାରତ ଅଭିଯାନ ଆରମ୍ଭ କରିବ । ପୂର୍ବଭଳି ମାରିଜ୍ନେ କୋଚ ଦାୟିତ୍ୱ ତୁଲାଇବେ । ନିକଟରେ ମାରିଜ୍ନେଙ୍କ ତତ୍ୱାବଧାନରେ ଭାରତ ଏସିଆ କପ୍ ବିଜେତା ହୋଇଥିଲା ।
ଭାରତୀୟ ଦଳ
ଗୋଲକିପର-ଆକାଶ ଅନିଲ ଚିକଟେ, ସୁରଜ କରକେରା । ଡିଫେଣ୍ଡର-ହରମନପ୍ରୀତ ସିଂ, ଅମିତ ରୋହିଦାସ, ଦୀପସାନ ତିର୍କୀ, ବରୁଣ କୁମାର, ରୂପିନ୍ଦରପାଲ ସିଂ, ବୀରେନ୍ଦ୍ର ଲାକ୍ରା । ମିଡଫିଲ୍ଡର-ମନପ୍ରୀତ ସିଂ(ଅଧିନାୟକ), ଚିଙ୍ଗଲେନସାନା ସିଂ(ଉପଅଧିନାୟକ), ଏସକେ ଉଥପ୍ପା, ସୁମିତ, କୋଥାଜିତ ସିଂ । ଫରୱାର୍ଡ-ଏସଭି ସୁନିଲ, ଆକାଶଦୀପ ସିଂ, ମନଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ , ଗୁରଜନ୍ତ ସିଂ ।

ONA

Leave a Reply

Top